କଳିଙ୍ଗ ଯୁଦ୍ଧ- ସତମିଛର କାହାଣୀ!

କଳିଙ୍ଗ ଯୁଦ୍ଧ- ସତମିଛର କାହାଣୀ!

Share :

ରବି କାନୁନ୍‌ଗୋ   ୧. ଅଶୋକଙ୍କ କଳିଙ୍ଗଯୁଦ୍ଧ   ଇତିହାସକୁ କେହି ନିରପେକ୍ଷ ବୋଲି ଭାବନ୍ତି ନାହିଁ। ସେହିପରି ପକ୍ଷପାତିତାର ଛାଇ ତଳେ ସମୃଦ୍ଧ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ସଂପର୍କରେ ଇତିହାସ କହେ - ସେ କେମିତି ଜଣେ କ୍ରୁର ନରପତି ଥିଲେ ଏବଂ କଳିଙ୍ଗକୁ ହରେଇ ସେଇଠି ‘ଅଶୋକା ଦି’ ଗ୍ରେଟ‌୍‍’ ଓ ‘ଦେବାନାଂପ୍ରିୟ’ ଇତ୍ୟାଦି ହେଲେ।   ଏ ଗପ ଆଉ କେହି କହିନାହାଁନ୍ତି; ସେ ଶିଳାଲିପିରେ ନିଜେ କହିଲେ!   ବୀର କଳିଙ୍ଗବାସୀଙ୍କ ମଥାରେ କଳଙ୍କ ଲେପି ସବୁ କଥା ପାଲିସ‌୍‍ କରି ଇତିହାସ ଆଗକୁ ଚାଲିଲା।   ସତ ଖୋଜିବାକୁ ସମସ୍ତେ ଭୁଲିଗଲେ। ମାତ୍ର ଅସାର ସୂଚନା ଭାବେ ବଥର ବିଣ୍ଡି ପରି ଟିକେ ମନେ ରହିଗଲା ପୂର୍ବତନ ସୁପ୍ରିମ‌୍‍କୋର୍ଟ ବଚାରପତି ମାର୍କଣ୍ଡେୟ କାଟ‌୍‍ଜୁଙ୍କର। ସେ ତାକୁ ନେଇ ଏବେ ଆକାଶରେ ଉତ୍ପାତ ରଚିଛନ୍ତି।    ବିଜେତାର ଆଭିଜାତ୍ୟ ଓ ଆଡ଼ମ୍ୱର ପ୍ରଦର୍ଶନ ଯେମିତି ପରାଜିତକୁ ମୁଗ୍ଧ କରିପାରେ ନାହିଁ, ପ୍ରାୟ ସେହିପରି ଓଡ଼ିଆମାନେ ଅଶୋକଙ୍କୁ ନିଜର ପରି ଭାବନ୍ତି ନାହିଁ ଏବଂ ସେମାନେ ‘କଳିଙ୍ଗଯୁଦ୍ଧ’ ପରି କୌଣସି କାଳ୍ପନିକ ସମର ଓ ବିଭୀଷିକାକୁ ବିଶ୍ୱାସ କରନ୍ତି ନାହିଁ। କାରଣ, ମୂଳ ପ୍ରଶ୍ନର ଉତ୍ତର ମିଳିନି। ମୌର୍ଯ୍ୟ ସମ୍ରାଟ ଅଶୋକ ବିହାରୀ ଥିଲେ କି? ବା, ଯଦି ସେ ଜିତିଲେ, ତେବେ କଳିଙ୍ଗର କେଉଁ ରାଜାଙ୍କୁ ହରେଇଥିଲେ? ବା, ପ୍ରତିପକ୍ଷ ନଥାଇ ଯୁଦ୍ଧ ହୁଏ କି? ବା, ବିଶ୍ୱ ଇତିହାସରେ ସେପରି ଆଉ ଗୋଟିଏ ଉଦାହରଣ ଅଛି କି?    କାଳ ନିଜ ଗତିରେ ଗଡ଼଼ୁଥିବାବେଳେ କେହି ହିରୋ କି ଭିଲିଏନ‌୍‍ ନଥା’ନ୍ତି। ପ୍ରଚୁର ପରିମାଣରେ ଥା’ନ୍ତି କେବଳ ପ୍ରଭୁପଦ ହାସଲ କରିଥିବା ବିଜେତା, ବଶମ୍ୱଦ ପରାଜିତ ଅଥବା ଅସହାୟ ପଳାତକମାନେ। ତା’ପରେ ବିସ୍ତୃତ କୁଶୀଲବ ତାଲିକା ଇତିହାସ ନିଜ ଆନ୍ଦାଜ ଓ ଅକଲରେ ତିଆରି କରେ।   ଇତିହାସ ଲେଖା ବିଷୟରେ ଇଂଲିଶ ଲେଖକ ଆଲ‌୍‍ଡସ ହକ୍ସଲେ (୧୮୯୪-୧୯୬୩) କହିଛନ୍ତି, ଘଟଣା ସରିଯାଏ ବୋଲି ଲେଖା ବନ୍ଦ ହୁଏନି। ବରଂ ବିପରୀତଟି ଠିକ‌୍‍। ଲେଖା ସରିଯାଏ ବୋଲି ଅନ୍ୟ ଘଟଣାଗୁଡ଼ିକୁ ଛାଡ଼ି ଦିଆଯାଏ।   