ଓବିସି ବିରୋଧୀ ଓଡ଼ିଶା ସରକାର!

ଓବିସି ବିରୋଧୀ ଓଡ଼ିଶା ସରକାର!

Share :

ଧୂଳେଶ୍ୱର ମାଣିଆ   ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସି ଅଧିକ ଅବହେଳିତ। ଆମ୍ଭର ସଂରକ୍ଷଣ ବିଷୟରେ ରାଜ୍ୟ ସରକାରଙ୍କ ସହିତ ପତ୍ରାଳାପ ଓ ଆଲୋଚନା ଚାଲିଥିବା ସମୟ ମଧ୍ୟରେ ଗତ ତା ୧୨.୧୨.୨୦୧୩ରିଖରେ ମାନନୀୟ ସ୍ୟାଟ‌୍‍ ରାଜ୍ୟ ଏସ‌୍‍.ଇ.ବି.ସି. ନିଯୁକ୍ତି ସଂରକ୍ଷଣ ଆଇନ‌୍‍ ୨୦୦୮କୁ ରଦ୍ଦ କରିଛନ୍ତି। କାରଣ ଆଇନ‌୍‍ରେ ଥିବା ୨୭ ପ୍ରତିଶତ ସଂରକ୍ଷଣକୁ ରକ୍ଷା କରିବା ଦିଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଉଚିତ‌୍‍ ପଦକ୍ଷେପ ନେଉନାହାଁନ୍ତି। ଅତି ଦୁଃଖର ସହିତ ଆମ୍ଭେ ପ୍ରକାଶ କରୁଅଛୁ ଯେ, ରାଜ୍ୟ ସରକାର ଓଡ଼ିଶାର ୫୨ ପ୍ରତିଶତ ଓବିସିଙ୍କ ନିମନ୍ତେ ଶିକ୍ଷାନୁଷ୍ଠାନରେ ନାମ ଲେଖା ଦିଗରେ କୌଣସି ସଂରକ୍ଷଣ ଦେଇନାହାଁନ୍ତି। ବିଳମ୍ୱରେ ହେଲେ ମଧ୍ୟ କେନ୍ଦ୍ର ସରକାର ୨୦୦୫ ମସିହାରେ ଦେଶର ନାମୀ ଅନୁଷ୍ଠାନରେ ଓବିସିଙ୍କ ନିମନ୍ତେ ୨୭ ପ୍ରତିଶତ ସଂରକ୍ଷଣ ରଖିଛନ୍ତି। ଏତାଦୃଶ ପରିସ୍ଥିତିରେ ଆମ୍ଭେ ନ୍ୟାୟ ପାଇବା ଆଶାରେ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ପକ୍ଷଭୁକ୍ତ ହୋଇଅଛୁ। ରାଜ୍ୟରେ ଶିକ୍ଷା ସଂରକ୍ଷଣ ରାଜ୍ୟ ସରକାର ହିଁ ଦେଇପାରିବେ। ପୁନଶ୍ଚ ରାଜ୍ୟ ସରକାରଙ୍କୁ ଏ ଦିଗରେ ଅନୁରୋଧ କରିବା ନିମନ୍ତେ ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଏହା ହେଉଛି ଆଇନଗତ ଦିଗ।   ଏହା ସର୍ବସମ୍ମତ ଯେ ଏସ‌୍‍ଇବିସିଙ୍କ ମଧ୍ୟରେ ଥିବା ସାମାଜିକ ଅନଗ୍ରସରତାର କ୍ରମ ଉପଶମ କରାଯିବା ଦିଗରେ ଶିକ୍ଷା ଓ ଆର୍ଥିକ ବ୍ୟବସ୍ଥା ଅପରିହାର୍ଯ୍ୟ। ବ୍ରିଟିଶ‌୍‍ ରାଜତ୍ୱ କାଳରେ ଓବିସିମାନଙ୍କର ଶିକ୍ଷା ଓ ନିଯୁକ୍ତି ଦିଗରେ ଦକ୍ଷିଣ ଓ ପଶ୍ଚିମ ଭାରତୀୟ ରାଜ୍ୟମାନେ ଅନେକ ପ୍ରଶଂସନୀୟ ପଦକ୍ଷେପମାନ ନେଇଛନ୍ତି। ବାବା