ଧନଦାକାନ୍ତ ମିଶ୍ର ଦୋକାନଟିର ନାଁ ଶେଷକୁ ‘ପଣ୍ଡା ହ୍ୱାଟ୍ ନଟ୍ ଷ୍ଟୋର୍’ ରଖାଗଲା। ଶିରିପୁର ବଜାରର କୌଣସି ଦୋକାନରେ ମିଳୁ ନଥିବା ଯେକୌଣସି ଜିନିଷ ରଖିଥିବା ଏହି ଦୋକାନଟି ମୋ ପାଇଁ ପିଲାଦିନେ ସବୁଠାରୁ ଆକର୍ଷଣୀୟ ଥିଲା। ପଣ୍ଡା ଭାଇନା ପ୍ରାୟ ୩୦-୩୫ ବର୍ଷ ତଳୁ ଶିରିପୁରରେ ବିଭିନ୍ନ ପ୍ରକାରର ଦୋକାନ ଦେଇ ବ୍ୟବସାୟରେ ଅଧିକ ଉନ୍ନତି କରିବା ପାଇଁ ଶେଷରେ ଏହି ଭେରାଇଟୀ ଷ୍ଟୋର୍ଟି ଆରମ୍ଭ କରିଥିଲେ। ଶିରିପୁର ବଜାର ଆଗ ଓଡ଼ିଶା କୃଷି ବୈଷୟିକ ବିଦ୍ୟାଳୟ ଛକ ପାଖରୁ ଡେଲ୍ଟା ଆଡକୁ ଯାଉଥିବା ରାସ୍ତା ଦୁଇ ପାଖରେ ଗଢ଼ି ଉଠିଥିଲା। ପରେ ଭେଟେନାରୀ କଲେଜ ସାମ୍ନାରେ ଏକ ମ୍ୟୁନିସିପାଲ୍ଟି ତିଆରି ମାର୍କେଟ୍ କମ୍ପ୍ଲେକ୍ସ୍କୁ ଉଠି ଆସିଥିଲା। ପଣ୍ଡା ଭାଇନା ଜାତିରେ ବ୍ରାହ୍ମଣ ହୋଇଥିବାରୁ ବାଣିଜ୍ୟ ବ୍ୟବସାୟରେ ଲାଭ କ୍ଷତି ହିସାବ କରିବାରେ ଟିକିଏ ଦୁର୍ବଳ। ଯଦିଓ ଦୋକାନରେ ‘ଆଜି ନଗଦ କାଲି ବାକି’ ଲେଖାଥିବା ଫଳକଟି ସମସ୍ତେ ଦେଖି ପାରିଲା ଭଳି ଜାଗାରେ ଟଙ୍ଗା ହୋଇଥାଏ, ତଥାପି ପ୍ରାୟ ଗ୍ରାହକ ପଣ୍ଡା ଭାଇନାଙ୍କ ସରଳ ପରୋପକାରୀ ସ୍ୱଭାବର ଫାଇଦା ଉଠାଇ ବାକିରେ କାମ ଚଳାଇ ନିଅନ୍ତି। ଦୋକାନଟି ଗୋଟିଏ ଛୋଟ ମାଲଗୋଦାମ ବା ଷ୍ଟୋର ରୁମ୍ ପରି। ତା’ ଭିତରେ କ’ଣ ଥାଏ ଓ କ’ଣ ନଥାଏ, ତା’ ପଣ୍ଡା ଭାଇନା ବି ଜାଣି ନଥାନ୍ତି। ତଥାପି ପ୍ରତ୍ୟେକ ଗ୍ରାହକର ଦୁଷ୍ପ୍ରାପ୍ୟ ଜିନିଷ ପାଇବାର ଉଦ୍ୟମକୁ ମେଣ୍ଟାଇବା ପାଇଁ ସେ ଅକ୍ଳାନ୍ତ ପରିଶ୍ରମ କରିଥାନ୍ତି ଓ ପ୍ରାୟ ସଫଳ ହୁଅନ୍ତି। ମୋ ଦେଖିବା ଭିତରେ ପଣ୍ଡା ଭାଇନାଙ୍କ ଦୋକାନରେ ନା କିଛି ବିଶେଷ ଚଚାକଚକ୍ୟ ବଢ଼ିଛି