ଜୁଏଲଙ୍କ ଅଡ଼ୁଆ ଭିତରେ ମୁସ୍କିଲ!

ଜୁଏଲଙ୍କ ଅଡ଼ୁଆ ଭିତରେ ମୁସ୍କିଲ!

Share :

ସୁଧାକର ପାଣ୍ଡେ   ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ବେଶ‌୍‍ ଦୁରନ୍ଧର। ତାଙ୍କ ଉପରେ ଦେଶବାସୀଙ୍କର ଢେର‌୍‍ ଆଶା ଓ ଭରସା। ବିକାଶ ଓ ସୁରକ୍ଷାର ଧାରାରେ ଭାରତକୁ ଆଗେଇ ନେଉଥିବା ମୋଦି ବିଶ୍ୱ ଦରବାରରେ ଦେଶର ମାନ ବଢାଇଛନ୍ତି। ସେ ମାତ୍ର ଅଢେଇ ବର୍ଷର ଶାସନକାଳ ମଧ୍ୟରେ ସ୍ୱଚ୍ଛ ଭାରତ ଠାରୁ ଆରମ୍ଭ କରି ଡ଼ିଜିଟାଲ ଇଣ୍ଡିଆ ଏବଂ ଉଜ୍ୱଳା ଆଦି ଅନେକ ଯୋଜନା କାର୍ଯ୍ୟକାରୀ କରି ବେଶ‌୍‍ ଲୋକପ୍ରିୟତା ହାସଲ କରିପାରିଥିବା ବେଳେ ସାଂପ୍ରତିକ ଭାରତ-ପାକିସ୍ଥାନ ଯୁଦ୍ଧ ପରିସ୍ଥିତି ନେଇ ବିଶ୍ୱ ସାମୂହିକ ସମର୍ଥନ ସଙ୍ଗେ ସଙ୍ଗେ ସର୍ଜିକାଲ ଷ୍ଟ୍ରାଇକ‌୍‍ ପରେ ପରେ ଦେଶର ଦଳ, ମତ ନିର୍ବିଶେଷରେ ସାଧାରଣ ପିଲାଟିଏ ପର୍ଯ୍ୟନ୍ତ ମୋଦି ପ୍ରେମୀ ବନିଯାଇଛନ୍ତି। ହେଲେ ବିକାଶର ଅନେକ ଉତ୍ସ ରହିଥିବା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ତାଙ୍କ ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟଙ୍କ ପ୍ରତିନିଧିତ୍ୱ ସତ୍ତ୍ୱେ ବିକାଶର କଥା ଉଭେଇ ଯାଉଥିବା ବେଳେ ଦେଶର ସର୍ବପ୍ରଥମ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭାବେ ପରିଚିତ ସାଂସଦ ଜୁଏଲ‌୍‍ ଓରାମଙ୍କ ଖାମଖିଆଲି ମନୋଭାବ ସଂପ୍ରତି ଜିଲ୍ଳାରେ ବିଜେପିକୁ ଅଡ଼ୁଆ ଭିତରେ ମୁସ୍କିଲ ସ୍ଥତିକୁ ଠେଲି ଦେଉଛି।   ୧୯୯୦ ରୁ ୧୯୯୮ ପର୍ଯ୍ୟନ୍ତ ଦୁଇ ଦୁଇ ଥର ବିଧାୟକ ଏବଂ ୧୯୯୮, ୧୯୯୯,୨୦୦୪ ଏବଂ ୨୦୧୪ ଚାରି ଚାରି ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇ ନିଜର ଅସୀମ ଆଧିପତ୍ୟ ତଥା ପ୍ରଚଣ୍ଡ ଲୋକପ୍ରିୟତାର ପ୍ରମାଣ ଦେଇଥିଲେ ଜୁଏଲ‌୍‍ ବାବୁ। ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ସର୍ବପ୍ରଥମ ଭାବେ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ଖୋଳାଯାଇ ଶ୍ରୀ ଓରାମଙ୍କୁ କ୍ୟାବିନେଟ‌୍‍ ମନ୍ତ୍ରୀ କରାଯାଇଥିଲା। ପୁନର୍ବାର ମୋଦୀ ସରକାରରେ ସେହି ପଦବୀ ମିଳିଥିବା ବେଳେ ସେ ରାଜ୍ୟ ବିଜେପି ସଭାପତି ଏବଂ କେନ୍ଦ୍ରୀୟ ଉପ-ସଭାପତି ଦାୟିତ୍ୱ ତୁଳାଇବା ସହ ଅନେକ ପଦପଦବୀ ମଣ୍ଡନ କରିଛନ୍ତି। ତେବେ ଲମ୍ୱା ରାଜନୈତିକ ତଥା ସାଂଗଠାନିକ ଅଭିଜ୍ଞତା ସତ୍ତ୍ୱେ ଜିଲ୍ଳାରେ ସାଙ୍ଗଠାନିକ ସ୍ଥିତିକୁ ସଜାଡ଼ିବାରେ ବିଫଳ ହେଉଥିବା ସମୀକ୍ଷାରୁ ଜଣାପଡ଼ିଛି।   ସୂଚନା ଯୋଗ୍ୟ ଯେ, ଜୁଏଲ ଚାରି ଚାରି ଥର ଏହି ଜିଲ୍ଲାରୁ ସାଂସଦ ଭାବେ ନିର୍ବାଚିତ ହେବା ଏବଂ ଦୁଇ ଥର ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ବ୍ୟାପାର ମନ୍ତ୍ରୀ ପଦରେ ରହି ସୁଦ୍ଧା ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଆଦିବାସୀଙ୍କ ସମସ୍ୟାରେ ସେଭଳି କୌଣସି ପରିବର୍ତ୍ତନ ହୋଇ ପାରି ନାହିଁ। ଏପରିକି ସୁନ୍ଦରଗଡ଼ ଏକ ଲଘୁ ସଂପ୍ରଦାୟ ବହୁଳ କ୍ଷେତ୍ର ହୋଇଥିବା ଦୃଷ୍ଟିରୁ ଖ୍ରୀଷ୍ଟିଆନ ଏବଂ ମୁସଲମାନ ସଂପ୍ରଦାୟଙ୍କୁ ସେ ପ୍ରଭାବିତ କରିବାରେ ବିଫଳ ହୋଇଛନ୍ତି। ସୁନ୍ଦରଗଡ଼ ଏକ ଶିଳ୍ପ ଏବଂ ଖଣି ବହୁଳ ଜିଲ୍ଲା ହୋଇଥିଲେ ହେଁ ରାଜ୍ୟ ସରକାର ହେଉ କି କେନ୍ଦ୍ର ସରକାର, ସରକାରୀ ଅବହେଳାର କାରଣରୁ ଆଜି ପ୍ରାୟତଃ ଅଧିକାଂଶ ଖଣିଖାଦାନ‌୍‍ ଏବଂ କାରଖାନା ବନ୍ଦ ହୋଇଯିବା ଯୋଗୁଁ ସ୍ଥାନୀୟ ଲକ୍ଷ ଲକ୍ଷ ଶ୍ରମିକ, ବ୍ୟବସାୟୀ ଘୋର ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହାଛଡ଼ା ରାଉରକେଲା ଷ୍ଟିଲ‌୍‍ ପ୍ଲାଣ୍ଟର ବିସ୍ଥାପିତ ହେଉ କି, ଏମ‌୍‍.ସିଏଲ‌୍‍., ସେମାନେ ଅଦ୍ୟାବଧି ନିଜ ଅଧିକାର ପାଇବାରୁ ବଞ୍ଚିତ ଥିବା ବେଳେ ଜୁଏଲ‌୍‍ଙ୍କ ପଦକ୍ଷେପ ସେହିସବୁ ସମସ୍ୟା ସମାଧାନରେ ଜିରୋ ରହିଥିବାରୁ ଲୋକେ ଜୁଏଲ‌୍‍ ବିରୋଧୀ ହେବାରେ ଲାଗିଛନ୍ତି।   