ଡଙ୍କାରୀ-ଲୋକଙ୍କ ବିରୋଧରେ ଶାସନ!

ଡଙ୍କାରୀ-ଲୋକଙ୍କ ବିରୋଧରେ ଶାସନ!

Share :

ଶରତ ପଥାଳ   ବର୍ଷ ବର୍ଷ ଧରି ଖଣି ସୁରକ୍ଷା, ରାଜସ୍ୱ, ଜଙ୍ଗଲ ଓ ପରିବେଶ ଆଇନର ଖୋଲାଖୋଲି ଉଲ୍ଲଙ୍ଘନ କରି ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀରେ ବେଆଇନ ଭାବେ ୱାଗନହୋଲ୍‌ ବ୍ଲାଷ୍ଟଂ ଚାଲିଛି। ଏଥିଯୋଗୁଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବନ୍ୟଜନ୍ତୁଙ୍କର ନାନାଦି କ୍ଷତି ଘଟୁଛି। ହେଲେ ପଥର ମାଫିଆଙ୍କ ସମସ୍ତ ପ୍ରକାର ବେଆଇନ କାର୍ଯ୍ୟ ନେଇ ପ୍ରଶାସନ ମୁହଁରେ ତୁଣ୍ଡି ବାନ୍ଧି ବସିଥିବା ବେଳେ ଓଲଟି ବେଆଇନ କାର୍ଯ୍ୟ ବିରୋଧରେ ମୁଣ୍ଡ ଟେକିଥିବା ଜନ ଅସନ୍ତୋଷ ଦୂର କରିବାକୁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି।   ଡଙ୍କାରୀରେ ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲି ଆସିଥିବା ବେଆଇନ ୱାଗନହୋଲ ବ୍ଲାଷ୍ଟିଂ ଏବଂ କଳାପଥର ଚୋରା କାରବାରକୁ ବନ୍ଦ କରିବା ପରିବର୍ତ୍ତେ ସୁରକ୍ଷା ଦେବାକୁ ଅକ୍ଟୋବର ୧୯ ତାରିଖ ଜିଲ୍ଲା ପ୍ରଶାସନ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲା। ଏ ପ୍ରକାର ବେଆଇନ କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳର ଭୂତଳ ଜଳ ସ୍ତର ଅତିନିମ୍ନଗାମୀ ହେବା ସହିତ ବାୟୁ ପ୍ରଦୂଷଣ ବୃଦ୍ଧି ପାଇଛି। ଜଙ୍ଗଲ ପରିବେଶ ଧ୍ୱଂସାଭିମୁଖୀ ହୋଇଛି। ଡଙ୍କାରୀ ବେଆଇନ ପଥର ଖଣି ଜନିତ ପ୍ରଦୂଷଣ ପ୍ରଭାବରେ ବହୁଲୋକ କିଡନୀ ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୫୦ରୁ ୬୦ ଲୋକଙ୍କର ମୃତ୍ୟୁ ହୋଇଯାଇଛି।   ଏହି ପାହାଡ ଓଡିଶାର ବଡ ପର୍ବତମାଳା ନିଶ୍ଚିନ୍ତାର ଏକ ଅଂଶ ବିଶେଷ ହୋଇଥିବା ବେଳେ ଚଞ୍ଚକତା କରାଯାଇ ଯାଜପୁର ଜିଲ୍ଲାର ଶେଷ ଭାଗରେ ଥିବା ପାହାଡର ଏହି ଅଂଶକୁ ରାଜସ୍ୱ ବିଭାଗ ଅଧୀନକୁ ଅଣାଯାଇଛି। ଏଥିପାଇଁ ଢେଙ୍କାନାଳ ପଟରୁ ଆସୁଥିବା ବିରଳ ବନ୍ୟଜନ୍ତୁ ଏବଂ ହାତୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୋଟାମୋଟି ଭାବେ ପାହାଡ ଲିଜ ଦିଆଯିବା ବେଳେ ୱାଗନହୋଲ ବ୍ଲାଷ୍ଟିଂ କରାଯିବା ପାଇଁ ଅନୁମତି ନାହିଁ। ଏଭଳି ୱାଗନହୋଲ ବ୍ଲାଷ୍ଟିଂ ସମୟରେ ଗୋଟିଏ ବ୍ଲାଷ୍ଟିଂରେ ୬୦୦ରୁ ୨୦୦୦ ପର୍ଯ୍ୟନ୍ତ ଟ୍ରିପ ପଥର ପାହାଡରୁ ଖସିଥାଏ। ବଡ ବଡ ବ୍ୟବସାୟୀମାନେ ଏଭଳି ମୂଲ୍ୟବାନ ସରକାରୀ ସମ୍ପତ୍ତି ଲୁଟିବାକୁ ଏହି କୌଶଳ ବ୍ୟବହାର କରିବା ସହିତ ସରକାରଙ୍କୁ ପ୍ରତି ଦିନ ଲକ୍ଷଲକ୍ଷ ଟଙ୍କାର ରାଜସ୍ୱ ଫାଙ୍କି ଚାଲିଛନ୍ତି।   