ନୂଆ ଆଞ୍ଚଳିକ ଦଳ- ଦୁଇ ଧାରୁଆ ଖଣ୍ଡା

ନୂଆ ଆଞ୍ଚଳିକ ଦଳ- ଦୁଇ ଧାରୁଆ ଖଣ୍ଡା

Share :

ସିଏ ବିବେକାନନ୍ଦ ନାୟକ   ଓଡିଶାରେ ଏକ ନୂଆ ଆଞ୍ଚଳିକ ଦଳ ସୃଷ୍ଟି ହେବା ଦିଗରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ବିଭିନ୍ନ ଦଳରେ ଥିବା କେତେକ ଅଭିଜ୍ଞ ନେତାଙ୍କର ଏ ଦିଗରେ ପ୍ରଚେଷ୍ଟା ଜାରି ରହିଛି। ଆଗାମୀ ୨୦୧୯ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ୨୦୧୭ରେ ଏକ ନୂଆ ଆଂଚଳିକ ଦଳ ସୃଷ୍ଟି ହେବାର ସମ୍ଭାବନା ଦେଖା ଦେଇଛି।   ଭାରତ ପରି ଏକ ବୃହତ ଗଣତାନ୍ତ୍ରିକ ଦେଶ ଯେଉଁଠି ଆଞ୍ଚଳିକ ଭିତ୍ତିରେ ଜୀବନଯାପନ ଶୈଳୀ ତଥା ପାରିପାର୍ଶ୍ବିକ ସମସ୍ୟାର ବିବିଧତା ରହିଛି, ସେଠାରେ ଯେକୌଣସି ସମୟରେ ଆଞ୍ଚଳିକ ଦଳର ସମ୍ଭାବନା ଅଧିକ। ଆମ ଦେଶରେ ଆଞ୍ଚଳିକ, ପାରିବାରିକ, ଏପରିକି ବ୍ୟକ୍ତିର ଆବଶ୍ୟକତାକୁ ନେଇ ବିଭିନ୍ନ ଆଞ୍ଚଳିକ ଦଳ ସୃଷ୍ଟି ହୋଇଥାଏ। ଏଥିପାଇଁ ଆମ ଦେଶରେ ମୋଟ ଅନୁବନ୍ଧିତ ରାଜନୈତିକ ଦଳ ସଂଖ୍ୟା ୧୭୬୧ରେ ପହଁଞ୍ଚିଲାଣି। ଏଥି ମଧ୍ୟରେ ମାତ୍ର ୭ଟା ଜାତୀୟ ଦଳ ଥିବା ବେଳେ, ୪୮ଟି ରାଜ୍ୟ ଦଳ ଏବଂ ୧୭୦୬ଟି ଅଣ-ସ୍ୱୀକୃତିପ୍ରାପ୍ତ ଅନୁବନ୍ଧିତ ଦଳ ଅଛନ୍ତି।   ୧୯୮୦ ଦଶକର ଶେଷ ଭାଗଠାରୁ ଜାତୀୟ ରାଜନୀତିରେ ଆଞ୍ଚଳିକ ଦଳଗୁଡ଼ିକର ଗୁରୁତ୍ୱ ବଢିବାରେ ଲାଗିଛି। ଉତ୍ତର ପ୍ରଦେଶ ଓ ତାମିଲନାଡୁ ପରି ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୃହତ ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଦଳଗୁଡ଼ିକର ପ୍ରଭାବ ନିରନ୍ତର ରହିଛି। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜପାର୍ଟି ଏବଂ ତାମିଲନାଡୁରେ ଡିଏମ‌୍‍କେ ଓ ଏଆଇଡିଏମ‌୍‍କେ ପରି ଆଞ୍ଚଳିକ ଦଳ କଂଗ୍ରେସ ଓ ବିଜେପି ପରି ଜାତୀୟ ଦଳଙ୍କୁ ଦଶନ୍ଧି ଦଶନ୍ଧି ଧରି ରାଜ୍ୟର କ୍ଷମତା ବଳୟରୁ ଦୂରେଇ ରଖିଛନ୍ତି। ଆମ ରାଜ୍ୟରେ ମଧ୍ୟ ଆଞ୍ଚଳିକ ଦଳ ବିଜେଡି କ୍ରମାଗତ ୪ ଥର ଜିତି ଗତ ୧୭ ବର୍ଷ ହେଲା ଦୁଇ ଜାତୀୟ ଦଳକୁ କ୍ଷମତା ବଳୟରୁ ଦୂରେଇ ରଖିଛି।   ଭାରତ ପରି ଏକ ସାଂସ୍କୃତିକ ତଥା ଜୀବନଶୈଳୀ ବିବିଧତା ଭିତ୍ତିକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଞ୍ଚଳିକ ଦଳମାନଙ୍କରେ ଆବଶ୍ୟକତା ଅଛି କି ? ଏହି ଦଳମାନେ ଜାତୀୟ ସ୍ୱାର୍ଥରେ ଅନ୍ତରାୟ ହୁଅନ୍ତି କି? ଏହିପରି ଅନେକ ଅମୀମାଂସିତ ପ୍ରଶ୍ନ ରହିଛି। ଏହା ସ୍ୱୀକାର୍ଯ୍ୟ ଯେ ସମୟ ସମୟରେ ଆଞ୍ଚଳିକ ଦଳମାନଙ୍କ ମଙ୍ଗୁଆଳରେ ଉପସ୍ଥାପିତ ହେଉଥିବା ରାଜ୍ୟ ସ୍ୱାର୍ଥ ଓ ଜାତୀୟ ସ୍ୱାର୍ଥ ଭିତରେ ବିରୋଧାଭାସ ଦେଖା ଯାଇଥାଏ। ବର୍ତ୍ତମାନର ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ଜଳ ବିବାଦ ବା ଆମ ରାଜ୍ୟ ଓଡିଶା ଓ ଛତିଶଗଡ ମଧ୍ୟରେ ଜଳ ବିବାଦ ଜାତୀୟ ଓ ରାଜ୍ୟମାନଙ୍କର ସ୍ୱାର୍ଥ ଭିତରେ ରହିଥିବା ବିରୋଧାଭାସର ଉଦାହରଣ। ଏହା ସତ୍ତ୍ୱେ ଗଣତନ୍ତ୍ରର ସାମଗ୍ରିକ ସଫଳତା ପାଇଁ ବିବିଧ ଆଞ୍ଚଳିକ ଦଳ ଭିତ୍ତିକ ବ୍ୟବସ୍ଥାର ଆବଶ୍ୟକତା ରହିଛି।   କିଛି ରାଜନୀତି ବିଶ୍ଳେଷକଙ୍କ ମତରେ ଓଡିଶାର ସାଂପ୍ରତିକ ରାଜନୈତିକ ସମୀକରଣ ଏବଂ ନୂଆ ଆଞ୍ଚଳିକ ଦଳକୁ ଜନ୍ମ ଦେଇପାରେ। ପୂର୍ବତନ ମନ୍ତ୍ରୀ ତଥା ରାଜନୀତି ବିଶ୍ଳେଷକ ପଞ୍ଚାନନ କାନୁନ‌୍‍ଗୋ କିଛି ଦିନ ତଳେ ଏକ ଟିଭି ସାକ୍ଷାତକାରରେ ଏ ବାବଦରେ ଆଭାସ ଦେଇଥିଲେ। ପରବର୍ତ୍ତୀ ସମୟରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର, ଉତ୍କଳ ଭାରତର ସଭାପତି ଖାରବେଳ ସ୍ୱାଇଁ ଏବଂ ଆମ ଓଡିଶାର ସଭାପତି ସୌମ୍ୟରଂଜନ ପଟ୍ଟନାୟକ ଏହି ବିଷୟରେ ଟିପ‌୍‍ପଣୀ ଦେବାକୁ ଯାଇ ପ୍ରକାରାନ୍ତରେ ସମଭାବ ମତ ରଖିଥିଲେ।   