ଆଉ ସମସ୍ତେ ନୀତିବାନ!

ଆଉ ସମସ୍ତେ ନୀତିବାନ!

Share :

  ସମ‍୍‌ ହସ୍ପିଟାଲ ଗଣମୃତ୍ୟୁ ପୂର୍ବରୁ ନବୀନ ପଟ୍ଟନାୟକଙ୍କର ଏଇ ପାଳିରେ ଘଟିଗଲାଣି ଅନେକ ଦୁର୍ନୀତି, ଦୁର୍ଘଟଣା ଓ ବିଭ୍ରାଟ। କୌଣସି ଘଟଣାରେ କୌଣସି ମନ୍ତ୍ରୀ ଏଯାଏଁ ନୈତିକ ଦାୟିତ୍ୱ ବହନ କରି ଇସ୍ତଫା ଦେଇ ନାହାନ୍ତି। ବରଂ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମ ଥର ପାଇଁ ସମ‍୍‌ ହସ୍ପିଟାଲ ଗଣମୃତ୍ୟୁ ବିବାଦରେ ବଳି ପଡ଼ିଛନ୍ତି ଅତନୁ।   ନବୀନଙ୍କ ଏଇ ପାଳିରେ ସବୁ ବଡ଼ ବିଭ୍ରାଟ ହେଉଛି ନବକଳେବର କେଳେଙ୍କାରି। ସାଢ଼େ ଚାରି କୋଟି ଓଡ଼ିଆଙ୍କ ବିଶ୍ୱାସ ଓ ଭାବାବେଗ ସହିତ ଜଡ଼ିତ ଜଗନ୍ନାଥଙ୍କ ନବ କଳେବର ପର୍ବରେ ମହା ବିଭ୍ରାଟ ପରିଲକ୍ଷିତ ହୋଇଥିଲା। ନବ କଳେବର ଭିତ୍ତିଭୂମି ନିର୍ମାଣ ଦୁର୍ନୀତି, ଦାରୁ ଚିହ୍ନଟ, ବ୍ରହ୍ମ ପରିବର୍ତ୍ତନ, ଦଇତାଙ୍କ ବ୍ଲାକ୍ମେଲ, ପାଉଣା ବୃଦ୍ଧି ଆଦି ଅନେକ ଘଟଣାରେ ସରକାର ବଦନାମ ହୋଇଥିଲେ। ଗତ ଦୁଇ ବର୍ଷ ରଥଯାତ୍ରା ସମୟରେ ମଧ୍ୟ ଅନେକ ବିଭ୍ରାଟ ପରିଲକ୍ଷିତ ହୋଇଥିଲା। ଜଗନ୍ନାଥଙ୍କ ସେବାପୂଜାରେ ନବୀନଙ୍କ ଅମଳରେ ଅଗଣତି ବିଭ୍ରାଟ ଘଟିଛି। ତଥାପି ସେଥିପାଇଁ କୌଣସି ମନ୍ତ୍ରୀ ଏଯାଏଁ ନୈତିକ ଦାୟିତ୍ୱ ବହନ କରି ଇସ୍ତଫା ଦେଇ ନାହାନ୍ତି।   ଏଇ ଅଢ଼େଇ ବର୍ଷ ଭିତରେ ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ନଗଡ଼ା ନାମକ ଗ୍ରାମରେ ଅପପୁଷ୍ଟି ଜନିତ ଶିଶୁ ଗଣମୃତ୍ୟୁ। ଖାଦ୍ୟ ଓ ପୁଷ୍ଟି ଅଭାବ ଜନିତ ବିଭିନ୍ନ ରୋଗରେ ମାସକ ମଧ୍ୟରେ ପ୍ରାୟ ୨୦ ଜଣ ଶିଶୁ ପ୍ରାଣ ହରାଇବା ପରେ ନଗଡ଼ାର ଦୟନୀୟ ଚିତ୍ର ପଦାକୁ ଆସିଥିଲା। ଏହି ଘଟଣାରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଫଳତା ସମେତ ଗ୍ରାମ ଉନ୍ନୟନ ଓ ପଂଚାୟତିରାଜ ବିଭାଗର ବିଫଳତା ନେଇ ଚର୍ଚ୍ଚା ହୋଇଥିଲା। ସେହିପରି ପୁଲିସ ବିଭାଗର ସମନ୍ୱିତ କ୍ରିୟାନୁଷ୍ଠାନ ଯୋଜନା ବା ଆଇଏପି ପାଣ୍ଠି କୁପରିଚାଳନା ଯୋଗୁଁ ନଗଡ଼ା ପରି ଗାଁର ବିକାଶ ହୋଇପାରିଲା ନାହିଁ ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା। ଏଥିପାଇଁ କୌଣସି ମନ୍ତ୍ରୀ ଇସ୍ତଫା ଦେଇ ନାହାନ୍ତି।   