ବନ୍ଦ ହେଉ ବନ୍ଦ!

ବନ୍ଦ ହେଉ ବନ୍ଦ!

Share :

ବିଶ୍ୱଭୂଷଣ ହରିଚନ୍ଦନ   ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି, ଅଭୁତପୂର୍ବ ଜନସମର୍ଥନ ମିଳିଛି, ବନ୍ଦକୁ ଜନସାଧାରଣଙ୍କର ସ୍ୱତଃସ୍ଫୁର୍ତ୍ତ ସମର୍ଥନ ଦେଖି ଆମେ ଅଭିଭୂତ ହୋଇଯାଇଛୁ। ଗଣମାଧ୍ୟମ ଆଗରେ ଏଭଳି ଆସ୍ଫାଳନ କରି ଆନ୍ଦୋଳନକାରୀ ନେତୃବୃନ୍ଦ ଆତ୍ମସନ୍ତୋଷ ଲାଭ କରନ୍ତି। ବନ୍ଦ ଯୋଗୁଁ ନିଜ ଘର ଭିତରେ ସାରା ଦିନ ବନ୍ଦୀ ହୋଇ ରହି ସନ୍ଧ୍ୟା ୬ ଟାରେ ସଦ୍ୟ ମୁକ୍ତି ପାଇଥିବା ଜନସାଧାରଣ ନେତୃମଣ୍ଡଳୀଙ୍କଠାରୁ ସେମାନଙ୍କର ସ୍ୱତଃସ୍ଫୁର୍ତ୍ତ ଓ ଅଭୁତପୂର୍ବ ସମର୍ଥନ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ସେଥିପାଇଁ ନେତାମାନେ ସେମାନଙ୍କୁ ଅଶେଷ ଧନ୍ୟବାଦ ଦେବା, କଟା ଘା’ରେ ଲୁଣ ଦେଲା ଭଳି ସେମାନେ ମନେ କରନ୍ତି। ନେତାମାନଙ୍କ ଭାଷାରେ ସ୍ୱତଃସ୍ଫୁର୍ତ୍ତ ସମର୍ଥନ ଦେଉଥିବା ସେହି ଲୋକଙ୍କ ଭିତରୁ ଯଦି କେହି ଅତ୍ୟନ୍ତ ଜରୁରୀ କାର୍ଯ୍ୟ ଯୋଗୁଁ କିମ୍ୱା ଅସାବଧାନତା ବଶତଃ ଗାଡି କିମ୍ୱା ଅଟୋରିକ୍ସା ନେଇ ସଡକ ଉପରକୁ ବାହାରି ଆସେ, ଦଳୀୟ କର୍ମୀମାନଙ୍କର ସେ କି ଭଳି ଆକ୍ରମଣର ଶିକାର ହୁଏ ତାହା କାହାକୁ ଅଜଣା ନାହିଁ।   ଗାଡି ବା ଅଟୋରିକ୍ସା ଚାଳକଟି ନିଜେ ମାଡଖାଇବା ତାକୁ ଯେତିକି ବାଧେ ନାହିଁ, ତାକୁ ବେଶି ବାଧେ ଯେତେବେଳେ ହାତଯୋଡି କାକୁତି ମିନତି ହୋଇ ଯେତେ ପ୍ରାର୍ଥନା କଲେ ସୁଦ୍ଧା ତା ଜୀବନର ସମ୍ୱଳ ଗାଡିଟିକୁ ଆନ୍ଦୋଳନକାରୀମାନେ ତଡା ଓ ବାଡିରେ ପିଟି, ସବୁ କାଚ ଭାଙ୍ଗି ଦେବା ସହିତ ତାକୁ ଅକାମୀ କରି ଦିଅନ୍ତି ଓ ଫେରିଯିବା ପାଇଁ ସୁଯୋଗ ଦିଅନ୍ତି ନାହିଁ। ଅନେକ ସମୟରେ ଦିଚକିଆ ଯାନରେ ଯାଉଥିବା ବ୍ୟକ୍ତି ମଧ୍ୟ ଏଥିରୁ ବାଦ‌୍‍ ପଡନ୍ତି ନାହିଁ। କାର‌୍‍ କିମ୍ୱା ଅଟୋରିକ୍ସାରେ ଡାକ୍ତରଖାନାକୁ ଯାଉଥିବା, ଆଶୁ ଚିକିତ୍ସା ପାଇବାକୁ ଥିବା ରୋଗୀ ମଧ୍ୟ ଏଥିରୁ ଛାଡ ପାଏ ନାହିଁ। ରୋଗୀର ବାହାନା କରି ସେ ଖସି ଯିବା ପାଇଁ ଚାହୁଛି ବୋଲି କହି ତା ଉପରେ ଆକ୍ରମଣ ହୁଏ। ରୋଗୀ ଯଦି ଦୈବାତ‌୍‍ ମୃତ୍ୟୁ ବରଣ କରେ, ବନ୍ଦ ପାଇଁ ନୁହେଁ, ତା ଅବସ୍ଥା ଗୁରୁତର ଥିବାରୁ ସେ ମରିଗଲା ବୋଲି ସଫେଇ ଦିଆଯାଏ। ଆନ୍ଦୋଳନକାରୀ ନେତାଗଣ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସବୁ ଦେଖି ଓ ଜାଣି ସୁଦ୍ଧା ସ୍ୱତଃସ୍ଫୁର୍ତ୍ତ ଜନସମର୍ଥନ କଥା କହି ବାହାସ୍ପୋଟ ମାରନ୍ତି। ନିଜର ରାଜନୈତିକ କିମ୍ୱା ସଂଗଠନର ସ୍ୱାର୍ଥ ପାଇଁ ଏତେବଡ ପ୍ରତାରଣା ସେମାନେ କି ଭଳି କରିପାରୁଛନ୍ତି!    ଆଇନଗତ ଦୃଷ୍ଟିରୁ ବିଚାର କଲେ ଜଣାଯିବ ଯେ ‘ବନ୍ଦ’ ସଂପୂର୍ଣ୍ଣ ବେଆଇନ‌୍‍ ଓ ସମ୍ୱିଧାନ ବିରୋଧୀ ବୋଲି ବହୁ ହାଇକୋର୍ଟ ଓ ସୁପ୍ରିମ‌୍‍କୋର୍ଟ ବିଭିନ୍ନ ସମୟରେ ରାୟ ଦେଇଛନ୍ତି। ୨୦୦୩ ମସିହାରେ ଜେମସ‌୍‍ ମାର୍ଟିନ‌୍‍ ବନାମ କେରଳ ରାଜ୍ୟ ସରକାର ମାମଲାରେ ସୁପ୍ରିମ‌୍‍କୋର୍ଟ ତାଙ୍କର ଐତିହାସିକ ରାୟରେ ସ୍ପଷ୍ଟ ଭାଷାରେ କହିଛନ୍ତି ଯେ ବନ୍ଦ, ହରତାଳ କିମ୍ୱା ଷ୍ଟ୍ରାଇକ‌୍‍ ଦ୍ୱାରା କେହି ଅନ୍ୟମାନଙ୍କର ସାମ୍ୱିଧାନିକ ଅଧିକାର ଯଥା; କଥା କହିବାର ସ୍ୱାଧୀନତା. ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତା ଭଳି ଅଧିକାରକୁ କ୍ଷୁର୍ଣ୍ଣ କରି ପାରିବେ ନାହିଁ। ସାଧାରଣ ଓ ବ୍ୟକ୍ତିଗତ ସଂପତ୍ତିକୁ ନଷ୍ଟକରି ପାରିବେ ନାହିଁ। ଜୀବନ ଓ ସଂପତ୍ତି ଉପରେ ବିପଦ ସୃଷ୍ଟି କଲାଭଳି କୌଣସି କାର୍ଯ୍ୟ ବନ୍ଦ ଓ ହରତାଳ ଆଳରେ କରିପାରିବେ ନାହିଁ। ଏଭଳି ପରିସ୍ଥିତିରେ ସରକାର ଏ ସମସ୍ତ ସାମ୍ୱିଧାନିକ ଅଧିକାର, ବ୍ୟକ୍ତିଗତ ଓ ସାଧାରଣ ସଂପତ୍ତିର ସୁରକ୍ଷା ପାଇଁ ଦୃଢ ପଦକ୍ଷେପ ନେବା ଆବଶ୍ୟକ ବୋଲି ସୁପ୍ରିମ‌୍‍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।   ବନ୍ଦ ଡାକରା ଦେଇ ଜନଜୀବନକୁ ଅଚଳ କରିଦେବା ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନର ଏକ ସଉକରେ ପରିଣତ ହୋଇଗଲାଣି। ଭାରତ ବନ୍ଦ, ଓଡିଶା ବନ୍ଦଠାରୁ ଆରମ୍ଭ କରି ଗ୍ରାମପଞ୍ଚାୟତ ପର୍ଯ୍ୟନ୍ତ ମଧ୍ୟ ବନ୍ଦ ରୂପକ ଏ ମହାମାରୀ ରୋଗ ବ୍ୟାପିଗଲାଣି। ବିଗତ ତିନି ଚାରି ମାସ ଭିତରେ ଓଡିଶାରେ ୪/୫ ଟା ବନ୍ଦ ହୋଇ ସାରିଲାଣି। ମହାନଦୀ ଜଳବିବାଦ ଉପରେ କଂଗ୍ରେସ ଦଳ ଓଡିଶା ବନ୍ଦ କରିଥିଲା। ମାତ୍ର ୧୬ ଦିନ ବ୍ୟବଧାନରେ ସେପ୍ଟେମ୍ୱର ୨ ତାରିଖରେ ଦଶଟି ଟ୍ରେଡ‌୍‍ ୟୁନିଅନ‌୍‍ ଭାରତ ବନ୍ଦ ପାଳନ କରିବା ଫଳରେ ଲୋକେ ଅସରନ୍ତି ଦୁଃଖ କଷ୍ଟ ଓ ଅସୁବିଧାର ଶିକାର ହେଲେ। କୋଶଳ ରାଜ୍ୟ ଆନ୍ଦୋଳନ ହୋଇ ୧୦/୧୧ ଟି ଜିଲ୍ଲାରେ ବନ୍ଦ ପାଳନ କରାଯାଇଥିଲା। କନ୍ଧମାଳ ବନ୍ଦ ଓ ରାଉରକେଲା ବନ୍ଦ ମଧ୍ୟ ନିକଟରେ ହୋଇଥିଲା। ସେପ୍ଟେମ୍ୱର ୨ ତାରିଖର ବନ୍ଦରେ ଅଧା ଭାରତ ବନ୍ଦ ହୋଇ ଯାଇଥିଲା ଓ ଜାତୀୟ ରାଜପଥ ଉପରେ ହଜାର ହଜାର ଟ୍ରକ‌୍‍ ଧାଡି ହୋଇ ଠିଆ ହୋଇ ରହିଥିଲା। ସେଥିରୁ ଅନେକ ଟ୍ରକ‌୍‍ ଅତ୍ୟାବଶ୍ୟକ ପଦାର୍ଥ ନେଇ ଯାଉଥିଲା। ଏ ବନ୍ଦରେ ଦେଶର ୧୮ ହଜାର କୋଟି ଟଙ୍କା କ୍ଷତି ହୋଇଛି।   