ଆଇନଜୀବୀଙ୍କ ଧର୍ମଘଟ ବେଆଇନ !

ଆଇନଜୀବୀଙ୍କ ଧର୍ମଘଟ ବେଆଇନ !

Share :

  ଭାରତୀୟ ସମ୍ବିଧାନରେ ଧର୍ମଘଟ କରିବାର ଅଧିକାର ସମସ୍ତଙ୍କୁ ଦିଆଯାଇଛି | କିନ୍ତୁ ଏହି ଅଧିକାର ଯେପରି କୌଣସି ଗୋଷ୍ଠୀ ବା ସଂପ୍ରଦାୟର ମୌଳିକ ଅଧିକାରର ଉଲ୍ଲଙ୍ଘନ ନକରେ ତାହା ସବୁଠୁ ବଡ଼ କଥା | ଯଦି କାହାର ବା କେଉଁ ଗୋଷ୍ଠୀର ଧର୍ମଘଟ  କରିବାର ଅଧିକାର ଅନ୍ୟ ବୃହତ୍ତର ଜନସମୁଦାୟର ମୌଳିକ ଅଧିକାର କ୍ଷୁର୍ଣ୍ଣ କରେ ତେବେ ତାହା ବେଆଇନ ସାବ୍ୟସ୍ତ ହେବ | ୧୯୯୭ ମସିହାରେ ଏମିତି ଏକ ଐତିହାସିକ ରାୟ ଦେଇଥିଲେ ସୁପ୍ରିମ କୋର୍ଟ | କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ବନାମ ଭାରତ କୁମାର ମାମଲାରେ କେରଳ ହାଇକୋର୍ଟଙ୍କ ମତ ସହିତ ଏକମତ ହୋଇ ସୁପ୍ରିମ କୋର୍ଟ କହିଥିଲେ ଯେ ଦେଶବାସୀଙ୍କର ସାମୂହିକ ମୌଳିକ ଅଧିକାର କୌଣସି ଜଣେ ନିଦ୍ଦିର୍ଷ୍ଟ ବ୍ୟକ୍ତି ବା ଗୋଟିଏ ନିଦ୍ଦିର୍ଷ୍ଟ ଗୋଷ୍ଠୀର ମୌଳିକ ଅଧିକାର ତୁଳନାରେ ଅଧିକ ଗୁରୁତ୍ବପୂର୍ଣ୍ଣ| ସେହିପରି ୨୦୦୩ ମସିହାରେ ହରିଶ ଉପ୍ପଲ ବନାମ ଭାରତ ସରକାର ମାମଲାରେ ମଧ୍ୟ ସୁପ୍ରିମ କୋର୍ଟ ଏହି ମତ ପୋଷଣ କରିଥିଲେ | ସେହି ମାମଲାର ରାୟ ପ୍ରଦାନ କରି ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବେ କହିଥିଲେ ଯେ ଆଇନଜୀବୀମାନେ ଧର୍ମଘଟ କରିବା ବେଆଇନ | କାରଣ ଏହା ଜନ ସାଧାରଣଙ୍କର ସାମୂହିକ ମୌଳିକ ଅଧିକାରର ପରିପନ୍ଥୀ | ଏହି ମାମଲାର ବିଚାର କରି ସୁପ୍ରିମ କୋର୍ଟର ଏକ ତିନି ଜଣିଆ ଖଣ୍ଡପୀଠ ଘୋଷଣା କରିଥିଲେ ଯେ ଆଇନଜୀବୀମାନେ ପ୍ରେସ୍ ବିବୃତି ବା ସାକ୍ଷାତକାର ଦେଇ, କୋର୍ଟ ପରିସରକୁ ବ୍ୟାନର୍, ପ୍ଲାକାର୍ଡ଼ ଇତ୍ୟାଦି ଧରି ଆସି, କଳା ବା ଧଳା ବା ଅନ୍ୟ ଯେକୌଣସି ରଙ୍ଗର ବ୍ୟାଜ୍ ପରିଧାନ କରି କୋର୍ଟ ବାହାରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା କରି, ଧାରଣା ବା ରିଲେ ଅନଶନ କରି ନିଜର ପ୍ରତିବାଦ ପ୍ରଦର୍ଶନ କରିପାରିବେ | କିନ୍ତୁ ଆଇନଜୀବୀମାନେ ନ୍ୟାୟର ମାଧ୍ୟମ ହୋଇଥିବାରୁ ଧର୍ମଘଟ କରି କୋର୍ଟକାର୍ଯ୍ୟ ଅଚଳ କରିବା ନ୍ୟାୟ ପ୍ରଦାନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରେ | ତେଣୁ ସେମାନଙ୍କର ଧର୍ମଘଟ ଭାରତୀୟ ସମ୍ବିଧାନରେ ଜନ ସାଧାରଣଙ୍କୁ ଦିଆଯାଇଥିବା ମୌଳିକ ଅଧିକାରର ଉଲ୍ଲଙ୍ଘନ ହୋଇଥିବାରୁ ତାହା ବେଆଇନ ବୋଲି ସୁପ୍ରିମ କୋର୍ଟ ରାୟ ଦେଇଥିଲେ | ଏହି ରାୟ ଦୃଷ୍ଟିରୁ ବିଚାର କଲେ ଓଡ଼ିଶା ବାର୍ କାଉନ୍ସିଲ ବିଭିନ୍ନ ଛୋଟବଡ଼ ପ୍ରସଙ୍ଗରେ ଦେଉଥିବା ଧର୍ମଘଟ ଡାକରା ସଂପୂର୍ଣ୍ଣ ବେଆଇନ | ପୂର୍ବତନ ଆଡ଼ଭୋକେଟ୍ ଜେନେରାଲ ଅଶୋକ ମହାନ୍ତିଙ୍କୁ ସିବିଆଇ ଗିରଫ କରିଥିବା ଘଟଣାର ପ୍ରତିବାଦ କରି ବାର୍ କାଉନ୍ସିଲ୍ ଦୁଇ ଦିନ ଧର୍ମଘଟ ପାଳନ କରିଥିଲା | ସୁପ୍ରିମ କୋର୍ଟଙ୍କ ଉପରୋକ୍ତ ରାୟ ଦୃଷ୍ଟିରୁ ଏହି ଧର୍ମଘଟ ଏକେତ ବେଆଇନ ଥିଲା ଦୁତିଏ ଏହା ମଧ୍ୟ ଅପରାଧ ମାମଲାର ତଦନ୍ତ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା, ଯାହା ଆଇନ ବୃତ୍ତିର ମୂଳ୍ୟବୋଧ ବହୁର୍ଭୂତ | ଏହିପରି ଅନକ ଘଟଣାର ବାର୍ କାଉନ୍ସିଲ ନିଜେ ଧର୍ମଘଟ କରିବା ସହିତ ରାଜ୍ୟର ସବୁ କୋର୍ଟ ଓ ସବୁ ବାର୍ ଧର୍ମଘଟ କରିବାକୁ ମଧ୍ୟ ଆହ୍ବାନ ଜଣାଇଥାଏ | ବାର୍ କାଉନ୍ସିଲ ନିଜ ବୃତ୍ତିର ଲୋକଙ୍କ ପାଇଁ ଯେତ ତତ୍ପର ଅନ୍ୟ ବୃତ୍ତିର ଲୋକଙ୍କ ପାଇଁ ସେତିକି ତ୍ପରତା ପ୍ରକାଶ କରୁଥିଲ ରାଜ୍ୟରେ ଘଟୁଥିବା ଅନେକ ଅନ୍ୟାୟ ଘଟଣା ଘଟନ୍ତା ନାହିଁ | ପୂର୍ବତନ ମହାଧିବକ୍ତା ଅଶୋକ ମହାନ୍ତିଙ୍କ ଗିରଫଦାରି ବିରୋଧରେ ଧର୍ମଘଟ ଡାକରା ଦେବାବେଳ ବାର୍ କାଉନ୍ସିଲର ମତ ଦେଇଥିଲା ଯେ ଅର୍ଥତତ୍ତ୍ବ ଚିଟ୍ ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ସିବିଆଇ ବେଆଇନ ଭାବେ ପୂର୍ବତନ ଆଡ଼ଭୋକେଟ୍ ଜେନେରାଲ୍ ତଥା କାଉନ୍ସିଲର ପୂର୍ବତନ ସଭାପତି ଅଶୋକ ମହାନ୍ତିଙ୍କୁ ଗିରଫ କରିଥିଲା | ସେମାନଙ୍କ ଯୁକ୍ତି ଅନୁସାରେ ଯଦି ସିବିଆଇ ନିକଟରେ ଅଶୋକ ମହାନ୍ତିଙ୍କ ବିରୋଧରେ ପ୍ରମାଣ ଥିଲା ତେବେ ସିଧା କୋର୍ଟରେ ଦାଖଲ କରି ତାଙ୍କୁ କାଠଗଡ଼ାକୁ ଟଣାଯାଇ ପାରିଥାନ୍ତା | ଯଦି ନଥିଲା ତେବେ ତାଙ୍କୁ ଜେରା କରାଯାଇ ପାରିଥାନ୍ତା | ମାତ୍ର, ତାଙ୍କୁ ପୂର୍ବରୁ ସୂଚନା ନଦେଇ ଛଦ୍ମବେଶରେ ଯାଇ ତାଙ୍କ ଘରୁ ମହାନ୍ତିଙ୍କ ପରି ଜଣେ ପ୍ରତିଷ୍ଠିତ ତଥା ବରିଷ୍ଠ ଆଇନଜୀବୀଙ୍କୁ ଗିରଫ କରିବା ବେଆଇନ ବୋଲି ବାର୍ କାଉନ୍ସିଲ୍ ମତ ଦେଇଥିଲା | ରାଜ୍ୟର ଅନ୍ୟ ଶହଶହ ହଜାର ହଜାର ଘଟଣାରେ ପୁଲିସ ଏମିତି ରାତିଅଧିଆ ଗିରଫଦାରି କରୁଥିଲେ ମଧ୍ୟ ବାର୍ କାଉନ୍ସିଲ କେତେ ଥର ପ୍ରତିବାଦ କରିଛି ତାହା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼େ ନାହିଁ | ପୁଲିସର ଥାର୍ଡ଼ ଡିଗ୍ରୀ ମାଡ଼ରେ ହାଜତରେ ଅଭିଯୁକ୍ତର ମୃତ୍ୟୁ ହେଲେ ମଧ୍ୟ ଓକିଲମାନେ ତାହାର ବିରୋଧ କରନ୍ତି ନାହିଁ | ଖଣି ଦୁର୍ନୀତିରେ ସୁପ୍ରିମ କୋର୍ଟଙ୍କ ପୂର୍ବ ରାୟ ଉଲ୍ଲଙ୍ଘନ କରି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭେଙ୍କଟେଗୌଡ଼ ଚୂଡ଼ାନ୍ତ ଶୁଣାଣି କରିବାର ପ୍ରାୟ ତିନି ବର୍ଷ ଯାଏଁ ରାୟ ପ୍ରକାଶ ନକରି ପକାଇ ରଖିଲେ ମଧ୍ୟ ଓକିଲମାନେ ତାହାର ପ୍ରତିବାଦ ସ୍ବରୂପ କୋର୍ଟ ବର୍ଜନ କଲେ ନାହିଁ | ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁସାରେ କୌଣସି ମାମଲାର ଚୂଡ଼ାନ୍ତ ଶୁଣାଣି ଶେଷ ହେବାର ସର୍ବାଧିକ ୩ ମାସ ମଧ୍ୟରେ ରାୟ ଘୋଷଣା କରାଯିବା ଉଚିତ | ଯେଉଁ ବିଚାରପତି ଏହା ନକରନ୍ତି ତାଙ୍କର ବିଚାରପତି ହେବାର ଯୋଗ୍ୟତା ନାହିଁ ବୋଲି ସୁପ୍ରିମ କାର୍ଟ ବିହାରର ଏକ ମାମଲାରେ ମଧ୍ୟ ମନ୍ତବ୍ୟ ଦେଇଥିଲେ | ସେହିପରି କେନ୍ଦ୍ରାପଡ଼ାରେ ଜଣେ ଓକିଲ ତଥା ବିଜେପି ଜିଲ୍ଲା ସଭାପତିଙ୍କ ପ୍ରତି ପୁଲିସ କାର୍ଯ୍ୟାନୁଷ୍ଠାନ, ବୌଦ୍ଧର ଜଣେ ଆଇନଜୀବୀଙ୍କ ହତ୍ୟା, ଓଡ଼ିଶା ପ୍ରାଶାସନିକ ଟ୍ରିବ୍ୟୁନାଲ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆଦି ଅନେକ ମାମଲାରେ ଆଇନଜୀବୀମାନେ ରାସ୍ତାକୁ ଓହ୍ଲାଇ ଆସୁଛନ୍ତି, କୋର୍ଟ କାର୍ଯ୍ୟ ଅଚଳ କରୁଛନ୍ତି | ସେମାନଙ୍କର ଏତାଦୃଶ କାର୍ଯ୍ୟ ଫଳରେ ନ୍ୟାୟପ୍ରାର୍ଥ ନିରୀହ ଜନତାଙ୍କର ଲାଭ ହେଉଛି ନା କ୍ଷତି ? ଓକିଲମାନେ କୋର୍ଟ ଅଚଳ କଲେ ନ୍ୟାୟ ବିଳମ୍ବିତ ହେଉ ନାହିଁ କି? ବିଚାର ପ୍ରକ୍ରିୟା ବିଳମ୍ବିତ ହେଲେ ନ୍ୟାୟର ମୂଲ୍ୟ ବୃଦ୍ଧି ଘଟୁ ନାହିଁ କି ? ଏହା ସହିତ ନ୍ୟାୟପ୍ରାର୍ଥୀ ମହକିଲମାନେ ଓକିଲ ଧର୍ମଘଟ ଯୋଗୁଁ ଅନେକ ସମୟରେ ଅଯଥା ଯନ୍ତ୍ରଣା ଭୋଗ କରୁ ନାହାନ୍ତି କି ?

Share :