ବିଜୁମୂର୍ତ୍ତି ସବୁ ବେଆଇନ!

ବିଜୁମୂର୍ତ୍ତି ସବୁ ବେଆଇନ!

Share :

ବିଜୁ ପଟ୍ଟନାୟକଙ୍କ ନାଁରେ ଗଢ଼ା ଯାଇଛି ବିଜୁ ଜନତା ଦଳ। ବିଜୁ ଜନତା ଦଳର ପ୍ରାୟ ସବୁ କାର୍ଯ୍ୟକ୍ରମରେ ରହୁଛି ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ର। ନିର୍ବାଚନ ସମୟରେ ମଧ୍ୟ ବିଜୁ ଜନତା ଦଳ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ପଟ୍ଟନାୟକଙ୍କ କଟ୍‌ ଆଉଟ୍‌ ଖଂଜା ଯାଉଛି। ବିଜୁ ପଟ୍ଟନାୟଙ୍କ ସ୍ବପ୍ନ ସାକାର କରିବାକୁ ତାଙ୍କ ଦଳର ଉଦ୍ୟମ ଅବ୍ୟାହତ ରହିଛି ବୋଲି ତାଙ୍କ ପୁଅ ତଥା ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ ସବୁବେଳେ କହି ଚାଲିଛନ୍ତି। ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ଉପରେ ବିଜୁ ଜନତା ଦଳ ଗଢ଼ାଯାଇଛି ବୋଲି ସେ ବାରମ୍ବାର ପ୍ରଚାର ଚଳାଇଛନ୍ତି।   ଏଭଳି ଭାବରେ ନିଜ ବାପାର ପ୍ରଚାର କରିବା ଆଦୌ ଅସ୍ବାଭାବିକ ନୁହେଁ। କିନ୍ତୁ ସରକାରୀ ଖର୍ଚ୍ଚରେ ବାପାଙ୍କ ପ୍ରଚାର କରିବା ଓ ଅନ୍ୟ ରାଜନୀତିକ ଦଳ ତଥା ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇ ନିର୍ବାଚନୀ ଫାଇଦା ନେବା ପାଇଁ ରାଜ୍ୟର ଚାରି ଆଡ଼େ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିଶ୍ଚିତ ଭାବେ ଅସ୍ବାଭାବିକ ଓ ଭ୍ରଷ୍ଟାଚାର।   ଏକ୍ଷେତ୍ରରେ ବହୁଜନ ସମାଜ ପାର୍ଟିର ମାୟାବତୀ ଓ ନବୀନ ପଟ୍ଟନାୟକଙ୍କ ମଧ୍ୟରେ କିଛି ତାରତମ୍ୟ ନାହିଁ। ଉଭୟ ସରକାରୀ ପାଣ୍ଠିରେ ଦଳର ପ୍ରଚାର କରିଛନ୍ତି। ମାୟାବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ନବୀନଙ୍କ ବିରୋଧରେ ଉପଯୁକ୍ତ ମଂଚରେ ଅଭିଯୋଗ ବି ହୋଇନାହିଁ।   ସଂପ୍ରତି ଭାରତର ମୁଖ୍ୟ ନିର୍ବାଚନ କମିଶନ ଜାରି କରିଥିବା ଏକ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯାଇଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ଭଙ୍ଗାଯିବାର ସାମ୍ବିଧାନିକ ଆବଶ୍ୟକତା ଦେଖାଦେଇଛି। କାରଣ ମାଳମାଳ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ଥାଇ ଓଡ଼ିଶାରେ ମୁକ୍ତ ଓ ଅବାଧ ନିର୍ବାଚନ ସମ୍ଭବ ନୁହେଁ। ଏହା ମଧ୍ୟ ନିର୍ବାଚନ ସମୟରେ ଅନ୍ୟ ସମସ୍ତ ରାଜନୀତିକ ଦଳଗୁଡ଼ିକର ସମାନତା ଅଧିକାରର ଉଲ୍ଲଙ୍ଘନ ଭାବେ ବିବେଚିତ ହୋଇପାରେ।   