ବନ୍ଦ ଓ ହରତାଳ ସମୟରେ ଜନସାଧାରଣ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେମାନଙ୍କର ଜୀବନ, ସଂପତ୍ତି ଓ ଜାତୀୟ ସଂପତ୍ତି ସଙ୍କଟାପନ୍ନ ନ ହୁଏ, ସେଥିପାଇଁ ସରକାର ଦୃଢ ପଦକ୍ଷେପ ନେବାକୁ ସୁପ୍ରିମ‌୍‍କୋର୍ଟ ନିର୍ଦ୍ଦେଶ ଦେବା ସତ୍ତ୍ୱେ ଆମ ରାଜ୍ୟ ସରକାର ତାହା ପାଳନ କରୁ ନାହାନ୍ତି। ଓଡିଶାର ଶାସକ ଦଳ ଓ ସରକାର ଏଭଳି ଏକ ବନ୍ଦ ପାଳନ କରିଥିବା ଦୁର୍ଭାଗ୍ୟଜନକ। ସରକାର ଭୁଲି ଯାଇଛନ୍ତି ଯେ ବନ୍ଦ ଭଳି ଏକ ବେଆଇନ, ସମ୍ୱିଧାନ ବିରୋଧୀ ଓ ଲୋକବିରୋଧୀ କାର୍ଯ୍ୟକ୍ରମକୁ ପ୍ରତିରୋଧ କରି ସାଧାରଣ ଲୋକଙ୍କର ଜୀବନଯାତ୍ରାକୁ ସୁଗମ କରିବା ତାଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଆଇନର ଓ ସାମ୍ୱିଧାନିକ ଅଧିକାରର ରକ୍ଷକ ହୋଇ, ତା’ର ଭକ୍ଷକ ବା ଉଲ୍ଲଘଂନକାରୀ ହେବା ଅତୀବ ଲଜ୍ଜାଜନକ ଓ ଦାୟିତ୍ୱହୀନତାର ପରିଚାୟକ। ସରକାର, ତାଙ୍କର ମନ୍ତ୍ରୀ ଓ ଦଳୀୟ ନେତା ଛାତି ଫୁଲାଇ ଆସ୍ଫାଳନ କରୁଛନ୍ତି ଯେ କେନ୍ଦ୍ର ଅବହେଳା ବିରୁଦ୍ଧରେ ଓ ରାଜ୍ୟ ସ୍ୱାର୍ଥ ପାଇଁ ସେମାନେ ଏ ବନ୍ଦ ଡାକରା ଦେଇଛନ୍ତି। ଏକ ଜନସ୍ୱାର୍ଥ ମାମଲାରେ ଓଡିଶା ହାଇକୋର୍ଟ ସେତେବେଳେ ବନ୍ଦ ଉପରେ କଟକଣା ଜାରି କରିଥିବାରୁ ଆମର ଶାସକ ଦଳ ଅଭୁତପୂର୍ବ ବିଜ୍ଞତା ପ୍ରଦର୍ଶନ କରି ବନ୍ଦ ଡାକରାକୁ ହରତାଳରେ ନାମିତ କରିଦେଲେ। ହରତାଳ ନାମରେ ରାଜ୍ୟସାରା ବନ୍ଦ ପାଳନ କରିବାକୁ ନିଦ୍ଦେର୍ଶ କେବଳ ଦେଲେ ନାହିଁ, ଜୋର‌୍‍ଜବରଦସ୍ତ ଦୋକାନ ବଜାର, ଗାଡି ମୋଟର, ସରକାରୀ ଅଫିସ‌୍‍, ସ୍କୁଲ, କଲେଜ, ରେଳ ଓ ବେସରକାରୀ ପ୍ରତିଷ୍ଠାନ ଇତ୍ୟାଦି ବନ୍ଦ କରି ସାଧାରଣ ଜନଜୀବନକୁ ଅଚଳ ଓ ବିପର୍ଯ୍ୟସ୍ତ କରିଦେଲେ।   ସରକାର ତାଙ୍କର ଏ ଦାୟିତ୍ୱହୀନ ଓ ବେଆଇନ‌୍‍ କାର୍ଯ୍ୟ ଯୋଗୁଁ ସବୁ ସ୍ତରରୁ ସମାଲୋଚିତ ହୋଇଥିଲେ ସୁଦ୍ଧା, ଏବେ ପୋଲଭରମ ପ୍ରସଙ୍ଗକୁ ନେଇ ଅକ୍ଟୋବର ୧ ତାରିଖରେ ସରକାରୀ ଦଳ ସରକାରଙ୍କ ସକ୍ରିୟ ସହଯୋଗରେ ଅବିଭକ୍ତ କୋରାପୁଟ ଓ ଅବିଭକ୍ତ ଗଞ୍ଜାମକୁ ମିଶାଇ ୭ଟି ଜିଲ୍ଲାରେ ପୂର୍ବଭଳି ହରତାଳ ନାମରେ ବନ୍ଦ ପାଳନ କଲେ। ସରକାରଙ୍କ ଏଭଳି ଆଭିମୁଖ୍ୟରେ ଉତ୍ସାହିତ ହୋଇ ଛୋଟ ଛୋଟ ଘଟଣାରେ ଏବେ ଲୋକେ ତାଙ୍କ ଅଞ୍ଚଳରେ ବନ୍ଦ କିମ୍ୱା ରାସ୍ତାରୋକ କରି ସାଧାରଣ ଜନଜୀବନକୁ ଅଚଳ କରିଦେଉଛନ୍ତି। ସରକାର ତାଙ୍କର ମହାନ‌୍‍ ଦାୟିତ୍ୱକୁ ଭୁଲି ସାମ୍ୱିଧାନିକ ଅଧିକାର ଓ ଆଇନ‌୍‍ର ଶାସନର ହତ୍ୟାକାରୀ ନ ହେବା ପାଇଁ ଓ ସାଧାରଣ ଲୋକଙ୍କର ସମସ୍ତ ସାମ୍ୱିଧାନିକ ଅଧିକାରକୁ ସୁରକ୍ଷା ଦେବାକୁ ଆମେ ଅନୁରୋଧ କରୁଛୁ।    ସୀମିତ ଆନ୍ଦୋଳନକାରୀ, ତାଙ୍କର ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଏ ଭଳି ବନ୍ଦ କରୁଛନ୍ତି ବୋଲି ଦାବୀ କଲାବେଳେ ଲକ୍ଷ ଲକ୍ଷ ଲୋକଙ୍କର ଗଣତାନ୍ତ୍ରିକ ଅଧିକାର ଓ ସାମ୍ୱିଧାନିକ ଅଧିକାରକୁ ସେମାନେ ହତ୍ୟା କରୁଛନ୍ତି ବୋଲି ଭୁଲିଯାଉଛନ୍ତି। ହେ ରାଜନୈତିକ ଦଳର ବଡ ପଣ୍ଡାମାନେ! କେବେ ଚିନ୍ତା କରିଛନ୍ତି କି ଜଣେ ସାଧାରଣ ଲୋକ ତାର ଯେତେ ଜରୁରୀ କାମ ଥିଲେ ବି ବନ୍ଦ ଯୋଗୁଁ  ସେ ଘରୁ ବାହାରିବାକୁ ଡରୁଛି। ସେ ଦିନ ଗୋଟିଏ ସାଧାରଣ ଦିନ ମଜୁରିଆର କି ଅବସ୍ଥା ହୁଏ ତାହା ଥରେ ଆପଣମାନେ କଳ୍ପନା କରିଛନ୍ତି କି? ବନ୍ଦ ଦିନ ସେ କୌଣସିଠାରେ କାମ ପାଏ ନାହିଁ ଓ ହୁଏ ତ ସେ ଦିନ ତା ଘରେ ଚୁଲି ଜଳେ ନାହିଁ। ଛୋଟ ପିଲାମାନଙ୍କ ସହ ସାରା ପରିବାର ଉପାସ ଭୋକରେ ରହନ୍ତି। ସମ୍ୱିଧାନ ପ୍ରଦତ୍ତ ସେମାନଙ୍କର ବଞ୍ଚିବାର ଅଧିକାରକୁ ହତ୍ୟା କରିବାକୁ ଆପଣ କିଏ? ବନ୍ଦ କରି ଜନଜୀବନକୁ ସଂପୂର୍ଣ୍ଣ ଅଚଳ, ବିପର୍ଯ୍ୟସ୍ତ କରିଦେବା ଆପଣଙ୍କର ଗଣତାନ୍ତ୍ରିକ ଅଧିକାର ନୁହେଁ। ଗଣତନ୍ତ୍ରର ହତ୍ୟାକୁ ଗଣତାନ୍ତ୍ରିକ ଅଧିକାର ଆଖ୍ୟା ଦେଇ ଆପଣମାନେ ପ୍ରତାରଣ କରୁଛନ୍ତି। ଦୂରଗାମୀ ରେଳଗାଡିଗୁଡିକୁ ରେଳ ଷ୍ଟେସନରେ ବନ୍ଦ କରି ଆପଣ ନିଜର ଦଳୀୟ କର୍ମୀମାନଙ୍କୁ ନେଇ ଷ୍ଟେସନ‌୍‍ ପ୍ଲାଟଫର୍ମରେ ଛାତି ଫୁଲେଇ ବୀର ଦର୍ପରେ ସ୍ଳୋଗାନ‌୍‍ ଦେଇ ଯାଉଥିବା ବେଳେ, କେବେ ଭାବିଛନ୍ତି କି ରେଳଗାଡି ଭିତରେ ବନ୍ଦୀ ଭଳି ବସିଥିବା ସାଧାରଣ ଯାତ୍ରୀ, ଅସହାୟ ମହିଳା, ଦୁଧ ଟିକିଏ ନ ପାଇ କାନ୍ଦି କାନ୍ଦି ଛଟପଟ ହେଉଥିବା ଶିଶୁ ଓ ତାକୁ ଶାନ୍ତ କରିବାକୁ ଲାଗିଥିବା ତାର ବ୍ୟଥିତା ମାଆର ଅବସ୍ଥା କଣ ହୁଏ! ଚିନ୍ତା କେବେ କରିଛନ୍ତି କି ଯେ ମରଣ ସହିତ ଲଢେଇ କରୁଥିବା ରୋଗୀ, ଯେ ବାହାର ରାଜ୍ୟର କୌଣସି ହସ୍ପିଟାଲ‌୍‍କୁ ଚିକିତ୍ସା ପାଇଁ ଯାଉଛି, ତାର ଓ ତାକୁ ନେଉଥିବା ପରିବାର ଲୋକଙ୍କ ଅବସ୍ଥା କଣ ହେଉଥିବ! କେବେ ଅନୁଭବ କରିଛନ୍ତି ସେମାନଙ୍କର ମାନସିକ ଯନ୍ତ୍ରଣା! କୌଣସି ଛାତ୍ର ବାହାରେ କେଉଁ ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାରୁ ବଂଚିତ ହେବା ଓ କୌଣସି ବ୍ୟକ୍ତି ଚାକିରୀପାଇଁ ଇଣ୍ଟରଭିଉ ଦେଇ ନ ପାରିବା କଥା କେବେ ଭାବିଛନ୍ତି କି? ଟ୍ରେନ‌୍‍ ଭିତରେ ବନ୍ଦ ହୋଇ ରହିଥିବା ଯାତ୍ରୀମାନେ ଏ ଅହଂକାରୀ ରାଜନେତାମାନଙ୍କୁ ଭଣ୍ଡ, ପ୍ରତାରକ କହି ଗାଳି ଦେଉଥାନ୍ତି ଓ ସେମାନଙ୍କ ଉପରେ ଅଭିଶାପ ବର୍ଷଣ କରି ଚାଲିଥାନ୍ତି। ସେ ସବୁ କଥା ଭଲଭାବରେ ଜାଣି ସୁଦ୍ଧା ଏ ବନ୍ଦ ପ୍ରତି ସେମାନଙ୍କର ମଧ୍ୟ ସ୍ୱତଃସ୍ଫୁର୍ତ୍ତ ସମର୍ଥନ ଅଛି ବୋଲି ଗଣମାଧ୍ୟମ ଆଗରେ ଆପଣମାନେ କହିପାରୁଛନ୍ତି କେମିତି? ଆପଣ ନିଜର ସମ୍ୱିଧାନିକ ଅଧିକାର କହି ସେମାନଙ୍କର ସାମ୍ୱିଧାନିକ ଓ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରୁଛନ୍ତି କାହିଁକି?    