ନବୀନ ମାନି ନାହାନ୍ତି ବିଜୁ ଆଇନ!

ନବୀନ ମାନି ନାହାନ୍ତି ବିଜୁ ଆଇନ!

Share :

 ବାପା ବିଜୁ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବାକୁ ଅହରହ ଉଦ୍ୟମ ଚଳାଇଛନ୍ତି ବୋଲି ଦାବି କରୁଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିମଧ୍ୟରେ ଶାସନ କ୍ଷମତାରେର ୧୭ ବର୍ଷ ପୂରଣ କରିବାକୁ ଯାଉଥିଲେ ହେଁ ବିଜୁବାବୁଙ୍କ ଅମଳରେ ପ୍ରଣୀତ ହୋଇଥିବା ଅଗ୍ନି ନିରାପତ୍ତା ଆଇନକୁ ଠିକଣା ଭାବେ କାର୍ଯ୍ୟକାରୀ କରି ନାହାନ୍ତି। ଯେଉଁଥିପାଇଁ ସମ୍‌ ହସ୍ପିଟାଲେର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲେ ମଧ୍ୟ ଅଗ୍ନିଶମ ବିଭାଗ ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରି ନାହିଁ।   ଏହି ଆଇନକୁ ଠିକଣା ଭାବେ କାର୍ଯ୍ୟକାରୀ କରିଥିଲେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରୁ ନଥିବା ସଂସ୍ଥା ବିରୋଧରେ ଅଗ୍ନିଶମ ବିଭାଗ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତା। କିନ୍ତୁ ସମ୍‌ ହସ୍ପିଟାଲ ମାମଲାରେ ଅଗ୍ନିଶମ ବିଭାଗ କେବଳ ନୋଟିସ ଜାରି କରିବା ବ୍ୟତିତ ଅଧିକ କିଛି କରିପାରି ନାହିଁ। ଏହାର ସୁପାରିଶକୁ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଅଣଦେଖା କରିଛି। ଏହା ପ୍ରକାଶ କରିଛନ୍ତି ଅଗ୍ନିଶମ ଡିଜି ବିନୟ ବେହେରା। ସେ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ସମ୍‌ ହସ୍ପିଟାଲରେ ଉପଯୁକ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ ବୋଲି ୨୦୧୨ ମସିହାରେ ହସ୍ପିଟାଲ ଓ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିଲା। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ନୋଟିସ ପାଇ ମଧ୍ୟ ଉପଯୁକ୍ତ ନିରାପତ୍ତା ବ୍ୟବସ୍ଥା କରି ନଥିଲେ କି ସ୍ବାସ୍ଥ୍ୟ ବିଭାଗ ଏହି କାରଣ ଦର୍ଶାଇ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରି ନଥିଲେ।   ପୁଣି ୨୦୧୩ ମସିହାରେ ମଧ୍ୟ ଅଗ୍ନିଶମ ବିଭାଗ ଏ ସଂପର୍କର ଉଭୟ ହସ୍ପିଟାଲ ଓ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ତାହାକୁ ମଧ୍ୟ ଆଡ଼େଇ ଦିଆଯାଇଥିଲା। ଏ କ୍ଷେତ୍ରରେ ତ୍ରୁଟି ପାଇଁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ଅଗ୍ନିଶମ ବିଭାଗର ନଥିବାରୁ ଏହି ବିଭାଗ କାହାକୁ କିଛି ବାଧ୍ୟ କରିପାରି ନଥିଲା।   