ଅତନୁଙ୍କୁ ଢାଲ କଲେ ନବୀନ!

ଅତନୁଙ୍କୁ ଢାଲ କଲେ ନବୀନ!

Share :

ଅଭିମନ୍ୟୁ ମହାପାତ୍ର   ସ୍ୱାସ୍ଥ୍ୟ ବିଭାଗରେ କିଛି ଠିକ‌୍‍ ଠାକ‌୍‍ ଚାଲି ନଥିଲା। ନଗଡ଼ାଠାରୁ ସମ ଘଟଣା ପର୍ଯ୍ୟନ୍ତ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଜଣାପଡେ଼। ଏପରିକି ଦାନ ମାଝି ଘଟଣାରେ ଓଡ଼ିଶା ସମଗ୍ର ବିଶ୍ୱରେ ନିନ୍ଦିତ ହାଇଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ସାଜିଥିଲେ ନିଦାବିଷ୍ଣୁ। ଅନ୍ଧ ଧ୍ରୁତରାଷ୍ଟ୍ର ପରି ପୁତ୍ରମୋହରେ ବିମୋହିତ ଥିଲ ମୁଖ୍ୟମନ୍ତ୍ରୀ। କିନ୍ତୁ ସମ‌୍‍ ଘଟଣାରେ ଆଉ ସମ୍ଭାଳି ହେଲାନି। କାରଣ ଏହି ଘଟଣାରେ ତାଙ୍କ ବିଭାଗର ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଲା। ମୁଖ୍ୟମନ୍ତ୍ରୀ ନିଜେ ହେଉଛନ୍ତି ରାଜ୍ୟର ଗୃହମନ୍ତ୍ରୀ। ଏହି ବିଭାଗ ଅଧୀନସ୍ତ ଅଗ୍ନିଶମ ସେବା ପ୍ରଶାସନର ଅବହେଳା ଓ ଦୁର୍ନୀତିମୂଳକ ଦୁରଭିସନ୍ଧି ମଧ୍ୟ ଏହି ଘଟଣାରେ ପଦାକୁ ଆସିଲା। ସମ୍‌ ହସ୍ପିଟାଲର ଅଗ୍ନି ନିରାପତ୍ତା ସାର୍ଟିଫିକେଟ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ବିଭାଗ ୨୦୧୩ ମସିହାରୁ ଜାଣିଥିବା ସତ୍ତ୍ବେ ହସ୍ପିଟାଲ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ତେଣୁ ଏ ଘଟଣାରେ ବିରୋଧୀ ସ୍ବାଭାବିକ ଭାବେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କଲେ। ବାଣ ନିଜ ଆଡ଼କୁ ଆସୁଛି ଜାଣି ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପଛରେ ଲୁଚିଗଲେ।   କିନ୍ତୁ ସେତେବେଳକୁ ସବୁ ସରିଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ, ଗୃହ ବିଭାଗ ଓ ନଗର ଉନ୍ନୟନ ବିଭାଗର ଅପରାଗତା ଏବଂ ଦୁର୍ନୀତିମୂଳକ ଦୁରଭିସନ୍ଧି ପଦାରେ ପଡ଼ିସାରିଥିଲା। ନେଡ଼ିଗୁଡ଼ କହୁଣିକୁ ବୋହିଯିବା ପରେ ଆଉ କ’ଣ ସେହି ଗୁଡ଼କୁ ଖାଇ ହୁଏ?   ସମ‍୍‌ ହସ୍ପିଟାଲକୁ ନେଇ ଚାରିଆଡ଼ୁ ଚାପରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶୁକ୍ରବାର ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଶୁକ୍ରବାର ସନ୍ଧ୍ୟାରେ ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ କରିବା ସହ ସୂଚନା ଦେଇଥିଲେ ଯେ ‘ନୈତିକତା ଆଧାରରେ ଅତନୁ ଇସ୍ତଫା ଦେଇଛନ୍ତି। ନବୀନଙ୍କ ଚତୁର୍ଥ ପାଳି ସରକାରରେ ମନ୍ତ୍ରୀ ଭାବେ ଅତନୁଙ୍କ ଇସ୍ତଫା ପ୍ରଥମ।   ୨୦୧୫ ଅଗଷ୍ଟରେ ମାସର କଟକ ଶିଶୁ ଭବନରେ ହାଇଥିଲା ଶିଶୁମଡ଼କ। ତିନି ସପ୍ତାହରେ ୬୦ ଶିଶୁଙ୍କ ଅକାଳ ବିୟୋଗ ଘଟିଥିଲା। ରାଜ୍ୟ ସବୁଠାରୁ ନିର୍ଭରଯୋଗ ଶିଶୁଭବନରେ ଯେଉଁଭଳି ଭାବେ ଶିଶୁ ମଡ଼କ ପଡ଼ିଥିଲା ତାହା ସମଗ୍ର ବିଶ୍ୱରେ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ବିରାଧୀଙ୍କ ସମାଲୋଚନାର ଶିକାର ହେଲେ ସରକାର। ହେଲେ ମୁଖ୍ୟମନ୍ତ୍ରୀଙ୍କ ମୋହଭଙ୍ଗ ହେଲାନାହିଁ। ବିରୋଧୀ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ‌୍‍ ରହି ସମସ୍ତ ଘଟଣାକୁ ଟାଳି ଦେବାକୁ ଉଦ୍ୟମ କରିଥିଲେ। ପୁଣି ନଭେମ୍ୱର ମାସରେ ଶିଶୁଭବନରେ ଘଟିଲା ଅଗ୍ନିକାଣ୍ଡ। ତଦନ୍ତ ନିର୍ଦ୍ଦେଶ ଦିଆଗଲା। ତଦନ୍ତ ତା’ ବାଟରେ। ଅଗ୍ନିକାଣ୍ଡର ଯଦି ସଠିକ‌୍‍ ତଦନ୍ତ କରାଯାଇ ନିରାକରଣ ହୋଇଥାନ୍ତା, ତେବେ ସମ‌୍‍ର ଅଗ୍ନିକାଣ୍ଡକୁ ସହଜରେ ଏଡ଼ାଇ ହୋଇପାରିଥାନ୍ତା। ସରକାର କିଛି ଶିଖିଲେନି କି କିଛି ପଦକ୍ଷେପ ନେଲେନି। ଯଦି ସେ ସମୟରୁ ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ କଡ଼ାକଡ଼ି ଭାବେ ପାଳନ କରାଯାଇଥାନ୍ତା ତେବେ ଅଜି ଏ ଦୁର୍ଦ୍ଦିନ ଦେଖିବାକୁ ମିଳିନଥାନ୍ତା।   ପରେ ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ଦେଖାଦେଲା ଅଘଟଣ। ସତେ ଯେପରି ସ୍ୱାସ୍ଥ୍ୟ ବିଭାଗ ଉପରେ ଚଡ଼କ ପଡ଼ିଛି। କେଉଁଠାରେ ଆମ୍ୱୁଲାନ୍ସ ନାହିଁ ତ, ଆଉ କେଉଁଠାରେ ସ୍ୱାସ୍ଥ୍ୟସେବାର ଅବହଳା ଲାଗି ମାଡ଼ ଖାଇଲଣି ଡାକ୍ତର। ନଗଡ଼ା ଶିଶୁ ମୃତ୍ୟୁପରି ହୃଦୟ ବିଦାରକ ଘଟଣା ପୁଣି ନିନ୍ଦିତ କଲା ଓଡ଼ିଶାକୁ। ଅପପୁଷ୍ଟିରେ  ୨୦ରୁ ଊର୍ଦ୍ଧ୍ୱ ଶିଶୁଙ୍କ ଜୀବନ ଅକାଳରେ ନିଭିଗଲା। ତଥାପି ଚେତିଲେନି ସରକାର।   ନଗଡ଼ା ଅପପୁଷ୍ଟି ଜନିତ ଶିଶୁ ମଡ଼କ ପରେ ସେପ୍ଟେମ୍ୱରର ଆସିଲା ଦାନ ମାଝିଙ୍କ ପ୍ରସଙ୍ଗ। ଘଟଣା ଓଡ଼ିଶାକୁ ପୁଣି ନିନ୍ଦିତ କଲା ବିଶ୍ୱ ଦରବାରରେ। ଆମ୍ୱୁଲାନ୍ସ ଅଭାବରୁ କଳାହାଣ୍ଡିର ଆଦିବାସୀ ଦାନ ମାଝି ପତ୍ନୀର ଶବକୁ ମୁଣ୍ଡାର ୬୦ କିଲୋମିଟର ଚାଲିଚାଲି ଆସିଲା। ମଶାଣିକୁ ଶବ ନେବାର ଏହି ହୃଦୟ ବିଦାରକ ଦୃଶ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ମୁହଁରେ କଳା ବୋଳିଦେଲା। ତଥାପି ସରକାର ନିର୍ବିାକର । ସ୍ୱାସ୍ଥ୍ୟ ବିଭାଗ ଓ ସରକାର ଏପରି ଅଭିନୟ କରି ଘଟଣାକୁ ଏଡ଼ାଇ ଦେଲେ ସତେ ଯେପରି କିଛି ଘଟିନି।   