ନା ତାଙ୍କ ନିଜ ଆର୍ଥିକ ପରିସ୍ଥିତି ବିଶେଷ ସ୍ୱଚ୍ଛଳ ହୋଇଛି। କିନ୍ତୁ ଶିରିପୁର ବଜାରର ଖାସ୍ ଦୋକାନ କହିଲେ ସବୁବେଳେ ‘ପଣ୍ଡା ହ୍ୱାଟ୍ ନଟ୍ ଷ୍ଟୋର’ ହିଁ ମନକୁ ଆସେ। ବ୍ୟାବସାୟିକ ସଫଳତା ବା ଉନ୍ନତି କଥା କହିଲେ ଶିରିପୁରର ସବୁ ଦୋକାନର ପ୍ରାୟ ଏକା ପରିସ୍ଥିତି। ସେ ଚିତ୍ତ ଭାଇନାଙ୍କ ଜେନେରାଲ୍ ଷ୍ଟୋର୍ ହେଉ ବା ବଳରାମ ବାରିକ (ସ୍ୱର୍ଗତ) ବାଳକଟା ସାଲୁନ୍ ହେଉ। ନିଲୁ ପକୁଡି ଦୋକାନ ଠାରୁ ନେଇ ସୁଦେଇ ପାନ ଦୋକାନ ପର୍ଯ୍ୟନ୍ତ ଓ ଗୋଟିଏ ଧାଡିରେ ଥିବା ଡଜନେରୁ ଅଧିକ ତେଜରାତି ଦୋକାନମାନଙ୍କର ରୂପଭେକ ମାର୍କେଟ୍ ଆରମ୍ଭ ହେବା ଠାରୁ ଏ ପର୍ଯ୍ୟନ୍ତ ଯେମିତିକୁ ସେମିତି। ସତେ ଯେପରି ଆମ ଓଡ଼ିଆଙ୍କ ଗଣ୍ଡେ ଖାଇ ଦଣ୍ଡେ ଜିଇବା ଓ ଅଳ୍ପକେ ସନ୍ତୁଷ୍ଟ ହୋଇ ଜଗନ୍ନାଥଙ୍କ ଭଜନ ଗାଇବା ସଂସ୍କୃତିର ଶିରିପୁର ମାର୍କେଟ୍ ଏକ ଚଳନ୍ତି ଉଦାହରଣ। ବଳରାମ ବାରିକ ଅଳ୍ପ କିଛି ବର୍ଷ ତଳେ ଚାଲିଗଲା। ବୁଢ଼ା ରତ୍ନାକର ଭଣ୍ଡାରୀ, ଯିଏ ତା’ ସାଇକେଲ୍ରେ କାଠ ବାକ୍ସଟିରେ କଇଁଚି, ପାନିଆ ଆଦି ଧରି ଘରେ ଆସି ବାଳ କାଟୁଥିଲା, ଚାଲିଗଲା ପରେ ମୁଁ ପ୍ରଥମେ ବଳରାମର ଉଠା କ୍ୟାବିନ୍ରେ ବାଳ କାଟିଥିଲି। ସେତେବେଳେ ମୋତେ ଦଶ କି ଏଗାର ବର୍ଷ ହୋଇଥିବ ଓ ମୁଁ କୃଷି ବିଶ୍ୱବିଦ୍ୟାଳୟ କଲୋନି ପ୍ରାଥମିକ ବିଦ୍ୟାଳୟରେ ୪ର୍ଥ କି ୫ମ ଶ୍ରେଣୀରେ ପଢୁଥିବି। ପ୍ରଥମ ଥର ସେଲୁନ୍ରେ ବାଳ କାଟିବା ଓ ବିଶେଷ କରି ପ୍ରଥମ ଥର ପାଇଁ ବଳରାମର କାଚ ବୋତଲର ପାଣିର ସ୍ପ୍ରେରେ ବାଳ ଓ ମୁହଁ ଓଦା କରିବା ଏକ ନିଆରା ଅନୁଭୂତି ଥିଲା। ଦୋକାନରେ ପୁଣି ଆଗରେ ପଛରେ ଦି ପଟେ ବଡ଼ ବଡ଼ ଦୁଇଟି ଲମ୍ୱା