ଏପରିକି ରାଜ୍ୟ ସରକାରଙ୍କ କ୍ରମାଗତ ଅବହେଳା ବିରୋଧରେ ଏଠାରେ ସେଭଳି ପ୍ରତିବାଦ ମୂଳକ ପଦକ୍ଷେପ ଦଳ ନେବାରେ ଫେଲ‌୍‍ ମାରୁଥିବା ବେଳେ ମଣ୍ଡଳଠାରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ପଦପଦବୀରେ ରହିଥିବା ନେତାମାନଙ୍କ ପାଖରେ ଦକ୍ଷତାର ଅଭାବ ପରିଲକ୍ଷିତ ହେବା ସହିତ ଲୋକଙ୍କ ଠାରେ ଗ୍ରହଣୀୟ ହୋଇ ପାରୁ ନ ଥିବା ସମୀକ୍ଷାରୁ ଜଣାଯାଏ। କେନ୍ଦ୍ର ସରକାରଙ୍କ ଯୋଜନା ଏବଂ କାର୍ଯ୍ୟକ୍ରମ ନେଇ ଲୋକ ସଚେତନତା ହେଉ କି କଂଗ୍ରେସ ଓ ବିଜେଡ଼ିର ବିଫଳତା ହେଉ, ଏହା ଉପରେ ଦଳର ଅଭିଯାନ ଏଠାରେ ସେଭଳି ଦେଖିବାକୁ ମିଳୁନି।   ଦଳରେ ଅନେକ ଦକ୍ଷ ଓ ଅଭିଜ୍ଞ ତଥା କର୍ମଠ ଯୁବ ନେତୃତ୍ୱ ରହିଥିଲେ ସୁଦ୍ଧା ଜୁଏଲ‌୍‍ ବାବୁ ସେମାନଙ୍କୁ ଲଗାତାର ଭାବେ କୋଣଠେସା କରି ଆସୁଥିବା ଏବଂ ନିଜର ବୋଲକରା କେତେକ ଅନଭିଜ୍ଞ ନେତୃତ୍ୱକୁ ପ୍ରଶ୍ରୟ ଦେବା ତଥା ଦଳକୁ ବ୍ୟବସାୟିକ ଏବଂ ଠିକାଦାରୀ ନେତାଙ୍କ ହାତରେ ଟେକି ଦେଇଥିବାରୁ ନିଜର ଲୋକପ୍ରିୟତା ହ୍ରାସ ପାଉଥିବା ଏବଂ ସାଙ୍ଗଠାନିକ ସ୍ଥିତି ଦୁର୍ବଳ ହୋଇ ଯାଉଥିବା ସଂପର୍କରେ ଅନେକ ଯୁବ ନେତା ଆଲୋଚନା କରୁଥିବାର ଶୁଣାଯାଏ। ଯେଉଁମାନେ ଜୁଏଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିକୁ ଲମ୍ଫ ଦେଇଥିଲେ ସେମାନେ ଏବେ ବାଧ୍ୟ ହୋଇ ଧର୍ମେନ୍ଦ୍ରଙ୍କ ଆଡ଼କୁ ମୁହେଁଇଥିବାର ଜଣାଯାଏ। ଏଭଳିକି ଯେଉଁଠି ଜୁଏଲଙ୍କ ହୋଡ଼ିଂ ଲାଗୁଥିଲା, ସେଠି ଧର୍ମେନ୍ଦ୍ରଙ୍କ ହୋଡ଼ିଂ ଲଗା ହେବା ଭଲି ପରିସ୍ଥିତି ଏହି ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି। ଯଦ୍ଦ୍ୱାରା ଆଗାମୀ ଦିନରେ ଦଳର ଯେଉଁ ଆଶା ଏବଂ ଲମ୍ୱା ଅଭୀପ‌୍‍ସା ରହିଛି, ତାହା ନିଶ୍ଚିତ ଭାବେ ଭଣ୍ଡୁର ହେବା ସଙ୍ଗେ ସଙ୍ଗେ ଜୁଏଲ‌୍‍ ବାବୁଙ୍କ ଲୋକପ୍ରିୟତା ସଂପୂର୍ଣ୍ଣ ରୂପେ ଚୁରମାର ହେବାର ଆଶଙ୍କା ଦେଖା ଦେଇଛି।      