ଦାନ ମାଝି ଘଟଣା ଲୋକଙ୍କ ମନରୁ ନନିଭୁଣୁ ମାଡ଼ି ଆସିଲା ଜାପାନୀ ମସ୍ତିଷ୍କ ଜ୍ୱର। ରୋଗ ଥମିବାର ନାଁ ଧରୁନି। ୪୫ ଦିନରେ ମାଲକାନଗିରିରେ ଜାପାନୀ ମସ୍ତିଷ୍କ ଜ୍ୱରରେ ୬୮ ଶିଶୁଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୃଷ୍ଟିହୀନ ପିଲାଙ୍କୁ ଏହି ଜ୍ୱର ଶୀଘ୍ର ଆକ୍ରାନ୍ତ କରିଥାଏ। ସରକାରୀସ୍ତରରେ ଶିଶୁଙ୍କ ପୁଷ୍ଟିସାଧନ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଏଠାରେ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ସରକାରଙ୍କ ଯୋଜନା କେବଳ କାଗଜକଲମରେ ଚାଲିଛି।   ସୂଚନାଯୋଗ୍ୟ ଯେ ଜିଲାରେ ଜାପାନୀ ଜ୍ୱରରେ ମୃତ୍ୟୁବରଣ କରିଥିବା ଶିଶୁଙ୍କ ମଧ୍ୟରେ ୭୫ ପ୍ରତିଶତ ଝିଅ ଥିବା ଜଣାପଡ଼ିଛି। ଆଦିବାସୀ ସମ୍ପ୍ରଦାୟରେ କନ୍ୟା ସନ୍ତାନ ଜନ୍ମ ହେଲେ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥାଏ। ଏଣୁ ଏଭଳି ଶିଶୁକନ୍ୟାଙ୍କ ମୃତ୍ୟୁ ଆଦିବାସୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।    ଜାପାନୀ ମସ୍ତିଷ୍କ ଜ୍ୱର ଜାରି ରହିଥିବା ବେଳେ ସମ‍୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇ ରାଜଧାନୀର ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଅନେକ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଛନ୍ତି। ଏହି ସମସ୍ତ ଘଟଣା ପର ଯାଇ ସରକାରଙ୍କ ଚେତା ପଶିଛି। ମନ୍ତ୍ରୀଙ୍କ ଇସ୍ତଫା ଦାବି ଜୋର ଧରିଥିଲା। ଅତନୁ ବିରୋଧୀ ଦଳରୁ ସମାଲୋଚନାର ଶରବ୍ୟ ହୋଇଥିଲେ। ତାଙ୍କ ଇସ୍ତଫା ନେଇ ବିଭିନ୍ନ ମହଲରୁ ଚାପ ବଢ଼ିବାରେ ଲାଗିଥିଲା। ଶେଷରେ ଶୁକ୍ରବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦଇଥିବା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।   ଅତନୁ ସବ୍ୟସାଚୀ ନବୀନ ସରକାରଙ୍କ ଚତୁର୍ଥ ପାଳିରେ ୨୦୧୪ ମସିହା ମେ ମାସ ୨୧ ତାରିଖରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ସ୍ୱାସ୍ଥ୍ୟ, ସୂଚନା ଓ ଲୋକସମ୍ପର୍କ ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଭାବେ ଶପଥ ନେଇଥିଲେ। ପୂର୍ବରୁ ମଧ୍ୟ ସେ ୨୦୦୯ ମସିହା ମେ ମାସ ୨୨ ତାରିଖରୁ ୨୦୧୨ ମସିହା ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଶକ୍ତି ବିଭାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଭାବେ ନବୀନଙ୍କ ମନ୍ତ୍ରିମଣ୍ଡଳରେ କାର୍ଯ୍ୟ କରିଥିଲେ। ଗତ ସରକାର ସମୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ସେ ବାଦ‍୍‌ ପଡ଼ିଥିଲେ।   ସାଧାରଣ ସମ୍ପାଦକ, ଉତ୍କଳ ସାମ୍ୱାଦିକ ସଂଘ, ଭୁବନେଶ୍ୱର ଶାଖା ୯୯୩୮୩୪୦୦୬୬

Share :