ଉପରୋକ୍ତ ନେତାମାନେ ‘ଶାସନ ବିରୋଧି’ (ଆଣ୍ଟିଇନ‌୍‍କମ୍ୱାସି) ଭୋଟ ଉପରେ ବେଶୀ ଭରସା ରଖିଛନ୍ତି। ସେମାନଙ୍କ ମତରେ ବିଜେଡି ଯେହେତୁ କ୍ରମାଗତ ଚାରିଥର ଜିତି ପ୍ରାୟ ୨ ଦଶନ୍ଧି ଧରି ଶାସନରେ ଅଛି, ସ୍ୱାଭାବିକ ଭାବରେ ଜନତା ଶାସକ ବିଜେଡି ଉପରେ ଅସନ୍ତୁଷ୍ଟ ହେବେ ଏବଂ ୨୦୧୯ରେ ସଂଖ୍ୟାଧିକ ଶାସକ ବିରୋଧି ମତଦାନ ହେବ। ଏହିପରି ଆକଳନ କଲାବେଳେ ବିଶ୍ଳେଷକମାନେ ପରିବର୍ତ୍ତିତ ରାଜନୈତିକ ବାସ୍ତବିକତାକୁ ଅଣଦେଖା କରୁଛନ୍ତି। ଗତ କଛି ବର୍ଷ ହେଲା ବିଭିନ୍ନ ରାଜ୍ୟରେ ଶାସକ ବିରୋଧୀ ମତଦାନ ବଦଳରେ ଶାସକ ସପକ୍ଷରେ (ପ୍ରୋଇନ‌୍‍କମ୍ୱାସି) ହାୱା ଦେଖାଯାଇଛି। ବିଜେଡିର କ୍ରମାଗତ ବିଜୟ ତା’ର ଏକ ଜ୍ୱଳନ୍ତ ଉଦାହରଣ। ତାମିଲନାଡ଼ୁର ଜୟଲଳିତାଙ୍କର ଗତ ୩୦ ବର୍ଷର ରେକର୍ଡ଼ ଭାଙ୍ଗି କ୍ରମାଗତ ବିଜୟ ‘ଶାସକ - ସପକ୍ଷ’ରେ ହାୱାର ସଦ୍ୟତମ ଉଦାହରଣ। ଏହିପରି ଦୃଢ ‘ଶାସକ-ସପକ୍ଷ’ରେ ମତଦାନ ମୂଳ କାରଣ ହେଲା ରାଜ୍ୟ ସରକାରଙ୍କର ବିବିଧ ଲୋକାଭିମୁଖୀ ମନଲୋଭା ଯୋଜନା। ଏହି ଯୋଜନାଗୁଡିକ ବିଶେଷ ଭାବରେ ଦଳିତ ଓ ନିମ୍ନ ମଧ୍ୟବିତ୍ତ ପରିବାରଙ୍କୁ ଶାସକ ଦଳ ପ୍ରତି ଆକର୍ଷିତ କରିପାରୁଛି।   ଓଡିଶା ରାଜନୀତି ଇତିହାସରେ ବହୁତ ଆଞ୍ଚଳିକ ଦଳର ଆବର୍ଭାବ ହୋଇଛି। ୧୯୯୭ରେ ଗଠିତ ବର୍ତ୍ତମାନର ଶାସକ ବିଜୁ ଜନତା ଦଳ ସବୁଠାରୁ ସଫଳ ଆଞ୍ଚଳିକ ଦଳ ଭାବରେ ଉଭା ହୋଇଛି। ବାକି ୨ ଜାତୀୟ ଦଳ କଂଗ୍ରେସ ଓ ବିଜେପିର ସାଂଗଠନିକ ସ୍ଥିତି ଦୁର୍ବଳ ରହିଛି। ତେଣୁ ଯେଉଁ ନୂଆ ଆଞ୍ଚଳିକ ଦଳ ଆସିବ, ତାହା ବିଜେଡି ଭୋଟ ଅଂଶରେ ଭାଗିଦାରୀ ହେବାରେ ସାମର୍ଥ୍ୟ ରଖିବା ଦରକାର। ଦୁର୍ବଳ କଂଗ୍ରେସ ବା ବିଜେପିର ଭୋଟ ଅଂଶରେ ଭାଗୀଦାରୀ ହେଲେ ବିଶେଷ କିଛି ଲାଭ ହେବ ନାହିଁ।   ନୂଆ ଆଂଚଳିକ ଦଳର ନିମ୍ନଲିଖିତ ତିନି ପ୍ରକାର ଲକ୍ଷ୍ୟ ଆକଳନ କରାଯାଇପାରେ:-   (୧) ମୂଲ୍ୟବୋଧ ଭିତ୍ତିକ - ଓଡିଶାର ସ୍ୱାର୍ଥ ରକ୍ଷା କରିବା ଓ ଦୃଢ ପ୍ରଗତି କରିବା।   (୨) ରଣକୌଶଳ ଭିତ୍ତିକ ଲକ୍ଷ୍ୟ - ଅନ୍ୟ ଆଂଚଳିକ ଦଳ ବିଜେଡିକୁ ଶାସନରୁ ହଟାଇବା। ଦୀର୍ଘ ୨ ଦଶନ୍ଧିର ଦୁର୍ନୀତି ଓ ଅସଫଳତାକୁ ପାଥେୟ କରି ଏହି ଲକ୍ଷ୍ୟକୁ ଲୋକଙ୍କ ସାମ୍ନାରେ ଉପସ୍ଥାପନା କରାଯାଇପାରେ।   (୩) ଛଦ୍ମ ବା ଅଘୋଷିତ ଲକ୍ଷ୍ୟ - ବିଭିନ୍ନ ଦଳମାନଙ୍କରେ ଥିବା ବରିଷ୍ଠ ଅବହେଳିତ ନେତାମାନଙ୍କୁ କ୍ଷମତାର ପରିଧି ଭିତରେ ଏକତ୍ରିତ କରିବା ଏବଂ ସେମାନଙ୍କର ଅଭିଜ୍ଞତାକୁ ଓଡିଶାର ହିତରେ ଯଥୋଚିତ ଉପଯୋଗ କରିବା।   ଉପରୋକ୍ତ ୩ଟି ଲକ୍ଷ୍ୟ ମଧ୍ୟରୁ ପ୍ରଥମ ୨ଟି ଲକ୍ଷ୍ୟ ଉପସ୍ଥାପନାରେ କିଛି ଅସୁବିଧା ନାହିଁ। କିନ୍ତୁ ୩ୟ ଲକ୍ଷ୍ୟ ଲୋକଙ୍କ ସାମ୍ନାରେ ଉପସ୍ଥାପନା ରାଜନୈତିକ ଦୃଷ୍ଟିକୋଣରୁ ସମୀଚୀନ ନୁହେଁ। ଆଜିର ଯେଉଁ ନୂଆ ଆଞ୍ଚଳିକ ଦଳର କଳ୍ପନାଜଳ୍ପନା ଚାଲିଛି, ତାହା ଏହି ୩ୟ ଲକ୍ଷ୍ୟ ଉପରେ ପର୍ଯ୍ୟବସିତ ପରି ଜନ ସାଧାରଣଙ୍କ ସାମ୍ନାରେ ପ୍ରତୀୟମାନ ହୁଏ। ଅର୍ଥାତ ନୂଆ ଆଞ୍ଚଳିକ ଦଳର ଲକ୍ଷ୍ୟ - ବିଭିନ୍ନ ଦଳର ଅବହେଳିତ ନେତାଙ୍କୁ କ୍ଷମତାର ପରିଧି ଭିତରେ ଥଇଥାନ କରିବା। ଯଦି ନୁଆ ଆଞ୍ଚଳିକ ଦଳ କଂଗ୍ରେସ, ବିଜେପି, ବିଜେଡି ଓ ଅନ୍ୟାନ୍ୟ ଦଳରେ ଥିବା ଅଣଦେଖା କରାଯାଉଥିବା ବା ଅବହେଳିତ ନେତାମାନଙ୍କୁ ସାମ୍ନାରେ ରଖି ଗଢାଯାଏ, ତାହା ଲୋକଙ୍କ ବିଶ୍ୱାସଭାଜନ ହୋଇ ପାରିବ ନାହିଁ। କହିବାର ଅର୍ଥ ନୁହେଁ ଯେ ବିଭିନ୍ନ ଦଳରେ ଥିବା ବରିଷ୍ଠ ନେତାମାନେ ନୂଆ ଦଳରେ ଯୋଗ ଦେଇପାରିବେ ନାହିଁ। କିନ୍ତୁ ଯଦି ନୂଆ ଆଞ୍ଚଳିକ ଦଳର ସମସ୍ତ ଯୋଜନା ଓ କାର୍ଯ୍ୟକ୍ରମ ଏହି ନେତାମାନଙ୍କ ଚାରିପଟରେ ଘୂରି ବୁଲେ ଏବଂ ଏମାନଙ୍କର ରାଜନୈତିକ ଗୋଟି ଚାଳନା ହିଁ ଦଳର ଏକମାତ୍ର ରଣକୌଶଳ ହୁଏ, ତାହାହେଲେ ଏହି ଆଞ୍ଚଳିକ ଦଳ କଦାଚିତ‌୍‍ ଲୋକମାନଙ୍କର ବିଶ୍ୱାସଭାଜନ ହୋଇପାରିବ ନାହିଁ। ଯେକୌଣସି ନୂଆ ଦଳ ପାଇଁ ରଣକୌଶଳଠାରୁ ନୂଆ ଆଶା, ନୂଆ ଉଦ୍ଦୀପନା ଓ ନୂଆ ଲକ୍ଷ୍ୟ ଅଧିକ ଜରୁରୀ।   