ସୁଧୀର କୁମାର ସାହୁ ମୁଁ କାଲି ଫୁଲହୋଇ ପୁଣି ଫୁଟିବି ତୋ ସକାଳରେ, ଶିଶିର ବୁନ୍ଦା ପରି ତୋ ଓଠରୁ ଝରିପଡ଼ିବ ଧାଡ଼ିଏ ମୁକ୍ତା ଲୁଚେଇ ରଖିଥିବା ସବୁତକ ସ୍ମିତହସ ଫିଟିପଡ଼ିବେ ଅଭିମାନର ଓଢ଼ଣା ଚିରି | ସେଇତକ ପାଇଁ ତ ଏ ଜୀବନ ଏ ଯାତ୍ରା, ଯାତ୍ରାଗୀତ ସେଇତକ ପାଇଁ ତମାମ ଅନ୍ୱେଷା ସତ୍ୟର, ଜୀବନର, ଜଗତର | ସମ୍ଭାବନାର ଆକାଶରେ ଅରୁଣିମା ବୋଧହୁଏ ସବୁତକ କୁହୁଡ଼ି କାଟି ସକାଳ ହେବ ପୁଣି ଥରେ | ସମ୍ପର୍କର ରଙ୍ଗ, ରୂପ ବଦଳେ ବୁନିଆଦ ମରେନା, ସୂର୍ଯ୍ୟାସ୍ତର ବିଦାୟୀ କଷ୍ଟ, ତମାମ ରାତିର ନିର୍ଜନତା ଆବାହନ କରେ ଅରୁଣିମାର, ଡାକେ ସକାଳକୁ, ନୂଆ ଗୋଟେ ସୂ୍ର୍ଯ୍ୟକୁ | ଖାଲି ଛାତିରେ ପ୍ରେମ ଥିଲେ ହେଲା ସୃଜନର ଅଭିଳାଷ । ମୁ କାଲି ଫୁଲହୋଇ ପୁଣି ଫୁଟିବି ତୋ ସକାଳରେ ଖୋଜିବି ସେଦିନ ତୁ ମୋ ସାମ୍ନାରେ ହଜେଇଦେଇଥିବା ସ୍ମିତହସଟିକୁ ତୋର ଫେରିପାଇଛୁ ନା ନାଇଁ !