ଦର୍ପଣ। ସେଥିରେ ତା’ ପଛକୁ ତା’ପଛକୁ ଅସଂଖ୍ୟ ମୁଁହ ଦେଖାଯାଏ। ମୁଁ ସବୁବେଳେ ତାକୁ ଗଣିବାକୁ ଚେଷ୍ଟା କରେ ଓ ଅସଫଳ ହୁଏ। ଓଡ଼ିଶା ଛାଡି ମୁଁ ତାମିଲ୍ନାଡୁରେ ପଢ଼ିବାକୁ ଗଲି, ତା’ପରେ ବମ୍ୱେରେ ତିନି ବର୍ଷ ଓ ପୁଣି ଅଷ୍ଟ୍ରେଲିଆରେ ୫ ବର୍ଷ। ତା’ ଭିତରେ ମୁଁ ଇଂଲାଣ୍ଡ ଯାଇଛି, ଜାପାନ୍ ଯାଇଛି, ଜିମ୍ୱାେୱ ଯାଇଛି ଓ ପ୍ରାୟ ସବୁଠି ସାଲୁନ୍ରେ ବାଳ କାଟିଛି। କିନ୍ତୁ କେଉଁଠି ହେଲେ ବଳରାମ ପରି ବାଳ କାଟିବାରେ ପୋଖତ ଓ ମଣିଷ ପରି ମଣିଷଟିଏ ପାଇ ନାହିଁ। ବଳରାମ କେବଳ ଆମ ଘର ଯାକର ବାଳ କାଟୁନଥିଲା, ଆମ ପରିବାରର ସବୁ ବିବାହ ବ୍ରତରେ ସେ ସସ୍ତ୍ରୀକ ସବୁ କାମକୁ ସୁନ୍ଦର ଭାବରେ ତୁଲାଉ ଥିଲା। ସେ ତା’ କାମ ପାଇଁ କେବେ ପଇସା ମାଗିନି ବା ଯାହା ଦେଲେ କେବେ କମ୍ ହେଲା ବୋଲି କହିନାହିଁ। ମୁଁ ପ୍ରଥମଥର ଆମେରିକାରୁ ଆସିଲା ବେଳେ ତା’ ପାଇଁ ହଳେ କତୁରୀ ଓ ଗୋଟିଏ ଇଲେକ୍ଟ୍ରିକ ବାଳକଟା ମେସିନ୍ ଆଣିଦେଇଥିଲି। ତା’ର ସେଦିନର ଖୁସୀ ମୋର ଏବେ ବି ମନେ ଅଛି। ଅଷ୍ଟ୍ରେଲିଆରୁ ଯେତେବେଳେ ଆମେ ସବୁଦିନ ପାଇଁ ଓଡ଼ିଶା ଫେରିଆସିଲୁ- ମୁଁ ବଳରାମକୁ କହିଲି ସେ କାହିଁକି ତା’ ଦୋକାନକୁ ଟିକିଏ ଆହୁରି ଅଧିକ ଭଲଭାବରେ ସଜାଡୁନି ଯେମିତିକି ତା’ର ରୋଜଗାର ବଢ଼ିବ। ଅତି କୁଣ୍ଠାର ସହିତ ସେ ରାଜି ହୋଇଥିଲା ଓ ମୁଁ ତାକୁ କିଛି ଟଙ୍କା ଧାର ଦେଇଥିଲି। ସେଇ ଧାରଟିକୁ ସୁଝିବାକୁ ସେ ପ୍ରାୟ ୨-୩ ବର୍ଷ ମାଗଣାରେ କେବଳ ମୋର ବାଳ କାଟି ନଥିଲା, ତା’ ସହିତ ନିୟମିତ କିଛି କିଛି ପଇସା ଆଣି ଦେଉଥିଲା ଓ ତା’ ଟିପା ଖାତାରେ ମୋ ଦ୍ୱାରା ହିସାବ ଲେଖାଇ ନେଉଥିଲା। ମୁଁ ଧାର