ସରକାରୀ ରେକର୍ଡ଼ ଅନୁସାରେ ୨୦୧୩ ମସିହାରୁ ସମ‍୍‌ ହସ୍ପିଟାଲର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନଥିଲା। ଏହା ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ତ ଏକ ବିଭାଗ। ଏଣୁ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ଗଣମାଧ୍ୟମକୁ ସେ କହିଛନ୍ତି ଯେ ରାଜ୍ୟରେ ଅଗ୍ନି ନିରାପତ୍ତା ଆଇନ ୧୯୯୩ ମସିହାରେ ପ୍ରଣୀତ ହୋଇଥିଲା। ସେତେବେଳେ ଏବେକାର ମୁଖ୍ୟମନ୍ତ୍ରୀଙ୍କ ବାପା ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ତାଙ୍କ ପୁଅ ୧୭ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ଏହି ଆଇନକୁ କାର୍ଯ୍ୟକାରୀ କରି ନାହାନ୍ତି। ଏହି ଆଇନ ଠିକ ଭାବରେ କାର୍ଯ୍ୟକାରୀ ହୋଇଥିଲେ ଆଜି ଏତେ ବଡ଼ ଦୁର୍ଘଟଣାକୁ ଏଡ଼ାଇଦେଇ ହୋଇଥାନ୍ତା ବୋଲି ବିଜୟ କହିଛନ୍ତି।   ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନଥିବା ସେତ୍ତ୍ୱ ସମ‍୍‌ ହସ୍ପିଟାଲକୁ ଯେଉଁ ଅଧିକାରୀମାନେ ହସ‍୍‌ପିଟାଲ ଚଳାଇବାର ଅନୁମତି ଦେଇଛନ୍ତି ସେମାନଙ୍କୁ କାର୍ଯ୍ୟାନୁଷ୍ଠାନ ପରିସରରୁ ମୁକ୍ତ ରଖିବା କିଭଳି ନ୍ୟାୟସଙ୍ଗତ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ପୂର୍ବତନ ବିଧାୟକ ତଥା ବରିଷ୍ଠ ରାଜନେତା ଅରୁଣ ଦେ ମଧ୍ୟ ଏହି ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗର ସଚିବ, ଡିଏମଇଟି, ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସିଡିଏମଓ ସମ‍୍‌ ହସ୍ପିଟାଲ ପ୍ରତି ଅନୁକମ୍ପା ପ୍ରଦର୍ଶନ କରି ବେଆଇନ ଭାବେ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ସହିତ ସମ‍୍‌ ହସ୍ପିଟାଲ ମାଲିକଙ୍କର ଘନିଷ୍ଟ ସଂପର୍କ ଥିବାରୁ ଏହି ଅଧିକାରୀମାନେ ଚାପରେ ପଡ଼ି ହୁଏତ ଏଭଳି ଭୁଲ କାର୍ଯ୍ୟ କରିଥିବେ। ତେବେ ଭୁଲ ପାଇଁ ସେମାନଙ୍କୁ କ୍ଷମା ଦେବା ଆଇନ ସଙ୍ଗତ ନୁହେଁ ବୋଲି ସେ କହିଛନ୍ତି।   ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ପୂର୍ବତନ ପିସିସି ମୁଖ୍ୟ ନିରଂଜନ ପଟ୍ଟନାୟକ ମଧ୍ୟ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେମାନେ କହିଛନ୍ତି ଯେ ନୈତିକତା ଦୃଷ୍ଟିରୁ ନୁହେଁ ବାଧ୍ୟବାଧକତାରୁ ଅତନୁ ଇସ୍ତଫା ଦେଇଛନ୍ତି। ସମ‍୍‌ ହସ୍ପିଟାଲର ଅନେକ ସାର୍ଟିଫିକେଟ ଓ ଅନୁମୋଦନ ନଥିଲେ ମଧ୍ୟ ହସ୍ପିଟାଲ ଆଜି ବି ଚାଲିଛି। ଏଥିରୁ ଏହି ହସ୍ପିଟାଲ ପ୍ରତି ସରକାର ଦେଖାଇଥିବା ଅନୁକମ୍ପା ପ୍ରମାଣିତ ହେଉଛି ବୋଲି ସେମାନେ କହିଛନ୍ତି।

Share :