ଅମୋଘ ବିରୋଧରେ ଚକ୍ରାନ୍ତ!

ଅମୋଘ ବିରୋଧରେ ଚକ୍ରାନ୍ତ!

Share :

ଓଡ଼ିଶାର ଅନ୍ୟତମ ପ୍ରତିଷ୍ଠିତ କୋଚିଂ ସେଣ୍ଟର ଅମୋଘ କ୍ଲାସେସ‍୍‌କୁ ବଦନାମ କରିବା ପାଇଁ ସଂସ୍ଥାର ଦୁଇ ଜଣ ପୂର୍ବତନ ଅଧ୍ୟାପକ ଚକ୍ରାନ୍ତ କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ନେଇ ସଂସ୍ଥା ତରଫରୁ ସେହି ଦୁଇ ଜଣଙ୍କ ବିରୋଧରେ ଭୁବନେଶ୍ୱର କୋର୍ଟରେ ଏକ ମାମଲା ରୁଜୁ କରାଯାଇଛି। କୋର୍ଟରେ ଅମୋଘ କ୍ଲାସେସ‍୍‌ ଅଭିଯୋଗର କୌଣସି ଜବାବ ଦେଇ ପାରି ନାହାନ୍ତି ଦୁଇ ପ୍ରତିପକ୍ଷ। ସେଥିପାଇଁ ସେମାନେ ସମୟ ନେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ୱର ୧୧ ତାରିଖକୁ ଧାର୍ଯ୍ୟ ହୋଇଛି।   ଅମୋଘ କ୍ଲାସେସ‍୍‌କୁ ବଦନାମ କରିବା ଉଦ୍ଦେଶ୍ୟରେ ଦୁଇ ଜଣ ଅଧ୍ୟାପକ ବିନୋଦ କୁମାର ବେଦୁ ଓ ଆଲୋକ ମହାନ୍ତି ସେମାନଙ୍କର ନିଯୁକ୍ତି ସର୍ତ୍ତ ଖିଲାଫ କରି ବର୍ଷ ଅଧାରୁ ସଂସ୍ଥା ଛାଡ଼ି ନୂଆପଲ୍ଲୀ ଅଂଚଳରେ ଅନ୍ୟ ଏକ କୋଚିଂ କ୍ଲାସ‍୍‌ ଆରମ୍ଭ କରିଛନ୍ତି। ନିଯୁକ୍ତି ଚୁକ୍ତିର ସର୍ତ୍ତ ଅନୁସାରେ ସେମାନେ ୩ ବର୍ଷ ପୂର୍ବରୁ ଚାକିରି ଛାଡ଼ିବା କଥା ନୁହେଁ। ଚାକିରି ଛାଡ଼ିବା ପରେ ସେମାନେ ଛାତ୍ରଛାତ୍ରୀମାନଙ୍କୁ ଅମୋଘ କ୍ଲାସ ବିରୋଧରେ ମିଥ୍ୟା କଥା କହୁଥିବା ଅମୋଘ କ୍ଲାସେସ‍୍‌ର ଯଶଜୟ ଚୌହାନ ଅଭିଯୋଗ କରିଛନ୍ତି। ସେମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଦୃଷ୍ଟି ନଦେଇ ଏପରି କରିଛନ୍ତି ବୋଲି ସେ କହିଛନ୍ତି।   ଏ ସଂକ୍ରାନ୍ତରେ ଅମୋଘ ତରଫରୁ ଉଭୟ ଆଲୋକ ମହାନ୍ତି ଓ ବିନୋଦ କୁମାର ବେଦୁଙ୍କ ବିରୋଧରେ ଭୁବନେଶ୍ୱରର ଦେୱାନୀ ଅଦାଲତରେ ଏକ ମାମଲା ଦାଏର ହୋଇଛି। ଅଭିଯୋଗର ଜବାବ ଦେବାକୁ କୋର୍ଟ ନୋଟିସ ଦେଇଥିଲେ ମଧ୍ୟ ପ୍ରତିପକ୍ଷ କୋର୍ଟରେ ତାହା ଦାଖଲ କରିପାରି ନାହାନ୍ତି। ସେଥିପାଇଁ ସମୟ ମାଗିଛନ୍ତି। କୋର୍ଟ ଉଭୟଙ୍କୁ ସମୟ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣୀ ନଭେମ୍ୱର ୧୧ ତାରିଖକୁ ଧାର୍ଯ୍ୟ ହୋଇଛି। ସେ ଯାଏଁ ସ୍ଥିତାବସ୍ଥା ବଜାୟ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।   ତେବେ ଏ ସଂପର୍କରେ ଯୋଗାଯୋଗ କରାଯିବାରୁ ଆଲୋକ ମହାନ୍ତି କହିଛନ୍ତି ଯେ ଅମୋଘ କ୍ଲାସେସ‍୍‌ କତ୍ତୃର୍ପକ୍ଷ ତାଙ୍କ ଆଡ଼ୁ ନିଯୁକ୍ତି ସର୍ତ୍ତ ଖିଲାଫ କରିଛନ୍ତି ଓ ସର୍ତ୍ତ ଅନୁଯାୟୀ ପାଉଣା ଓ ଲାଭର ଅଂଶ ଦେଇ ନାହାନ୍ତି। ସେମାନେ କୋର୍ଟଙ୍କୁ ଏ ବିଷୟରେ ତଥ୍ୟପ୍ରମାଣ ଦେବେ ବୋଲି ମହାନ୍ତି କହିଛନ୍ତି।

Share :