ବନ୍ଦ, ରାସ୍ତାରୋକ, ରେଳରୋକ, ହରତାଳ ଇତ୍ୟାଦି କରି ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନ ଯେଉଁଭଳି ଭାବରେ ଦେଶର ଓ ଜନସାଧାରଣଙ୍କର ସାମ୍ୱିଧାନିକ ଅଧିକାର ଓ ଲୋକଙ୍କର ସାଧାରଣ ଜୀବନକୁ ବିପନ୍ନ କରୁଛନ୍ତି, ସେଥିରୁ ନିବୃତ୍ତ ହେବାକୁ ଆମେ ନିବେଦନ କରୁଛୁ। ବନ୍ଦ, ରାସ୍ତାରୋକ ଭଳି ମାରାମିକ ଓ ଜନବିରୋଧୀ ଅସ୍ତ୍ରକୁ ପ୍ରୟୋଗ ନକରି ସମସ୍ତ ଅନ୍ୟାୟ, ଅନୀତି, କୁଶାସନ, ଅତ୍ୟାଚାର ଓ ଦମନ ବିରୁଦ୍ଧରେ ଲଢେଇ କରାଯାଇ ପାରିବ। ବିକ୍ଷୋଭ ଓ ଜନସମାବେଶ ଦ୍ୱାରା ଜନମତ ଜାଗ୍ରତ କରିହେବ। ଆମର ନିବେଦନ ଯେ ସମସ୍ତ ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନ ତାଙ୍କର ଏ ଜନବିରୋଧୀ ମାନସିକତାର ପରିବର୍ତ୍ତନ କରନ୍ତୁ ଓ ଜନସାଧାରଣଙ୍କୁ ସମସ୍ତ ସମ୍ମାନର ସହ ଶାନ୍ତିରେ ବଞ୍ଚିବାକୁ ଦିଅନ୍ତୁ। ସେମାନଙ୍କର ମାନବିକ ଓ ସାଂବିଧାନିକ ଅଧିକାରକୁ ସମ୍ମାନ ଦିଅନ୍ତୁ। ବର୍ତ୍ତମାନ ସମୟ ଆସିଛି ଯେତେବେଳେ ସଚେତନ ଜନସାଧାରଣ ଓ ନାଗରିକ ସମାଜ ବନ୍ଦ ଓ ରାସ୍ତାରୋକ ରୂପକ ମାରାମିକ ବ୍ୟାଧି ବିରୁଦ୍ଧରେ ତାଙ୍କର ପ୍ରତିବାଦର ସ୍ୱର ଉତ୍ତୋଳନ କରିବେ। କୌଣସି ବେଆଇନ, ଅଗଣତାନ୍ତ୍ରିକ ଓ ଲୋକବିରୋଧୀ କାର୍ଯ୍ୟ କରିବା ଯେ ଭଳି ଅପରାଧ, ତାକୁ ଦେଖି ପ୍ରତିବାଦ ନ କରି ନୀରବରେ ସହ୍ୟ କରିବା ମଧ୍ୟ ଅପରାଧ। ଏହାର ପ୍ରତିବାଦ ଓ ପ୍ରତିରୋଧ ନ କଲେ, ଏ ଭଳି ସମୟ ଆସିବ ଯେତେବେଳେ ସାଧାରଣ ଲୋକଙ୍କର ଜୀବନଯାତ୍ରା ସଂପୂର୍ଣ୍ଣ ଅଶାନ୍ତ ହୋଇ ଉଠିବ, ଗଣତାନ୍ତ୍ରିକ ଶାସନରେ ବିପର୍ଯ୍ୟୟ ଦେଖାଦେବ ଓ ଭୂଲୁଣ୍ଠିତ ହେବ ଆଇନ‌୍‍ର ଶାସନ।   ପୂର୍ବତନ ମନ୍ତ୍ରୀ, ଏ/୧୨, ନୀଳକଣ୍ଠ ନଗର, ଭୁବନେଶ୍ୱର ମୋ - ୯୪୩୭୦୧୨୩୫୭

Share :