ହସ୍ପିଟାଲ୍‌ ନା ଶବ ଗୋଦାମ!

ହସ୍ପିଟାଲ୍‌ ନା ଶବ ଗୋଦାମ!

Share :

ଚାରୁ ଚନ୍ଦନ ଦାଶ   ସଞ୍ଜ ନଇଁଗଲା ପରେ ଅକ୍ଟୋବର ୧୭ ତାରିଖ ରାଜଧାନୀର ପ୍ରମୁଖ ଘରୋଇ ଡାକ୍ତରଖାନାରେ ଯାହା ସବୁ ଘଟିଗଲା ତାକୁ କେହି ମନେ ରଖିବାକୁ ଚାହିଁବେ ନାହିଁ। ଚାହୁଁ ଚାହୁଁ ମାଡ଼ିଗଲା ନିଆଁ। ସେହି ନିଆଁ କେତେଜଣଙ୍କୁ ଦୁନିଆରୁ ସବୁଦିନ ଅଲଗା କରିଦେଲା। ଅଣନିଶ୍ବାସୀ ହୋଇ ଜୀବନ ହାରିଲେ ଚିକିତ୍ସିତ ହେଉଥିବା ରୋଗୀ। ସରକାରୀ ଭାବେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୭ ଜଣ ଆହତ ହୋଇଛନ୍ତି। ତେବେ ଗତକାଲି ଘଟଣା ଘଟିବା ପରେ ରାଜ୍ୟ ସରକାର ରୋଗୀଙ୍କୁ ସମ୍‌ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ। ଆମ୍ବୁଲାନ୍ସ ସହାୟତାରେ ରୋଗୀଙ୍କୁ ଆମ୍ରି, କ୍ୟାପିଟାଲ ଏପରିକି କଟକ ଏସସିବି ହସ୍ପିଟାଲକୁ ମଧ୍ୟ ସ୍ଥାନାନ୍ତର କରାଗଲା।   କ୍ୟାପିଟାଲ ହସ୍ପିଟାଲରେ ୧୪ ଜଣ ରୋଗୀଙ୍କ ଶବ ରଖାଯାଇଥିଲା। ଶବ ସଂରକ୍ଷଣ କେନ୍ଦ୍ର ଗୃହ ଭିତରକୁ ପ୍ରବେଶ କଲେ ସତେ ଯେମିତି ଲାଗୁଥିଲା କେଉଁ ଏକ ଗୋଦାମ ଗୃହ। ଏଠି ବଞ୍ଚିଥିବା ଲୋକଙ୍କୁ ତ ସମ୍ମାନ ଦିଆଯାଉ ନାହିଁ, ଶବକୁ ବା କେମିତି ସମ୍ମାନ ଦିଆଯିବ! ଗୃହ ଭିତରେ ଏଠି ସେଠି ପକାଇ ଦିଆଯାଇଥିଲା ଶବ ଗୁଡ଼ିକୁ। ବାହାରେ ଶୁଭୁଥିଲା ଆତ୍ମୀୟସ୍ବଜନଙ୍କ କାନ୍ଦବୋବାଳି। କାହାର ବାପାର ଶବ ତ ଆଉ କାହାର ମା’ର ଶବ। ପୁଣି କିଏ ନିଜ ପତ୍ନିଙ୍କୁ ଝୁରୁଥିଲା ତ ଆଉ କିଏ ନିଜ ଝିଅକୁ। ହେଲେ ସମସ୍ତଙ୍କ ଶବ ପଡ଼ି ରହିଥିଲା ସେଇ ଗୋଦାମ ଘର ଭିତରେ। କେବଳ ଅନୁରୋଧ କଲେ ପରିବାରବର୍ଗଙ୍କୁ ସଟର ଟେକି ଶବ ଦେଖାଯାଉଥିଲା ଏବଂ ପୁଣି ସଟର ଡାଉନ୍‌। ସଟର ଅପ୍ ଡାଉନ ଭିତରେ କେତେ ଯେ ନିରୀହ ଜୀବନ ସବୁଦିନ ପାଇଁ ଡାଉନ ହୋଇଯାଇଥିଲା, ସେ କଥା ନ ଦେଖିଲେ ବିଶ୍ବାସ କରିହେବ ନାହିଁ।  