ଅନୁଗତ ସୂଚନା କମିଶନ!

ଅନୁଗତ ସୂଚନା କମିଶନ!

Share :

ପ୍ରଦୀପ ପ୍ରଧାନ   ଗତ କିଛିଦିନ ତଳେ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଜଣାପଡ଼ିଛି ଯେ ମହାରାଷ୍ଟ୍ର ମୁଖ୍ୟ ସୂଚନା କମିଶନର ରତ୍ନାକର ଗାଇକ‌୍‍ୱାଡ଼ ସେପ୍ଟେମ୍ୱର ୨୬ରୁ ଅକ୍ଟୋବର ୧ ତାରିଖ ମାତ୍ର ସାତ ଦିନ ମଧ୍ୟରେ ୩୪୯ ଅପିଲ କେସ‌୍‍ ଶୁଣାଣୀ କରି ଫଇସଲା କରିଛନ୍ତି। ଅର୍ଥାତ‌୍‍ ଶ୍ରୀ ଗାଇକ‌୍‍ୱାଡ‌୍‍ ଦିନ ପିଛା ହାରାହାରି ୪୯ଟି କେସ‌୍‍ ଫଇସଲା କରିପାରିଛନ୍ତି।   ଗତ ଅଗଷ୍ଟ ମାସରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ପାଇଥିବା ଦୁଇ ଜଣଙ୍କର ଏକ ବର୍ଷର କାର୍ଯ୍ୟକଳାପ, ସେମାନଙ୍କ କରିଥିବା କେସ‌୍‍ ଶୁଣାଣୀ ଏବଂ ଫଇସଲା, ଜନସୂଚନା ଅଧିକାରୀଙ୍କ ଉପରେ ହୋଇଥିବା ଦଣ୍ଡବିଧାନ ଇତ୍ୟାଦିର ଅନୁଧ୍ୟାନ କରାଯାଇଥିଲା। ବର୍ତ୍ତମାନ କାର୍ଯ୍ୟରତ ଦୁଇ ସୂଚନା କମିଶନର ଗତ ଜୁନ, ୨୦୧୫ରେ ନିଯୁକ୍ତି ପାଇଥିଲେ ଏବଂ ଜୁନ‌୍‍, ୨୦୧୬ ପର୍ଯ୍ୟନ୍ତ ସେମାନଙ୍କର ଏକ ବର୍ଷର କାର୍ଯ୍ୟକଳାପ ପୂରି ଯାଉଥିବାରୁ, ସେଥିପାଇଁ ସୂଚନା କମିଶନଙ୍କୁ ତଥ୍ୟ ମଗାଯାଇ ଅଧ୍ୟୟନ କରାଯାଇଥିଲା।   ବିଗତ ଏକ ବର୍ଷରେ ସୂଚନା କମିଶନର ଶ୍ରୀ ଏଲ‌୍‍. ଏନ‌୍‍. ପଟ୍ଟନାୟକ ଗୋଟିଏ ମାସରେ ମାତ୍ର ୧୫ ଦିନ କେସ‌୍‍ ଶୁଣାଣୀ କରିଥିଲା ବେଳେ ଅନ୍ୟ ଜଣେ କମିଶନର‌୍‍ ଶ୍ରୀମତୀ ଶଶୀ ବିନ୍ଧାଣୀ ମାତ୍ର ୧୦ ଦିନ କେସ‌୍‍ ଶୁଣାଣୀ କରିଛନ୍ତି। ସେହିପରି ଶ୍ରୀ ପଟ୍ଟନାୟକ ମାସକୁ ୧୬୨ଟି କେସ‌୍‍ ଶୁଣାଣୀ କରି ମାତ୍ର ୩୫ଟି କେସ‌୍‍ ଫଇସଲା କରିଛନ୍ତି। ଅର୍ଥାତ‌୍‍ ଦିନକୁ ମାତ୍ର ଦୁଇଟି କେସ‌୍‍ ଫଇସଲା କରନ୍ତି। ସେହିପରି ଶ୍ରୀମତୀ ବିନ୍ଧାଣୀ ମାସକୁ ୧୭୫ଟି କେସ‌୍‍ ଶୁଣାଣୀ କରି ମାତ୍ର ୩୧ଟି କେସ‌୍‍ ଫଇସଲା କରିବାରେ ସମର୍ଥ ହୋଇଛନ୍ତି। ଅର୍ଥାତ‌୍‍ ସେ ଦିନକୁ ହାରାହାରି ତିନୋଟି କେସ‌୍‍ ଫଇସଲା କରିଛନ୍ତି। ସମାନ ଦରମା, ଭତ୍ତା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ପାଇ ମହାରାଷ୍ଟ୍ର ମୁଖ୍ୟ ସୂଚନା କମିଶନର‌୍‍ ଗୋଟିଏ ଦିନରେ ୪୯ଟି କେସ‌୍‍ ଫଇସଲା କରୁଥିଲା ବେଳେ ଆମ ରାଜ୍ୟର ସୂଚନା କମିଶନର‌୍‍ମାନେ ଦିନକୁ ମାତ୍ର ୨ଟି କେସ‌୍‍ ଫଇସଲା କରିବାରେ ସକ୍ଷମ ହେଉଛନ୍ତି କାହିଁକି?   ଏହି କମିଶନର‌୍‍ମାନଙ୍କର ଏପରି ଦୁରବସ୍ଥା କାହିଁକି? ଏଭଳି ପ୍ରଶ୍ନ ସର୍ବସାଧାରଣରେ ଉଠିବା ସ୍ୱାଭାବିକ। କିନ୍ତୁ ଏହାର ଉତ୍ତର ଅତ୍ୟନ୍ତ ସ୍ପଷ୍ଟ ଏବଂ ସହଜ। ରାଜ୍ୟରେ ଦୀର୍ଘ ୧୧ ବର୍ଷ ହେଲା ସୂଚନା କମିଶନର‌୍‍ମାନଙ୍କର ଏହିପରି ଦୟନୀୟ ସ୍ଥିତି ଲାଗି ରହିଛି। ସେମାନଙ୍କର ଅଯୋଗ୍ୟତା, ଅଜ୍ଞତା ଏବଂ ଅଭିଜ୍ଞତାର ଅଭାବ, ସରକାରୀ ଗୋଡ଼ାଣିଆ ମନୋବୃତ୍ତି ଯୋଗୁଁ ସେମାନେ ଠିକ‌୍‍ ଭାବେ କେସ‌୍‍ ଶୁଣାଣୀ କରିପାରୁନାହାନ୍ତି କି ଫଇସଲା କରିପାରୁ ନାହାନ୍ତି। ଫଳରେ ସୂଚନା କମିଶନରେ ହଜାର ହଜାର କେସ‌୍‍ ଫଇସଲା ନ ହୋଇ ପଡ଼ିରହୁଛି। କେସ‌୍‍ ଫାଇଲ‌୍‍ ହେବାର ତିନି ବର୍ଷ ପରେ ଶୁଣାଣୀ ଆରମ୍ଭ ହେଉଛି ଏବଂ ଫଇସଲା ହେବାକୁ ଆହୁରି ଛଅ ମାସ ବିତିଯାଉଛି।   ସୂଚନା ଅଧିକାର ଆଇନର ଧାରା ୧୫(୫)ରେ ଉଲ୍ଲେଖ ରହିଛି ଯେ, ଆଇନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସମାଜସେବା, ପ୍ରବନ୍ଧନ, ସାମ୍ୱାଦିକତା, ଗଣମାଧ୍ୟମ ବା ପ୍ରଶାସନ ଓ ଶାସନ ପରିଚାଳନାରେ ବ୍ୟାପକ ଜ୍ଞାନର୍ଜନ ଓ ଅନୁଭୂତି ହାସଲ ଦୃଷ୍ଟିରୁ ସର୍ବସାଧାରଣ କ୍ଷେତ୍ରରେ ସୁପରିଚିତ ବ୍ୟକ୍ତି ହୋଇଥିବା ବ୍ୟକ୍ତିମାନଙ୍କୁ ସୂଚନା କମିଶନ‌୍‍ ପଦବୀରେ ନିଯୁକ୍ତି ଦିଆଯିବ। ପୁଣି ଧାରା ୧୫(୪)ରେ ବ୍ୟବସ୍ଥା ରହିଛି ଯେ ସୂଚନା କମିଶନରମାନେ କୌଣସି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ପରିଚାଳିତ ନ ହୋଇ ସ୍ୱୟଂଚାଳିତ ଭାବେ ସେହିସବୁ କ୍ଷମତାର ପ୍ରୟୋଗ ଓ କାର୍ଯ୍ୟାବଳୀ ସମ୍ପାଦନ କରିବେ। କିନ୍ତୁ ଆରମ୍ଭରୁ ରାଜ୍ୟ ସରକାର କୌଣସି ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁସରଣ ନ କରି ମନଇଚ୍ଛା ବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଖଣ୍ଡ ଆନୁଗତ୍ୟ ଥିବା ବୋଲକରାମାନଙ୍କୁ ବଛାଯାଇ ଏହି ସୂଚନା କମିଶନ‌୍‍ ପଦବୀରେ ନିଯୁକ୍ତି କରାଇଲେ, ଯେଉଁମାନଙ୍କର କୌଣସି ଅଭିଜ୍ଞତା ନଥିଲା ବା ସେମାନେ ସର୍ବସାଧାରଣରେ ଖ୍ୟାତିସମ୍ପନ୍ନ ବ୍ୟକ୍ତି ନଥିଲେ ବରଂ ଆରମ୍ଭରୁ କଳଙ୍କିତ ଚରିତ୍ର ଥିଲେ। ୨୦୦୫ ମସିହାରେ ମୁଖ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ପାଇଥିବା ଡି. ଏନ‌୍‍. ପାଢ଼ୀ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଥିଲେ ଏବଂ ତାଙ୍କ ନାମରେ ବହୁ ସଙ୍ଗୀନ ଅଭିଯୋଗ ଥିଲା। ସେହିପରି ସୂଚନା କମିଶନର ଭାବେ ନିଯୁକ୍ତି ପାଇଥିବା ଜଗଦାନନ୍ଦ ମହାନ୍ତି ଏବଂ ପ୍ରଫେସର ରାଧାମୋହନଙ୍କ ଅଜ୍ଞତା ଏବଂ ଅନଭିଜ୍ଞତା ପ୍ରତିଟି କ୍ଷେତ୍ରରେ ଲୋକଲୋଚନକୁ ଆସିଥିଲା ଏବଂ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କ ପ୍ରତି ସେମାନଙ୍କର ନରମ ଆଭିମୁଖ୍ୟ ତଥାମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତ୍ୟଧିକ ଆନୁଗତ୍ୟ ରହିଥିଲା। ୨୦୧୦ରେ ନିଯୁକ୍ତି ପାଇଥିବା ପୂର୍ବତନ ମୁଖ୍ୟ ଶାସନ ସଚିବ ତରୁଣକାନ୍ତି ମିଶ୍ରଙ୍କ ସରକାରୀ ବୋଲକରା ନୀତି, କେସ‌୍‍ ଶୁଣାଣୀରେ ଅଯଥା ବିଳମ୍ୱ ଯୋଗୁ ସର୍ବସାଧାରଣରେ ଅନେକ ଥର ଅପମାନିତ ହୋଇଥିଲେ। ତାଙ୍କ ନାମରେ ସବୁଠାରୁ ବଡ଼ ଅଭିଯୋଗ ହୋଇଥିଲା ଜମି ଦୁର୍ନୀତି। ଶ୍ରୀ ମିଶ୍ର ତାଙ୍କର ଏବଂ ତାଙ୍କ ସ୍ତ୍ରୀଙ୍କ ନାମରେ ଦୁଇଟି ପ୍ଲଟ‌୍‍ ଏବଂ ବାସଗୃହ ଥିଲାବେଳେ ସେ ନିଜର ଏକମାତ୍ର ପୁଅ ପାଇଁ ମିଥ୍ୟା ସତ୍ୟପାଠ ଦାଖଲ କରି ଚାରିଟି ପ୍ଲଟ‌୍‍ ସାଧାରଣ ପ୍ରଶାସନ ବିଭାଗ, ବି.ଡି.ଏ., ସି.ଡି.