ବାତ୍ୟାର ଏନ୍ତୁଡ଼ିଶାଳ ବଙ୍ଗୋପସାଗର!

ବାତ୍ୟାର ଏନ୍ତୁଡ଼ିଶାଳ ବଙ୍ଗୋପସାଗର!

Share :

ଅଜିତ ମଲ୍ଲିକ   ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ  ୧୨୬ ବର୍ଷ ମଧ୍ୟରେ ହୁଡ‌୍‍ ହୁ ଥିଲା ଓଡିଶାର ୧୦୦ତମ ବାତ୍ୟା। ସାମୁଦ୍ରିକ ଝଡବାତ୍ୟ କ୍ୟାଣ୍ଟ ଓଡ଼ିଶା ଉପକୂଳ ମାଡ଼ କରିଥିଲେ ତାହା ୧୦୧ ହୋଇଥାନ୍ତା। ଓଡିଶା ପରି ଭାରତର ପୂର୍ବ ଉପକୂଳରେ  ଅନେକ ରାଜ୍ୟ ଥିଲେ ବି ସାମୁଦ୍ରିକ ଝଡବାତ୍ୟା ସଂଖ୍ୟା ତାଲିକାରେ ସେସବୁ ରାଜ୍ୟ ବହୁ ପଛରେ।   ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ୧୮୯୧ରୁ ୨୦୧୪ ମସିହା ମଧ୍ୟରେ ଓଡିଶା ଉପୂଳରେ ୧୦୦ ଥର ବାତ୍ୟା ହୋଇ ସାରିଲାଣି। ୨୦୧୪ ମସିହାରେ ହୋଇଥିବା  ହୁଡ‌୍‍ ହୁଡ‌୍‍ ନାମକ ମହାବାତ୍ୟାର ନମ୍ୱର ଥିଲା ୧୦୦। ଏହି  ୧୨୬ ବର୍ଷର ଅବଧୀ ମଧ୍ୟରେ ଆନ୍ଧ୍ର ପ୍ରଦେଶ ୮୦ ଥର ବାତ୍ୟାର ସମ୍ମୁଖୀନ ହୋଇଥିବା ବେଳେ ପଶ୍ଚିମ ବଙ୍ଗ ୬୯ ଥର ବାତ୍ୟା ବିପର୍ଯ୍ୟର ସମ୍ମୁଖୀନ ହୋଇଛି। ପୂର୍ବ ଭାରତର ଅନ୍ୟତମ ଉପକୂଳ ରାଜ୍ୟ ତାମିଲନାଡୁ ୬୨ ଥର ବାତ୍ୟାର ସମ୍ମୁଖୀନ ହୋଇଛି।   ଓଡିଶାରେ ଶେଷଥର ପାଇଁ ୨୦୧୪ ମସିହା ଅକ୍ଟୋବର ମାସ ୧୨ ତାରିଖରେ ହୁଡ‌୍‍ ହୁଡ‌୍‍ ନାମକ ମହାବାତ୍ୟା ହୋଇଥିଲା। ଓଡିଶାରେ ସାଧାରଣତଃ ପ୍ରାକ‌୍‍ ମୌସୁମୀ ଓ ମୌସୁମୀ ପରବର୍ତ୍ତୀ ସମୟରେ ବାତ୍ୟା ହୋଇଥାଏ। ପ୍ରାକ‌୍‍ ମୌସୁମୀ ସମୟ ହେଉଛି ଅପ୍ରେଲରୁ ଜୁନ ଓ ମୌସୁମୀ ପରବର୍ତ୍ତି ସମୟ ହେଉଛି ଅକ୍ଟୋବରରୁ ଡିସେମ୍ୱର ମଧ୍ୟରେ। କିନ୍ତୁ ଭାରତ ଆମେରିକା ବିଜ୍ଞାନ ଓ ପ୍ରଯୁକ୍ତି ଫୋରମ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ ୧୮୯୦ରୁ ୨୦୧୪ ମସିହା ମଧ୍ୟରେ ଓଡିଶା ୧୦୭ ଥର ବାତ୍ୟା ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।   ଏହି ୧୨୭ ବର୍ଷ ଭିତରେ ବଙ୍ଗୋପସାଗର ମଧ୍ୟରେ ୬୧୫ ଥର ବାତ୍ୟା ସଂଗଠିତ ହୋଇଥିବା ବେଳେ ଏଥିରୁ ୫୪ ପ୍ରତିଶତ ବା ୩୩୦ ଥର ବାତ୍ୟା ଭାରତର ଉପକୂଳବର୍ତ୍ତି ଅଞ୍ଚଳକୁ ଆଘାତ ଦେଇଥିବାବେଳେ ୧୬ ପ୍ରତିଶତ ବା ୯୮ ଥର ବାତ୍ୟା ବାଂଲାଦେଶକୁ ଧକ୍କା ଦେଇଛି। ଏଥିରୁ ସହଜରେ ଅନୁମେୟ ହେଉଛି ଯେ ବଙ୍ଗୋପସାଗର ହେଉଛି  