ପୁତ୍ରମାନଙ୍କ ବିଜୟର ପୂର୍ଣ୍ଣ ବିବରଣୀ ନଶୁଣି ବନଚାରିଣୀ ମାତା କୁନ୍ତୀ ଯଦି ନିର୍ଦ୍ଧୁମ ଭୁଲ କଲା ପରି କହି ନଥା’ନ୍ତେ, ‘ମୋର କିଛି ଲୋଡ଼ା ନାହିଁ, ଯାହା ଆଣିଚ ତମେ ନିଜ ଭିତରେ ବାଣ୍ଟି ନିଅ’ - ତା’ହେଲେ କାଳଜୟୀ କାବ୍ୟ ‘ମହାଭାରତ’ର ରୂପ କ’ଣ ହୋଇଥା’ନ୍ତା? ଏପରି ପ୍ରଶ୍ନର ପ୍ରାୟ ଉତ୍ତର ନଥା’ଏ। ତେଣୁ ଇତିହାସକୁ ସତ୍ୟ ସତ୍ୟ ସତ୍ୟ କହି ଧ୍ରୁବ ମାନିବାରେ ନାନା ବିପତ୍ତି ରହିଛି। ବ୍ଲାକବୋର୍ଡରେ ପାହାଡ଼ ପୋଖରୀ ଗଛବୁର୍ଚ୍ଛ ଚିତ୍ର ପରି - ଡାଇମେନ‌୍‍ସନ‌୍‍ ନଥିବା ସବୁ ସମତଳ। ଏମିତି ବି ଇତିହାସର ଦସ୍ତୁର ଖରାପ। ଆଗ କଥା ପଛ ଓ ପଛ କଥାକୁ ଆଗେ କହେ। ରାମଙ୍କ କଥା ଆଗେ ବଖାଣି ପରେ ତାଙ୍କ ବାପା ନାଁ କହେ।   ସେହିପରି ‘କଳିଙ୍ଗଯୁଦ୍ଧ’ ସଂପର୍କରେ ଇତିହାସର ଗୋଟେ ବୟାନ ଶୁଣିବା। ଶ୍ରଦ୍ଧା ଓ ସମ୍ମାନ ସତ୍ତ୍ୱେ ଅନେକ ଭାବନ୍ତି ଯେ ଇଏ ଏମିତି ପାଠ ଯେଉଁଠି ବାପ-ରାଣ-ଢିଙ୍କି-ଗିଳ‌୍‍ ଛଡ଼ା ଆଉ କିଛି ନ୍ୟାୟ ଚାଲେନି। ବିଜେତାର ଦସ୍ତାବିଜରେ ପରାଜିତର ଚରିତ୍ର ନିର୍ଦ୍ଧାରଣ ହୁଏ।   ‘କଳିଙ୍ଗଯୁଦ୍ଧ’ ଓଡ଼ିଆଙ୍କ ବିରୁଦ୍ଧରେ ସର୍ବଘୃଣ୍ୟ ଅପପ୍ରଚାର। ପ୍ରମାଣ ଦେଖି କୁଆଡେ଼ ଇତିହାସ ଭାଷା କହେ। ଅତୀତକୁ ଆଜିର ଟେଲିସ୍କୋପରେ ଯେତେ ସମ୍ଭବ ସେତେ ଗହୀରେଇ ଦେଖେ।   ସେମିତି ‘ପ୍ରମାଣସିଦ୍ଧ’ ପରି ଲାଗୁଥିବା ଇତିହାସରେ ‘କଳିଙ୍ଗ ଯୁଦ୍ଧ’ର ମୁଖ୍ୟ ବର୍ଣ୍ଣନା ହେଲା ଯେ ଲକ୍ଷାଧିକ ସୈନ୍ୟଙ୍କୁ ହତ୍ୟା କରି ମଗଧ ଯୁବରାଜ ଅଶୋକ (ଖ୍ରୀଷ୍ଟପୂର୍ବ ୩୦୪ - ୨୩୨) ଦୟା ନଦୀରେ ପାଣି ବଦଳରେ ରକ୍ତର ଧାର ବୁହାଇ ଦେଲେ। ବର୍ଣ୍ଣିତ ଇତିହାସରୁ ଦି ଧାଡ଼ି ଶୁଣିବା: “As far as his eyes could see he saw only the corpses of elephants and horses, and the limbs of the soldier killed in the battle. There were streams of blood. Soldiers were rolling on the ground in unbearable pain. There were orphaned children. And eagles flew about to feast on the dead bodies. Ashoka reflected on the war in Kalinga, which reportedly