କେଇ ମାସ ତଳେ କନ୍ଧମାଳର ଗୁମୁଡ଼ମାହାରେ ପୁଲିସର ମିଥ୍ୟା ଏନକାଉଣ୍ଟରେ ଜଣେ ଦେଢ଼ ବର୍ଷର ଶିଶୁ ସମେତ ୫ ଜଣ ଆଦିବାସୀ ଓ ଦଳିତ ନିହତ ହୋଇଥିଲେ। ଏଥିପାଇଁ ପୁଲିସ ବିଭାଗର କୁପରିଚାଳନାକୁ ବିରୋଧୀ ଦଳର ନେତାମାନେ ଦାୟୀ କରିଥିଲେ। ତା’ ପୂର୍ବରୁ କଳାହାଣ୍ଡିର କର୍ଲାପାଟ ଓ ରାୟଗଡ଼ାର ନିୟମଗିରିରେ ମଧ୍ୟ ଏହିଭଳି ବହୁ ମିଥ୍ୟା ଏନକାଉଣ୍ଟର ଜରିଆରେ ନିରୀହ ଆଦିବାସୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ରହିଛି। ସେଥିପାଇଁ କୌଣସି ମନ୍ତ୍ରୀ ଇସ୍ତଫା ଦେଇ ନାହାନ୍ତି।   ରାସନ କାର୍ଡ଼ ଦୁର୍ନୀତି, କେନ୍ଦୁଝରରେ ଦଳୀୟ ଗୁଣ୍ଡାରାଜ, ନୂଆ ପୋଲ ଭୁଶୁଡ଼ିବା, ପୋଲ ନିର୍ମାଣ ବିରୋଧୀ ହିଂସାକାଣ୍ଡ, ଅବ୍ୟାହତ ରହିଥିବା ଖଣିଜ ଚୋରି ଓ ଦୁର୍ନୀତି, ମେଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ବିଭ୍ରାଟ, ପ୍ରଶ୍ନପତ୍ର ଲିକ୍, ଚିଟ‍୍‌ ଫଣ୍ଡ କେଲେଙ୍କାରି, ଧାନ ସଂଗ୍ରହ ଦୁର୍ନୀତି, ମହାନଦୀ ପାଣି ଲୁଟ‍୍‌, ପୋଲାଭରମ ବିଫଳତା, ମଦ ବିରୋଧୀ ଆନ୍ଦୋଳନ ନେଇ ମହିଳାଙ୍କ ଉପରେ ଜୁଲମ ଓ ଗୁଳିକାଣ୍ଡ, କୃଷି ଋଣ ବଣ୍ଟନରେ ବିଫଳତା, ପ୍ରତି ବର୍ଷ ଶହଶହ ଚାଷୀଙ୍କ ଆତ୍ମହତ୍ୟା, ଆଳୁ, ପିଆଜ ଓ ଡାଲି ଦର ନିୟନ୍ତ୍ରଣରେ ବିଫଳତା, ଶକ୍ତି ସଂକଟ, ଶକ୍ତି ପ୍ରକଳ୍ପରେ ବିଭ୍ରାଟ ଓ ପ୍ରାୟ ଦୈନିକ ଭିତ୍ତିରେ ଘଟୁଥିବା ବ୍ୟାଙ୍କ ଡକାୟତି ଓ ଅନ୍ୟାନ୍ୟ ଆଇନଶୃଙ୍ଖଳା ବିଫଳତା ଆଦି ଅନେକ ଘଟଣାରେ ଏଯାଏଁ କୌଣସି ମନ୍ତ୍ରୀ ନୈତିକ ଦାୟିତ୍ୱ ବହନ କରି ଇସ୍ତଫା ଦେଇ ନାହାନ୍ତି।    ‘ନୈତିକ’ ବଳି!   ଏହିପରି ଅନେକ ଘଟଣା ଘଟିଗଲାଣି ନବୀନଙ୍କର ଚତୁର୍ଥ ପାଳିର ପ୍ରଥମ ଭାଗରେ। ମହାନଦୀରେ ବହି ଗଲାଣି ଅନେକ ପାଣି, ଶୁଖିଯିବ ବୋଲି ଅନେକ ଚିତ୍କାର ସତ୍ତ୍ବେ। ଅନେକ ମନ୍ତ୍ରୀଙ୍କ ବିଭାଗରେ ଘଟିଯାଇଛି ଅନେକ ପ୍ରକାର ଦୁର୍ନୀତି ଓ ଦୁର୍ଘଟଣା। କେହି ଇସ୍ତଫା ଦେଇ ନାହାନ୍ତି। ଏହି ପାଳିରେ ପ୍ରଥମ ଥର ପାଇଁ ସମ‍୍‌ ହସ୍ପିଟାଲରେ ୨୫ ଜଣଙ୍କ ମୃତ୍ୟୁକୁ ନେଇ ନୈତିକ ଦାୟିତ୍ୱ ବହନ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ସୁପାରିଶ ଭିତ୍ତିରେ ଅତନୁଙ୍କ ଇସ୍ତଫାପତ୍ର ଗ୍ରହଣ କରି ରାଜ୍ୟପାଳ ଏସସି ଜମିର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ଓ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ପ୍ରଦାନ କରିଛନ୍ତି।   ୨୦୧୪ ବିଧାନସଭା ନିର୍ବାଚନ ପରେ ଓ ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ରାଜନୀତିକ ପାଣିପାଗ ଦେଖି ପ୍ରଥମ ବଳି ପକେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ‍୍‌ ହସ୍ପିଟାଲରେ ୨୫ ଜଣଙ୍କ ମୃତ୍ୟୁ ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଇସ୍ତଫାପତ୍ର ସେ ଗ୍ରହଣ କରିନେଇଛନ୍ତି। ନୈତିକ ଦାୟିତ୍ୱ ନେଇ ଅତନୁ ଇସ୍ତଫା ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଅକ୍ଟୋବର ୨୧ ସନ୍ଧ୍ୟା ପ୍ରାୟ ସାଢ଼େ ସାତଟାବେଳେ ଘୋଷଣା କରିଛନ୍ତି।   ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିବାର ପ୍ରାୟ ଅଧଘଣ୍ଟା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତୃତୀୟ ମହଲା ଯାଇଥିଲେ। ସମ‍୍‌ ହସ୍ପିଟାଲ ଗଣମୃତ୍ୟୁ ପରେ ତାଙ୍କ ଉପରେ ଲଗାତାର ନଜର ରଖିଥିିବା ଗଣମାଧ୍ୟମର ପ୍ରତିନିଧି ଜାଣି ଯାଇଥିଲେ ଯେ କିଛି ଗୋଟେ ଘଟିବାକୁ ଯାଉଛି। ସଙ୍ଗେସଙ୍ଗେ ପ୍ରଚାର ହୋଇଯାଇଥିଲା ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେବେ। ଏହା ପୂର୍ବରୁ ଶୁକ୍ରବାର ସକାଳବେଳା ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ଅଫିସରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗୀୟ ନିଷ୍ପତ୍ତି ନେଇଥିଲେ। ସେହିପରି ଉପରବେଳା ସୂଚନା ଓ ଲୋକସଂପର୍କ ବିଭାଗର ଅଫିସକୁ ଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ଫାଇଲରେ ଦସ୍ତଖତ କରିଥିଲେ। ସନ୍ଧ୍ୟାରେ ଡକରା ପାଇ ସେ ତୃତୀୟ ମହଲା ଯାଇଥିଲେ।   