ଆଜିର ଦିନରେ ଦଳର ଗ୍ରହଣୀୟତା ଓ ସଂଗଠନର କ୍ରିୟାଶୀଳତା ଦୃଷ୍ଟିରୁ ବିଜେଡି ବହୁ ଆଗରେ ଅଛି। ବିଜେପି ୨ୟ ସ୍ଥାନରେ ଏବଂ କଂଗ୍ରେସ ୩ୟ ସ୍ଥାନରେ ଅଛି। ଏହି ପରିପ୍ରେକ୍ଷୀରେ ବିଜେଡିକୁ ହରାଇବାକୁ ହେଲେ ନୂଆ ଆଞ୍ଚଳିକ ଦଳକୁ ଏହାର ଭୋଟ ଅଂଶରେ ଭାଗିଦାରୀ ହେବାକୁ ହେବ ବା ଏହାର ଭୋଟ ଅଂଶକୁ ଭାଙ୍ଗିବାକୁ ପଡିବ। ହତୋତ୍ସାହିତ ତଥା ଶିଥୀଳ କଂଗ୍ରେସ ସଂଗଠନକୁ କ୍ଷତି ପହଁଞ୍ଚାଇବା ଓ ଏହାର ଭୋଟ ଅଂଶରେ ଭାଗିଦାରୀ ହେବା ପାଇଁ ମଧ୍ୟ ଲକ୍ଷ୍ୟ ରଖିବା ଦରକାର। ଉନ୍ମାଦଭରା ତଥା କ୍ରିୟାଶୀଳ ବିଜେପି ସଂଗଠନକୁ କ୍ଷତି ପହଁଞ୍ଚାଇବା ବା ଭାଙ୍ଗିବା ଏବେ ସହଜ ହେବ ନାହିଁ। ବରଂ ନିର୍ବାଚନ ସମୟରେ ବିଜେପି ସହିତ ଗଠନ ବନ୍ଧନ ପାଇଁ ପ୍ରଚେଷ୍ଟା କରାଯାଇପାରେ। ଏହାଦ୍ୱାରା ଶକ୍ତିଶାଳୀ ବିଜେଡିକୁ ମୁକାବିଲା କରିବା ସହଜ ହେବ। ରଣକୌଶଳ ଓ ସାଂଗଠନିକ କ୍ରିୟାଶୀଳତା ଦୃଷ୍ଟିକୌଣରୁ ଗତ କିଛି ଦିନ ହେଲା ବିଜେପି ହିଁ ବିଜେଡିକୁ ମୁକାବିଲା କରୁଛି। ରାଜନୈତିକ ବ୍ୟକ୍ତିତ୍ୱ ଲଢେଇରେ ବିଜେପିର ଯୁବ ନେତୃତ୍ୱ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ଅଭିଜ୍ଞ ନବୀନ ପଟ୍ଟନାୟକଙ୍କୁ ସାରା ଓଡିଶାରେ ଟକ୍କର ଦେଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ବିଜେପିର ଭୋଟ ଅଂଶକୁ ଭାଙ୍ଗିବାର ପ୍ରକ୍ରିୟା ନୂଆ ଆଞ୍ଚଳିକ ଦଳ ପାଇଁ ବୁମେରାଂ ହୋଇପାରେ। ଅଭିଜ୍ଞ ନେତାମାନଙ୍କର ଗୋଟି ଚାଳନା ବ୍ୟକ୍ତିଗତ ଆଶା, ଆକାଂକ୍ଷା ଦିଗରେ ଯାଉଛି ନା ଓଡିଶାର ସାମଗ୍ରିକ ଲକ୍ଷ୍ୟ ଦିଗରେ ଯାଉଛି, ତାହା ଦେଖିବାକୁ ବାକି ରହିଲା।   ଭଦ୍ରକ, ମୋ.- ୯୪୩୯୯୫୫୮୦୪

Share :