ପୁଣି ଆରମ୍ଭ ରାମ-ରାଜନୀତି!

ପୁଣି ଆରମ୍ଭ ରାମ-ରାଜନୀତି!

Share :

  ମନ୍ଦିର ନହେଲା ନାହିଁ ମ୍ୟୁଜିୟମ ହେଉ। ହିନ୍ଦୁ ଭାବାବେଗ ଜଗାଇବାକୁ ଏଇ କୌଶଳ କରିଛି କେନ୍ଦ୍ର। ଉତ୍ତର ପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ଏକ ରାମାୟଣ ମ୍ୟୁଜିୟମ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ମୋଦି ସରକାର। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭାରତୀୟ ଜନତା ପାର୍ଟିର ଏକ କୌଳିକ ମୁଦ୍ଦା। ବିଜେପିର ଏହି କୌଶଳକୁ କଂଗ୍ରେସ ତୀବ୍ର ନିନ୍ଦା କରିଛି।   ଅଯୋଧ୍ୟାରେ ଏକ ରାମାୟଣ ସଂଗ୍ରହାଳୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ଏଥିପାଇଁ ଅଯୋଧ୍ୟା ନିକଟରେ ୨୫ ଏକର ଜମି ଚିହ୍ନଟ ସରିଛି। ଅଯୋଧ୍ୟାର ବିବାଦୀୟ ରାମ ମନ୍ଦିର-ବାବ୍ରି ମସଜିଦ ଜମିଠାରୁ ଏହାର ଦୂରତା ପ୍ରାୟ ୧୫ କିଲୋମିଟର।   ଏହି ଜମି ଦେଖିବା ପାଇଁ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୮ ତାରିଖରେ ଅଯୋଧ୍ୟା ଯାଉଛନ୍ତି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା। ସେ ତାଙ୍କ ଗସ୍ତ କାଳରେ ରାମାୟର ସର୍କିଟ ଉପଦେଷ୍ଟା ପରିଷଦର ସଦସ୍ୟମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀଲଙ୍କା ଓ ନେପାଳରେ ଶ୍ରୀରାମ ସଂପର୍କୀତ ସ୍ଥାନଗୁଡ଼ିକ ସହିତ ଏହି ସ୍ଥାନକୁ କିପରି ଯୋଡ଼ା ଯାଇପାରିବ ସେବାବଦରେ ସେ ପରିଷଦର ସଦସ୍ୟମାନଙ୍କ ସହିତ ଆଲୋଚନା କରିବେ ବୋଲି ଜଣାପଡ଼ିଛି।   ଏହି ସଂଗ୍ରହାଳୟକୁ ଆସି ରାମଙ୍କ ଜୀବନୀ ଓ ରାମାୟଣ ବିଷୟରେ ବିଶ୍ୱବାସୀ ଜାଣିବାକୁ ପାଇବେ। ଏଇ ଉଦ୍ଦେଶ୍ୟରେ ଏହା ପ୍ରତିଷ୍ଠା କରାଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ହେଉଛି ଆମର ବିଶ୍ୱାସ। କିନ୍ତୁ ବିଶ୍ୱାସ ଓ ରାଜନୀତି ଦୁଇଟି ଅଲଗା କଥା ବୋଲି ସେ ସଫେଇ ଦେଇଛନ୍ତି।   କେନ୍ଦ୍ରର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି କଂଗ୍ରେସର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଶୀଲା ଦୀକ୍ଷିତ। ସେ କହିଛନ୍ତି ଯେ ପ୍ରଭୁ ରାମଙ୍କୁ ଆମେ ମଧ୍ୟ ପୂଜା କରୁ। ଆମେ ଏହି ସଂଗ୍ରହାଳୟ ବିରୋଧରେ ନୁହଁ। କିନ୍ତୁ ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିବାର୍ଚନ ହେବାର ଥିଲାବେଳେ ଏବେ କାହିଁକି ଏପରି ନିଷ୍ପତ୍ତି ନିଆଗଲା? ତା’ ପୁଣି ଅଯୋଧ୍ୟାରେ! ନିର୍ବାଚନକୁ ସାଂପ୍ରଦାୟିକ ସ୍ପର୍ଶ ଦେବା ପାଇଁ ଏପରି କରାଯାଇଛି କି? ରାମାୟଣ ସଂଗ୍ରହାଳୟ ନିଷ୍ପତ୍ତି ରାଜ୍ୟ ନିର୍ବାଚନ ଉପରେ ପ୍ରଭାବ ପକାଇବ ବୋଲି ଶୀଲା କହିଛନ୍ତି।   ସେହିପରି ବହୁଜନ ସମାଜ ପାର୍ଟି ମୁଖ୍ୟ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ମଧ୍ୟ କେନ୍ଦ୍ରର ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଅଯୋଧ୍ୟାରେ ପର୍ଯ୍ୟଟନର ବିକାଶ କରିବା ଭଲ କଥା। କିନ୍ତୁ ବିଧାନସଭା ନିର୍ବାଚନ ପୂର୍ବରୁ ସେଠାରେ ରାମାୟଣ ସଂଗ୍ରହାଳୟ ନିର୍ମାଣ କରିବାକୁ କାହିଁକି ନିଷ୍ପତ୍ତି ନେଲେ ନରେନ୍ଦ୍ର ମୋଦି ସରକାର? ପୁଣି ରାଜ୍ୟର ସମାଜବାଦୀ ପାର୍ଟି ସରକାର ସେଠାରେ ରାମଲୀଳା ଥେମ‍୍‌ ପାର୍କ ତିଆରି କରିବାକୁ ନିଷ୍ପତ୍ତି ନେବାର ଉଦ୍ଦେଶ୍ୟ କ’ଣ? ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଧର୍ମ ସହିତ ରାଜନୀତିକୁ ଯୋଡ଼ିବାକୁ ଏପରି ପଦକ୍ଷେପ ନେଇଛନ୍ତି। ଏହା ନିନ୍ଦନୀୟ ବୋଲି ମାୟାବତୀ କହିଛନ୍ତି। ଏ ଦୁଇ ସରକାର ଯଦି ବାସ୍ତବରେ ଅଯୋଧ୍ୟାର ପର୍ଯ୍ୟଟନ ବିକାଶ ପାଇଁ ବ୍ୟଗ୍ର ଥିଲେ ତେବେ ଏ ବିଷୟରେ ବହୁ ଆଗରୁ ଚିନ୍ତା କରିପାରିଥାନ୍ତେ। ବହୁଜନ ସମାଜ ପାର୍ଟିର ଅନ୍ୟ ଜଣେ ନେତା କିରଣମୟ ନନ୍ଦା କହିଛନ୍ତି ଯେ ବିଜେପି ଲୋକମାନଙ୍କୁ ରୋଜିରୋଟି ଯୋଗାଇବାରେ ବିଫଳ ହୋଇ ଧାର୍ମିକ ସର୍କିଟରେ ଫସେଇ ଦେବାକୁ ଚାହୁଁଛି।   ଏଠାରେ ସୂଚନାଯୋଗ୍ୟ ଯେ ଅଯୋଧ୍ୟାରେ ରାମଲୀଳା ଥେମ‍୍‌ ପାର୍କ କରିବାକୁ ରାଜ୍ୟର ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସରକାର କେଇ ଦିନ ପୂର୍ବରୁ ନିଷ୍ପତ୍ତି ଘୋଷଣା କରିଛି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଉଭୟ କ୍ଷମତାସୀନ ସମାଜବାଦୀ ପାର୍ଟି ଓ ବିରୋଧୀ ବହୁଜନ ସମାଜପାର୍ଟିକୁ ପରାସ୍ତ କରି ଏଥର କ୍ଷମତା ଦଖଲ କରିବାର ଯୋଜନା ରଖିଛି।

Share :