ବ୍ଲକ ଗ୍ରାଣ୍ଟ ଦୁର୍ଦ୍ଦଶା-ଦାୟୀ କିଏ?

ବ୍ଲକ ଗ୍ରାଣ୍ଟ ଦୁର୍ଦ୍ଦଶା-ଦାୟୀ କିଏ?

Share :

ରଙ୍ଗାଚରଣ ପ୍ରଧାନ   ‘ମୋ ଯୌବନ ଜୀବନ ଚାଲିଗଲା। ମୁଁ କିଛି ଉପଭୋଗ କରି ପାରିଲିନି। ମୁଁ ଖାଲି ପାଠ ପଢେଇ ଚାଲିଲି ଆଉ ଘରକୁ ଆସି ସବୁଦିନ ପିଆଜ ଲୁଣରେ ଭାତ ଖାଇଲି।’   ସେପ୍ଟେମ୍ବର ୨୫ ତାରିଖ ଦିନ କଟକରେ ଅନୁଷ୍ଠିତ ଆମ୍ ଆଦମୀ ପାର୍ଟିର କର୍ମୀ ସମ୍ମିଳନୀରୁ ଫେରି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଦେଇ ପିଏମଜି ଛକ ଆଡ଼କୁ ମୁହାଁଇଲା ପର ରାସ୍ତାର ଦୁଇ କଡ଼ରେ ଅନେକ ଗୁଡ଼ିଏ କ୍ୟାମ୍ପ ଦେଖିଲି। ସେପ୍ଟେମ୍ବର ୨୨ ତାରିଖ ବିଧାନସଭା ଅଧିବେଶନ ଆରମ୍ଭ ହେବା ଦିନଠାରୁ ହଜାର ହଜାର ଲୋକ ଏହିପରି ବିଭିନ୍ନ କ୍ୟାମ୍ପରେ ବସିଥାନ୍ତି। ମନରେ କୌତୁହଳ ଉଠିଲା ଏମାନେ କାହିଁକି ପ୍ରତିଥର ବିଧାନସଭା ଅଧିବେଶନ ଚାଲିଲା ବେଳେ ଏଠାରେ ଏମିତି ବସନ୍ତି! କାହାର ଦୃଷ୍ଟି ଆକର୍ଷଣ କରିବାକୁ ଏମାନେ ଏଠାରେ ବସି ଥାନ୍ତି? ଏମାନଙ୍କ ଗୁହାରି କ’ଣ ସତରେ କେହି ଶୁଣନ୍ତି? କଂଗ୍ରେସର ପାର୍ଟି ଅଫିସ ପାଖରେ ଏମିତି ଏକ କ୍ୟାମ୍ପ ଲଗାଇ ବସିଥାନ୍ତି ଓଡ଼ିଶାର ବ୍ଲକ୍ ଗ୍ରାଣ୍ଟ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନେ। ବିଧାନସଭାଠାରୁ ମାତ୍ର ଅଧ କିଲୋ ମିଟର ଦୂରରେ। ଏହି ଆନ୍ଦୋଳନକାରୀ ମାନଙ୍କୁ ଘୁଞ୍ଚାଇ ଦେବାପାଇଁ ପୁଲିସ ବାରିକେଡ଼ ବର୍ଷ ପରେ ବର୍ଷ ଘୁଞ୍ଚାଇ ଦିଆଯାଉଛି ଯେମିତି ଏମାନଙ୍କର ଚିତ୍କାର ବିଧାନସଭାର ମାନ୍ୟବରମାନଙ୍କୁ ଆଉ ଶୁଣାଯିବ ନାହିଁ।   ଗାଡ଼ି ରଖି ସେହି କ୍ୟାମ୍ପରୁ ହରତାଳରେ ବସିଥିବା ଜଣେ ଶିକ୍ଷକଙ୍କୁ ବାହାରକୁ ଡାକିଲି। ମାତ୍ର ସେ ନିଜେ ନ ଆସି ମୋତେ ଭିତରକୁ ଯିବା ପାଇଁ ଇସାରା କଲେ। ମୁଁ ପରିଚୟ ଦେଲି। ନୂଆ କରି ଓଡ଼ିଶା ରାଜନୀତିରେ ସକ୍ରିୟତା ଦେଖାଉଥିବା ଆମ୍ ଆଦମୀ ପାର୍ଟିର ସାପ୍ତାହିକ ପତ୍ରିକା ଆମ କ୍ରାନ୍ତିର ସମ୍ପାଦକ ବୋଲି କହିଲି। କାଳେ ସେମାନଙ୍କ ମନରେ କୌଣସି ସନ୍ଦେହ ଉପୁଜିବ, ସେଥିପାଇଁ ଆଗରୁ ମୁଁ ପରିଷ୍କାର କରିଦେଲି, ଆପଣମାନଙ୍କର ଯେଉଁ ବି ସଙ୍ଗଠନ କିମ୍ବା ରାଜନୈତିକ ଦଳ ସହିତ ସମ୍ପର୍କ ରହିଛି, ତାହା ବଳବତ୍ତର ରହିଥାଉ। ମୁଁ ଆପଣଙ୍କୁ ଆମ୍ ଆଦମୀ ପାର୍ଟିରେ ଯୋଗ ଦିଅନ୍ତୁ ବୋଲି ଅନୁରୋଧ କରିବାକୁ ଆସିନାହିଁ। ଆପଣମାନଙ୍କର ଦୁଃଖ ଓ ଦାବି ବିଷୟରେ ବୁଝିବାକୁ ଆସିଛି।   