ସର୍ଫିଙ୍ଗ ଉତ୍ସବ ପ୍ରସ୍ତୁତି ଚୂଡ଼ାନ୍ତ

ସର୍ଫିଙ୍ଗ ଉତ୍ସବ ପ୍ରସ୍ତୁତି ଚୂଡ଼ାନ୍ତ

Share :

  କୋଣାର୍କ-ପୁରୀ ବେଳାମାର୍ଗର ରାମଚଣ୍ଡୀ ନିକଟସ୍ଥ କୁଶଭଦ୍ରା ନଦୀ ମୁହାଣ ନିକଟରେ ରେଞ୍ଜର୍ସ ଆଡ଼ଭେଞ୍ଚର୍ସ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ନଭେମ୍ୱର ମାସ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ଅନ୍ତର୍ଜାତୀୟ ସ୍ତରର ସର୍ଫିଙ୍ଗ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଯାଉଛି। ଏଥିନିମନ୍ତେ ରେଞ୍ଜର୍ସ ଆଡ଼ଭେଞ୍ଚର୍ସ ଫାଉଣ୍ଡେସନ ପକ୍ଷରୁ କୋଣାର୍କ-ପୁରୀ ବେଳାମାର୍ଗ ସ୍ଥିତ ରେଞ୍ଜର୍ସ ପରିସରରେ ସର୍ଫିଙ୍ଗ ଫେଷ୍ଟିଭାଲ ପାଇଁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସର୍ଫିଙ୍ଗ ୟୋଗୀସ‌୍‍ର ନିର୍ଦ୍ଦେଶକ ସଞ୍ଜୟ ସାମନ୍ତରାୟଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ବୈଠକରେ ବିଦେଶୀ ସର୍ଫରମାନେ ଯୋଗଦେଇ ସର୍ଫିଙ୍ଗ ଫେଷ୍ଟିଭାଲ ସଂପର୍କରେ ସୂଚନା ଦେଇଥିଲେ।   ଚଳିତବର୍ଷର ସର୍ଫିଙ୍ଗ ଫେଷ୍ଟିଭାଲ ପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଏଥିରେ ଓଡ଼ିଶା ସମେତ ଶ୍ରୀଲଙ୍କା. ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଦୁବାଇ, ସ୍ପେନ, ଜର୍ମାନୀ, ୟୁକ୍ରେନ, ସୁଇଜରଲାଣ୍ଡ, ପର୍ତ୍ତୁଗାଲ, ଇଂଲଣ୍ଡ, ଆୟାରଲଣ୍ଡ, ଇଣ୍ଡୋନେସିଆ, ମାଳଦ୍ବୀପ ସମେତ ଅନ୍ୟାନ୍ୟ ଦେଶରୁ ଶତାଧିକ ସର୍ଫର ଏହି ଉତ୍ସବର ଯୋଗ ଦେବା ପାଇଁ ଏଠାରେ ଆସି ପହଞ୍ଚି ନିଜ ନିଜ ନାମ ପଞ୍ଜିକୃତ କରୁଛନ୍ତି। ଉତ୍ସବର ଅବ୍ୟବହିତ ପୂର୍ବରୁ ସର୍ଫିଙ୍ଗ ୟୋଗୀସ‌୍‍ର ନିର୍ଦ୍ଦେଶକ ଶ୍ରୀ ସାମନ୍ତରାୟଙ୍କ ନେତୃତ୍ୱରେ ଆଜି ଭୁବନେଶ୍ୱରର ବାଇକର୍ସ କ୍ଳବ ପକ୍ଷରୁ ଲୋଟସ ରିସୋର୍ଟ ସମ୍ମୁଖସ୍ଥ ବେଳାଭୂମିରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫା କରାଯାଇଥିଲା।    ଏତଦବ୍ୟତିତ ଏହି ସର୍ଫିଙ୍ଗ ଫେଷ୍ଟିଭାଲରେ ଯୋଗଦେବାକୁ ଆସିଥିବା ସର୍ଫରମାନଙ୍କ ଦ୍ୱାରା ଉତ୍ସବର ସମୟାବ୍ଧି ମଧ୍ୟରେ ବିଭିନ୍ନ ସମୟରେ ବେଳାଭୂମି ସଫେଇ କରାଯିବାର କାର୍ଯ୍ୟକ୍ରମ ରହିଛି। ତ୍ରିଦିବସୀୟ ଏହି ଉତ୍ସବରେ ସାଧାରଣ ଲୋକଙ୍କୁ ସର୍ଫିଙ୍ଗ କରିବା ପାଇଁ ସୁଯୋଗ ଦିଆଯିବ ବୋଲି ଆଡ଼ଭେଞ୍ଚର୍ସ ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଉତ୍ସବ ସମୟରେ ବିଭିନ୍ନ ଦେଶର ସର୍ଫରମାନେ ପାଣି ଉପରେ ରୋମାଞ୍ଚକର ଜଳକ୍ରୀଡା ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ସର୍ଫରମାନଙ୍କ ଦ୍ୱାରା ପ୍ରଦର୍ଶୀତ ହେବାକୁ ଥିବା ସପ କପ, ସପ ବଲ, ଜଳଯୋଗ ଓ ବିଭିନ୍ନ ପ୍ରକାର ଜଳକ୍ରୀଡା ପ୍ରଦର୍ଶନକୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ ହେବ ବୋଲି ସର୍ଫିଙ୍ଗ ୟୋଗୀସ‌୍‍ର ନିର୍ଦ୍ଦେଶକ ଶ୍ରୀ ସାମନ୍ତରାୟ ସୁଚନା ଦେଇଛନ୍ତି।

Share :