କ’ଣ କରୁଥିଲେ ନବୀନ?

କ’ଣ କରୁଥିଲେ ନବୀନ?

Share :

  ଅକ୍ଟୋବର ୧୭ ତାରିଖ ସୋମବାର ରାଜଧାନୀ ଭୁବନେଶ୍ବରର ସମ୍‌ ହସ୍‌ପିଟାଲରେ ଘଟିଥିବା ବିଦୃତ ସର୍ଟ ସର୍କିଟ ଜନିତ ଦୁର୍ଘଟଣା ତଥା ଗଣହତ୍ୟା ପରେ ଓଡ଼ିଶା ସରକାରଙ୍କର ଅବହେଳା, ଅପାରଗତା ଓ ଅପରାଧିକ ସଂପର୍କର ପର୍ଦ୍ଦା‍ଫାସ ଘଟିଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଭୟଙ୍କର ଅସୁସ୍ଥତା କିମ୍ବା ନିଶାଗ୍ରସ୍ତ ଅବସ୍ଥା ବିଷୟ ମଧ୍ୟ ଚର୍ଚ୍ଚାକୁ ଆସିଛି। ଉପଯୁକ୍ତ ସରକାରୀ ଅନୁମତି ନଥାଇ ସମ୍‌ ହସ୍‌ପିଟାଲ ଚାଲିବା ଓ ସେଠାର ୨୦ ଜଣ ରୋଗୀ ହସ୍‌ପିଟାଲର କୁପରିଚାଳନା ଯୋଗୁଁ ପ୍ରାଣ ହରାଇବା ସତ୍ତ୍ବେ ରାଜ୍ୟ ସରକାର ଏହି ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ ସୁରକ୍ଷିତ ରଖିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବା ଏକ ଅସାଧୁ ସଂପର୍କ ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।   ୧. ନିଦ୍ରାଗସ୍ତ ନବୀନ ପଟ୍ଟନାୟକ   ସମ୍‌ ହସ୍‌ପିଟାଲରେ ସନ୍ଧ୍ୟା ପ୍ରାୟ ସାଢ଼ ସାତଟା ସମୟରେ ବିଦ୍ୟୁତ ସର୍ଟ ସର୍କିଟ ହେଲା। ଏହାକୁ ହସ୍‌ପିଟାଲ କର୍ତ୍ତୃପକ୍ଷ ଅଗ୍ନିକାଣ୍ଡ ବୋଲି ପ୍ରଚାର କଲାବେଳକୁ ୮ଟା ବାଜି ଯାଇଥିଲା। ରାତି ୯ଟା ବେଳକୁ ସମ୍‌ ହସ୍‌ପିଟାଲର ଡାଏଲିସିସି ଓ ଆଇସିୟୁ ୱାର୍ଡ଼ରେ ଅନେକ ଲୋକଙ୍କ ପ୍ରାଣହାନୀ ଘଟିଥିବା ଜଣାପଡ଼ିଥିଲେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ, ଅଗ୍ନିଶମ ବିଭାଗର ଅଧିକାରୀ ଏବଂ ପୁଲିସ ଏହା ସ୍ବୀକାର କରି ନଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଏ ସଂପର୍କରେ ବିଭିନ୍ନ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କଠାରୁ ଏକାଧିକ ମୃତ୍ୟୁ ଖବର ପାଇଥିଲେ ସୁଦ୍ଧା ପୁଲିସ, ଅଗ୍ନିଶମ ଅଧିକାରୀ ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ କନ୍‌ଫାର୍ମେସନ ବିନା କଥାଟା ପ୍ରଘଟ କରି ନଥିଲେ।   ରାତି ୧୦ଟା ବେଳକୁ ଆଉ କଥାଟା ଚପି ରହିଲାନି। ଜଣାପଡ଼ିଲା ଯେ ୧୨ ଉପରେ ରୋଗୀଙ୍କର ଜୀବନହାନି ଘଟିଛି। କଥାଟା ତ୍ବରିତ ବେଗରେ ଦିଲ୍ଲୀ ପଳାଇଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା ଜାଣିବା ପରେ ଘଟଣା ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେବାକୁ ଟେଲିଫୋନ ଲଗାଇଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଥାଇ ସୁଦ୍ଧା ପ୍ରଧାନମନ୍ତ୍ରୀ ଫୋନ କରିଛନ୍ତି ବୋଲି ଜାଣିପାରିଲେନି! ସମ୍ଭବତଃ ସେ ତାଙ୍କ ସାନ୍ଧ୍ୟ ଆସରରେ ମଜ୍ଜି ଯାଇ ବାହାର ଦୁନିଆ କଥା ଭୁଲି ଯାଇଥିଲେ। ରାଜ୍ୟ ରହିଲା କି ଗଲା ସେ ଚେତନା ତାଙ୍କର ନଥିଲା।   