କେମିତି ବଂଚିବେ କଇଁଫୁଲର ୪ ପିଲା?

କେମିତି ବଂଚିବେ କଇଁଫୁଲର ୪ ପିଲା?

Share :

ସୁଶାନ୍ତ କୁମାର ସାହୁ   ଚିକିତ୍ସା ପାଇଁ ସରକାରୀ ସହାୟତାକୁ ଆଶା କରି ଶେଷରେ ଆଖି ବୁଜିଲେ କଇଁଫୁଲ। ଦୁଇ ବର୍ଷ ତଳେ କଇଁଫୁଲଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ଆଉ କଇଁଫୁଲଙ୍କ ମୃତ୍ୟୁପରେ ଏବେ ଅନାଥ ହୋଇଗଲେ ତାଙ୍କର ୪ ପିଲା। ଖାଇବେ କ’ଣ? ବଂଚିବେ କେମିତି? ଏହି ଅନାଥ ୪ ଶିଶୁଙ୍କୁ ସରକାରୀ ସହାୟତା ଦାବୀ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ୧୫୭ ନମ୍ବର ଜାତୀୟ ରାଜପଥକୁ ଚକାପାଦର ବାହଡାପଦା ଠାରେ ଅବରୋଧ କରିଥିଲେ ଗ୍ରାମବାସୀ।   କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଆରାବକା ପଂଚାୟତ ବାହାଡାପଦା ଗାଁର କଇଁଫୁଲଙ୍କ ସ୍ୱାମୀ ବସନ୍ତ ସାହୁ ୨ ବର୍ଷ ତଳେ ମୃତ୍ୟୁବରଣ କରିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ କଇଁଫୁଲ ଚାରିଚାରିଟା ପିଲାଙ୍କ ମୁହଁରେ ଦାନା ଦେଇ ଆସୁଥିଲେ। ହେଲେ, କଇଁଫୁଲ ଦୁଇ ମାସ ହେଲା ଅଜଣା ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେବାରୁ ସରକାରୀ ସାହାଯ୍ୟ ଆଶାରେ ଗାଁ ଲୋକେ ବ୍ଲକ ପ୍ରଶାସନଠଁୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ସହାୟତା ପାଇଁ। ହେଲେ, ସରକାରୀ ସହାୟତା ମିଳିଲାନି। ଗାଁ ଲୋକଙ୍କ ସାହାଯ୍ୟ ସହଯୋଗରେ ବଂଚି ଆସିଥିଲେ କଇଁଫୁଲ। ଶେଷରେ ଚିକିତ୍ସା ଅଭାବରୁ ଅକ୍ଟୋବର ୨୮ ତାରିଖ ଶୁକ୍ରବାର କଇଁଫୁଲଙ୍କ ମୃତ୍ୟୁ ଘଟିବା ପରେ ଅନାଥ ହୋଇଗଲେ ତାଭ୍କର ୪ ପିଲା। ଏତେ ବଡ଼ ଦୁନିଆରେ ଏକଲା ହୋଇଯାଇଛନ୍ତି ଏମାନେ।   କଇଁଫୁଲଙ୍କ ୩ ଝିଅ ଓ ଗୋଟିଏ ପୁଅ। ବଡଝିଅ ମାନସୀ(୧୬), ପୁଅ ମାନସ(୧୪), ଝିଅ ମାନିନୀ(୯) ଓ ମନିସା(୬)। ପ୍ରଥମେ ବାପା ଓ ପରେ ମା’ଙ୍କୁ ହରାଇଛନ୍ତି ଏମାନେ। ଅର୍ଥାଭାବ ଯୋଗୁଁ ଉପଯୁକ୍ତ ଚିକିତ୍ସା ସେବା ପାଇଲେ ନାହିଁ। ସରକାରୀ ସହାୟତା ପାଇଁ ଆବେଦନ କରିଥିଲେ। ତାହା ମିଳିଲା ନାହିଁ। ଏବେ ତାଙ୍କର ବାପାମା’ ଛେଉଣ୍ଡ ପିଲା ଚାରି ଜଣଙ୍କ କଥା କିଏ ବୁଝିବ? ସେମାନେ ଚଳିବେ କେମିତି? ଏଇ ଚିନ୍ତାରେ ଅଛନ୍ତି ଗ୍ରାମବାସୀ।   ପିଲା ଚାରି ଜଣଙ୍କ ପାଇଁ ସହାୟତା ଦାବି କରି ଗ୍ରାମବାସୀମାନେ ୧୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ପିଲାମାନଙ୍କର ଥଇଥାନ ଓ ଆର୍ଥିକ ଅନୁଦାନ ଦାବୀ କରିଥିଲେ ଗାଁ ଲୋକେ। ରାସ୍ତାରୋକ ଖବର ପାଇ ଟିକାବାଲି ପୋଲିସ ସମେତ ଚକାପାଦ ବିଡିଓ ଖଗେଶ୍ୱର ପାତ୍ର, ତହସିଲଦାର ଆକାଶ ରଂଜନ ସାହୁ, ଘୁମୁସର ଉଦୟଗିରି ଏସଡିପିଓ ଶେଷଦେବ ବରିହା, ଶଙ୍କରାଖୋଲ ଆରଆଇ ସଂଜୟ କୁମାର ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଲୋକଙ୍କ ସହ ଆଲୋଚନା କରି ଆବଶ୍ୟକ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା। ଏବେ ୪ ଭାଇ ଭଉଣୀଙ୍କ ଦାୟିତ୍ୱ ପ୍ରଶାସନର କାନ୍ଧରେ। ପ୍ରଶାସନ କେତେ ଦୂର ଏହି ଦାୟିତ୍ବ ନିର୍ବାହ କରୁଛି ତାହା ଦେଖିବାକୁ ବାକି ରହିଲା।

Share :