ଏହି କାରଣରୁ ମଧ୍ୟ ସ୍ଥାନୀୟ ଅଞ୍ଚଳର ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ, କ୍ରସର ମାଲିକମାନେ ନିଜର ବ୍ୟବସାୟ ହରାଉଛନ୍ତି। ସେମାନଙ୍କ ସ୍ଥାନରେ ବଡ ବଡ ମେଗା କ୍ରସର ବ୍ୟବସାୟୀ ଏବଂ ଟ୍ରାନ୍ସପୋର୍ଟରମାନେ ପ୍ରଭାବ ବିସ୍ତାର କରୁଛନ୍ତି। ୱାଗନହୋଲ ବ୍ଲାଷ୍ଟିଂ ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ କମ୍ପ୍ରେସର ଏବେ ଅଦରକାରୀ ହୋଇପଡିଛି। ଏହାର ପ୍ରତିବାଦରେ ବିଭିନ୍ନ ମଂଚରେ ଅଭିଯୋଗ ଏବଂ ଆନ୍ଦୋଳନ ହୋଇ ଆସୁଥିବା ବେଳେ ଅସାଧୁ ନେତା ଓ ବ୍ୟବସାୟୀମାନେ ପ୍ରଶାସନ ସହାୟତାରେ କଳେବଳେକୌଶଳେ ସମସ୍ତ ବିରୋଧକୁ ଚପାଇ ଦେବାରେ ସଫଳ ହୋଇଛନ୍ତି।   ତେବେ ଗତ ୩ ମାସ ହେବ ମହିଳାମାନଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷ ପାଇଁ ପଥର ମାଫିଆଙ୍କ କଳାବେପାର ଏକ ପ୍ରକାର ଅଚଳ ହୋଇଯାଇଛି। ବାରମ୍ପାର ଦାବି ଓ ଆନ୍ଦୋଳନ ସର୍ତ୍ତ୍ବେ ପଥର ମାଫିଆଙ୍କ ଯାବତୀୟ ବେଆଇନ କାର୍ଯ୍ୟ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଜିଲ୍ଲା ପ୍ରଶାସନ ସେମାନଙ୍କୁ ସହାୟତା କରିବାକୁ ଅକ୍ଟୋବର ୧୯ ତାରିଖରେ ଉଦ୍ୟମ କରିବା ଘଟଣା ସାଧାରଣରେ ମୁଖ୍ୟ ଆଲୋଚନାର ବିଷୟ ହୋଇଛି। ବୁଧବାର ଜିଲ୍ଲାପାଳ ରଂଜନ କୁମାର ଦାସ, ଏସପି ଅନୁପ କୁମାର ସାହୁ ପ୍ରଶାସନିକ ଦଳ ସହ ଡଙ୍କାରୀ ଆସିଥିବା ବେଳେ ମହିଳାମାନେ ପ୍ରତିବାଦ ସ୍ୱରୂପ ମୁହଁରେ କଳାପଟି ବାନ୍ଧି ଠିଆ ହୋଇ ପ୍ରତିବାଦ କରିଥିଲେ। ପରେ ଜିଲ୍ଲାପାଳ ଡଙ୍କାରୀ ଖାଦାନ ଅଞ୍ଚଳକୁ ପରିଦର୍ଶନରେ ଯିବାବେଳେ ମହିଳାମାନେ ସେଠାକୁ ଯାଇ ବି ମୁହଁରେ କଳାପଟି ବାନ୍ଧି ଜିଲ୍ଲାପାଳଙ୍କ ଚାରିପଟ ଘେରି ଯାଇଥିଲେ।   