ସେମାନଙ୍କର ସଭାପତି ଓ ସମ୍ପାଦକ ସେଠାରେ ଉପସ୍ଥିତ ନଥିଲେ। ତେବେ ପାଢୀବାବୁ ଆଗେଇ ଆସିଲେ ମୋ ସାଙ୍ଗରେ କଥାବାର୍ତ୍ତା କରିବାକୁ। ପାଢୀବାବୁ କହି ଚାଲିଲେ ଓଡ଼ିଶାର ପାଖାପାଖି ୨୦ ହଜାର ଅବହେଳିତ ବ୍ଲକ୍ ଗ୍ରାଣ୍ଟ ହାଇସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଜୀବନ ସହ ସଙ୍ଘର୍ଷର କଥା। ସେ କାହାଣୀ ବହୁତ ହୃଦୟ ବିଦାରକ ଏବଂ ଅବିଶ୍ୱସନୀୟ। ମନରେ ବେଳେବେଳେ ସନ୍ଦେହ ଆସୁଥାଏ ଏବଂ ମୁଁ ପାଢୀବାବୁଙ୍କୁ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ ପଚାରି ଚାଲିଥାଏ। ପାଢୀବାବୁ ଖୁବ୍ ଧୈର୍ଯ୍ୟର ସହିତ ମୋର ସବୁ ପ୍ରଶ୍ନର ଉତ୍ତର ଦେଲେ। ଅସୀମ ଧୈର୍ଯ୍ୟ ଛଡ଼ା ତାଙ୍କ ପାଖରେ ଆଉ ଅନ୍ୟ ବାଟ ବି ତ ନାହିଁ।   ବହୁଦିନ ତଳେ ମୁଁ ବି ଏପରି ଏକ ଗାଁ ସ୍କୁଲରେ ହାଇସ୍କୁଲ ପାଠପଢା ଶେଷ କରିଥିଲି। ସେତେବେଳେ ଶିକ୍ଷକମାନେ ସ୍ୱଚ୍ଛଳ ଥିଲେ ଏବଂ ସମାଜରେ ସେମାନଙ୍କର ଅନେକ ସମ୍ମାନ ଥିଲା। ଏମିତି ସପ୍ତାହ ସପ୍ତାହ କାଳ ମଶା ଡ଼ାଆଁଶରେ ସେମାନେ ପିଏମଜି ଛଲରେ ଦିନରାତି ବିତାଇବା କଥା ମୁଁ କେବେ ଶୁଣି ନଥିଲି।   ଆମ ଗାଁର ବଳଙ୍ଗା ହାଇସ୍କୁଲ ଭଳି ସାରା ଓଡ଼ିଶାରେ ବହୁତ ସ୍ଥାନରେ କିଛି ସହୃଦୟ ବ୍ୟକ୍ତି ଶିକ୍ଷାର ଉନ୍ନତି ପାଇଁ ସ୍କୁଲ ଖୋଲିଛନ୍ତି। ଗାଁ ଲୋକମାନେ ମୁଣ୍ଡରେ ମାଟି ପଥର ବୋହି, ଚାଳ ଖପର ଯୋଗାଡ଼ କରି ସ୍କୁଲଘର ତିଆରି କରିଛନ୍ତି। ସହରମାନଙ୍କରେ ଛତୁ ଫୁଟିଲା ଭଳି ପ୍ରାଇଭେଟ ସ୍କୁଲମାନଙ୍କ ଭଳି ଏସବୁ ସ୍କୁଲଗୁଡ଼ିକର ଉଦ୍ଦେଶ୍ୟ ନଥିଲା ବେପାର କରିବା। ଗାଁ, ପଡ଼ିଶାର ପିଲାଏ ପାଠ ପଢିପାରିବେ, କେବଳ ଏଇଆ ଥିଲା ସେମାନଙ୍କର ଉଦ୍ଦେଶ୍ୟ।   