ଏ. ରୁ ନେଇଥିଲେ। ଜମି ଦୁର୍ନୀତିର ଅଭିଯୋଗ ପରେ ତାଙ୍କ ନାମରେ ଭିଜିଲାନ‌୍‍ସ କେସ‌୍‍ ହେଲାପରେ ଶ୍ରୀ ମିଶ୍ର ମୁଖ୍ୟ ସୂଚନା କମିଶନର‌୍‍ ପଦବୀରୁ ମାର୍ଚ୍ଚ ୨୦୧୫ରେ ଇସ୍ତଫା ଦେଇ ଗିରଫ ହେବା ଭୟରେ ଆମେରିକା ଚାଲି ଯାଇଥିଲେ। ସେ ସେହିଦିନଠାରୁ ଓଡ଼ିଶା ଫେରିନାହାନ୍ତି। ସବୁଠାରୁ ଅନାମଧେୟ କମିଶନର‌୍‍ ଥିଲେ ପି. କେ. ମହାନ୍ତି। ତାଙ୍କ ବିଷୟରେ ଆଲୋଚନା ନ କରିବା ଭଲ।   ତେଣୁ ରାଜ୍ୟର ଯେତୋଟି ଲୋକ ସୂଚନା କମିଶନ‌୍‍ ପଦବୀରେ ନିଯୁକ୍ତି ହୋଇଛନ୍ତି, ସମସ୍ତେ ଧରାଧରି କରି ହୋଇଛନ୍ତି, ନିଜର ଯୋଗ୍ୟତା ବଳରେ ନୁହେଁ। ସମଗ୍ର ଦେଶରେ ସୂଚନା କମିଶନ‌୍‍ ପଦବୀରେ ନିଯୁକ୍ତି ପାଉଥିବା ବ୍ୟକ୍ତିମାନଙ୍କର ଅଯୋଗ୍ୟତା ଏବଂ ସରକାରଙ୍କର ମନଇଚ୍ଛା ନିଯୁକ୍ତିକୁ ଚାଲେଞ୍ଜ‌୍‍ କରି ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ସୁପ୍ରିମ କୋର୍ଟ ୨୦୧୩ ମସିହାରେ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟମାନଙ୍କୁ ସୂଚନା କମିଶନ ନିଯୁକ୍ତିରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ୱନ ପାଇଁ ନିଦ୍ଦେର୍ଶ ଦେଲେ। ତେଣୁ ରାଜ୍ୟରେ ସିଭିଲ‌୍‍ ସୋସାଇଟି ଏବଂ ସୂଚନାଧିକାର କର୍ମୀମାନେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସ୍ୱଚ୍ଛ ପ୍ରକ୍ରିୟା ଅନୁସରଣ କରି ଯୋଗ୍ୟ ଏବଂ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିମାନଙ୍କୁ ସୂଚନା କମିଶନ ପଦବୀରେ ନିଯୁକ୍ତି କରିବେ ବୋଲି ଆଶା କରିଥିଲେ। କାରଣ ଯୋଗ୍ୟ ଏବଂ ଅଭିଜ୍ଞତାସମ୍ପନ୍ନ ବ୍ୟକ୍ତି ସୂଚନା କମିଶନର ପଦବୀରେ ନିଯୁକ୍ତି ପାଇଲେ କେସ‌୍‍ ଶୁଣାଣୀ ଏବଂ ଫଇସଲା ତ୍ୱରାନ୍ୱିତ ହୋଇପାରିବ ଏବଂସାଧାରଣ ଲୋକ ଶୀଘ୍ର ନ୍ୟାୟ ପାଇବେ।   କିନ୍ତୁ ରାଜ୍ୟ ସରକାର ତାଙ୍କର ଚିରାଚରିତ ଢଙ୍ଗରେ ସୁପ୍ରିମ କୋର୍ଟଙ୍କ ନିଦ୍ଦେର୍ଶକୁ ବେଖାତିର କରି ମନଇଚ୍ଛା ସେହିପରି ଅଯୋଗ୍ୟ, ଅଥର୍ବ ଲୋକମାନଙ୍କୁ ସୂଚନା କମିଶନ‌୍‍ରେ ନିଯୁକ୍ତି ଦେଲେ। ପ୍ରଶାସନିକ ଅଧିକାରୀମାନେ ଚୟନ ପ୍ରକ୍ରିୟାରେ ଚଞ୍ଚକତା କରି ନିଜର ଗୋଡ଼ାଣିଆ ଲୋକମାନଙ୍କୁ ଜୁନ‌୍‍, ୨୦୧୫ରେ ନିଯୁକ୍ତି ଦେଲେ। ତେଣୁ ଅଯୋଗ୍ୟ, ଗୋଡ଼ାଣିଆ ଲୋକମାନଙ୍କଠାରୁ ନ୍ୟାୟ ପାଇବା ବୃଥା। ଫଳରେ ସୂଚନା କମିଶନଙ୍କ କାର୍ଯ୍ୟକଳାପରେ ଯେଉଁ ପରିବର୍ତ୍ତନ ଆଶା କରାଯାଉଥିଲା ବା କମିଶନ‌୍‍ ବ୍ୟବସ୍ଥା ଲୋକାଭିମୁଖୀ ହେବାର ଆଶା ବସ୍ତୁତଃ ଧୂଳିସାତ‌୍‍ ହୋଇଯାଇଛି। ତେଣୁ ସେହି ଚିରାଚରିତ ଢଙ୍ଗରେ ବର୍ତ୍ତମାନର ଦୁଇ ସୂଚନା କମିଶନର ମାସକୁ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଦରମା ନେଇ ମାଗଣାରେ ଗାଡ଼ି, ଡ୍ରାଇଭର ଏବଂ ସରକାରୀ ବାସଗୃହ ପାଇ ମଉଜ ମଜଲିସ‌୍‍ରେ ମାତି ଚାଲିଛନ୍ତି। ଯାହାଦ୍ୱାରା କମିଶନରେ କେସ‌୍‍ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ସେମାନଙ୍କର ଅଯୋଗ୍ୟତା ଯୋଗୁ କେସ‌୍‍ ଶୁଣାଣି ହୋଇପାରୁନାହିଁ ଏବଂ କେସ‌୍‍ ଶୁଣାଣୀରେ ମାତ୍ରାଧିକ ବିଳମ୍ୱ ଦେଖାଦେଉଛି। ଆଗରୁ ଭିଡିଓ କନ‌୍‍ଫରେନ‌୍‍ସିଙ୍ଗ‌୍‍ ମାଧ୍ୟମରେ ହେଉଥିବା ଶୁଣାଣୀ ବନ୍ଦ ହୋଇଯାଇଛି। ୨୦୧୩ ମସିହାରୁ ଏ ପର୍ଯ୍ୟନ୍ତ କମିଶନଙ୍କ ବାର୍ଷିକ ବିବରଣୀ ପ୍ରକାଶ ପାଇନାହିଁ। ଏହି ଦୁଇ କମିଶନର‌୍‍ ନିଜକୁ ଉଚ୍ଚ ନ୍ୟାୟାଳୟ ସହିତ ତୁଳନା କରି ଅଯଥା ଅନେକ ଛୁଟି ନେଉଛନ୍ତି। ପୁଣି ପ୍ରତି ସପ୍ତାହରେ ଶନିବାର ଶୁଣାଣୀ ବନ୍ଦ କରି ଦେଇଛନ୍ତି।   ଦୁର୍ନୀତିଗ୍ରସ୍ତ ଅମଲା ଗୋଷ୍ଠୀ ଏବଂ ଶାସକ ଶ୍ରେଣୀ ତରଫରୁ ରାଜ୍ୟରେ ସୂଚନା ଆଇନକୁ ଅକାମୀ କରିବା ଏବଂ ସୂଚନା କମିଶନଙ୍କୁ ଅଥର୍ବ ବା କ୍ରିୟାହୀନ କରି ରଖିବାର ଚକ୍ରାନ୍ତରେ ଭାଗିଦାରୀ ହୋଇ ସୂଚନା କମିଶନରମାନେ କାମ କରି ଆସୁଛନ୍ତି। ତେଣୁ ଏହି ଅବିବେକୀ, ଅଯୋଗ୍ୟ ଏବଂ ଦଲାଲ କମିଶନରମାନଙ୍କୁ ସୂଚନା କମିଶନ ପଦବୀରୁ ବହିଷ୍କାର ପାଇଁ ଆଇନର ଧାରା ୧୭ରେ ରାଜ୍ୟପାଳଙ୍କ ନିକଟରେ ଅନେକ ଅଭିଯୋଗ ହୋଇଛି ଏବଂ ସୂଚନାଧିକାର କର୍ମୀମାନଙ୍କର ସଂଗ୍ରାମ ଅବ୍ୟାହତ ରହିଛି।   ରାଜ୍ୟ ଆବାହକ, ଓଡ଼ିଶା ସୂଚନା ଅଧିକାର ଅଭିଯାନ ମୋ : ୯୯୩୭୮୪୩୪୮୨

Share :