ଅପରପକ୍ଷେ ଭୂୟାଁବହୁଳ ସୁନ୍ଦରଗଡ଼ରେ ‘ଭୂୟାଁ’ମାନେ ଆଦିବାସୀ ନୁହଁନ୍ତି ବୋଲି ଅଭିଯୋଗ ଆଣି ଏସ‌୍‍.ଟି. କମିଶନଙ୍କୁ ତଦନ୍ତ ପାଇଁ ଦାବୀ କରିଥିବା ବେଳେ ଏଠାରେ ଜୁଏଲଙ୍କ ବିରୋଧରେ ଭୂୟାଁ ବିଦ୍ରୋହ ଜୋର‌୍‍ଦାର‌୍‍ ରୂପ ନେଲାଣି । ବିଗତ ନିର୍ବାଚନମାନଙ୍କରେ ସେ ଭୂୟାଁ ଗୋଷ୍ଠୀରୁ ଏକ ବୃହତ‌୍‍ ଅଂଶ ନିଜ ସପକ୍ଷରେ ପାଇଥିଲା ବେଳେ ଏହି ବିଦ୍ରୋହ ନିଶ୍ଚିତ ଭାବେ ତାଙ୍କୁ କ୍ଷତି ପହଞ୍ଚାଇବ। ଏହି ଖାମଖିଆଲି ମନୋଭାବ ଦ୍ୱାରା  ତାଙ୍କର ଲୋକପ୍ରିୟତାରେ ଆଞ୍ଚ ସୃଷ୍ଟି କରିଥିବା ବେଳେ ନିକଟ ଅତୀତରେ ଯୁବ ବିଜେପି ତରଫରୁ ବିଜେଡ଼ିର ଜଣେ ମନ୍ତ୍ରୀଙ୍କୁ କୁତ୍ରା ଠାରେ କଳାପତାକା ପ୍ରଦର୍ଶନ କରାଯିବା ଘଟଣା ବି ଭବିଷ୍ୟତରେ ତାଙ୍କ ପାଇଁ ବୁମେରାଂ ସୃଷ୍ଟି କରିବ। କାହିଁକିନା, ସ୍ଥାନୀୟ ଅନେକ ଦଳୀୟ ବିଧାୟକ ଓ ରାଜନେତାଙ୍କ ସହିତ ତାଙ୍କର ସୁସଂପର୍କ ରହି ଆସିଥିବା ବେଳେ ଏଭଳି ଅଘଟଣ ସବୁ ମହଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିବା ସହ ଦଳର କେତେକ ଦକ୍ଷ କର୍ମକର୍ତ୍ତା ନାପସନ୍ଦ ବି କରିଛନ୍ତି।   ସେହିଭଳି ଜୁଏଲଙ୍କ ବିଜୟର ଗଡ଼ କୁହାଯାଉଥିବା ରାଉରକେଲାରେ ବିଜେପିର ପ୍ରତିଶୃତି ଫଳପ୍ରଦ ହୋଇ ନ ଥିବାରୁ ବିଧାୟକ ଦିଲୀପ ରାୟଙ୍କ ଠାରୁ ଆରମ୍ଭ କରି ଦଳୀୟକର୍ମୀ ଏବଂ ରାଉରକେଲାର ସଚେତନ ନାଗରିକ ମହଳ ବିଜେପି ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଚାଲିଥିବା ବେଳେ ଏହା ସ୍ଥାନୀୟ ସାଙ୍ଗଠାନିକ ସ୍ଥିତିରେ ସମସ୍ୟା ସୃଷ୍ଟି କରିଛି। ନିଜ ଘରୋଇ କ୍ଷେତ୍ର ବଣାଇରେ ବି ବିଜେପିର ସ୍ଥିତିରେ ଦୁର୍ବଳତା ଦେଖାଦେଇଥିବା ବେଳେ ବୀରମିତ୍ରପୁର, ରଘୁନାଥପାଲି ଏବଂ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀର କଥା ସମସ୍ତଙ୍କୁ ଜଣା।   