ଗରିବ କହିବା ପାପ, କରିବା ନୁହେଁ!

ଗରିବ କହିବା ପାପ, କରିବା ନୁହେଁ!

Share :

ସୁଶାନ୍ତ କୁମାର ସାହୁ   କାହାର ଅଛି ଓଡ଼ିଶା ପ୍ରତି ଭଲପାଇବା? କାହାର ଅଛି ଓଡ଼ିଶା ପ୍ରତି ଆନ୍ତରିକତା? କିଏ କେତେ ଭଲପାଉଛି ଓଡ଼ିଶାକୁ, ଓଡିଆଙ୍କୁ? ଏସବୁ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ଫେରିବାକୁ ପଡିବ ୧୬ ବର୍ଷ ପଛକୁ। ୧୬ ବର୍ଷ ସହ ଆଜିର ଦିନକୁ ତର୍ଜମା କରିବାକୁ ପଡିବ। ସେବେଠାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟନାୟକ ନିଦ୍ବର୍ନ୍ଦ୍ବରେ କ୍ଷମତାରେ ଅଛନ୍ତି। ଯିଏକି ବର୍ତମାନ ପର୍ଯ୍ୟନ୍ତ ଓଡ଼ିଆ ପଦେ କହିପାରୁ ନାହାନ୍ତି ଭଲକରି। କିନ୍ତୁ ଇଂରାଜୀ ହାତ ଲେଖା ଓଡ଼ିଆ କଥାକୁ ପଢ଼ୁଛନ୍ତି ଥଙ୍ଗେଇ ଥଙ୍ଗେଇ। ଏହା ହେଉଛି ଆମ ରାଇଜ ମୁଖିଆଙ୍କ ୧୬ ବର୍ଷର ଓଡ଼ିଆ ପ୍ରୀତି।   ୨୦୧୩ ଜୁଲାଇ ମାସରେ ଆମେରିକାର କାର୍ଲିଫକ୍ସ କଟକରେ ୩ ମାସ ରହଣୀ କାଳରେ ଓଡ଼ିଆ କହିବା ଓ ଲେଖିବାରେ ପାରଙ୍ଗମ ହୋଇ ପାରିଥିଲେ। କିନ୍ତୁ ରାଇଜ ମୁଖିଆ ୧୬ ବର୍ଷ ମଧ୍ୟରେ ପଦଟିଏ ବି ଶିଖି ପାରିଲେନି। ଶିଖି ପାରିଲେନି କି ଶିଖିବାକୁ ଆଗ୍ରହ ଦେଖେଇଲେନି ତାହା ଭିତରେ ଅନେକ ଫରକ। ଓଡ଼ିଆ ଶିଖିବାକୁ ଆଗ୍ରହ ଦେଖେଇଥିଲେ ଶିଖିବା ଏତେ କଷ୍ଟ ନୁହେଁ। ଆଗ୍ରହ ନଦେଇଖାଇବା ତାଙ୍କର ଓଡ଼ିଆ ପ୍ରୀତି ପ୍ରତି ସନ୍ଦେହ ସୃଷ୍ଟି କରେ, ଆଗ୍ରହ ଥାଇ ଶିଖି ନପାରିବା ତାଙ୍କର ଦକ୍ଷତା ନଥିବା ପ୍ରମାଣିତ କରେ।   