ଦେଇଥିିବା ଲୋକମାନଙ୍କ ମଧ୍ୟରେ ବଳରାମ ଏକମାତ୍ର ଲୋକଥିଲା ଯିଏ ନିଜେ ତା’ ତରଫରୁ ତା’ର ଧାର ଶେଷ ପଇସା ପର୍ଯ୍ୟନ୍ତ ସୁଝିଥିଲା। ବଳରାମର ପରିଣତ ବୟସରେ ଦେହାନ୍ତ ହେବା ଆଗରୁ ସେ ମୋ ପୁଅ ବ୍ରତଘରର ବି ସବୁ କାମ ଖୁସୀ ଖୁସୀ ତୁଲାଇ ଥିଲା। ଏବେ ଶିରିପୁରରେ ମାସକୁ ଥରେ ବାଳ କାଟି ଗଲା ବେଳେ ବଳରାମ ଖୁବ୍ ମନେ ପଡେ। ଶିରିପୁର ବଜାରର ପରିବା ଦୋକାନୀମାନଙ୍କ ବଳକା, ପଚା ସଢ଼ା ପରିବା ଖାଇବା ପାଇଁ ବଳଦ, ଷଣ୍ଢମାନଙ୍କର ଆଗ୍ରହ ଏକ ସ୍ୱାଭାବିକ କଥା। ସବୁ ବଜାର ଭଳି ଶିରିପୁରରେ ମଧ୍ୟ ଏକାପ୍ରକାର ବ୍ୟବସାୟ କରୁଥିବା ଦୋକାନୀମାନେ ଗୋଟିଏ ଜାଗାରେ ପାଖାପାଖି ଦୋକାନ ଦେବାକୁ ପସନ୍ଦ କରିଥାନ୍ତି। ପରିବା ଦୋକାନ ସବୁ ଗୋଟିଏ ଧାଡିରେ, ତେଜରାତି ଦୋକାନୀମାନେ ଗୋଟିଏ ଧାଡିରେ, ବାଳକାଟିବା ସାଲୁନ୍ ସବୁ ଗୋଟିଏ ଜାଗାରେ, ପାନ ଦୋକାନ ମାନେ ବି ଗୋଟିଏ ଜାଗାରେ। ପୂରା ବିଶ୍ୱରେ ଏପରି ବ୍ୟବସାୟିକ ପରମ୍ପରା ବିରଳ। ପ୍ରାୟ ସବୁଠି ବ୍ୟବସାୟୀମାନେ ନିଜ ପ୍ରତିଦ୍ୱନ୍ଦ୍ବୀଙ୍କଠାରୁ ଯଥା ସମ୍ଭବ ଦୂରରେ ରହି ନିଜର ବ୍ୟବସାୟ କରିବାକୁ ପସନ୍ଦ କରନ୍ତି କିନ୍ତୁ ଆମେ ସବୁ କଥା ସାଙ୍ଗସାଥୀ ହୋଇ କରିବାକୁ ଭଲ ପାଉ। ସେଥିପାଇଁ ବୋଧେ ଆମେ ବ୍ୟବସାୟ ବାଣିଜ୍ୟରେ ଟିକେ ପଛୁଆ। ଓଡ଼ିଶାର ବଜାର ମାରୱାଡ଼ି ନହେଲେ ପଟେଲ୍ ନହେଲେ ସର୍ଦ୍ଦାରଙ୍କ ଦ୍ୱାରା ନିୟନ୍ତ୍ରିତ। ଶିରିପୁର ଛକ - ଏବର ଓଡ଼ିଶା ଡ୍ରଗହାଉସ୍ ନିକଟସ୍ଥ ଟି ଜଙ୍କସନ୍- ସବୁବେଳେ ଗହଳି ଗହଳି ଲାଗେ। ଆଗେ ତ ଏ ଅଞ୍ଚଳ ରାଜଧାନୀ ଭୁବନେଶ୍ୱରର ଉପାନ୍ତ ଥିଲା। କେବଳ ପୁରୁଣା ବସ୍ଷ୍ଟାଣ୍ଡରୁ ଖୋର୍ଦ୍ଧା ହୋଇ ବରହମ୍ପୁର