ଜାପାନୀ ଜର ପାଇଁ ବି କେନ୍ଦ୍ର ଦାୟୀ!

ଜାପାନୀ ଜର ପାଇଁ ବି କେନ୍ଦ୍ର ଦାୟୀ!

Share :

ନେଡ଼ିଗୁଡ଼ କହୁଣୀକୁ ଗଡ଼ିଗଲା ପରେ ବି କେନ୍ଦ୍ର ସରକାର ଓ ଗରୀବ ଲୋକଙ୍କୁ ଦୋଷ ଦେଇ ଜାପାନୀ ଜର ରୋକିବାରେ ଆପଣାର ଅପାରଗତା ଲୁଚାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ଜାପାନୀ ଜର ବା ଜାପାନୀଜ୍‌ ଏନସେଫାଲାଇଟିସ ସଂକ୍ରମଣର ତାଜା ସ୍ଥିତି ସଂପର୍କରେ ସମୀକ୍ଷା କରି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ଏହି ରୋଗ ସଂକ୍ରମଣ ସମୟରେ ଟୀକା ନଦେବା ଲାଗି ଏପରିକି ଜିଲ୍ଲାର ଯେଉଁ ଅଂଚଳରେ ଶିଶୁମାନେ ଆକ୍ରାନ୍ତ ହୋଇ ନାହାନ୍ତି ସେଠାରେ ମଧ୍ୟ ଟୀକା ନଦେବା ଲାଗି କେନ୍ଦ୍ର ସରକାର କହିଛନ୍ତି। ନଭେମ୍ୱରରୁ ଓଡ଼ିଶାରେ ଜାପାନିଜ ଏନସେଫାଲାଇଟିସର ଟୀକାକରଣ ଆରମ୍ଭ ହେବାକୁ ରହିଛି। କିନ୍ତୁ ବର୍ତ୍ତମାନ କୌଣସି ପରିସ୍ଥିତିରେ ସଂକ୍ରମିତ କିମ୍ୱା ଅଣସଂକ୍ରମିତ ଅଂଚଳରେ ଟୀକା ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସ୍ପଷ୍ଟ କରିଛି ବୋଲି ସେ କହିଛନ୍ତି। ସେ ଏହା କହି କେନ୍ଦ୍ର ଆଡ଼କୁ କଥା ବୁଲାଇବାକୁ ଚେଷ୍ଟା କରିଥିବାବେଳେ ତାଙ୍କ ଦଳର ରବି ନନ୍ଦ କହିଛନ୍ତି ଯେ କେନ୍ଦ୍ର ଏଯାଏଁ ଡାକ୍ତରୀ ଦଳ ପଠାଇଲା ନାହିଁ କି ଟୀକା ଦେଲା ନାହିଁ।   କିନ୍ତୁ ଏ ଦୁଇ ନେତା ନିଜ ସରକାରର ଅପାରଗତା ଓ ଅବହେଳାକୁ ସ୍ବୀକାର କରି ନାହାନ୍ତି। ୨୦୧୧-୧୨ ବର୍ଷରେ ମାଲକାନଗିରିର ଜାପାନୀ ଜର ଦେଖା ଦେଇଥିଲା। ସେତେବେଳେ ରାଜ୍ୟ ସରକାର ଏହାର ନିରାକରଣ ଦିଗରେ ଆଦୌ ତତ୍ପରତା ପ୍ରକାଶ କଲେ ନାହିଁ। ଏବେ କେନ୍ଦ୍ର ଟୀକା ଦେଲା ନାହିଁ କହି ପର ମୁଣ୍ଡରେ ଅଠା ବୋଳିବାର ଚେଷ୍ଟା କରୁଛନ୍ତି।   ୨୦୧୬ ଅକ୍ଟୋବର ୮ ତାରିଖ ସୁଦ୍ଧା କେବଳ ମାଲକାନଗିରି ଜିଲ୍ଲାରେ ୧୧୬ ଜଣ ଜାପାନୀ ଜରରେ ଆକ୍ରାନ୍ତ ବା ସନ୍ଦେହରେ ଚିକିତ୍ସିତ ହେବାକୁ ଆସିଥିବା ବେଳେ ସେଥିରୁ ୪୪ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହି ରୋଗରେ ପ୍ରାଣ ହରାଇଥିବା ପ୍ରାୟ ସମସ୍ତେ ହେଲେ ଶିଶୁ।   