ସରକାରଙ୍କ ପାଖରେ ଦୂର ଗାଁ ଗଣ୍ଡାରେ ହାଇସ୍କୁଲ ଖୋଲିବା ପାଇଁ ଯଥେଷ୍ଟ ଆର୍ଥିକ ସମ୍ବଳ ନଥିବାରୁ ୧୯୭୦ ମସିହା ପରଠାରୁ ଓଡ଼ିଶା ସରକାର ରାଜ୍ୟ ସ୍ତରୀୟ ଏକ ଉଚ୍ଚ କ୍ଷମତା ବିଶିଷ୍ଟ ସମିତି ବା ହାଇ ପାୱାର କମିଟି ଗଠନ କରିଥିଲେ। ତାର କାମ ହେଲା ସ୍ଥାନୀୟ ଲୋକଙ୍କ ଉପକ୍ରମ ଏବଂ ସହଭାଗିତାରେ ଏମିତି ନୁଆ କରି ସ୍ଥାପିତ ହେଉଥିବା ସ୍କୁଲଗୁଡ଼ିକୁ ସ୍ୱୀକୃତି ଦେବା। ଯେତେବେଳେ କୌଣସି ଗୋଟିଏ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀ ଖୋଲା ଯାଉଥିଲା ସେଥିପାଇଁ ସରକାରଙ୍କର କିଛି ନିୟମ ରହୁଥିଲା। ଏହି ନିୟମ ଅନୁସାରେ ପ୍ରଥମେ କିଛି ତାଲିମ ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ରହୁଥିଲେ। କିଛି ପିଅନ ରହୁଥିଲେ। ଜଣେ ପ୍ରଧାନ ଶିକ୍ଷକ ରହିବା ଜରୁରି ଥିଲା ଆଉ କିଛି କିରାଣୀ ପଦରେ ନିଯୁକ୍ତି ପାଉଥିଲେ। କମରୁ କମରେ ଜଣେ ବିଜ୍ଞାନ ଶିକ୍ଷକ ଏବଂ ଜଣେ କଳା ଶିକ୍ଷକ ରହିବା ଅପରିହାର୍ଯ୍ୟ ଥିଲା। ସେବେ ଯାଇ ପରୀକ୍ଷା ପରିଚାଳନା ପାଇଁ ଯେଉଁ ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ ରହିଛି ତାହା ସେ ସ୍କୁଲ ଗୁଡ଼ିକୁ ଅନୁବନ୍ଧନ ଦିଅନ୍ତି। ଏସବୁ ସ୍କୁଲକୁ ଗାଁର କିଛି ସହୃଦୟ ବ୍ୟକ୍ତି ସମାଜସେବା ମନୋଭାବ ନେଇ ତଥା ଶିକ୍ଷାର ପ୍ରସାର ପାଇଁ ନିଜ ନିଜର ପାଣ୍ଠି ଆଉ ପରିଶ୍ରମରେ ଖୋଲୁଥିଲେ। ସ୍କୁଲ ମ୍ୟାନେଜେମେଣ୍ଟକୁ ଶିକ୍ଷାବିଭାଗର ନିର୍ଦ୍ଦେଶକ ଅନୁମୋଦନ କରୁଥିଲେ। ଦଶମ ଶ୍ରେଣୀ ପରୀକ୍ଷା ପରେ ଏହାକୁ ପ୍ରଥମ ବ୍ୟାଚ ବୋଲି ଗଣତି କରାଯାଏ। ସତୁରି ଦଶକରେ ଅବଶ୍ୟ ଏହା ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ଥିଲା।   ୧୯୯୪ ମସିହାଠାରୁ ଏସବୁ ସ୍କୁଲମାନଙ୍କୁ ଆର୍ଥିକ ଅନୁଦାନ ଦେବାପାଇଁ ସରକାର ଏକ ମାନଦଣ୍ଡ ନିର୍ଦ୍ଧାରଣ କରିଥିଲେ। ଅନୁସୁଚିତ ଅଞ୍ଚଳରେ ଗୋଟିଏ ବ୍ୟାଚ୍ ପରୀକ୍ଷା ଦେଇସାରିବା ପରେ ସେ ସ୍କୁଲକୁ ସର୍ବନିମ୍ନ ଗ୍ରାଣ୍ଟ ଦେବା ଆରମ୍ଭ ହେଉଥିଲା। ବାଳିକା ବିଦ୍ୟାଳୟଗୁଡ଼ିକୁ ସେହିପରି ଗୋଟିଏ ବର୍ଷ ପରେ ସର୍ବନିମ୍ନ ଗ୍ରାଣ୍ଟ ମିଳୁଥିଲା। ଅଣ-ଅନୁସୁଚିତ ଅଞ୍ଚଳରେ ଚାରୋଟି ବ୍ୟାଚ୍ ପରୀକ୍ଷା ଦେଇସାରିବା ପରେ ସ୍କୁଲଗୁଡ଼ିକ ସର୍ବନିମ୍ନ ଗ୍ରାଣ୍ଟ ପାଇବ ପାଇଁ ଯୋଗ୍ୟ ହେଉଥିଲେ। ଅନୁସୁଚିତ ଏବଂ ଅଣ-ଅନୁସୁଚିତ ଅଞ୍ଚଳ ଶିକ୍ଷାର ଅଗ୍ରସରତା ଉପରେ ଆଧାର କରି ନିର୍ଣ୍ଣିତ ହେଉଥିଲେ। ଏହି ମାନଦଣ୍ଡ ଅନୁସାରେ ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିଲେ।   ଏହି ନିୟମ ୧୯୯୪ ମସିହାରେ ଲାଗୁ ହେବା ପୂର୍ବରୁ ଶିକ୍ଷକ ଆନ୍ଦୋଳନ ହୋଇଥିଲା। ସେତେବେଳେ ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିଲେ। ସେ ଏକାଥରକେ ୨୯୨୯ଟି ସ୍କୁଲକୁ ତତକ୍ଷଣାତ୍ ସରକାରୀ ଘୋଷିତ କରିଦେଲେ। ବାକି ରହିଗଲେ ୬୧୦ଟି ସ୍କୁଲ ଯେଉଁ ଗୁଡ଼ିକୁ ଉପରମତେ ଗ୍ରାଣ୍ଟ ପାଇଲେ ସତ ମାତ୍ର ସରକାରୀ ସ୍କୁଲର ମାନ୍ୟତା ପାଇ ପାରିଲେ ନାହିଁ। ଅଥଚ ସେସବୁ ସ୍କୁଲରେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସରକାରୀ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଭଳି କେବଳ ଘରଭଡ଼ା ବ୍ୟତୀତ ଦରମା ଓ ବାକି ସବୁ ସୁବିଧା ପାଉଛନ୍ତି।   ୧୯୯୪ ମସିହା ପରଠାରୁ ଏ ପର୍ଯ୍ୟନ୍ତ ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଅନୁମତି ଦେଇଥିବା ୩,୩୩୪ଟି ଏପରି ହାଇସ୍କୁଲ ଅଛନ୍ତି ଯେଉଁ ଗୁଡ଼ିକ ସରକାରଙ୍କ ବ୍ଲକ୍ ଗ୍ରାଣ୍ଟ ସ୍କୁଲ ପାଇଁ ନିର୍ଦ୍ଧାରିତ ସବୁ ନିୟମାବଳିର ସବୁ ସର୍ତ୍ତ ପୁରଣ କରିଥିଲେ ସୁଦ୍ଧା ସରକାର ତହିଁର ଅଗଣିତ ଶିକ୍ଷକଙ୍କ ପାଇଁ କିଛି ସୁବିଧା କରି ନାହାନ୍ତି। ପାଢୀବାବୁ ସେହି ଭଳି ଗୋଟିଏ ହାଇସ୍କୁଲର ଜଣେ ଅଭାଗା ଶିକ୍ଷକ। ୟା ଭିତରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ପାଞ୍ଚବର୍ଷର ଶାସନ କରି କଂଗ୍ରେସ ସରକାର ଚାଲିଗଲା। ଭାଜପା ସହିତ ମିଶି ନବୀନବାବୁ ୨୦୦୦ ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଆଉ ଚାରି ବର୍ଷ ଶାସନ ଚଳେଇଲେ। ମାତ୍ର ୧୯୯୫ ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟରେ ତିନି ମୁଖ୍ୟ ଦଳର ସରକାରମାନେ ଏହି ଶିକ୍ଷକମାନଙ୍କୁ କୌଣସି ପ୍ରକାର ଗ୍ରାଣ୍ଟ ଦେଲେନାହିଁ। ଦୀର୍ଘ ୯ ବର୍ଷ କାଳ ଶିକ୍ଷକ ଶିକ୍ଷୟିତ୍ରୀମାନେ ବିନା ଗ୍ରାଣ୍ଟ ଆଉ ଦରମାରେ ଓଡ଼ିଶାର ଗରୀବ ପିଲାମାନଙ୍କୁ ପଢାଇବାର ଦାୟିତ୍ବ ନେଲେ।   ୨୦୦୪ ମସିହାରେ ନବୀନ ସରକାର ଗ୍ରାଣ୍ଟ ବ୍ୟବସ୍ଥାକୁ ହିଁ ଉଚ୍ଛେଦ କରିଦେଲେ।  