had resulted in more than  1,00,000 deaths and 1,50,000 deportations, ending at around 200,000 deaths. Ashoka converted gradually to Buddhism beginning about 263 BCE”   ୨. ମିଛ ‘କଳିଙ୍ଗ ଯୁଦ୍ଧ’ ଓ ମିଛ ‘ଧର୍ମାଶୋକ’ ଉପାଖ୍ୟାନ   ଏମିତି ଅନେକ କଥା ଦେଖିଲା ପରି ଇତିହାସ ଆମକୁ କହେ ଏବଂ ସମସ୍ତେ ତାହା ଆପ୍ରାଣ ବିଶ୍ୱାସ କରି କଥାବସ୍ତୁ ଆଗକୁ ଟାଣି ନିଅନ୍ତି।   କୁଆଡେ଼ କଳିଙ୍ଗ ବିଜୟ ଭୟାବହତା ସମ୍ରାଟ ଅଶୋକଙ୍କୁ ଏତେ ଶୋକାକୁଳ କଲା ଯେ - ଟେକ୍ସଟବୁକ‌୍‍ ଓ ରିସର୍ଚ ବିଶ୍ୱାସ ଅନୁଯାୟୀ - ସେ ତା ପରେ ବୌଦ୍ଧ ଧର୍ମ ଆଦରିଲେ ଏବଂ ନିଜେ ‘ଚଣ୍ଡାଶୋକ’ରୁ ‘ଧର୍ମାଶୋକ’ରେ ପରିଣତ ହୋଇଗଲେ। ଜଣେ କ୍ରୁର ରାଜା ଧାର୍ମିକ ହେଲା। ଭଲ କଥା। ସଲାମ କରି ଇତିହାସ ତାକୁ ଆଦରି ନେଲା ଏବଂ କହି ଚାଲିଛି ଯେ ‘କଳିଙ୍ଗ ଯୁଦ୍ଧ’ ପରେ କୁଆଡେ଼ ଅଶୋକଙ୍କ ‘କରୁଣାପ୍ଳୁତ’ ପ୍ରାଣ ତାଙ୍କୁ ବୌଦ୍ଧ ଧର୍ମାବଲମ୍ୱୀ କରିଥିଲା। ବିଜୟୀ ପରାଜିତ ପାଇଁ ଶ୍ଳୋକାପ୍ଳୁତ ହୁଏ କି?   ବିଶିଷ୍ଟ ବୌଦ୍ଧ ଐତିହାସିକ ଶ୍ରାବସ୍ତି ଧାର୍ମିକ (ଅଷ୍ଟ୍ରେଲଆ)ଙ୍କ ସହିତ ଏ ଲେଖକ ଏକ ଟିଭି ସାକ୍ଷାତକାର ସଂପାଦନ କରିଥିଲା ୨୦୦୧ରେ ଏବଂ ସେଥିରେ ସେ କହଲେ ଯେ ଅଶୋକ କଳିଙ୍ଗ ବିଜୟ କରିବାର ବହୁ ପୂର୍ବରୁ ବୌଦ୍ଧ ଥିଲେ। ତାହା ଥିଲା ପାଟଳିପୁତ୍ରର ରାଜନୈତିକ ବାଧ୍ୟ ଆବଶ୍ୟକତା। ଯଦି ସେପରି ସମ୍ଭବ ହୋଇଥା’ନ୍ତା ତା’ହେଲେ ସେ ତତ୍କାଳୀନ କଳିଙ୍ଗରେ ବୌଦ୍ଧ ଧର୍ମ ସଫଳ ଭାବେ ପ୍ରଚାର କରିପାରିନି କାହିଁକି?   ଇତିହାସର ଏ ବିପତ୍ତି ସହିତ ସମସ୍ତେ ପରିଚିତ। ‘ନିଜ ଅବିଶ୍ୱାସକୁ କ୍ଷଣକ ପାଇଁ ଚପେଇ ଦିଅ’କୁ ଆଶ୍ରା କରି ଆମେ ଯେମିତି ବତିଶ ଫୁଟ ଷ୍ଟେଜ‌୍‍ରେ ବତିଶ ମାଇଲ ଘୋଡା ଦଉଡ଼ାକୁ ଅନ୍ତତଃ ନାଟକର ଶେଷ ପର୍ଯ୍ୟନ୍ତ ପରତେ ଯିବାକୁ ବାଧ୍ୟ ରହୁ, ଇତିହାସରେ ସବୁ କଥା ସେମିତି।   ଏତେ ବଡ଼ ଯୁଦ୍ଧ ହେଲା, କେଉଁ ରାଜାଙ୍କୁ ଅଶୋକ ହରେଇଲେ ବା ହତ୍ୟା କଲେ ବା ଭଗେଇ ଦେଲେ - ଇତିହାସରେ ଏହାର ବର୍ଣ୍ଣନା ନାହିଁ। ପରେ ସିନେମା କରିବାକୁ ଜଣେ ରାଜକନ୍ୟା (କାରୁବାକୀ) ବାହାରିଲେ, କିନ୍ତୁ ରାଜା ଜଣା ପଡ଼ିଲେ ନାହିଁ! ତା’ହେଲେ ତତ୍କାଳୀନ କଳିଙ୍ଗରେ ‘ଡେମୋକ୍ରାସି’ ବା ସେପରି କିଛି ସାମାଜିକ ଶାସନ ବ୍ୟବସ୍ଥା ଥିଲା କି?   ‘୬୦ ହଜାର ହାତୀ, ୧୦ ହଜାର ଘୋଡା, ୧ ଲକ୍ଷ ସୈନ୍ୟ ଏବଂ ଆବଶ୍ୟକ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ସରଞ୍ଜାମ’ ସହିତ ଯଦି କୌଣସି ବାହିନୀ ଯୁଦ୍ଧ ବା ପ୍ରତିରକ୍ଷା କରେ ତାହା କଦାପି ହାସ୍ୟାସ୍ପଦ ଶୁଭିଲା ପରି ହୋଇ ନଥିବ। ଯଥା, ହାତୀମାନେ ବଣରୁ ବାହାରି ଆସି ସେନାଙ୍କୁ କହିଥିବେ - ଆସ, ଆମ ଉପରେ ବସ, ମିଶି ଯିବା କଳିଙ୍ଗ ରକ୍ଷା କରିବା!   ଯାହାହେଉ, ଆମେ ‘କଳିଙ୍ଗ ଯୁଦ୍ଧ’ର ପ୍ରଚାର କରୁ କାରଣ ଅନ୍ୟଥା ‘ଚଣ୍ଡାଶୋକ’ ନାଁ ବଦଳି  ‘ଦେବାନାଂପ୍ରିୟ ପ୍ରିୟଦର୍ଶିନୀ’ ବା ‘ଧର୍ମାଶୋକ’ କେମିତି ହୋଇଥା’ନ୍ତା?   ଏହା ଭାଣ୍ଡର ସ୍ତୁତି ନା ଭାଟର ଭାଷା ନା ଐତିହାସିକଙ୍କ ‘ଗବେଷଣା’?   ପ୍ରମାଣସିଦ୍ଧ ଭାବେ ଐତିହାସିକମାନଙ୍କ ମତରେ ମୌର୍ଯ୍ୟ ସାମ୍ରାଜ୍ୟ ପତନ (ଖ୍ରୀଷ୍ଟପୂର୍ବ ୧ମ ଶତାବ୍ଦୀ) ପରେ କଳିଙ୍ଗର ଉତ୍ଥାନ ହୁଏ ମହାମେଘବାହନ ଐର ଖାରବେଳଙ୍କ ଠାରୁ। ତାଙ୍କ ସାମ୍ରାଜ୍ୟ ବିସ୍ତାରିତ ହୋଇଥିଲା ଉତ୍ତରରେ ମଥୁରା, ଦକ୍ଷିଣରେ ପାଣ୍ଡ୍ୟ ଏବଂ ପଶ୍ଚିମରେ ରଥିକ ଓ ଭୋଜକ (ପରବର୍ତ୍ତୀ କାଳରେ ମହାରାଷ୍ଟ୍ର) ରାଜ୍ୟ ପର୍ଯ୍ୟନ୍ତ। ତା’ମାନେ, ଭାରତ ଇତିହାସରେ ସ୍ପଷ୍ଟ ସ୍ଥାନ ଅଧିକାର କରିଥିବା ଅନେକ ନରପତି ବା ବଂଶର ସାମ୍ରାଜ୍ୟ ଠାରୁ କ୍ଷେତ୍ରଫଳରେ ତାହା ଯଥେଷ୍ଟ ଅଧିକ ଥିଲା।   ମାତ୍ର ସେ ଖାରବେଳ ଓଡ଼ିଆ ମିଡ଼ିୟମ ମ୍ୟାଟ୍ରିକ ଇତିହାସ ବହିରୁ ବାହାରି ପଦାକୁ ଯାଇ ନାହାଁନ୍ତି। ସାରା ଭାରତ ଜାଣେନି, ଖାରବେଳ କିଏ! ଏଥିରେ ଆମ ପଣ୍ଡିତମାନଙ୍କର ଅନେକ ତ୍ରୁଟୀ ରହିଛି ବୋଲି ଆମେ କହିବୁ। କାରଣ, ଓଡ଼ିଆ ଭାଷାକୁ ନେଇ ଓଡ଼ିଶା ହେଲା। ଏହା ଏକ ଐତିହାସିକ ସତ୍ୟ। ଏହି ସମନ୍ୱୟ ପ୍ରକ୍ରିୟାର ଏକ ସୁନ୍ଦର କ୍ରିୟାଶୀଳ ଅତୀତ ସମ୍ୱନ୍ଧରେ ମଧ୍ୟ ସନ୍ଦେହ ନାହିଁ। ଅନନ୍ୟତାର ଏହି ପ୍ରୌଢ଼ି ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା ପରେ ବି ନିଜର ଭେକ ବଦଳାଇଲା ନାହିଁ।   ଭାଷାର ଇତିହାସ ଓ ଭୂମିର ଇତିହାସକୁ ଏକାକାର କରି ପରବର୍ତ୍ତୀ ଓଡ଼ିଆ ମାନସିକତା ବହୁ ମିଛକୁ ଆପଣେଇ ନେଲା ଏବଂ ନିର୍ଲ୍ଲଜଙ୍କ ପରି ତାକୁ ‘ଭକ୍ତି’ କଲା!   