ସୁନ୍ଦରଗଡ଼ ଓ ତଳସରା ନିର୍ବାଚନମଣ୍ଡଳୀରେ କଂଗ୍ରେସର ବିଧାୟକ ରହିଥିବା ସ୍ଥଳେ ସେମାନଙ୍କୁ ପ୍ରତିହତ କଲା ଭଳି କୌଣସି କାର୍ଯ୍ୟକ୍ରମ କରାଯାଇ ପାରିନାହିଁ। ଏମ‌୍‍.ସି.ଏଲ‌୍‍. ବିସ୍ଥାପିତଙ୍କ ଠାରୁ ଆରମ୍ଭ କରି ଛତିଶଗଡ଼ର ‘ଇବ‌୍‍’ ନଦୀ ବନ୍ଦ ଯୋଜନା ଉପରେ ଜୁଏଲ‌୍‍ ଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ତାହା ବି ଆଉ ଏକ ସମସ୍ୟା ସୃଷ୍ଟି କରିଛି। ଏହାଛଡ଼ା ଦୁଇ ଦୁଇ ଥର କେନ୍ଦ୍ରରେ ମନ୍ତ୍ରୀ ଥାଇ ସୁଦ୍ଧା ସେଭଳି ଆଖି ଦୃଶିଆ ବିକାଶ ଜିଲ୍ଳାରେ ହୋଇ ପାରି ନ ଥିବା ବେଳେ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକ ବି ତୃଣମୂଳସ୍ତରରେ ପହଞ୍ଚାଇ ଜନସମର୍ଥନ ସୃଷ୍ଟିରେ ଅବହେଳା କରାଯାଇଛି। ସଂପ୍ରତି ପଞ୍ଚାୟତ ନିର୍ବାଚନକୁ ଆଗରେ ରଖି ବିଜେଡ଼ି ଜୋର‌୍‍ଦାର‌୍‍ ଅଭିଯାନ ଆରମ୍ଭ କରିଥିବା ବେଳେ ବିଜେପି ତାକୁ ମୁକାବିଳା କରିବାରେ ସକ୍ଷମ ହୋଇ ପାରିନି। ପଶ୍ଚିମ ଓଡ଼ିଶାରେ ବିଜେପି ର ପରିସ୍ଥିତି ଉନ୍ନତି ଆଡ଼କୁ ଗତି କରୁଥିବା ବେଳେ ସୁନ୍ଦରଗଡ଼ରେ ଧିମେଇ ଯିବାର କାରଣକୁ ନେଇ କର୍ମୀ ମହଳରେ ଚର୍ଚ୍ଚା ଚାଲିଛି। ଜିଲ୍ଳା ସଂଗଠନ କର୍ମୀ ଓ ଭୋଟରଙ୍କ ପ୍ରତି ଉପେକ୍ଷା କରୁଥିବାର ଅନେକ କର୍ମୀ ଗାଁ ଗଣ୍ଡାରେ କହି ବୁଲୁଥିବା ବେଳେ ପଞ୍ଚାୟତ ନିର୍ବାଚନରେ ଏହା ଦଳ ପାଇଁ ବିଷମ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଥିବା ସଂପର୍କରେ ସମୀକ୍ଷକମାନେ ସୂଚନା ଦେଲେଣି।   ତେବେ ନିଜର ପୂର୍ବ ଲୋକପ୍ରିୟତା ବଜାୟ ପାଇଁ ବେଳ ଥାଉ ଥାଉ ଦକ୍ଷ ଓ ଅଭିଜ୍ଞ ଜୁଏଲ‌୍‍ ବାବୁ ଦଳୀୟ ସଙ୍ଗଠନ ସହିତ ଜିଲ୍ଲାର ବିକାଶ ପ୍ରତି ଗୁରୁତ୍ୱ ଦେଇ ବିରୋଧୀଙ୍କୁ ମୁକାବିଳା ପାଇଁ ରଣନୀତି ପ୍ରସ୍ତୁତ କରିବା ନିହାତି ଜରୁରୀ ବୋଲି ସମୀକ୍ଷକମାନେ ସଙ୍କେତ ଦେଇଛନ୍ତି।

Share :