ମନ୍ତ୍ରୀ କହିଛନ୍ତି ଯେ, ୯ ଜଣ ଡାକ୍ତରଙ୍କୁ ମାଲକାନଗିରି ପଠାଯାଇଛି ଓ ସେଠାରେ ସେମାନେ ରହି ଚିକିତ୍ସା ସେବା ଯୋଗାଉଛନ୍ତି। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାଃ କୈଳାଶ ଚନ୍ଦ୍ର ଦାଶ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମସଚିବ ଅଜିତ ମିଶ୍ର ଏବଂ ଯୁଗ୍ମନିଦ୍ଦେର୍ଶକ ଡାଃ ମଦନମୋହନ ପ୍ରଧାନ ମଧ୍ୟ ମାଲକାନଗିରିରେ କ୍ୟାମ୍ପ କରିଛନ୍ତି। ରୋଗ କିପରି ନ ବ୍ୟାପିବ ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମୁଖ୍ୟତଃ ସଂକ୍ରମିତ ଘୁଷୁରୀଙ୍କୁ ଦୂରକୁ ନିଆଯାଇ ରଖାଯାଉଛି ଓ ଜ୍ୱରାକ୍ରାନ୍ତ ଶିଶୁଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି।   ମନ୍ତ୍ରୀ ଯୁଦ୍ଧକାଳୀନ ଭିତ୍ତିରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କହୁଥିଲାବେଳେ ଏହି ରୋଗ ମାସାଧିକ କାଳ ହେଲାଣି ମାଲକାନଗିରିକୁ ମାଡ଼ି ବସିଛି। ସରକାର ସଂପୂର୍ଣ୍ଣ ଅପ୍ରସ୍ତୁତ ଥିବା ଧରା ପଡ଼ିଯାଇଛି। ଏବେ ଯେଉଁ ତତ୍ପରତା ଓ ଗସ୍ତ ତାହା ଦି’ ବର୍ଷ ତଳୁ ପ୍ରକାଶ ପାଇଥିଲେ ହୁଏତ ଆଜି ଏତେ ଶିଶୁଙ୍କର ପ୍ରାଣହାନୀ ଘଟି ନଥାନ୍ତା।   ରାଜ୍ୟ ସରକାରଙ୍କ ଦୋଷ ଲୁଚାଇବାକୁ ସ୍ବାସ୍ଥ୍ୟ ବିଭାଗ ଭାରତବର୍ଷର ଅନ୍ୟ ରାଜ୍ୟରେ ଏହି ରୋଗରେ କେତେ ଲୋକ ମରିଛନ୍ତି ସେ ସଂପର୍କୀତ ପରିସଂଖ୍ୟାନ ପ୍ରକାଶ କରିଛନ୍ତି। ଏହି ପରିସଂଖ୍ୟାନ ସତ ହେଉ ବା ମିଛ, କଥା ହେଉଛି ଅନ୍ୟ ରାଜ୍ୟରେ ମଲେ ବୋଲି ଓଡ଼ିଶାରେ ମରିବେ, ନବୀନ ସରକାରଙ୍କର ଏହା କି ପ୍ରକାର ମାନସିକତା?   ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଦେଇଥିବା ସୂଚନାନୁଯାୟୀ ଜାପାନୀ ଜର କେବଳ ଓଡ଼ିଶା ନୁହେଁ, ଟୀକାକରଣ ସତ୍ତ୍ବେ ଆସାମ, ବିହାର, ଉତ୍ତର ପ୍ରଦେଶ ଓ ପଶ୍ଚିମ ବଙ୍ଗରେ ମଧ୍ୟ ବ୍ୟାପୁଛି। ଅକ୍ଟୋବର ୨ ତାରିଖ ସୁଦ୍ଧା ଆସାମରେ ଏହି ରୋଗରେ ୮୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଉତ୍ତର ପ୍ରଦେଶରେ ୪୩, ବିହାରରେ ୧୦ ଏବଂ ପଶ୍ଚିମବଙ୍ଗରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ସମୟ ମଧ୍ୟରେ ଓଡ଼ିଶାରେ ଏହି ରୋଗରେ ମୃତ୍ୟୁ ସଂଖ୍ୟା ୩ ଥିଲା। ତେବେ ଅନ୍ୟ ରାଜ୍ୟରେ ଘଟିଥିବା ଜାପାନୀ ଜର ମୃତ୍ୟୁ କେବଳ ଗୋଟିଏ ଜିଲ୍ଲାରେ କି ସମଗ୍ର ରାଜ୍ୟର ତାହା ଓଡ଼ିଶାର ସ୍ବାସ୍ଥ୍ୟ ବିଭାଗ ପ୍ରକାଶ କରିନାହିଁ। ଓଡ଼ିଶାରେ କିନ୍ତୁ ଏଇ ମାସକ ଭିତରେ କେବଳ ମାଲକାନଗିରି ଜିଲ୍ଲାରେ ୪୪ ଶିଶୁ ପ୍ରାଣ ହରାଇଲେଣି। ଆନ୍ଧ୍ର ପ୍ରଦେଶରେ ପୋଲାଭରମ ଜଳ ପ୍ରକଳ୍ପ ହେଲେ ବି ମାଲକାନଗିରିରେ ଏତେ ଶିଶୁ ବୁଡ଼ି ମରିବେ ନାହିଁ!   ଜାପାନିଜ ଏନସେଫାଲାଇଟିସ ସଂକ୍ରମଣ ଥିବାବେଳେ ସେହି ଅଂଚଳରେ କିମ୍ୱା ମାଲକାନଗିରିର ଅନ୍ୟ ଅଂଳରେ ଟୀକାକରଣ କରାଯାଇପାରିବ କି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରର ପରାମର୍ଶ ଲୋଡାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନ୍ୟାସନାଲ ଭେକ୍ଟର ବର୍ଣ୍ଣ ଡିଜିଜ କଣ୍ଟ୍ରୋଲ ପ୍ରୋଗ୍ରାମ ନିର୍ଦ୍ଦେଶକ ଡକ୍ଟର ଏ.ସି. ଧରିୱାଲ ଏ ସଂପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ମାଲକାନଗିରିର ଅଣସଂକ୍ରମିତ ବ୍ଲକରେ ମଧ୍ୟ ଟୀକାକରଣ କରାଯିବା ଉଚିତ ନୁହେଁ। ଅତୀତରେ ତ୍ରିପୁରା ଏବଂ ଆସାମରେ ଏଭଳି ପଦକ୍ଷେପ ନିଆଯିବାରୁ ତାହା ବୁମେରାଂ ହୋଇଥିଲା। ସେ ଦର୍ଶାଇଛନ୍ତି ଯେ, ଜାପାନିଜ ଏନସେଫାଲାଇଟିସ ଟୀକାକରଣ ନିର୍ଦ୍ଦେଶାବଳୀ ଅନୁଯାୟୀ ଯେତେବେଳେ ଏହି ରୋଗ ସଂକ୍ରମିତ ହୋଇନଥାଏ ସେତେବେଳେ ବର୍ଷକରୁ ୧୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଏହି ଟୀକା ଦିଆଯାଇଥାଏ। କିନ୍ତୁ ସଂକ୍ରମଣ ସମୟରେ ଏହି ଟୀକା ଦେଲେ ରୋଗ ଆହୁରି ବଢ଼ିଥାଏ। ତ୍ରିପୁରା ଓ ଆସାମରେ ଏଭଳି ପରିସ୍ଥିତି ହେବାରୁ ସଂକ୍ରମଣ ସମୟରେ ଟୀକାକରଣକୁ ମନା କରାଯାଇଛି। ତେଣୁ ରାଜ୍ୟ ସରକାର ଏବେ ମାଲକାନଗିରି ଜିଲ୍ଲାରେ ଟୀକାକରଣ ପଦକ୍ଷେପ ନନେବାକୁ ସେ ଦର୍ଶାଇଛନ୍ତି।   ଏ ବିଷୟ ଉତ୍ଥାପନ କରି ରାଜ୍ୟ ସରକାର କେନ୍ଦ୍ର ମୁଣ୍ଡରେ ଦୋଷ ଅଜାଡ଼ିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ମାସେ ବା ଦି’ମାସ ତଳୁ କାହିଁକି ଟୀକାକରଣ କଲେ ନାହିଁ ବା କେନ୍ଦ୍ରକୁ ଟୀକା ମାଗିଲେ ନାହିଁ ସେ ନେଇ ରାଜ୍ୟ ସରକାର କିଛି କହି ନାହାନ୍ତି।

Share :