ବେଆଇନ ପଥର ଖାଦାନ ବନ୍ଦ କରିବାକୁ ଜିଲ୍ଲାପାଳ ସେମାନଙ୍କୁ ପ୍ରତିଶ୍ରୁତି ଦେବା ପରିବର୍ତ୍ତେ ୱାଗନହୋଲ ବ୍ଲାଷ୍ଟିଂ ସପକ୍ଷରେ ବୁଝାଇବା ସହ ସେମାନଙ୍କୁ ଟାଙ୍କିରେ ପାଣି ଯୋଗାଇ ଦିଆଯିବ ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ। ଏଠାରୁ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପରେ ପାଣିରେ ସେଭଳି କିଛି ସମସ୍ୟା ନଥିବାର ଜଣାପଡିଛି ଏବଂ ଆଗକୁ ପାଣିକୁ ଅଧିକ ଉନ୍ନତମାନର ପରୀକ୍ଷା କରାଯିବ ବୋଲି କହିଥିଲେ। କିନ୍ତୁ ମହିଳାମାନେ କଳାପଟି ଖୋଲି ଜିଲ୍ଲାପାଳଙ୍କ ମତାମତ ବିରୋଧରେ ଗଣମାଧ୍ୟମ ଆଗରେ ବିସ୍ପୋରକ ବୟାନ ଦେଇଥିଲେ। ରଙ୍ଗଲତା ଦାସ, ପ୍ରମିଳା ଦାସ, ଜୟନ୍ତୀ ମଲ୍ଲିକ, ପ୍ରମିଳା ସାହୁ, ପ୍ରଭାତି ମଲ୍ଲିକ ଏବଂ ଦଶରଥ ମଲ୍ଲିକ ପ୍ରମୁଖ ଆନ୍ଦୋଳନକାରୀ କହିଥିଲେ ଯେ, ଆମକୁ ମାରି ଦିଅନ୍ତୁ, ଗୋଟାଏ ଅଡୁଆ ଛିଣ୍ଡିଯିବ। ପଥର ବ୍ୟବସାୟୀଙ୍କ ବେଆଇନ କାର୍ଯ୍ୟ ୱାଗନହୋଲ ବ୍ଲାଷ୍ଟିଂ ପାଇଁ ଆମେ ଆଉ ବଞ୍ଚି ପାରୁନାହଁୁ। ଏଣେ ପ୍ରଶାସନ ସେମାନଙ୍କ ବେଆଇନ କାର୍ଯ୍ୟକୁ ନିୟମିତ ସୁରକ୍ଷା ଏବଂ ସହଯୋଗ କରି ଆସୁଛି। ଏବେ କହୁଛ ପାଣି ଖରାପ ନାହିଁ ଏବଂ ଆମକୁ ବାହାରୁ ପାଣି ଆଣି ଦେବ। ଆମେ କାହିଁକି ବାହାରୁ ପାଣି ପିଇବୁ, ଆପଣ ଆମକୁ କେତେଦିନ ପାଣି ଦେବେ, ପଥର ମାଫିଆ ବେପାର ସରିଗଲେ କୁଆଡେ ପଳାଇବେ, ତା’ପରେ ଆମ ଅଞ୍ଚଳର ଭବିଷ୍ୟତ କ’ଣ ହେବ ବୋଲି ସେମାନେ ପ୍ରଶ୍ନ କରିଥିଲେ।   ଏହାପରେ ୱାଗନହୋଲ ବ୍ଲାଷ୍ଟିଂ ପ୍ରଭାବର ଘର ଗୁଡିକ ଫାଟି ଯାଉଥିବା ନେଇ ଜିଲ୍ଲାପାଳ କେତେକ ଲୋକଙ୍କ ଘର ବୁଲି ଘର କାନ୍ଥ ଫାଟି ଥିବାର ଦେଖିଥିଲେ। ଅପର ପକ୍ଷରେ ପାହାଡ ଖାଦାନଗୁଡିକ ନିୟମିତ ନଚାଲିଲେ ଏହା ଉପରେ ନିର୍ଭର କରୁଥିବା କ୍ରସର, ଶ୍ରମିକ ଏବଂ ଜନସାଧାରଣଙ୍କ ଅବସ୍ଥା ଦିନକୁ ଦିନ ଖରାପ ହୋଇ ପଡୁଛି ବୋଲି କେତେକ କ୍ରସର ମାଲିକଙ୍କ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜଣାଇଥିଲେ। ଜିଲାପାଳ  ୱାଗନବ୍ଲାଷ୍ଟିଂ କ’ଣ ଏବଂ ଏହା ହେଉଛି କି ନାହିଁ କିଏ ଦେଖିଛି ବୋଲି ପ୍ରଶ୍ନ କରିଥିଲେ। ଏହାସହ କହିଥିଲେ ସେ କ୍ଷେତ୍ରରେ ମଁୁ ଟେକନିକାଲି ଦକ୍ଷ ନୁହେଁ। ସେଥିପାଇଁ ମଁୁ ଏକ୍ସପର୍ଟଙ୍କ ମତାମତ ଲୋଡି ଯାହା ପଦକ୍ଷେପ ଗ୍ରହଣ କରିବି।   ତେବେ ଗାଏମୋଟ କହିବାକୁ ଗଲେ ଧର୍ମଶାଳାରେ ଲଘୁ ଖଣିଜ ମହାଦୁର୍ନୀତି ଲୋକଲୋଚନକୁ ଆସିବା ପରେ ପ୍ରଶାସନ ଏହାର ସଠିକ‌୍‍ ତଦନ୍ତ କରିବା ପରିବର୍ତ୍ତେ ମାଫିଆଙ୍କ ସ୍ବାର୍ଥର ସୁରକ୍ଷାରେ ଲାଗିପଡ଼ିଥିବା ଏହି ଘଟଣାରୁ ସ୍ପଷ୍ଟ।

Share :