ସମ ହସ୍ପିଟାଲ୍ରେ ବିଦ୍ୟୁତ ସର୍ଟ ସର୍କିଟ ଜନିତ ଅଗ୍ନିକାଣ୍ଡ ପାଇଁ ହସ୍ପିଟାଲ୍ କର୍ତ୍ତୃପକ୍ଷ ଯେତିକି ପରିମାଣରେ ଦାୟୀ ଏହାକୁ ଅଣଦେଖା କରି ଚୁପ ବସିଥିବା ବିଭିନ୍ନ ବିଭାଗର ସରକାରୀ ଅଧିକାରୀମାନେ ସମ ପରିମାଣରେ ଦାୟୀ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ତେଣୁ ବିଭିନ୍ନ ଆଇନ/ଗାଇଡଲାଇନ୍ ଆଦି କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ତଦାରଖ କରୁଥିବା ସରକାରୀ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟରେ ଅବହେଳା କରିଥିବାରୁ ୨୫ ଜଣଙ୍କ ଜୀବନ ଚାଲିଗଲା। ତେଣୁ ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଇ ଦୃଢ କାର୍ଯାନୁଷ୍ଠାନ ନେବାକୁ ସିଭିଲ ସୋସାଇଟି ଫୋରମ୍ ଅନ ହ୍ୟୁମାନ ରାଇଟସ୍, ଜନ ସ୍ୱାସ୍ଥ୍ୟ ଅଭିଯାନ, ବିଜିଭିଏସ୍ ଓ ପ୍ରୟାସ ଆଦି ସଂଗଠନ ଦାବି କରିଛନ୍ତି। ବିନା ଫାୟାର ସାର୍ଟିଫିକେଟ୍ରେ ସମ୍ ହସ୍ପିଟାଲ୍ କିଭଳି ଏତେ ଦିନ ଯାଏଁ ଚାଲୁଥିଲା। ଫାୟାର ସେଫଟି ଅଧିକାରୀମାନେ ଏନେଇ କେବଳ ଚିଠି ଲେଖି ଚୁପ୍ ବସିଲେ କିପରି? ଫାୟାର ସେଫ୍ଟିର ବିଭିନ୍ନ ନିୟମ ପାଳନ ହେଉ ନଥିବା ତଦାରଖ କରୁନଥିବା ଫାୟାର ଅଫିସରଙ୍କ ବିରୋଧରେ ପଦକ୍ଷେପ ନିଆଯିବା ଜରୁରୀ। ପୁଣି ଏହି ସାର୍ଟିଫିକେଟ୍ ନଥାଇ ହସ୍ପିଟାଲ୍ର ରେଜିଷ୍ଟ୍ରେସନ୍ ନବୀକରଣ ହେଲା କିପରି? ଡିଏମ୍ଇଟିର କେଉଁ ଅଧିକାରୀ ଏହି ବେଆଇନ କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଲାଗି ଦାବି ହୋଇଛି। ବିଭିନ୍ନ ନିୟମକୁ ପାଳନ କରିନଥିବା ଏହି ହସ୍ପିଟାଲ୍କୁ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଯୋଜନାରେ ସାମିଲ କରାଗଲା କିପରି? ଖୋର୍ଧା ସିଡିଏମଓ ଏଥିପାଇଁ ଦଣ୍ଡିତ ହେବା ଦରକାର। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏସ୍ପି ଓ ସିଡିଏମଓଙ୍କୁ ନେଇ ତିନି ଜଣିଆ ଟାସ୍କ ଫୋର୍ସ କମିଟି ଗଠିତ ହୋଇଛି। ଏହି କମିଟି ନିୟମିତ ବସି ବିଭିନ୍ନ ଘରୋଇ କ୍ଲିନିକ ଓ ହସ୍ପିଟାଲ୍ଗୁଡିକର ରେଜିଷ୍ଟ୍ରେସନ୍ ବୈଧତା ଓ ନବୀକରଣ ସମ୍ପର୍କରେ ଯାଂଚ୍ କରିବା କଥା। କିନ୍ତୁ ତାହା କରାଯାଉନାହିଁ। ସମ୍ ହସ୍ପିଟାଲ୍ କ୍ଷେତ୍ରରେ ମଧ୍ୟ ତାହା ହୋଇନାହିଁ। ତେଣୁ ଏହି ତିନି ଜଣ ଅଧିକାରୀଙ୍କ ଭୂମିକାର ମଧ୍ୟ ତଦନ୍ତ ହେବା ଦରକାର। ଏଠାରେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଅନୁମତି ଦେଇଥିବା ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆର ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। ଦୋଷୀ ସରକାରୀ ଅଫିସରମାନଙ୍କ ବିରୋଧରେ ସରକାର ଫୌଜଦାରୀ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବାକୁ ଫୋରମ୍ର ଦାବି କରିଛି। ମୃତକଙ୍କ ପରିବାରକୁ ଅନୁନ୍ୟ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଗୁରତର ଆହତମାନଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଲାଗି ଦାବି ହୋଇଛି। ଭବିଷ୍ୟତରେ ଏଭଳି କାଣ୍ଡକୁ ରୋକିବା ପାଇଁ ସରକାରଙ୍କୁ ସିଭିଲ୍ ସୋସାଇଟିର ସଦସ୍ୟମାନେ କେତେକ ପ୍ରସ୍ତାବ ଦେଇଛନ୍ତି।