ଆଉ ତା ବଦଳରେ ୨୦୦୪ ମସିହାରେ ବିଜୁ ଜନତା ଦଳ ସରକାର ବ୍ଲକ୍ ଗ୍ରାଣ୍ଟ ନିୟମ ବାହାର କଲେ। ଏହି ନିୟମ ଅନୁସାରେ ସେତେବେଳେ ପାଢୀବାବୁ ଓ ତାଙ୍କ ଭଳି ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାସିକ ମାତ୍ର ୧୫୬୯ ଟଙ୍କା ଗ୍ରାଣ୍ଟ ଦେଲେ। ଏହା ଦରମା ନଥିଲା, ଗ୍ରାଣ୍ଟ ଥିଲା। ଦରମା ନାଆଁ ଦେଇଥିଲେ ତା ସହିତ ଆନୁସଙ୍ଗିକ ସାମାଜିକ ନିରାପତ୍ତା ସୁବିଧା ଦେବାକୁ ପଡ଼ିଥାନ୍ତା। ତେଣୁ ଚତୁର ଆଇଏଏସ୍ ଅଫିସରମାନେ ଏହାକୁ ଗ୍ରାଣ୍ଟ କହିଲେ। ସେତେବେଳେ ପଞ୍ଚମ ବେତନ କମିଶନ ଲାଗୁ ହୋଇଥାଏ। କିନ୍ତୁ ଏସବୁ ସ୍କୁଲ ଶିକ୍ଷକମାନଙ୍କୁ ଚତୁର୍ଥ ବେତନ କମିଶନ ଅନୁସାରେ ଦରମାର (ମୂଳ ଦରମା ଯୁକ୍ତ ଗ୍ରେଡ୍ ପ୍ରାପ୍ୟ)ର ୪୦ ପ୍ରତିଶତ ରାଶି ଗ୍ରାଣ୍ଟ ଆକାରରେ ମିଳିଲା। ଏହିପରି ଯେଉଁ ମାସିକ ୧୫୭୦ ଟଙ୍କା ଗ୍ରାଣ୍ଟ ନିର୍ଦ୍ଧାରିତ ହେଲା। ସେଥିରୁ ବି ଅଡ଼ିଟ ବାବଦକୁ ଟଙ୍କାଟୀଏ କାଟି ତାଙ୍କୁ ଦିଆ ହେଲା ୧୫୬୯ ଟଙ୍କା।   ବର୍ତ୍ତମାନ ବି ଷଷ୍ଠ ବେତନ କମିଶନ ଅନୁସାରେ ସେଭଳି ସ୍କୁଲରେ ଜଣେ ତାଲିମପ୍ରାପ୍ତ ଗ୍ରାଜୁଏଟ ଶିକ୍ଷକର ଗ୍ରାଣ୍ଟ ପାଉଣା ବଢି ମାତ୍ର ୧୩,୫୦୦ ଟଙ୍କାରେ ପହଞ୍ଚିଛି। ଆଉ ପିଅନକୁ ମିଳୁଛି ମାସିକ ମାତ୍ର ୬,୨୦୦ ଟଙ୍କା। ମୁଁ ପାଢୀବାବୁଙ୍କୁ ପଚାରିଲି କଣ ଏ ସରକାରୀ ଗ୍ରାଣ୍ଟ ବ୍ୟତୀତ ସ୍କୁଲ ମ୍ୟାନେଜମେଣ୍ଟ ତରଫରୁ ସେମାନଙ୍କୁ କିଛି ମିଳେ ନାହିଁ? ପାଢୀବାବୁ କହିଲେ, ନା, ସ୍କୁଲ ମ୍ୟାନେଜମେଣ୍ଟ ତରଫରୁ କିଛି ମିଳେ ନାହିଁ; କାରଣ ତାଙ୍କ ପାଖରେ କିଛି ଅର୍ଥ ନାହିଁ।   ଭତ୍ତା ଅର୍ଥ ହେଲା ପାରିଶ୍ରମିକ। ଆମେ ଖଟିଲୁ ତ ପାରିଶ୍ରମିକ ପାଇଲୁ। ନହେଲେ ନାହିଁ, ପାଢୀବାବୁ କହିଲେ। ମୁଁ ପଚାରିଲି, ବୁଝି ହେଲା ନାହିଁ। ତା’ ମାନେ ଆପଣ କ’ଣ କହୁଛନ୍ତି ଆପଣମାନଙ୍କ ପାଇଁ ଛୁଟି ସୁବିଧା ନାହିଁ? ପାଢୀବାବୁ ହଁ ଭରିଲେ। କହିଲେ, ଆମ ପାଇଁ କିଛି ଛୁଟି ଫୁଟି ନାହିଁ। ରୋଗ ବେମାରରେ ପଡ଼ କି ଘରେ ଆଜି କିଛି ପର୍ବ ପର୍ବାଣି ଥାଉ, ସ୍କୁଲ ଯିବାକୁ ପଡ଼ିବ। ନ ଗଲେ ଯେତେ ଦିନ ସ୍କୁଲ ଯିବା ବନ୍ଦ ସେତେଦିନର ଭତ୍ତା କଟିବ। ଏହିଭଳି ଓଡ଼ିଶାରେ ୩,୩୩୪ ଟି ସ୍କୁଲ ଅଛନ୍ତି ଯହିଁରେ ସମୁଦାୟ ୩୧,୮୭୪ ଶିକ୍ଷକ ଶିକ୍ଷୟିତ୍ରୀ ଦିନ ମଜୁରି ଖଟୁଛନ୍ତି।   