ଅକ୍ଟୋବର ୧୭ ତାରିଖ ସନ୍ଧ୍ୟାରେ ସମ‍୍‌ ହସ୍ପିଟାଲରେ ଘଟିଥିବା ବିଦ୍ୟୁତ ସର୍ଟ ସର୍କିଟ ଦୁର୍ଘଟଣା ଓ ଏହାକୁ କେନ୍ଦ୍ର କରି ଏଯାଏଁ ଘଟିଥିବା ୨୫ ଜଣଙ୍କ ମୃତ୍ୟୁ ନେଇ ଆରମ୍ଭରୁ ବିବାଦରେ ଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ। ସମ‍୍‌ ହସ୍ପିଟାଲ ମାଲିକ ମନୋଜ ନାୟକଙ୍କ ସହିତ ଅତନୁଙ୍କ ଘନିଷ୍ଟ ସଂପର୍କ ଥିବା କଥା ଚର୍ଚ୍ଚା ହୋଇଥିଲା। ମନୋଜ ନାୟକଙ୍କର ଏକ କଲେଜରେ ତାଙ୍କ ପତ୍ନୀ ବନ୍ଦନା ଖୁଣ୍ଟିଆ ଅଧ୍ୟାପିକା ଚାକିରି କରିଥିବା ନେଇ ମଧ୍ୟ କଥା ଉଠିଥିଲା। ସ୍ୱାସ୍ଥ୍ୟ ବିଭାଗ ଜାଣତରେ ସମ‍୍‌ ହସ୍ପିଟାଲ ବେଆଇନ ଭାବେ ଚାଲିଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ହସ୍ପିଟାଲର ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା। ଏହା ସତ୍ତ୍ବେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଲାଇସେନ୍ସ ଦେଇଥିଲା। ଏହାର ଅପରେଟିଂ ଲାଇସେନ୍ସ ଅବଧି ୨୦୧୬ ଏପ୍ରିଲ ମାସରୁ ଶେଷ ହୋଇଥିଲେ ମଧ୍ୟ ହସ୍ପିଟାଲ ଚାଲିଥିଲା।   ଏସବୁକୁ କାରଣ କରି ତାଙ୍କର ଇସ୍ତଫା ଦାବି କରିଥିଲେ ବିରୋଧୀ। ଏତେ ଲୋକଙ୍କ ମୃତ୍ୟୁ ପାଇଁ ସେ ନୈତିକ ଦାୟିତ୍ୱ ବହନ କରି ନିଜ ଆଡ଼ୁ ଇସ୍ତଫା ନଦେଲେ ତାଙ୍କୁ ବହିଷ୍କାର କରିବାକୁ ମଧ୍ୟ ବିରୋଧୀ ଦଳର କେତେକ ନେତା ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କଂଗ୍ରେସ ଓ ବିଜେପି ସଂଗଠନ ପକ୍ଷରୁ ଉଭୟ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର କୁଶ ପୁତ୍ତଳିକା ଦାହ କରାଯାଇଥିଲା। ସେ ଅଧିକ ଦିନ ମନ୍ତ୍ରିମଣ୍ଡଳରେ ରହିଲେ ସମ‍୍‌ ଘଟଣାକୁ କେନ୍ଦ୍ର କରି ସରକାର ଅଧିକ ବଦନାମ ହେବା ସହିତ ବିବାଦରେ ରହିବେ ବୋଲି ଶାସକ ଦଳର କେତେକ ନେତା ମଧ୍ୟ ବିଶ୍ୱାସ କରୁଥିଲେ।   ସମ‍୍‌ ହସ୍ପିଟାଲ ଘଟଣା ପୂର୍ବରୁ ମାଲକାନଗିରି ଜିଲ୍ଲାରେ ଜାପାନୀ ଜର ମଡ଼କ ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର ବିଫଳତା ଚଚ୍ଚାର୍କୁ ଆସିଥିଲା। ସେଠାରେ ଗତ ଦେଢ଼ ମାସ ଭିତରେ ୬୬ ଶିଶୁ ଏହି ରୋଗରେ ପ୍ରାଣ ହରାଇଲେଣି। ଏହା ପୂର୍ବରୁ କଟକ ଶିଶୁ ଭବନରେ ଶିଶୁ ମଡ଼କ ଓ ଏସସିବି ମେଡିକାଲ କଲେଜରେ ଅଗ୍ନିକାଣ୍ଡ, ହସ୍ପିଟାଲରୁ ଆମ୍ୱୁଲାନ୍ସ ସହାୟତା ନପାଇ କଳାହାଣ୍ଡିର ଦାନ ମାଝୀ ପତ୍ନୀର ଶବ କାନ୍ଧେଇ ଗାଁକୁ ଯିବା ଘଟଣାରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର କୁପରିଚାଳନା ଓ ଉଦାସୀନତା ପଦାକୁ ଆସିଥିଲା। ବିଶେଷକରି ଦାନ ମାଝୀ ଘଟଣା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ହୋଇ ଓଡ଼ିଶା ସରକାରଙ୍କ ଭାବମୂର୍ତ୍ତି ନଷ୍ଟ କରିଥିଲା।   