ଯିବା ବସ୍ ସବୁ ଯାତାୟାତ କରୁଥିଲେ ବୋଲି ଗୋପବନ୍ଧୁ ଛକରୁ ପୁରୁଣା ଶିରିପୁର ଛକ ଭିତରେ କିଛି ଗହଳ ଲାଗୁଥିଲା। କିନ୍ତୁ ଏୟାରପୋର୍ଟ ପାଚେରୀ କଡ ଦେଇ ଯାଉଥିବା ଏହି ମୂଳ ରାଜରାସ୍ତାଟି ଗଣ୍ଡମୁଣ୍ଡା ପାଖରେ ବନ୍ଦ ହୋଇଯିବା ପରେ କିଛି ବର୍ଷ ଶିରିପୁର ଖୁବ୍ ଶାନ୍ତ ପରିବେଶ ପାଲଟି ଯାଇଥିଲା। କିନ୍ତୁ ସେତେବେଳେ ବି ବୁଲାକୁକୁର, ଷଣ୍ଢ, ରାସ୍ତା କଡରେ ପସରା ମେଲାଇଥିବା ବୁଲା ବିକାଳୀ ଓ ଏଣେତେଣେ ସାଇକଲ୍, ସ୍କୁଟର, ମୋଟର ସାଇକଲ୍ ରଖି ଗପ ମାରୁଥିବା ଅଳ୍ପ କେତେଜଣ ଲୋକ ପ୍ରଶସ୍ତ ରାସ୍ତାଟିକୁ ଅତ୍ୟନ୍ତ ସଙ୍କୀର୍ଣ୍ଣ କରିଦେବା ପାଇଁ ଯଥେଷ୍ଟ ଥିଲେ। ସେତେବେଳେ ମତେ ଗୋଟିଏ କଥା ସବୁଠୁ ଆଶ୍ଚର୍ଯ୍ୟ କରୁଥିଲା। ଶିରିପୁର ଛକର ସନ୍ଧ୍ୟା ସମୟର ପହଳି ଭିତରେ ଥିବା ସଙ୍କୀର୍ଣ୍ଣ ରାସ୍ତାକୁ ଚାହିଁ ଦ୍ରୁତ ଗତିରେ ମାଡି ଆସୁଥିବା ଚାରିଚକିଆ କିପରି ବିନା ବ୍ରେକ୍ରେ ପାର୍ କରିଯାଏ ଓ ପ୍ରାୟ ରାସ୍ତା ଉପରେ ସାଇକଲ୍ରେ ଢ଼େରା ଦେଇ ଗପ ମାରୁଥିବା ଲୋକେ ଜାଗା ଛାଡିବା ତ ଦୂରର କଥା ଟିକିଏ ହଲିବାର ବି ଉଦ୍ୟମ କରନ୍ତି ନାହିଁ। ଶିରିପୁର ଗାଁ ଯାହାର ନାଁରେ ଶିରିପୁର ବଜାର ଠିଆ ହୋଇଛି, ଏବେ ଆଉ ଗାଁ ହୋଇ ନାହିଁ। କୃଷି ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସାମ୍ନା ରାସ୍ତା ଆରପାରି ଅଞ୍ଚଳଟି କେଉଁ କାଳରୁ ଶିରିପୁର ଗାଁ ଭାବରେ ଜଣାଶୁଣା ଥିଲା। ପିଲାଦିନେ ଆମେ ସେଇ ବାଟେ ପ୍ରତ୍ୟକ୍ଷ ଦେବୀ ଝାଡେଶ୍ୱରୀଙ୍କ ମନ୍ଦିରକୁ ଯାଉଥିଲୁ। ସନ୍ଧ୍ୟା ଆରତୀରେ ଯୋଗ ଦେଇ ଫେରିବା ବେଳେ କଳା କିଟିମିଟି ରାସ୍ତା ମନ୍ଦିର ଆଗକୁ ଓୟୁଏଟି ଫାର୍ମ ଓ ଦି କଡରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଅଞ୍ଚଳ ଯାହା ଭିତରେ ଅନେକ ଭୁତକୋଠି ବି ଥିଲା। ଆଜି କିନ୍ତୁ ସେ ସବୁ ବଦଳି ଯାଉଛି। ଝାଡେଶ୍ୱରୀ ମନ୍ଦିର ଅଛି କିନ୍ତୁ ଶିରିପୁର ଗାଁ ଏବେ କୋଠା ବାଡ଼ିରେ ଭର୍ତ୍ତି। ଶିରିପୁର ବଜାର ନୂଆ ମାର୍କେଟ୍କୁ ଉଠି ଆସିଲା ପରେ ସେ ଅଞ୍ଚଳରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଉଠା ଦୋକାନ ମୁକ୍ତ କରିଦିଆଗଲା ସତ; କିନ୍ତୁ ମାସ କେଇଟାର ଅବସ୍ଥା ପୁଣି ଯାହାଥିଲା ସେଇଆ। ଏବେ ବି ମଝିରେ ମଝିରେ ମ୍ୟୁନିସପାଲ୍ଟିର ଉଠା ଦୋକାନ ଉଚ୍ଛେଦ ଅଭିଯାନ ସତ୍ତ୍ବେ ରାସ୍ତା ଉପରେ ପରିବା ଦୋକାନ, ପାନ ଦୋକାନ, ଫଳ ଦୋକାନ, ଫୁଲ ଦୋକାନ, ଚାଟ୍ ଜଳଖିଆ ଦୋକାନ ଆଦିଙ୍କର ଭିଡ। ଆମ ବଜାରର ଗହଳି, ବ୍ୟବସାୟ ବାଣିଜ୍ୟ, ବିଭ୍ରାଟ ଭିତରେ ଶୃଙ୍ଖଳା, ମୂଲଚାଲ, ଲୋକ ସମ୍ପର୍କ ପୃଥିବୀରେ ବିରଳ। ଶିରିପୁର ବଜାର ବା ବାଦ୍ ପଡନ୍ତା କିପରି? ଏବେ କିଛି ଦିନ ତଳେ ମୋ ଘରେ କିଛି ଗୋଟେ କାମ ପାଇଁ ମୁଁ ଗୋଟେ ଚଟାଣ ଘଷା ପଥର ଖୋଜି ଖୋଜି ଥକି ଗଲି ଓ ଶେଷରେ ପଣ୍ଡାଭାଇନା ପାଖରେ ପହଞ୍ଚିଲି। ଠିକ୍ ଆଗ ପରି ହସ ହସ ମୁହଁରେ ସେ ମତେ ଜିନିଷଟି ଆଣିଦେଇ କୁଶଳ ମଙ୍ଗଳ ପଚାରିଲେ। ମୁଁ ମଧ୍ୟ ତାଙ୍କ ବିଷୟରେ ପଚାରି ବୁଝିଲି। ମନେ ମନେ ଭାବୁଥିଲି ଯଦି ପଣ୍ଡା ଭାଇନା ଆମେରିକାରେ ଜନ୍ମ ହୋଇଥାନ୍ତା ତା’ହେଲେ ସେ ହୁଏତ ଆଜି ସାମ୍ ୱାଲଡେନ୍ଙ୍କ ୱାଲ୍ମାର୍ଟ ଭଳିଆ ତା’ର ‘ପଣ୍ଡା ହ୍ବାଟ୍ ନଟ୍ ଷ୍ଟୋର’ ବ୍ରାଣ୍ଡର ମଲ୍ ଖୋଲି ସାରା ବିଶ୍ୱ ବିଜୟ କରିସାରିଥାନ୍ତା। ୬୭, ସୂର୍ଯ୍ୟନଗର, ଦୂରଭାଷ: ୯୪୩୭୫୧୩୦୮୦