ବ୍ଲକ୍ ଗ୍ରାଣ୍ଟ ସେକେଣ୍ଡାରୀ ସ୍କୁଲ ଟିଚର୍ସ ଆଣ୍ଡ୍ ଏମ୍ପ୍ଲୋଇଜ୍ ଆସେସିଏସନ ସମ୍ପାଦକ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଫୋନ୍ କଲାରୁ ଜଣା ପଡ଼ିଲା ଯେ ଓଡ଼ିଶାର ପ୍ରାୟ ସାଢେ ଚାରି ଲକ୍ଷ ଛାତ୍ରଛାତ୍ରୀ ଏହି ଶିକ୍ଷକ ଶିକ୍ଷୟିତ୍ରୀଙ୍କଠାରୁ ପାଠ ପଢୁଛନ୍ତି। ଏଥିରେ ଯଦି ଆପଣ ୯୧୬ଟି ମଧ୍ୟ ପ୍ରାଥମିକ ବା ମାଇନର ସ୍କୁଲ ଯୋଡ଼ିଦେବେ ତାହେଲେ ସେଥିରେ ଆଉ ୨,୦୦୦ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ପାଠ ପଢାଉଛନ୍ତି। ୪୮୮ଟି ପୁରୁଣା କଲେଜରେ ପାଖାପାଖି ୮,୦୦୦ ଏବଂ ୬୬୨ ଟି ନୁଆ କଲେଜରେ ୧୫,୦୦୦ରୁ ଉର୍ଦ୍ଧ୍ୱ ବ୍ଲକ୍ ଗ୍ରାଣ୍ଟ ଅଧ୍ୟାପକ ପାଠ ପଢାଉଛନ୍ତି। ଏହି ଅଧ୍ୟାପକମାନଙ୍କୁ ଯଥାକ୍ରମେ ୧୬ ହଜାର ଏବଂ ୧୪ ହଜାର ଟଙ୍କା ମାସିକ ଭତ୍ତା ମିଳେ। ସେହିସବୁ କଲେଜରେ ନିୟମିତ ଅଧ୍ୟାପକଙ୍କୁ ତାର ପାଞ୍ଚରୁ ଛ ଗୁଣା ଦରମା ମିଳିଥାଏ। ଏମିତି ମୋଟରେ ୬୦ ହଜାର ଶିକ୍ଷକ ଓ ଅଧ୍ୟାପକ ନବୀନବାବୁଙ୍କ ଅମଳରେ ଭତ୍ତା ପାଇଁ ପିଲାଙ୍କୁ ପାଠ ପଢେଇବାର ଠିକା ନେଇଛନ୍ତି। ଶିକ୍ଷାବ୍ୟବସ୍ଥା ଯେମିତି ସେମିତି ଚାଲି ଯାଉଛି।   ସେସବୁ ସ୍କୁଲଗୁଡ଼ିକର ଅବସ୍ଥା କେମିତି? ଭିତ୍ତିଭୂମି ବା ଇନଫ୍ରାଷ୍ଟ୍ରକଚର ପାଇଁ ସରକାର କିଛି ଅନୁଦାନ ଦିଅନ୍ତି କି? ମୁଁ ପଚାରିଲି ପାଢୀବାବୁଙ୍କୁ। ସରକାରଙ୍କ ସର୍ବଶିକ୍ଷା ଅଭିଯାନ ଯୋଜନା ରହିଛି। କେନ୍ଦ୍ର ସରକାର ଏଥିପାଇଁ ଅର୍ଥରାଶି ଓଡ଼ିଶା ସରକାରଙ୍କୁ ବି ଯୋଗେଇ ଦେଇଥାନ୍ତି। ମାତ୍ର ଓଡ଼ିଶାରେ ଏ ଯୋଜନା ପହଞ୍ଚିଲା ବେଳକୁ ସର୍ବଶିକ୍ଷାରୁ ସର୍ବ ଭାଗଟି ହଟିଯାଏ। ଅର୍ଥାତ ବ୍ଲକ୍ ଗ୍ରାଣ୍ଟ ସ୍କୁଲ ଗୁଡ଼ିକୁ ତହିଁରୁ କାଣି କଉଡ଼ିଟିଏ ମିଳେନାହିଁ। କେବଳ ସରକାରୀ ସ୍କୁଲକୁ ଏଥିରୁ ପଇସା ମିଳେ। ଆମେ ଆନ୍ଦୋଳନ କରିବା ଦ୍ୱାରା ଏବେ କିଛି ମଧ୍ୟାହ୍ନ ଭୋଜନ ମିଳୁଛି ଅଷ୍ଟମ ଶ୍ରେଣୀ ପିଲ୍ଲାଙ୍କୁ। ଏହି ବର୍ଷ କିଛି ସ୍କୁଲରେ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ସ୍କୁଲ ବହି ମଧ୍ୟ ମିଳିଛି। ସେ କହିଲେ।   