ତେବେ ବିଳମ୍ବିତ ରାତିରେ ଜିଲ୍ଲାର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଶବ ବ୍ୟବଚ୍ଛେଦ କରି ନିଜ ପରିବାରବର୍ଗଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା।   ଅନ୍ୟପକ୍ଷରେ ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ମଧ୍ୟ ରାଜନୈତିକ ଦଳମାନେ ସ୍ଲୋ ମୋସନ ରାଜନୀତି କରିବାକୁ ପଛାଇ ନାହାନ୍ତି। ଗୋଟେପଟେ ମୃତାହତଙ୍କ ପରିବାର ଲୋକଙ୍କ କାନ୍ଦରେ ହସ୍ପିଟାଲ ପରିସର ଫାଟି ପଡ଼ୁଥିବାବେଳେ ଅନ୍ୟପଟେ ରାଜନୈତିକ ନେତାମାନେ ଆଖିରେ ଛେପ ଲଗାଇ କାନ୍ଦିବାର ଅଭିନୟ କରୁଥିଲେ। ଅନ୍ୟର ବିପତ୍ତିରୁ ରାଜନୈତିକ ସମ୍ପତ୍ତି ଅର୍ଜନ କରିବାର ହୀନ ପ୍ରୟାସ ବି ଗତକାଲି ରାତିରେ ଦେଖିବାକୁ ମିଳିଥିଲା। ଗଣମାଧ୍ୟମ କେତେ ପରିମାଣରେ ତାହାକୁ ଠିକ୍ ଭାବରେ ଉପସ୍ଥାପନ କରିଛି ତାହା ମଧ୍ୟ ଅନ୍ୟ ଏକ ପ୍ରଶ୍ନ। ମାଇଲେଜ ନେବାର ନିଶା ମଣିଷପଣିଆ ଉପରେ କି ପ୍ରଭାବ ପକାଏ ତାହା ସେଠି କୁମ୍ଭୀର କାନ୍ଦଣା କାନ୍ଦୁଥିବା କିଛି ତଥାକଥିତ ସ୍ବେଚ୍ଛାସେବୀଙ୍କ ବ୍ୟବହାରରୁ ବେଶ ବାରି ହୋଇ ପଡୁଥିଲା।   ଏଠାରେ କହିବା ବାହୁଲ୍ୟ ଯେ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ହେଉ ଅବା ଅନ୍ୟ କେଉଁ କାରଣ ପାଇଁ ନିରୀହ ରୋଗୀଙ୍କ ଜୀବନ ଚାଲିଗଲା। ତେଣୁ ଏଭଳି ଏକ ଲୋମଟାଙ୍କୁରା ଦୁର୍ଘଟଣା ଯେ କେବଳ ଓଡ଼ିଶାର ଲୋକଙ୍କ ଆଖିରୁ ନିଦ ହଜାଇ ଦେଇନାହିଁ ବରଂ ସ୍ମାର୍ଟସିଟିର ସ୍ମାର୍ଟ ଜୀବନ ଯେତେ ବିଳାସପୂର୍ଣ୍ଣ ହେଲେ ବି ବିପଦମୁକ୍ତ ନୁହେଁ, ତାହାର ଏକ ନିଚ୍ଛକ ଉଦାହରଣ ଏହି ଦୁର୍ଘଟଣା ଥିଲା। ଏହି ଘଟଣା ଉପରେ ଆଉ ଲେଖିବା ଉଚିତ ନୁହେଁ ବୋଲି ମନେ ହୁଏ।

Share :