ଏମିତି ଅନେକ କଥା ଦେଖିଲା ପରି ଇତିହାସ ଆମକୁ କହେ ଏବଂ ସମସ୍ତେ ତାହା ଆପ୍ରାଣ ବିଶ୍ୱାସ କରି କଥାବସ୍ତୁ ଆଗକୁ ଟାଣି ନିଅନ୍ତି।   ୩. ‘ଦେବାନାଂପ୍ରିୟ’ ଅଶୋକଙ୍କ ବିଣ୍ଡ   ଅନ୍ଧାରରେ ଶାଶୂକୁ ଚୁମା ଦେଇ ସାରି ଯଦି ଆଲୁଅରେ ଜ୍ୱାଇଁ କହନ୍ତି ‘ସରି’, ଏଥିରେ ଜ୍ୱାଇଁଙ୍କ ନିଅତକୁ ଡାଉଟ‌୍‍ କରିବା କଥା। କାଣ୍ଡଜ୍ଞାନ ହୀନ କାଟ‌୍‍ଜୁ-ମନ୍ତବ୍ୟରେ ‘କଳିଙ୍ଗଯୁଦ୍ଧ’ ଓ ଓଡ଼ିଆ ଜାତି ସଂପର୍କରେ ସେ ଅରଣା ମନ୍ତବ୍ୟଗୁଡ଼ିଏ ଦେଇଛନ୍ତି। ଓଡ଼ିଆଙ୍କୁ ‘ବିଚରା’ ସମ୍ୱୋଧନ କରିଥିବା ଜଜ‌୍‍ ସାହେବ ସ୍ୱୟଂ ବିଚରା ପରେ ନିଜେ ସ୍ୱୀକାର କଲେ ଯେ ସେ ଓଡ଼ିଶାର ଇତିହାସ, ଭୂଗୋଳ କିଛି ଜାଣନ୍ତିନି। ‘କହୁ କହୁ କହିଦେଲି। ଓଡ଼ିଆମାନେ ହାସ୍ୟ ସହିବା ଜାଣନ୍ତିନି। ହଉ ଭାଇ, ବାଧୁଚି ତ, ଜୋକ‌୍‍ ବୋଲି ଭାବି ନିଅ! ଜୋକ‌୍‍ ସହିବା ଶିଖ। ହରି ଓଁ। ’   ପୁଣ୍ୟ ଶବ୍ଦ ଆଭୂଷିତ ଏ ଜୋକ‌୍‍ର ଭିତରଟା ଥିଲା ପୂର୍ଣ୍ଣ ଅସତ୍ୟ ଓ ଅଜ୍ଞତାରୁ ଉପୁଜିଥିବା ହଳାହଳଗୁଡ଼ିଏ।   ଏ ଆଘାତ ଜାତିର କେଉଁ ପିତ୍ତକୁ ଛୁଇଁଚି କହି ପାରିବୁନି, ହେଲେ ଲାଗୁଚି ଯେମିତି ସମସ୍ତଙ୍କଠିଁ ଚିଆଁ ଲାଗିଚି। ଆଗରୁ କାଟ‌୍‍ଜୁ କିଏ, ଲୋକ ଜାଣି ନ ଥିଲେ; ଏବେ ଘରେ ଘରେ ତାଙ୍କ ଗପ।  ଯାହା ଉପରେ ବହୁତ ଦମ୍ଭ ଦେଇ ସେ ଏ ଅଦ୍ଭୂତ ଖେଳଘର ଆରମ୍ଭ କଲେ ତହିଁର ମୂଳବୀଜ ଥିଲା - ଅଶୋକଙ୍କ ‘କଳିଙ୍ଗଯୁଦ୍ଧ’-ବନାମ-ଓଡ଼ିଆଙ୍କ ପରଜୟ। ସେଠୁ ଆରମ୍ଭ ହୋଇ କାଟ୍‌ଜୁଙ୍କ ବାଚାଳତା ଆଗକୁ ଚାଲିଲା। ତେଣୁ ତାଙ୍କ ଆଇଡିଆ ଥିଲା ଯେ ଓଡ଼ିଆମାନେ କୁଆଡେ଼ ରକ୍ତଗତ ଭାବେ ବିହାରୀ ବିରୋଧୀ। ଏହା ସତ୍ୟ ନ ଥିଲା ବା ନୁହେଁ।   ‘ଫେସ‌୍‍ବୁକ‌୍‍’ରେ ତତ୍କାଳ ସାର‌୍‍ଙ୍କୁ ଜଣେଇଲୁ - ଆପଣ ବୋଧେ ଓଡ଼ିଶା କି ଓଡ଼ିଆଙ୍କୁ ଆଦୌ ଚିହ୍ନି ନାହାଁନ୍ତି ବା ସେ ବିଷୟରେ ଦି’ ଧାଡ଼ି କେଉଁଠି ପଢ଼ି ନାହାଁନ୍ତି। ତେଣୁ ତୁରନ୍ତ ବକ‌୍‍ ବକ‌୍‍ ବନ୍ଦ କରନ୍ତୁ। ଚର୍ଚ୍ଚା କରି କୁଖ୍ୟାତ ହେବାକୁ ଆପଣଙ୍କର ପ୍ରବଳ ରୁଚି ଥାଇପାରେ; ହେଲେ ସେଥିପାଇଁ ଓଡ଼ିଶାର ଇତିହାସ କି ଓଡ଼ିଆଙ୍କ କାନ୍ଧରେ ଚଢ଼ନ୍ତୁ ନାହିଁ।   ଏ ଜାତିର ଦାନ୍ତରେ ବି ଜହର ଅଛି, ହାତରେ ଅଛି ତ୍ରିଶୂଳ।   ଓଡ଼ିଆ ଜାତି ପାଇଁ ଅଶୋକ ଜଣେ ପ୍ରିୟ ରାଜା ନ ଥିଲେ। ସେମିତି ‘କଳିଙ୍ଗଯୁଦ୍ଧ’ ନାମକ ବିଶ୍ୱବିଖ୍ୟାତ ମହାସମର ଥିଲା ଆଉ ଏକ ମିଥ୍ୟା ପ୍ରଚାର। ଏପରି କୌଣସି ଯୁଦ୍ଧ ହିଁ ହୋଇ ନ ଥିଲା, କାରଣ ପରାଜିତ ରାଜାର ନାଁ ମିଳୁନି। ଅଥଚ ସିନେମା କରିବାକୁ ତାଙ୍କ ଝିଅ ନାଁ (କାରୁବାକୀ) ମିଳିଗଲା।    ପାଠ୍ୟପୁସ୍ତକରେ ପ୍ରବଳ ପରିଚୟ ହାସଲ କରିଥିବା ଅଶୋକଙ୍କ ସଂପର୍କରେ ଗପ ହେଲା - ସେ କାକୁଡ଼ି କଖାରୁ କାଟିଲା ପରି ଓଡ଼ିଆ ପାଇକଙ୍କୁ କାଟି ଫୋପାଡ଼ି ଦେଲେ। ହାତୀ ଘୋଡ଼ା ସମସ୍ତଙ୍କୁ ନିପାତ କଲେ। ଦୟା ନଦୀରେ ରକ୍ତର ସୁଅ ଚାଲିଲା।   ଏ ଦୃଶ୍ୟ ଦେଖି ସମ୍ରାଟଙ୍କ ମନରେ ଦୟା ହେଲା। ସେ ବୌଦ୍ଧ ଧର୍ମରେ ଅଭିଷିକ୍ତ ହେଲେ। ‘ଦେବାନାଂ ପ୍ରିୟଦର୍ଶୀ’ ହେଲେ।   ତା’ ଆଗରୁ ସେ କ’ଣ ଥିଲେ? ଇତିହାସ କହେ - ଖ୍ରୀ:ପୂ: ୨୭୪ରେ ରାଜଧାନୀ ପାଟଳିପୁତ୍ରରେ ଅଶୋକଙ୍କ ପିତା ବିମ୍ୱିସାରଙ୍କର ହଠାତ‌୍‍ ଅସ୍ୱାଭାବିକ ମୃତ୍ୟୁ ହେଲା। ଏହାର କାରଣ ଥିଲେ ଅଶୋକ। ତାଙ୍କ ମାତା ଶୁଭଦ୍ରାଙ୍ଗୀ ନୀଚ ‘ଅଜିବକ’ ସଂପ୍ରଦାୟର ହୋଇଥିବାରୁ ସେ କଦାପି ସମ୍ରାଟ ହୋଇପରି ନଥା’ନ୍ତେ। ତାଙ୍କ ଲୋଭୀ, ଖଳ ଓ ଅଭଦ୍ର ପ୍ରକୃତି ଯୋଗୁ ବିମ୍ୱିସାର ତାଙ୍କୁ ରାଜ୍ୟକାର୍ଯ୍ୟଠାରୁ ଦୂରେଇ ରଖିଥିଲେ ଏବଂ ନ୍ୟାୟପୂର୍ଣ୍ଣ ଜ୍ୟେଷ୍ଠପୁତ୍ର ସୁଶିମାଙ୍କୁ ଯୁବରାଜ ପଦରେ ଅଭିଷିକ୍ତ କଲେ।   ବିବରଣୀ ଅନୁଯାୟୀ, ଅଶୋକ ପିତାଙ୍କୁ ବିଷ ଦେଇ ହତ୍ୟା କଲେ।   ବିମ୍ୱିସାରଙ୍କ ମୃତ୍ୟୁ ବେଳକୁ ସୁଶିମା ସାମ୍ରାଜ୍ୟର ଉତ୍ତର-ପଶ୍ଚିମ ସୀମାରେ ଥିଲେ। ଖବର ପାଇ ସେ ରାଜଧାନୀ ଫେରିଲେ। ଆସି ଦେଖିଲେ ଯେ ଅଶୋକ ନାମକ ଜଣେ ସାବତ ଭାଇ ଗ୍ରୀକ‌୍‍ ବେପାରୀ ଓ ବ୍ରାହ୍ମଣମାନଙ୍କ ସହଯୋଗରେ ପାଟଳିପୁତ୍ର ଦଖଲ କରି ମୌର୍ଯ୍ୟ ସିଂହାସନ ହାସଲ କଲେ।   ଯୁବରାଜ ବୁଲୁଥା’ନ୍ତି ଡାହାଣ ବାଁ! ସାମ୍ରାଜ୍ୟରେ ଅରାଜକତା ଓ ଗୃହଯୁଦ୍ଧ ଲାଗି ରହିଲା।   ପରେ ଅଶୋକ ସୁଶିମାଙ୍କୁ ଚକ୍ରାନ୍ତ କରି ପୂର୍ବଘାଟରେ ହତ୍ୟା କଲେ। ସିଂହଳର ବୌଦ୍ଧ ବିବରଣୀରେ ମିଳେ - ଚାରି ବର୍ଷ ପରେ ନିଷ୍କଣ୍ଟକ ଭାବେ ସମ୍ରାଟ ପଦରେ ଅଭିଷିକ୍ତ ହେବା ପୂର୍ବରୁ ସେ ନିଜ ଭାଇ ତିସାଙ୍କୁ ଛାଡ଼ି, ଅନେଶତ ସାବତ ଭାଇ ଏବଂ ମୌର୍ଯ୍ୟକୁଳର ସମସ୍ତ ପୁରୁଷ ଏପରି କି ଶିଶୁମାନଙ୍କୁ ବି ହତ୍ୟା କରିଥିଲେ।   