ବାତ୍ୟାର ଏନ୍ତୁଡିଶାଳ। ଏହି ରିପୋର୍ଟ ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା ସ୍ଥଳଭାଗରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟାଉଥିବାବେଳେ ଏହାର ସ୍ଥିତି କ୍ରମଶଃ ଗମ୍ଭିର ହେବାରେ ଲାଗିଛି। ଗତ କିଛି ବର୍ଷ ଭିତରେ ବଙ୍ଗୋପସାଗରରେ ସଂଘଠିତ ହୋଇଥିବା  ସମସ୍ତ ବାତ୍ୟା ମଧ୍ୟରୁ ୪୬ ପ୍ରତିଶତ ବାତ୍ୟା ବା ସାମୁଦ୍ରିକ ଝଡ ଭୟଙ୍କର ରୁପ ନେଇ ସ୍ଥଳଭାଗରେ ବ୍ୟାପକ କ୍ଷୟକ୍ଷତି କରିଛି।   ଓଡ଼ିଶା ଆସିଲାନି ‘କ୍ୟାଣ୍ଟ’   ଓଡ଼ିଶା ଉପରୁ ସାମୁଦ୍ରିକଝଡ ‘କ୍ୟାଣ୍ଟ’ ବିପଦ ଅପସରି ଯାଇଥିଲେ ହେଁ ଏହାର ଆଗମନରେ ଓଡ଼ିଶା ସରକାରଙ୍କ ସମେତ ରାଜ୍ୟବାସୀ ଅତ୍ୟନ୍ତ ଆତଙ୍କିତ ଅବସ୍ଥାକୁ ଖସି ଯାଇଥିଲେ। ‘କ୍ୟାଣ୍ଟ’ ଏବେ ଗୋପାଳପୁରଠାରୁ ୯୩୦ କିଲୋମିଟର ଦୂରରେ ରହିଥିବା ଏବଂ ୨୭ ତାରିଖ ବିଳମ୍ୱିତ ରାତିସୁଧା ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ କରାଯିବା ପରେ ଲୋକମାନେ ଆତଙ୍କିତ ହୋଇ ପନିପରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର କିଣାକିଣି କରିଥିଲେ, ଯେଉଁଥିପାଇଁ ବଜାରରେ କୃତ୍ରିମ ଦରବୃଦ୍ଧି ଘଟିଥିଲା।   କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଥିଲା। କ୍ୟଣ୍ଟକୁ ନେଇ ରାଜ୍ୟ ପ୍ରଶାସନ ପକ୍ଷରୁ ଉପକୂଳ ବର୍ତ୍ତି ଅଞ୍ଚଳରେ ବାସିନ୍ଦାମାନଙ୍କୁ ସତର୍କ କରିଦିଆଯିବା ସହ ଉଚ୍ଚ ସ୍ଥାନ ଓ ବାତ୍ୟ ଆଶ୍ରୟସ୍ଥଳିକୁ ଯିବାପାଇଁ କୁହାଯାଇଥିଲା। ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ସମୁଦ୍ର ସ୍ନାନ ନ କରିବା ପାଇଁ ବାରଣ କରାଯାଇ ଥିବାବେଳେ ଏହି ସମୟ ମଧ୍ୟରେ ସମୁଦ୍ର ମଧ୍ୟକୁ ମତ୍ସଜୀବୀମାନଙ୍କୁ  ନଯିବାପାଇଁ ସତର୍କ କରାଯାଇଥିଲା।   ‘କ୍ୟାଣ୍ଟ’ ଦ୍ୱାରା ପ୍ରଭାବିତ ହେଉଥିବା ଅଞ୍ଚଳରେ ଥିବା ବାତ୍ୟା ଆଶ୍ରୟ ସ୍ଥଳମାନଙ୍କରେ ମକଡ୍ରିଲ ସହିତ ଅତ୍ୟାବଶ୍ୟକ ସାମଗ୍ରୀ, ନିରବଛିନ୍ନ ବିଦ୍ୟୁତ ବ୍ୟବସ୍ଥା ପାଇଁ ଜେନେରେଟର, ପିଇବା ପାଣି ଓ ସ୍ୱାସ୍ଥ୍ୟସେବା ଇତ୍ୟାଦି ସମସ୍ତ ସବୁଧା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ଘୋଷଣା କରିଥିଲେ।

Share :