ଜନ ସଂପର୍କ ନା ଗାତପଶା ଚାଲ୍‌!

ଜନ ସଂପର୍କ ନା ଗାତପଶା ଚାଲ୍‌!

Share :

ଚ଼ିଦାନନ୍ଦ ଜେନା   ଏ ସ୍ତମ୍ଭ ଲେଖା ହେଲା ବେଳକୁ ମାଲକାନଗିରିରେ ଜାପାନୀ ଜ୍ବର ୫୦ ଶିଶୁମୁଣ୍ଡ ଖାଇସାରିଲାଣି। ତିନି ଡଜନ ଶିଶୁମଲା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଆଜ୍ଞା ମାଲକାନଗିରି ଗଲେ।   ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ଶାସକ ଦଳର ତଥାକଥିତ ଜନସଂପର୍କ ଯାତ୍ରା ଚ଼ାଲିଛି। ୨୦୦୯ରୁ ଶହୀଦ ନଗର ଅଙ୍କଲଙ୍କ ମଗଜରୁ ବାହାରିଥିବା ଏହି ଉପାୟ ୮ ବର୍ଷ ହୋଇଗଲାଣି ଚାଲିଛି।   ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଏହି ଜନସଂପର୍କ ଯାତ୍ରା ଲୋକମାନ୍ୟ ଜୟ ପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ଶେଷ ହେଉଥିଲା। ୨୦୧୭ରେ ଯେହେତୁ ପଞ୍ଚାୟତ ନିର୍ବାଚନ ନବୀନ ଏହି ଜନସଂପର୍କ ଯାତ୍ରାକୁ ମାସିକିଆ କରିଦେଲେ, ଅକ୍ଟୋବର ୨ ରୁ ନଭେମ୍ବର ୨। ହେଲେ ସଂପର୍କର ନାଁ ଗନ୍ଧ ଦେଖିବାକୁ ମିଳିଲାନି। କିଏ କାହା ସହ କି ସଂପର୍କ ଯୋଡୁଛି , ଆମ ଛୋଟ ମୁଣ୍ଡରେ କିଛି ପଶୁନି। ଖୋଦ ନବୀନ ରାଜଧାନୀରେ ୧୨ ହାତ ବାଟ କଡ଼ା ସୁରକ୍ଷାରେ ଚାଲିଗଲେ। ରାଜ୍ୟର ଆଉ କୁଆଡେ ତାଙ୍କ ପାଦ ପଡ଼ିଲାନି। ହଁ ସିଏ ଜିତିଥିବା ଗଞ୍ଜାମ ଜିଲ୍ଲାରେ ବି ଅଢେଇ ମିନିଟିଆ ଜନସଂପର୍କ ଯାତ୍ରାଟିଏ କଲେ।   କନ୍ଧମାଳ ଘଟଣାରେ ଅତୀତରେ ନାକ କଟିଥିଲା ବୋଲି ଡ଼ରି ଏଥର ବି କନ୍ଧମାଳ ଗସ୍ତ ନୋହିଲା ନବୀନଙ୍କ ଦ୍ବାରା। ନଗଡ଼ାର ନଗ୍ନରୂପ ସାରା ବିଶ୍ବ ଦେଖିଲାପରେ ବି ସେଠାକୁ ନବୀନଙ୍କ ହେଲିକଫ୍ଟର ଉଡିଲାନି। ଆଉ ରହିଲା ମାଲକାନଗିରି କଥା। ସହଜେ ସେଠି ମୋଟେ ୨ଟା ବିଧାନସଭା ଆସନ। ଯେତେ ଯାହା ହେଲେ ଭୋଟ ରାଜନୀତିରେ ସେ ଜିଲ୍ଲାରେ ପ୍ରଭାବ ନାହିଁ। ସେଠାକୁ ବି ଗଲେ ନାହିଁ।   ତେଣୁ ତାଙ୍କ ପାଇଁ ଜନସଂପର୍କର ଅର୍ଥ କ’ଣ, ସେକଥା କେବଳ ତାଙ୍କୁ ଓ ତାଙ୍କ ପରାମର୍ଶଦାତା ସାଜିଥିବା ଏକାଧିକ ପି ନାମଧାରୀ ବ୍ୟକ୍ତିଙ୍କୁ ଜଣାଥିବ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସ୍ଥିତିରେ ଉଦ୍ଧାର ଆଣି ନଥାଏ ସତ କିନ୍ତୁ ଆମେ ଭାବୁଥିବା ମଳିମୁଣ୍ଡିଆ ଲୋକଗୁଡାଙ୍କୁ ସାହସ ଦେଇଥାଏ।   ନଭେମ୍ବର ୨ ଯାଏଁ ବିଜୁ ଜନତା ଦଳର ଜନସଂପର୍କ ଯାତ୍ରା ଚ଼ାଲିବ। ଆଶା କରିବା ଯାହା କେବେ ହୋଇନି ତାହା ହେବ। ସମ୍ବେଦନଶୀଳ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ନିଜେ ଯିବେ। ଯାଇକି ଶିଆଳର ଗାତପଶା ଚରିତ୍ର ଛାଡ଼ିକି ଆସିବେ। ୨୦୦୬ରେ ସେ କଳିଙ୍ଗନଗର ଯାଇ ନଥିଲେ, ୨୦୧୬ରେ କନ୍ଧମାଳ ବି ଗଲେ ନାହିଁ। ଛଅମାସ ତଳର ନଗଡ଼ା ଗସ୍ତ କରି ନଥିଲେ। ମାଲକାନଗିରି ଗସ୍ତ କରି ସେ ନିଜର ସେହି ପରିଚୟରେ ସଂଶୋଧନ କରିବେ ବୋଲି ଆଶା।

Share :