ପ୍ରଧାନମନ୍ତ୍ରୀଙ୍କ ଦପ୍ତର ବାରମ୍ବାର ନବୀନ ନିବାସକୁ ଫୋନ ଲଗାଇ ବିଫଳ ହେଲା ପରେ ଓଡ଼ିଶା ପୁଲିସକୁ ଖବର କଲେ। ଶେଷରେ ବଡ଼ ପୁଲିସ ଅଧିକାର ନବୀନ ନିବାସ ଯାଇଁ ବାବୁଙ୍କୁ ସମ୍‌ ହସ୍‌ପିଟାଲ ଦୁର୍ଘଟଣା, ଦେଢ଼ ଡଜନ ଲୋକଙ୍କ ମୃତ୍ୟୁ ଓ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ କଥା କହିଲେ। ସେତେବେଳକୁ ରାତି ପ୍ରାୟ ସାଢ଼େ ୧୧ଟା। ପ୍ରଧାନମନ୍ତ୍ରୀଙ୍କ ସହିତ ଯୋଗାଯୋଗ ହେଲା ଓ ରାତି ୧୨ଟା ବେଳକୁ ରୋଗୀ ଦେଖିବାକୁ କ୍ୟାପିଟାଲ ହସ୍‌ପିଟାଲ ବାହାରିଲେ। ସେଠାରେ ୧୦-୧୫ ମିନିଟ ରହି ପୁଣି ନବୀନ ନିବାସ ଫେରି ଆସିଲେ।   ୨. ସମ୍‌ ଚାଲିଛି ବେଆଇନ   ସମ୍‌ ହସ୍‌ପିଟାଲକୁ ନିୟମାନୁସାରେ ଅଗ୍ନିଶମ ବିଭାଗର ଅନୁମତି ମିଳି ନାହିଁ। ସରକାରୀ ନଥିପତ୍ରରେ ଥିବା ସୂଚନା ଅନୁସାରେ ରାଜଧାନୀର କେବଳ ତିନିଟି ଘରୋଇ ହସ୍‌ପିଟାଲକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ବା ଫାୟାର ସେଫ୍ଟି ସାର୍ଟିଫିକେଟ୍ ମିଳିଛି। ସେହି ତିନିଟି ହସ୍‌ପିଟାଲ ହେଉଛନ୍ତି କଳିଙ୍ଗ ହସ୍‌ପିଟାଲ, ଆପୋଲୋ ହସ୍‌ପିଟାଲ ଏବଂ ଆମ୍ରି ହସ୍‌ପିଟାଲ। ସମ୍‌ ହସ୍‌ପିଟାଲକୁ ଅଗ୍ନିଶମ ବିଭାଗରୁ ଏଭଳି ଅନୁମତି ମିଳି ନାହିଁ। ତଥାପି ସ୍ବାସ୍ଥ୍ୟ ବିଭାଗର ସାର୍ଟିଫିକେଟ୍‌ରେ ହସ୍‌ପିଟାଲ ଚାଲିଛି ଓ କୋଟିକୋଟି ଟଙ୍କାର ବ୍ୟବସାୟ କରୁଛି। ଏହା ଅସୁଧା ସଂପର୍କ ବା ଅପରାଧିକ ମେଣ୍ଟ ନୁହେଁ ତ ଆଉ କ’ଣ?   ୨୦୧୫ ଫେବୃଆରୀ ୨୮ ତାରିଖରୁ ଜାରି ହୋଇଥିବା ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ ୯ ମିଟର ବା ତିନି ମହଲା ଉଚ୍ଚତା ବିଶିଷ୍ଟ କିମ୍ବା ୩୦ରୁ ଅଧିକ ଶଯ୍ୟା ବିଶିଷ୍ଟ କିମ୍ବା ଆସିୟୁ ସୁବିଧା ଥିବା ଡାକ୍ତରଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କଡ଼ାକଡ଼ି କରାଯିବା ବାଧ୍ୟତାମୂଳକ। ଏହି ବ୍ୟବସ୍ଥା ଅନୁସାରେ ପ୍ରତି ୧୦୦୦ ବର୍ଗ ଫୁଟରେ ଦୁଇଟି ଲେଖାଏଁ କିମ୍ବା ପ୍ରତି ୩୦ ଫୁଟ ପରିଧିରେ ଗୋଟିଏଁ କରି ୪.୫ କେଜି ବିଶିଷ୍ଟ ଅଙ୍ଗାରକାମ୍ଳ ଗ୍ୟାସ ସିଲିଣ୍ଡର ରହିବ। କେବଳ ଏତିକି ନୁହେଁ ହସ୍‌ପିଟାଲ କର୍ମଚାରୀମାନେ ଏହାର ବ୍ୟବହାର ଶିଖିବେ ଓ ଅଗ୍ନିକାଣ୍ଡ ସମୟରେ କିପରି ଉଦ୍ଧାର ଓ ନିର୍ବପନ କାର୍ଯ୍ୟ କରାଯିବ ସେ ସଂପର୍କରେ ତାଲିମ ନେବେ। ମଝିରେ ମଝିରେ ଏ ନେଇ ମକ୍‌ ଡ୍ରିଲ ହେବ।   ସମ୍‌ ହସ୍‌ପିଟାଲରେ ଏସବୁ କିଛି ହେଉ ନଥିଲା।   ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଆବଶ୍ୟକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଲଗାଇବାକୁ ସମ୍‌ ହସ୍‌ପିଟାଲକୁ ୨୦୧୨ ମସିହାରେ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ହସ୍‌ପିଟାଲ କର୍ତ୍ତୃପକ୍ଷ ଏହା ଲଗାଇ ନଥିଲେ କି ଏ ନେଇ ଅଗ୍ନିଶମ ବିଭାଗ ସହିତ କୌଣସି ଯୋଗାଯୋଗ କରି ନଥିଲେ। ଏହି ହସ୍‌ପିଟାଲରେ ଏଯାଏଁ ଆବଶ୍ୟକ ସ୍ପ୍ରଙ୍କଲର୍‌ ଲଗାଯାଇ ନାହିଁ। ସ୍ମୋକ ଡିଟେକ୍ସନ ଓ ୱେଟ ରାଇଜର୍‌ ବ୍ୟବସ୍ଥା ମଧ୍ୟ ନାହିଁ। ଏଭଳି ହସ୍‌ପିଟାଲରେ ଧୂଆଁ ବାହାରିବାମାତ୍ରେ ଆଲାର୍ମ ବାଜିବା ବ୍ୟବସ୍ଥା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ତାହା ଲଗାଯାଇ ନାହିଁ। ନିୟମ ଅନୁସାରେ ହସ୍‌ପିଟାଲ ନିକଟରେ ଦୁଇଟି ଦମକଳ ରହିବା ଭଳି ଖାଲି ସ୍ଥାନ ରହିବା ଦରକାର। ତାହା ମଧ୍ୟ ନାହିଁ। ନିୟମ ଅନୁସାରେ ଏଭଳି ହସ୍‌ପିଟାଲ କ୍ଷେତ୍ରରେ ଏସବୁ ବାଧ୍ୟତାମୂଳକ। କିନ୍ତୁ ଏସବୁ ନଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଏହାକୁ ରୋଗୀ ଚିକିତ୍ସା ନିମନ୍ତେ ଲାଇସେନ୍ସ ପ୍ରଦାନ କରିଛି।   ୩. ହତ୍ୟା ମାମଲା ଦାଏର ହେଇନି କାହିଁକି?   ୨୦୧୧ ମସିହାରେ କୋଲକାତାର ଆମ୍ରି ହସ୍ପିଟାଲ ବା ଆଡଭାନ୍ସ ମେଡିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୯୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ସେହି ଘଟଣା ପରେ ପଶ୍ଚିମ ବଙ୍ଗ ସରକାର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ହତ୍ୟା ମକଦ୍ଦମା ଦାଏର କରିଥିଲେ। ଏହାର ନିର୍ଦ୍ଦେଶକ ଓ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ ପାଇଁ ପରୱାନା ଜାରି ହୋଇଥିଲା। ଶେଷରେ ସେମାନେ ଆତ୍ମସମର୍ପଣ କରି ଜେଲ୍ ଯାଇଥିଲେ। ଏହା ପରେ ସେମାନେ କୋହଳ ରାଜ୍ୟ ଦେଖି ଓଡ଼ିଶାକୁ ପଳାଇ ଆସିଲେ। ଏଠା ସରକାରଙ୍କୁ ପ୍ରଭାବିତ କରି ସରକାରୀ ଜମି ନେଇ ହସ୍‌ପିଟାଲ କଲେ। କିନ୍ତୁ ପୂର୍ବ ଅଭିଜ୍ଞତା ଦୃଷ୍ଟିରୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ଆଗ ନେଇ ସୁବିଧାଜନକ ସ୍ଥିତିରେ ଅଛନ୍ତି।   ସମ୍‌ ହସ୍ପିଟାଲ ବିରୋଧରେ ମଧ୍ୟ ଆମ୍ରି ହସ୍ପିଟାଲ ପରି ହତ୍ୟା ମାମଲା ଦାଏର ହେବା କଥା। ଏହା ବିରୋଧରେ ଉଚ୍ଚ ସ୍ତରୀୟ ପୁଲିସ ତଦନ୍ତ ହେବା ପାଇଁ ସବୁ ପ୍ରକାର ଯୁକ୍ତି ରହିଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେର ୩୦୨ ଓ ୩୦୪(ଏ) ଦଫା ଲାଗିବା କଥା ବୋଲି ବିଶେଷଜ୍ଞ ମହଲ ମତ ପୋଷଣ କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଏକ ସାଧାରଣ ଦୁର୍ଘଟଣା ଭାବରେ ଗ୍ରହଣ କରି ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ତାଙ୍କର ଅପରାଧିକ ସଂପର୍କ ଥିବା ସନ୍ଦେହ ଘନୀଭୂତ ହେଉଛି।

Share :