ଏହା ସତ୍ତ୍ବେ ସେ ଲୋକଙ୍କର ପ୍ରିୟ ହୋଇପାରିଛନ୍ତି। ଓଡ଼ିଆଙ୍କ ଭାଷା ନବୁଝି ଓଡ଼ିଆଙ୍କ ମନ ଜିଣି ପାରିଛନ୍ତି। କାରଣ ସେ ଓଡ଼ିଶାର ଅଧାରୁ ଅଧିକ ଲୋକଙ୍କ ଘରେ ବସେଇ ଖାଇବାକୁ ଦଉଛନ୍ତି, ଭିକାରୀ ବା ବୁଢ଼ାବଢ଼ୀଙ୍କ ପରି। କର୍ମ ଅଳସୁଆ ଓଡ଼ିଆଙ୍କ ପାଇଁ ନବୀନ ପଟ୍ଟନାୟକଙ୍କଠାରୁ ଅଧିକ ପ୍ରିୟ ମୁଖମନ୍ତ୍ରୀ କେହି ହୋଇ ନପାରନ୍ତି। ମଜ୍ଜାର କଥା ହେଉଛି ବିଜୁବାବୁ ଦେହତ୍ୟାଗ କଲା ପର୍ଯ୍ୟନ୍ତ ନବୀନ ମଧ୍ୟ ଓଡ଼ିଆଙ୍କ ପରି କର୍ମ ଅଳସୁଆ ଥିଲେ ଓ ବାପା ଟଙ୍କାରେ ଚଳୁଥିଲେ!   ସେ ଓଡ଼ିଆଙ୍କୁ ଭଲ ନପାଇଲେ କ’ଣ ହେଲା, ଓଡ଼ିଆଙ୍କ ମାଗଣା ଖିଆ ମାନସିକତାକୁ ଠିକ ବୁଝିଛନ୍ତି। ଓଡ଼ିଆରେ ଗୋଟେ କଥା ଅଛି, ମାଗଣା ପାଇଲେ ପିଚୁ ବି ଗିଳିଯିବେ, ପରେ ମେଡିକାଲ ଯାଆନ୍ତୁ ପଛେ! ସେଥିପାଇଁ ସେ ଟଙ୍କିକିଆ ଚାଉଳ ଠାରୁ ଆରମ୍ଭ କରି ୫ ଟଙ୍କିଆ ଆହାରାଦି ଛତରଖିଆ ଯୋଜନାସବୁ କରିଛନ୍ତି ଓ କାଙ୍ଗାଳ ମାନସିକତାରେ ପାଳିତପୋଷିତ ଓଡ଼ିଆ ଲୋକମାନେ ମୁଠି ଚାଉଳକୁ ସୁବର୍ଣ୍ଣ ଦାନ ବୋଲି ଭାବି କୃତ୍ୟକୃତ୍ୟ ହେଉଛନ୍ତି। ଲୋକଙ୍କ ରୋଜଗାର ଓ ସଂପତ୍ତି ବୃଦ୍ଧି ପାଇଁ କିଛି ବି ଯୋଜନା ନାହିଁ। କିନ୍ତୁ ସେମାନଙ୍କୁ ଭିକାରୀ କରିବା ପାଇଁ ଅନେକ ଯୋଜନା। ଛତା, ଜୋତା, କମ୍ବଳ ଆଦି ମାଗଣା ବାଣ୍ଟିଲେ କ’ଣ ଲୋକଙ୍କ ଦାରିଦ୍ର୍ୟ ଦୂର ହୁଏ? କିନ୍ତୁ ଦରିଦ୍ର ମାନସିକତା-ଗ୍ରସ୍ତ ଲୋକଙ୍କଠାରୁ ବାହାବା ପାଇହୁଏ। ସେଇଆ ହୋଇଛି। ଅଳସୁଆ ଓ ଛତରଖିଆ ମାନସିକତାର ଲୋକମାନେ ତାଙ୍କୁ ୪ ଥର ମୁଖ୍ୟମନ୍ତ୍ରୀ କରିଛନ୍ତି।   