ଏମିତି ବ୍ଲକ୍ ଗ୍ରାଣ୍ଟ ସ୍କୁଲ କ’ଣ ଭୁବନେଶ୍ୱରରେ ବି ଅଛି? ପଚାରିଲାରୁ ପାଢୀବାବୁ କହିଲେ, ଅବଶ୍ୟ ଅଛି। ମଞ୍ଚେଶ୍ୱରର ସେଭେନ୍ଥ୍ ବାଟାଲିୟନ ଛୌଣି ପାଖରେ ଏମିତି ଗୋଟିଏ ସ୍କୁଲ ରହିଛି। ହେଲେ ପିଲା କ’ଣ ଆସୁଥିବେ? ଭୁବନେଶ୍ୱରରେ ତ ସଭିଏଁ ଧାଇଁଲେ ଇଂରାଜୀ ମିଡ଼ିୟମ ସ୍କୁଲକୁ! ପାଢୀବାବୁ କହିଲେ, ଆମ ଭଳି ଗ୍ରାମାଞ୍ଚଳ ବ୍ଲକ୍ ଗ୍ରାଣ୍ଟ ସ୍କୁଲରେ ବହୁତ ପିଲା। ଉଦାହରଣ ସ୍ୱରୁପ, ମୁଁ ରହୁଛି ଗଜପତି ଜିଲ୍ଲାର ମାଓବାଦୀ ପ୍ରବଣ ମୋହନା ବ୍ଲକର ପାଣିଗଣ୍ଡା ପଞ୍ଚାୟତରେ। ମୋ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ଏବର୍ଷ ୧୨୯ ପିଲା ନାଁ ଲେଖେଇଛନ୍ତି। ନବମ ଶ୍ରେଣୀରେ ୧୧୨ ଆଉ ଦଶମ ଶ୍ରେଣୀରେ ୭୧ ଛାତ୍ରଛାତ୍ରୀ ଅଛନ୍ତି।   ଏବେ କୁହନ୍ତୁ ଆପଣଙ୍କର ଦାବିସବୁ କ’ଣ? ମୁଁ ପଚାରିଲି।   ଆମର ଦାବି ହେଉଛି ଆମ ସ୍କୁଲ ଗୁଡ଼ିକର ସରକାରୀକରଣ କରାଯାଉ। ଯେମିତି ୧୯୯୪ ମସିହାରେ ହୋଇଥିଲା ସେମିତି ସରକାର ଏହି ସ୍କୁଲଗୁଡ଼ିକୁ ପୂର୍ଣ୍ଣତଃ ଟେକ୍ ଓଭର କରନ୍ତୁ।   ସରକାରଙ୍କର ଯୁକ୍ତି ହେଲା, ଅର୍ଥ ନାହିଁ। ପାଢୀବାବୁଙ୍କ କହିବା ଅନୁସାରେ ଏଥିପାଇଁ ବର୍ଷକୁ ୨୪୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ମାତ୍ର ବିଡ଼ମ୍ବନା ହେଉଛି ନବୀନବାବୁ ରାଜ୍ୟରେ ପିଲାମାନଙ୍କର ପାଠପଢା ପାଇଁ ୧୭ ବର୍ଷ ଚେଷ୍ଟା କରି ମଧ୍ୟ ୨୪୦୦ କୋଟି ଟଙ୍କା ଯୋଗାଡ଼ କରି ପାରୁ ନାହାନ୍ତି। ୧୯୯୪ର କଥା ଭୁଲି ଯାଆନ୍ତୁ। ସେତେବେଳେ ବିଜୁବାବୁଙ୍କ ସମୟ ଥିଲା। ହଜାର ହଜାର ଶିକ୍ଷକଙ୍କ ମେଳରେ ନିଜେ ପହଞ୍ଚିଗଲେ। ମୁଖ୍ୟ ସଚିବଙ୍କୁ ପଚାରିଲେ ସେମାନଙ୍କୁ ସରକାରୀ କରିଦେଲେ କେତେ ଟଙ୍କା ଲାଗିବ? ଉତ୍ତର ମିଳିଲା ମାତ୍ରେ ସାଙ୍ଗେ ସାଙ୍ଗେ ୨,୯୨୯ଟି ସ୍କୁଲକୁ ସରକାରୀ କରିଦେଲେ। ତା ପୁଣି ନିର୍ବାଚନ ଆଚରଣ ବିଧିଲାଗୁ ହେବାର କେଇ ଘଣ୍ଟା ପୂର୍ବରୁ।   ମାତ୍ର ଏବେ ତ ନବୀନବାବୁଙ୍କ ଶାସନ ଚାଲିଛି। ବିଜୁବାବୁ ଆନ୍ଦୋଳନରତ ଶିକ୍ଷକଙ୍କ ଧାରଣାସ୍ଥଳ ଆଗରେ ପୋଷ୍ଟର ଭିତରୁ ସେମାନଙ୍କୁ ବଲବଲ କରି ଚାହିଁଛନ୍ତି। ଭାବୁଥିବେ କେତେଦିନ ତାଙ୍କ ନାଁ ନେଇ ତାଙ୍କ ସୁପୁତ୍ର ଏପରି କରି ଚାଲିଥିବ! ଆମ୍ ଆଦମୀ ପାର୍ଟି ନେତା ଆଶୁତୋଷଙ୍କ ଭାଷାରେ ନବୀନବାବୁଙ୍କର ଏକମାତ୍ର ଯୋଗ୍ୟତା ହେଉଛି ସେ ବିଜୁବାବୁଙ୍କ ପୁଅ। ପଇସା କାହିଁକି ନାହିଁ? ନବେ ହଜାର କୋଟି ଟଙ୍କାର ବଜେଟରେ ଟଙ୍କିକିଆ ଚାଉଳ ଯୋଜନାରେ ତ ମାତ୍ର ୪୮୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। କେବଳ ବିଜୁସେତୁ ଯୋଜନାକୁ ଛାଡ଼ିଦେଲେ ସରକାର ଫି ଦିନ ଘୋଷଣା କରୁଥିବା ଛତୁ ଫୁଟିଲା ଭଳି ଯୋଜନାରେ ନାମକୁ ମାତ୍ର ଟଙ୍କା ଖର୍ଚ୍ଚ ହୁଏ। ଏମିତି ବି କେତେ ଯୋଜନା ଅଛି ଯେଉଁଥିରେ ଓଡ଼ିଶା ସରକାର ବର୍ଷକୁ କୋଟିଏ ଟଙ୍କା ବି ଖର୍ଚ୍ଚ କରନ୍ତି ନାହିଁ।   ଆମକ୍ରାନ୍ତି ପତ୍ରିକାର ଏକ ସଂଖ୍ୟାରେ ବନ୍ଧୁ ଅଖିଳେଶ ଦାସ ଲେଖିଥିଲେ ଯେ ସବୁ ଶିଳ୍ପ ଅପେକ୍ଷା ପର୍ଯ୍ୟଟନ ଶିଳ୍ପ ସବୁଠାରୁ ଅଧିକ ରୋଜଗାର ଯୋଗେଇବାରେ ସମର୍ଥ । ପ୍ରତିବର୍ଷ ଭାରତକୁ ଆସନ୍ତି ୬ ନିୟୁତ ବିଦେଶୀ ପର୍ଯ୍ୟଟକ। ତହିଁରୁ ଓଡ଼ିଶାକୁ ଆସନ୍ତି ମାତ୍ର ୬୫,୦୦୦ । ଅଥଚ କେରଳ ଭଳି ରାଜ୍ୟକୁ ପ୍ରତିବର୍ଷ ଏକ ନିୟୁତରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେରଳ ପ୍ରତିବର୍ଷ କେବଳ ପର୍ଯ୍ୟଟନ ଶିଳ୍ପରୁ ୨୬,୦୦୦ କୋଟି ଟଙ୍କା ଆୟ କରିଥାଏ ଯାହା ରାଜ୍ୟ ଜିଡ଼ିପିର ୧୦ ଶତାଂଶ। ଭାବନ୍ତୁ ଓଡ଼ିଶାର ସ୍ଥିତି! ଯଦି ଓଡ଼ିଶା କେବଳ ପର୍ଯ୍ୟଟନ ଶିଳ୍ପ ଉପରେ ହିଁ ଗୁରୁତ୍ବ ଦିଅନ୍ତା, କେତେ ରାଜସ୍ବ ମିଳନ୍ତା! ଏହି ଗୋଟିଏ ଶିଳ୍ପରୁ ହିଁ ଆଉ କେତେ ଶିକ୍ଷିତ ଯୁବକ, ଯୁବତୀ ରୋଜଗାର ପାଇପାରନ୍ତେ! କିନ୍ତୁ ନବୀନ ସରକାର ତ ଭୋଟ ଚକ୍କରରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଖଣ୍ଡିଏ ଲଞ୍ଚ କରି ଅଜାଆଈମାନଙ୍କୁ ମଥୁରା ବୃନ୍ଦାବନ ବୁଲେଇବାରେ ବ୍ୟସ୍ତ। ଭଲା ବୁଝନ୍ତେ କି ଯେ ଯଦି ସେ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ କରି ଶିକ୍ଷିତ ଯୁବକଯୁବତୀଙ୍କୁ ରୋଜଗାରକ୍ଷମ କରେଇଦିଅନ୍ତେ ତା’ହେଲେ ସେମାନେ ନିଜେ ନିଜ ବୃଦ୍ଧ ବାପାମାଆଙ୍କ ତୀର୍ଥ ଭ୍ରମଣର ସ୍ୱପ୍ନ ପୂରା କରିପାରନ୍ତେ। ଉଦାର ହୃଦୟ ନବୀନଙ୍କ ଭିକ ଅପେକ୍ଷାରେ ରହନ୍ତେ ନାହିଁ। ଆଉ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକଙ୍କୁ ନିୟମ

Share :