ଏ ସମସ୍ତ ଅପକର୍ମ କ୍ରମେ ପ୍ରଚାର ହେବାରୁ ଲୋକମତ ତାଙ୍କ ବିରୁଦ୍ଧରେ ଗଲା। ଯେଉଁ ବ୍ରାହ୍ମଣମାନେ ତାଙ୍କୁ ସମ୍ରାଟ ହେବାକୁ ସାହାଯ୍ୟ କରିଥିଲେ, ସେମାନେ ପରେ ଅଶୋକଙ୍କୁ ନୀଚଜନ୍ମା କହି ତାଙ୍କ ବିରୁଦ୍ଧରେ ବୈର ଭାବ ପୋଷଣ କଲେ। ସେମାନଙ୍କ କୋପରୁ ରକ୍ଷା ପାଇବାକୁ ସେ ପାଟଳିପୁତ୍ରଠାରେ ହିଁ ବୌଦ୍ଧ ଧର୍ମ ଗ୍ରହଣ କଲେ।   ରାଜାର କିଛି ଧର୍ମ ନ ଥାଏ ବା ପ୍ରଜାର କିଛି ସର୍ତ୍ତ ନ ଥାଏ। ଏହା ହେଲା ରାଜନୈତିକ ସହାବସ୍ଥାନର ଏକନମ୍ୱର ଥିଓରି। ତହିଁର ଦୁଇ ବର୍ଷ ପରେ ସେ ତଥାକଥିତ ‘କଳିଙ୍ଗଯୁଦ୍ଧ’ କଲେ। “The reader will be surprised to discover that the narrative about this conversion is almost certainly false. Ashoka would invade Kalinga in 262BC whereas we know from minor rock edicts that Asoka had converted to Buddhism more than two years earlier. Even Ashoka’s eulogists like Charles Allen agree that his conversion predated the Kalinga war.   ୪. ଭାରତ ଇତିହାସରେ ଅଶୋକଙ୍କ ଆବିର୍ଭାବ   ଜେମ‌୍‍ସ ପ୍ରିନ‌୍‍ସେପ‌୍‍ (୧୭୧୪-୧୮୩୦) ଥିଲେ ଜଣେ ନୀଳ (ଇଣ୍ଡିଗୋ) ବେପାରୀ। ତାଙ୍କ ବାପା ଜନ‌୍‍ ପ୍ରିନ‌୍‍ସେପ‌୍‍ ଥିଲେ ଇଂଲଣ୍ଡ ପାର୍ଲାମେଣ୍ଟ ସଦସ୍ୟ। ସେ ଦେଖିଲେ, ପୁଅ (ଜେମ‌୍‍ସ)ର ପାଠଶାଠ ଭଲ ହେଉନି ଏବଂ ରୋଗଣା ଆଖି ଯୋଗୁ ସେ ଭଲ ଭାବେ ଦେଖିପାରୁନି। ସେ ବେପାର ଖୋଜିବାକୁ ତାଙ୍କୁ ଭାରତ ପଠେଇ ଦେଲେ।   କପର୍ଦ୍ଦକଶୂନ୍ୟ ଭାବେ ଜେମ‌୍‍ସ ଭାରତ ଆସିଲେ ୧୭୭୧ରେ ଏବଂ ୪୦,୦୦୦ ପାଉଣ୍ଡ‌୍‍ ଷ୍ଟର୍ଲି‌୍‍ ରୋଜଗାର କରି ଜଣେ ନାମଜାଦା ଧନୀ ଭାବେ ୧୭୮୭ରେ ଇଂଲଣ୍ଡ ଫେରିଗଲେ। ତା’ପରେ ସେ ଇଷ୍ଟ-ଇଣ୍ଡିଆ କମ୍ପାନୀରେ ଅଂଶୀଦାର ହେଲେ। କୋଲକତା ଇଷ୍ଟ‌୍‍-ଇଣ୍ଡିଆ କମ୍ପାନୀ ଟଙ୍କାଶାଳ (କ୍ୟାଲ‌୍‍କାଟା ମିଣ୍ଟ‌୍‍)ରେ ବାପାଙ୍କ ସୁପାରିଶ‌୍‍ରେ ଟଙ୍କା-ଗଣା ବିଭାଗ (‘ଆସେ ଡିପାର୍ଟମେଣ୍ଟ‌୍‍’)ରେ ଚାକିରି କଲେ। ମିଣ୍ଟ‌୍‍ ଆରମ୍ଭ ହୋଇଥିଲା - ୧୯.୮.୧୭୫୭ ଦିନ।   