ନିକଟରେ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ ସୋସିଆଲ ମିଡିଆ ସାଇଟ ଫେସ‌୍‍ବୁକରେ ଓଡ଼ିଆଙ୍କୁ ତାଚ୍ଛଲ୍ୟ କରି କେଇ ପଦ ଲେଖିବା ସହ ଏହା ଥଟ୍ଟାର ସହ ଲେଖିଥିବା ଲେଖିଥିଲେ। କିନ୍ତୁ ଏଥିରେ ଉତ‌୍‍କ୍ଷିପ୍ତ ହୋଇ ଉଠିଥିଲେ ଓଡ଼ିଆ। ଏହାକୁ ନେଇ କେତେ ରାଜରାସ୍ତାକୁ ଓହ୍ଲାଇଲେ। କାଟଜୁଙ୍କ ଓଡ଼ିଆଙ୍କ ପ୍ରତି ଏଭଳି ମନ୍ତବ୍ୟକୁ ନେଇ ତାଙ୍କର କୁଶ ପୁତ୍ତଳିକା ବି ଦାହ କଲେ। ଶେଷରେ ଓଡ଼ିଆଙ୍କ ରାଗ ଦେଖି କାଟଜୁ ମୁଣ୍ଡ ନୁଆଁଇଲେ। କ୍ଷମା ବି ମାଗିଲେ। କିନ୍ତୁ କିଛି ଓଡ଼ିଆ ଶାନ୍ତ ହେଲେନି। କାଟ‌୍‍ଜୁଙ୍କ କ୍ଷମା ପ୍ରାର୍ଥନା ପୋଷ୍ଟରେ ବି ଗାଳି ଦେଇ ଚାଲିଲେ। ତଥାପି ଲୋକଙ୍କ ରାଗ ଶୁଝିଲାନି।   ଗୋଟିଏ ପଟେ କାଟ‌୍‍ଜୁ ଅନ୍ୟ ପଟେ ନବୀନ। ଜଣେ ଦୀର୍ଘ ୧୬ ବର୍ଷ ଧରି ଓଡ଼ିଆଙ୍କୁ ତାଚ୍ଛଲ୍ୟ କରି ଆସିଥିବା ବେଳେ ଥରୁଟିଏ ନିଜର ଭୁଲ ସଂଶୋଧନ କରିବାକୁ ଚେଷ୍ଟା ନକରି କେବେ ‘ବାରିପଦା’ କୁ ‘ବାଡିପଡା’ ତ ଆଉ କେବେ ‘ଚଣ୍ଡିଖୋଲ’ କୁ ‘ଚଡିଖୋଲ’ ବି କହିଛନ୍ତି, ୪ କୋଟି ୪୦ ଲକ୍ଷ ଓଡ଼ିଆଙ୍କ ମଧ୍ୟରୁ ୩ କୋଟି ୨୦ ଲକ୍ଷଙ୍କୁ ବିପିଏଲ ଭାବେ ବ୍ୟବହାର କରୁଛନ୍ତି। ଅଥଚ କାଟ୍‌ଜୁଙ୍କ ବିରୋଧରେ ଉଠିଥିବା ପ୍ରାୟୋଜିତ ସ୍ୱାଭିମାନର ଝଡ଼ ନବୀନଙ୍କ ବିରୋଧରେ ଉଠିନାହିଁ। କାରଣ କାଟ୍‌ଜୁ ଓଡ଼ିଆଙ୍କୁ ଗରିବ କହିଲେ, ନବୀନ ଓଡ଼ିଆଙ୍କୁ ଗରିବ କରିଦେଲେ! ବୋକା ଓଡ଼ିଆଙ୍କ ବୋଧଶକ୍ତି ଟିକେ ଦୁର୍ବଳ।   ତେଣୁ, ମୋର ଏଠି କାଟ‌୍‍ଜୁଙ୍କୁ ଗୋଟେ ପ୍ରସ୍ତାବ ହେଲା- ଓଡ଼ିଆ ଲୋକଙ୍କୁ କିଛି ମାଗଣାରେ ଦିଅ, ତା’ପରେ ତାଙ୍କୁ ଯେତେ ଠକିଲେ ବା ଗାଳି କଲେ ବି ସେମାନେ ତୁମକୁ ମୁଣ୍ଡେଇ ବୁଲିବେ।   ଦୁରଭାଷ: ୯୮୬୧୦୮୨୭୧୦

Share :