ଆଉ ୩ ମାସ ପରେ ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନ ଅନୁଷ୍ଠିତ ହେବ। ତା’ପୂର୍ବରୁ କିଛି ଗୋଟେ ଅପରେସନ ନକଲେ ସମ‍୍‌ ହସ୍ପିଟାଲ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ସରକାର ବିରୋଧରେ ଚର୍ଚ୍ଚା ଓ ଆଲୋଚନା ଲାଗି ରହିବ ଓ ତାହାର ପ୍ରଭାବ ନିର୍ବାଚନ ଉପରେ ପଡ଼ିବ। ଏହି ବିଚାରରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ବଳି ପକାଇ ସେଥିରୁ ରାଜନୀତିକ ଫାଇଦା ଓ ହରେଇଥିବା ଭାବମୂର୍ତ୍ତି ଫେରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଇସ୍ତଫା ଦେବାକୁ ପରାମର୍ଶ ଦେଇଥିବା ରାଜନୀତିକ ମହଲରେ ଆଲୋଚିତ ହେଉଛି। ନବୀନଙ୍କର ଚତୁର୍ଥ ପାଳିରେ ଏହା ହେଉଛି ପ୍ରଥମ ବଳି।   ତେବେ ସମ ହସ୍ପିଟାଲ ଘଟଣା ପଛରେ ସ୍ୱାସ୍ଥ୍ୟ ବିଭାଗର ମୂଳରୁ ଚୁଳ ଯାଏଁ ଅଫିସର ଜଡ଼ିତ ଥିବାରୁ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି। ଅଫିସରମାନଙ୍କୁ ସୁରକ୍ଷା ଦେଉଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଘଟଣାରେ ଦାୟୀ ବୋଲି ଦାବି କରି ବିଜେପି ସଭାପତି ବସନ୍ତ ପଣ୍ଡା ତାଙ୍କ ଇସ୍ତଫା ଦାବି କରିଛନ୍ତି।  ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଅଗ୍ନିଶମ ବିଭାଗର ସଂପୃକ୍ତି ରହିଛି। ଏହି ବିଭାଗର ବିନା ସାର୍ଟିଫିକେଟେର ହସ୍ପିଟାଲ ଚାଲିଥିଲେ ବି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ସେହିପରି ଏହାର କୋଠା ପାଇଁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ଆବଶ୍ୟକ ଅନୁମତି ଦେଇନଥିଲେ। ଅଥଚ ହସ୍ପିଟାଲ ଚାଲିଥିଲା। ସମ୍‌ ହସ୍ପିଟାଲ କୋଠାର ଅକୁପାନ୍ସି ସାର୍ଟିଫିକେଟ ଓ ବହୁତଳ ନିର୍ମାଣ ଅନୁମତି ନଥିଲା। ତଥାପି କୋଠାରେ ହସ୍ପିଟାଲ ଚାଲିଥିଲା। ଏହି ତ୍ରୁଟି ପାଇଁ ନଗର ଉନ୍ନୟନ ବିଭାଗ ଦାୟୀ। ସେ ମନ୍ତ୍ରୀ କିନ୍ତୁ ଇସ୍ତଫା ଦେଇନାହାନ୍ତି।

Share :