ଏକ ସଦ୍ୟତମ ନିର୍ଦ୍ଦେଶନାମା ଜାରି କରି ଭାରତର ମୁଖ୍ୟ ନିର୍ବାଚନ କମିଶନର ସରକାରୀ କଳ ଓ ପାଣ୍ଠି ବ୍ୟବହାର କରି ଦଳୀୟ ବିଜ୍ଞାପନ ବା ପ୍ରଚାର ଉପରେ କଟକଣା ଜାରି କରିଛନ୍ତି। ଏଣିକି ଆଉ ଏପରି କରିବାକୁ ଦିଆଯିବ ନାହିଁ ବୋଲି କମିଶନ କହିଛନ୍ତି। ଶାସନ କ୍ଷମତାରେ ଥିବା ଦଳଗୁଡ଼ିକ ଏଣିକି ସରକାରୀ ପାଣ୍ଠି, ସରକାରୀ ସ୍ଥାନ ଓ ସରକାରୀ କଳ ବ୍ୟବହାର କରି ଦଳୀୟ ବିଜ୍ଞାପନ ଦେଇପାରିବେ ନାହିଁ କି ଦଳର ନିର୍ବାଚନ ସଂକେତର ପ୍ରଚାର କରିପାରିବେ ନାହିଁ।   ଦେଶର ସମସ୍ତ ଜାତୀୟ ଓ ଆଂଚଳିକ ଦଳର ସଭାପତି ଓ ସାଧାରଣ ସଂପାଦକମାନଙ୍କୁ ୨୦୧୬ ଅକ୍ଟୋବର ୭ ତାରିଖ ଶୁକ୍ରବାର ଏ ସଂପର୍କରେ ଏକ ଚିଠି ପଠାଇଛନ୍ତି ନିର୍ବାଚନ କମିଶନ। ଏହି ଚିଠିରେ ସେମାନଙ୍କୁ ଏପରି ନିର୍ଦ୍ଦେଶ ଦିଆଯାଇଛି। ଏହି ଚିଠିରେ କମିଶନ କହିଛନ୍ତି ଯେ ଏଣିକି କୌଣସି ରାଜନୀତିକ ଦଳ ସରକାରୀ ପାଣ୍ଠି, ସରକାରୀ ସ୍ଥାନ ଓ ସରକାରୀ କଳ ବ୍ୟବହାର କରି ଦଳ ବା ଦଳୀୟ ନିର୍ବାଚନୀ ଚିହ୍ନର ପ୍ରଚାର ହେଲା ଭଳି କୌଣସି କାର୍ଯ୍ୟ କରିପାରିବେ ନାହିଁ। ଏହା ମୁକ୍ତ ଓ ଅବାଧ ନିର୍ବାଚନର ଉଲ୍ଲଙ୍ଘନ ହେବା ସହିତ କ୍ଷମତାରେ ନଥିବା ଦଳ ପାଇଁ ସମାନ ସୁଯୋଗ ନୀତିର ବିରୋଧୀ ହେବ ବୋଲି କମିଶନ କହିଛନ୍ତି।   ଏହି ନିର୍ଦ୍ଦେଶର ଉଲ୍ଲଙ୍ଘନ ହେଲେ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସ୍ପଷ୍ଟ କରିଦେଇଛନ୍ତି। କମିଶନ କହିଛନ୍ତି ଏହି ନିର୍ଦ୍ଦେଶ ସତ୍ତ୍ବେ ଦଳଗୁଡ଼ିକ ସରକାରୀ ପାଣ୍ଠି, ସରକାରୀ ସ୍ଥାନ ଓ କଳ ବ୍ୟବହାର କରି ନିଜ ପ୍ରଚାର କଲେ ତାହା ୧୯୬୮ ମସିହା ନିର୍ବାଚନ ପ୍ରତୀକ ସଂରକ୍ଷଣ ଓ ବଣ୍ଟନ ନିର୍ଦ୍ଦେଶର ୧୬-କ ପାରାରେ ଥିବା ବ୍ୟବସ୍ଥା ଅନୁସାରେ କମିଶନଙ୍କ ନିର୍ଦ୍ଦେଶର ଅବମାନନା ହେବ ବୋଲି ବିଚାର କରାଯିବ।   ଗତ ଜୁଲାଇ ମାସରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଏକ ରାୟ ଭିତ୍ତିରେ ନିର୍ବାଚନ କମିଶନ ଏହି ନିଦ୍ଦେର୍ଶନାମା ଜାରି କରିଛନ୍ତି। ବହୁଜନ ସମାଜ ପାର୍ଟି ବିରୋଧରେ ହୋଇଥିବା ଏପରି ଏକ ଅଭିଯୋଗର ବିଚାର ପାଇଁ ଆଗତ ଏକ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ତର୍ଜମା ନିମନ୍ତେ ପଠାଇଥିଲେ। ବହୁଜନ ସମାଜ ପାର୍ଟି ଉତ୍ତର ପ୍ରଦେଶରେ କ୍ଷମତାରେ ଥିବାବେଳେ ଏହାର ନିର୍ବାଚନ ସଂକେତର ପ୍ରଚାର ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅନକେ ହାତୀ ମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ଏହା ସରକାରୀ ଅର୍ଥ, ସ୍ଥାନ ଓ କଳ ବ୍ୟବହାର କରି ଦଳୀୟ ପ୍ରଚାର ଭାବେ ଅଭିଯୋଗ ହୋଇଥିଲା। ସେଥିପାଇଁ ୨୦୧୨ ବିଧାନସଭା ନିର୍ବାଚନ ପୂର୍ବରୁ ଏଭଳି ହାତୀ ମୂର୍ତ୍ତିଗୁଡ଼ିକ ଘୋଡେ଼ଇ ପକାଇବା ପାଇଁ ନିର୍ବାଚନ କମିଶନ ସେତେବେଳେ ସାମୟିକ ନିର୍ଦ୍ଦେଶ ଦେଇଥିଲେ।    ଏବେ ଏହି ଅଭିଯୋଗ ଉପରେ ବିଭିନ୍ନ ଦିଗରୁ ବିଚାର କରି କମିଶନ ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଓଡ଼ିଶାରେ ବିଜୁ ଜନତା ଦଳ ସରକାର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଜରିଆରେ ବିଜୁ ଜନତା ଦଳର ପ୍ରଚାର କରୁଛି ବୋଲି ଏହି ନିର୍ଦ୍ଦେଶନାମା ଅନୁସାରେ ସ୍ପଷ୍ଟ ହୋଇଯାଇଛି। ନିର୍ବାଚନ ସମୟରେ ଏହି ପ୍ରତିମୂର୍ତ୍ତିଗୁଡ଼ିକ ବିଜୁ ଜନତା ଦଳର ପ୍ରଚାର ସ୍ତମ୍ଭ ଭାବେ କାର୍ଯ୍ୟ କରିଚାଲିଛି। ନିର୍ବାଚନ ସମୟରେ ସେଗୁଡ଼ିକୁ ହାତୀ ଘୋଡ଼ାଇଲା ପରି ଘୋଡ଼ାଇ ପକାଇବାର କିଛି ମାନେ ନାହିଁ। କାରଣ ତାହା ବର୍ଷ ସାରା ଖୋଲା ରହୁଛି।   ଏହି ମୂର୍ତ୍ତିଗୁଡ଼ିକ ବିଜୁ ଜନତା ଦଳ କିମ୍ବା ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ନିଜସ୍ବ ପାଣ୍ଠିରେ ନିର୍ମିତ ହୋଇନାହିଁ। ଏସବୁ ସରକାରୀ ପାଣ୍ଠିରେ ତିଆରି ହୋଇଛି, ସରକାରୀ ଜାଗାରେ ସରକାରୀ ଖର୍ଚ୍ଚରେ ପ୍ରତିଷ୍ଠା କରାଯାଇଛି। ବିଜୁ ପଟ୍ଟନାୟକଙ୍କ ନାଁରେ ବିଜୁ ଜନତା ଦଳ ଗଢ଼ା ଯାଇଥିବାରୁ ସରକାରୀ ଖର୍ଚ୍ଚରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବା ବିଜୁ ଜନତା ଦଳର ପ୍ରଚାର ବ୍ୟତିତ ଅନ୍ୟ କିଛି ନୁହେଁ। ଭାରତର ନିର୍ବାଚନ କମିଶନଙ୍କ ନିକଟରେ ଏସବୁର ଭିଡ଼ିଓ ଓ ସ୍ଥିର ଚିତ୍ର ସମେତ ଅନ୍ୟାନ୍ୟ ପ୍ରମାଣ ଦାଖଲ କରାଗଲେ କମିଶନ ଦୁଇଟି ନିର୍ଦ୍ଦେଶ ଦେବାର ସମ୍ଭାବନା ଅଛି। ମୁକ୍ତ ଓ ଅବାଧ ନିର୍ବାଚନ ତଥା ସବୁ ଦଳଙ୍କୁ ସମାନ ରଣଭୂମି ଯୋଗାଇବାର ନୀତରେ କମିଶନ ହୁଏତ ରାଜ୍ୟ ସାରା ସରକାରୀ ଖର୍ଚ୍ଚରେ ଯେତେ ବିଜୁମୂର୍ତ୍ତି ପ୍ରତିଷ୍ଠା କରାଯାଇଛି ସବୁଗୁଡ଼ିକୁ ଭାଙ୍ଗିଦେବାକୁ ନିର୍ଦ୍ଦେଶ ଦେବେ ନହେଲେ ବିଜୁ ଜନତା ଦଳର ନାମରୁ ବିଜୁ ନାମ ହଟାଇବାକୁ କହିପାରନ୍ତି।

Share :