ଦୁର୍ଗା ମଣ୍ଡପରେ ରହୁ ଢାଲତଲୁଆର!

ଦୁର୍ଗା ମଣ୍ଡପରେ ରହୁ ଢାଲତଲୁଆର!

Share :

  ଓଡିଶାର ମହାନ‌୍‍ ପର୍ବ ଶାରଦୀୟ ଦୁର୍ଗାପୂଜାଅବସରରେ ଓଡିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ଦୁର୍ଗାପୂଜା ମଣ୍ଡପଗୁଡିକରେ ଓଡିଆ ଜାତିର ସାମରିକ ପରମ୍ପରାର ଗର୍ବିତ ସନ୍ତକ ଭାବେ ଢାଲ ଉପରେ ଛନ୍ଦା ହୋଇଥିବା ଦୁଇଟି ତଲୁଆରକୁ ପ୍ରଦର୍ଶନ କରିବାକୁ ଦୁର୍ଗାପୂଜା କମିଟି ଗୁଡିକର ସଦସ୍ୟମାନଙ୍କୁ ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦ ତରଫରୁ ଏହାର ଅଧ୍ୟକ୍ଷ ବିଶ୍ୱଭୂଷଣ ହରିଚନ୍ଦନ ନିବେଦନ କରିଛନ୍ତି।   ଭୁବନେଶ୍ୱରଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ଅତୀତ ଇତିହାସର ରୋମନ୍ଥନ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ କଳିଙ୍ଗ ସମ୍ରାଟ ମହାମେଘବାହନ ଖାରବେଳ ଓ ଦିଗ‌୍‍ବିଜୟୀ କପିଳେନ୍ଦ୍ରଙ୍କ ଠାରୁ ଆରମ୍ଭ କରି ଗଜପତି ପ୍ରତାପରୁଦ୍ର ଦେବଙ୍କ ପର୍ଯ୍ୟନ୍ତ ଓଡିଶାର ସାମରିକ ଶକ୍ତି ଥିଲା ଅପ୍ରତିଦ୍ୱନ୍ଦୀ। ଉତ୍କଳ ସାମ୍ରାଜ୍ୟର ବିଶାଳ ଓ ଦୁର୍ଦ୍ଧର୍ଷ ସେନାବାହିନୀର ଯୁଦ୍ଧ ଅଭିଯାନ ବାହ୍ୟ ଶକ୍ତିମାନଙ୍କ ମନରେ ଆତଙ୍କ ସୃଷ୍ଟି କରୁଥିଲା। ସମଗ୍ର ଦେଶ ଇଂରେଜମାନଙ୍କ ଦ୍ୱାରା ପଦାନତ ହୋଇ ସାରିଥିଲେ ସୁଦ୍ଧା ଓଡିଶାକୁ ତାଙ୍କର କରାୟତ୍ତ କରିବାକୁ ବହୁବର୍ଷ ଲାଗିଗଲା। ଶେଷରେ ଉତ୍କଳ ଗଜପତିଙ୍କର ସମରକୁଶଳୀ ଦୁର୍ଦ୍ଧଷ ସେନାପତି ବକ୍ସି ଜଗବନ୍ଧୁଙ୍କର ଅଧିନାୟକତ୍ୱରେ ୧୮୧୭ ମସିହାରେ ଇଂରେଜ ରାଜଶକ୍ତି ବିରୁଦ୍ଧରେ ଆରମ୍ଭ ହୁଏ ପାଇକ ବିଦ୍ରୋହ, ଯାହାକି ବାସ୍ତବରେ ଥିଲା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ।   ଓଡିଶାର ସମସ୍ତ ଉପକୂଳ ଅଞ୍ଚଳ ସହିତ ଅନେକ ଗଡଜାତକୁ ନେଇ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଏହି ରକ୍ତାକ୍ତ ଗଣସଂଗ୍ରାମ, ଯାହାର କୌଣସି ପଟାନ୍ତର ସମଗ୍ର ଭାରତବର୍ଷରେ ନାହିଁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମଗ୍ର ଓଡିଆ ଜାତି ବକ୍ସିଙ୍କ ନେତୃତ୍ୱରେ ସତେ ଯେମିତି ଏକାକାର ହୋଇଗଲା ଓ ମାତୃଭୂମିର ମୁକ୍ତି ପାଇଁ ଦୀର୍ଘ ୮ ବର୍ଷ ଧରି ୧୮୨୫ ମସିହା ପର୍ଯ୍ୟନ୍ତ ଏ ସଂଗ୍ରାମ ଚାଲିଥିଲା। ଯୁଦ୍ଧର ଭୟାବହତାକୁ ଲକ୍ଷ୍ୟକରି କେତେକ ଇଂରେଜ ଐତିହାସିକ ମଧ୍ୟ ସେତେବେଳେ କହିଥିଲେ ଯେ ସମଗ୍ର ଓଡିଶା ନ ହେଲେ ବି ଖୋର୍ଦ୍ଧା  ଅଞ୍ଚଳ ହୁଏ ତ ଇଂରେଜ ଶାସନରୁ ମୁକ୍ତ ହୋଇଯିବ।   ଓଡିଆ ଜାତିର ସେ ଗର୍ବିତ ଇତିହାସ, ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ୨୦୧୭ ମସିହାରେ ହେବାକୁ ଯାଉଛି। ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦ ତରଫରୁ ଏହାକୁ ମହାସମାରୋହରେ ଏକ ଜାତୀୟ ଉତ୍ସବ ଭାବେ ପାଳନ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।   ଓଡିଆ ଜାତିର ମହାନ‌୍‍ ପର୍ବ ଦଶହରା ଓ ବିଜୟା ଦଶମୀକୁ ବିପୁଳ ଉତ୍ସାହ ଓ ଉଦ୍ଦୀପନା ସହ ପାଳନ କରିବାକୁ ଅନୁରୋଧ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଏ ହେଉଛି ଓଡିଆ ଜାତିର ଗର୍ବ ଓ ଗୌରବର ଶ୍ରେଷ୍ଠ ପର୍ବ। ଓଡିଶାର ସମସ୍ତ ଗଡଗୁଡିକରେ ସବୁ ବର୍ଷ ଭଳି ଦଶହରା ଉତ୍ସବ ମହାସମାରୋହରେ ପାଳିତ ହେବ ଓ ପାରମ୍ପରିକ ଖଣ୍ଡା ତଲୁଆର ପୂଜା ସହିତ ଉନ୍ମତ୍ତ ପାଇକମାନଙ୍କର ରଣକୌଶଳର ପ୍ରଦର୍ଶନ ଚାଲିବ। ମଫସଲଠାରୁ ସହର ପର୍ଯ୍ୟନ୍ତ ସବୁଆଡେ ଶକ୍ତି ସ୍ୱରୂପିଣି ମା’ ଦୁର୍ଗାଙ୍କର ଆରାଧନା ଚାଲିବ। ଚଳଚଞ୍ଚଳ ହୋଇଉଠିବ ଓଡିଶାର ଜନଜୀବନ। ସହର ନଗର ଗୁଡିକରେ ବର୍ଣ୍ଣାଢ୍ୟ ଦୁର୍ଗା ମେଢ ସବୁ ନିର୍ମାଣ କରାଯାଇ ମା’ ଦୁର୍ଗାଙ୍କ ଆରାଧନା କରାଯାଉଛି।  ଦୁର୍ଗାମଣ୍ଡପ ଗୁଡିକରେ ଓଡିଆ ଜାତିର ସାମରିକ ପରମ୍ପରାର ସେଇ ଗର୍ବିତ ସନ୍ତକ ଭାବେ ଢାଲ ତଲୁଆରକୁ ପ୍ରଦର୍ଶନ କଲେ ଆମ ଯୁବ ସମାଜ ଭିତରେ ଅତୀତର ବୀରତ୍ୱ ଓ ଗୌରବ ଗାରିମାର ସ୍ମରଣ ହେବ ଓ ଓଡିଶାର ସ୍ୱାଭିମାନ ଓ ବିକାଶ ପାଇଁ ସେମାନେ ଲଢେଇ କରିବାକୁ ଆଗୁସାର ହେବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Share :