ସେତେବେଳେ ଭାରତରେ ଇଂଲିଶ କିରାଣିଙ୍କ ଦରମା ଥିଲା ମାସିକ ୪୦ ପାଉଣ୍ଡ‌୍‍। ଷ୍ଟାଟସ‌୍‍ କଥା ନ ଭାବି ଜେମ‌୍‍ସ ୨୫ ପାଉଣ୍ଡ‌୍‍ ବେତନରେ ଜଏନ‌୍‍ କରିବାକୁ ପୁନରାୟ ଭାରତ ଫେରିଲେ ୧୭୯୧ରେ।   କଣା ବା ମୂର୍ଖ - ଯାହାହେଉ, ସେ ଥିଲେ ଜଣେ ଧୂର୍ତ୍ତ ଚତୁର ବ୍ୟକ୍ତି। ଟଙ୍କାଶାଳରେ ଯୋଗ ଦେଇ ସେ ଏମିତି ଘମାଘୋଟ ‘ଗବେଷଣା’ କଲେ ଯେ ସେଥିରୁ ସେ ଆବିଷ୍କାର କଲେ ଅଶୋକ ନାମକ ଜଣେ ରାଜାଙ୍କୁ ଓ ଉଦ୍ଭାବନ କଲେ ‘କଳିଙ୍ଗଯୁଦ୍ଧ’ ନାମକ ଏକ ମହା-ସମରକୁ! ଏମିତି ଚମତ୍କାର ଆବିଷ୍କାରମାନ କରୁକରୁ ସେ ‘ଏସିଆଟିକ‌୍‍ ସୋସାଇଟି ଅଫ‌୍‍ ବେଙ୍ଗଲ’ ପତ୍ରିକାର ସଂପାଦକ ହେଲେ। କହିଲେ ଯେ ପାଲୀ ଲିପିକୁ ସେ ସହଜରେ ପଢ଼ି ପାରୁଛନ୍ତି!   ହେଲେ, କ’ଣ ପଢ଼ିଲେ, ସେ ସଂପର୍କରେ ଇଂଲିଶରେ ନୋଟ‌୍‍ ଦି’ ଧାଡ଼ି ବି ଲେଖିଲେନି। ତା’ପରେ ତାଙ୍କ ଗପ ଆଗକୁ ଚାଲିଛି - ଦୁଇଟି କାଳ୍ପନିକ ବଳୟ ଭିତରେ।   ପ୍ରଥମଟି ହେଲା - ‘କଳିଙ୍ଗଯୁଦ୍ଧ’ ନାମକ କିଛି ଗୋଟେ ହୋଇଥିଲା ଏବଂ ୨ୟଟି - କଥିତ ସେ ଯୁଦ୍ଧର ବିଭୀଷିକା ଦେଖି ଅଶୋକ ‘ଧର୍ମାଶୋକ’ ହୋଇଗଲେ! ନ ହେଲେ ଯେମିତି ମୋଟେ ହୋଇ ନ ଥା’ନ୍ତେ!   ତା’ ମାନେ, ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ବା ଜେମ‌୍‍ସଙ୍କ ‘ଗବେଷଣା’ ପୂର୍ବରୁ ‘ଅଶୋକ-ଦି’-ଗ୍ରେଟ‌୍‍’ କି ‘କଳିଙ୍ଗଯୁଦ୍ଧ’ କଥା ପୃଥିବୀରେ କୌଣସି ଐତିହାସିକ ବା ବିବରଣୀ-ଲେଖକ ଜାଣି ନ ଥିଲେ।   ତା’ପରେ ପଲସ୍ତରାରେ ପଲସ୍ତରା ଯୋଡ଼ି ଅଶୋକଙ୍କ ନାଁର ଐତିହାସିକ ପ୍ରଚାର ଆଗକୁ ଚାଲିଲା। ମୌର୍ଯ୍ୟ ସାମ୍ରାଜ୍ୟର ଜଣେ ଯାଇତାଇ ରାଜା ପରେ ଇଂଲିଶ ପଣ୍ଡିତଙ୍କ ସୂଚନାରେ ‘ରାଜଚକ୍ରବର୍ତ୍ତିୀ’ ହେଲେ। କେବଳ ‘କଳିଙ୍ଗଯୁଦ୍ଧ’ ଜୟ କରିଥିବାରୁ ନୁହେଁ; ନିଜେ ସେଇଠି ‘ଚଣ୍ଡାଶୋକ’ରୁ ‘ଧର୍ମାଶୋକ’ ହୋଇ କଳିଙ୍ଗବାସୀଙ୍କୁ ବୌଦ୍ଧ ଧର୍ମାବଲମ୍ୱୀ କରେଇ ଥିବାରୁ! ଏ ସୂଚନା ସହିତ ସତର କୌଣସି ମେଳ ନାହିଁ। କଳିଙ୍ଗବାସୀ ବହୁ ସଂଖ୍ୟାରେ ବୌଦ୍ଧ ନ ଥିଲେ।   ଅଶୋକ ଆକ୍ରମଣ କରିଥିଲେ ନୌବାଣିଜ୍ୟ ସମୃଦ୍ଧ କଳିଙ୍ଗର ବନ୍ଦର ଉପରେ ନଜର ରଖି। ମାତ୍ର ସେ ତାହା ପାରି ନ ଥିଲେ।   ଆଉ ଜଣେ ପଣ୍ଡିତ। ହେନ‌୍‍ରି ଥୋମାସ‌୍‍ କୋଲେବ୍ରୁକ‌୍‍ (୧୫.୬.୧୭୬୫-୧୦.୩.୧୮୩୭) ଇଂଲ&

Share :