ସାହେବ ଡଃ ଆମ୍ୱେଦକରଙ୍କ ମତରେ ଏସ‌୍‍ସି ବର୍ଗଙ୍କ ଅବସ୍ଥା ସହ ପାଖାପାଖି ରହିଥିବା ଅନ୍ୟାନ୍ୟ ପଛୁଆବର୍ଗଙ୍କ ବିକାଶ ନିମନ୍ତେ ଆନ୍ଦୋଳନ ଚାଲୁ ରହିବ। ୧୯୨୭ ମସିହାରେ ପଛୁଆବର୍ଗଙ୍କ ହିତ ପାଇଁ ଆସିଥିବା ସାଇମନ କମିଶନଙ୍କୁ  କଂଗ୍ରେସ ବିରୋଧ କରୁଥିଲା। ସାଇମନ‌୍‍ କମିଶନ ଫେରିଯାଅ ବୋଲି ଦେଶସାରା ବିରୋଧ ସ୍ଲୋଗାନ ଦିଆଗଲା। ବାବା ସାହେବ ସାଇମନ କମିଶନଙ୍କ ସପକ୍ଷରେ ଥିବାରୁ ତାଙ୍କୁ ଇଂରେଜଙ୍କ ଦଲାଲ ମଧ୍ୟ କୁହାଗଲା। କିନ୍ତୁ ବିଡ଼ମ୍ୱନା ଏହି ଯେ, ମୁଖ୍ୟତଃ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପରାମର୍ଶକ୍ରମେ ପଛୁଆବର୍ଗମାନେ କଂଗ୍ରେସକୁ ସହଯୋଗ ଦେଇଥିଲେ। ଏହି କାରଣରୁ ୧୯୩୨ ମସିହାର ଦ୍ୱିତୀୟ ଗୋଲଟେବୁଲ‌୍‍ ବୈଠକର ଫଳାଫଳ ଉପରେ ପଛୁଆବର୍ଗମାନେ ନିରାଶ ହୋଇଥିଲେ। ପ୍ରକାଶଥାଉକି, ବାବା ସାହେବଙ୍କ ପ୍ରଚେଷ୍ଟାରେ ୧୯୩୨ ମସିହାରେ ଏସସି ଓ ଏସ‌୍‍ଟିମାନଙ୍କୁ ଶିକ୍ଷା, ନିଯୁକ୍ତି ଓ ରାଜନୀତି କ୍ଷେତ୍ରରେ ଅଧିକାର ମିଳିଥିଲା। କହିଲେ ଅପ୍ରାସଙ୍ଗିକ ହେବ ନାହିଁ, ଯଦି ସେହି ସମୟରେ ପଛୁଆବର୍ଗମାନେ ବାବା ସାହେବଙ୍କ ସହିତ ମିଳିକରି କାର୍ଯ୍ୟ କରିଥାନ୍ତେ, ସେମାନେ ତାଙ୍କର ଅଧିକାର ପାଇଥାନ୍ତେ ଏବଂ ବୋଧହୁଏ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ ହିସାବରେ ଦେଖିବାର ସୁଯୋଗ ପାଇଥାନ୍ତେ। (ଉପରୋକ୍ତ ବିଷୟଟି ପ୍ରସଙ୍ଗ କ୍ରମେ ଅବତାରଣା କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ଯେ, ଆଜି ମଧ୍ୟ ପଛୁଆବର୍ଗମାନେ ସେମାନଙ୍କ ଦାବୀ ଏବଂ ସେଥିପାଇଁ ସଂଗଠନ ବିଷୟରେ ସଚେତନ ଥାଇ ମଧ୍ୟ ନିଷ୍କ୍ରିୟ ହୋଇ ରହିଛନ୍ତି।)   ଉଚ୍ଚମନା ବାବା ସାହେବ ଭଲ ଭାବରେ ଜାଣିଥିଲେ ଯେ ପଛୁଆବର୍ଗ ଲୋକଙ୍କ ଉପରେ ଅନ୍ୟାୟ ହେଉଅଛି। ତେଣୁ ସେ ସମ୍ୱିଧାନ ପ୍ରଣେତା ହିସାବରେ ପଛୁଆବର୍ଗର ବିକାଶ ନିମନ୍ତେ ୩୪୦ ଧାରା ରଖିଛନ୍ତି ଏବଂ ପ୍ରଥମ ଆଇନ‌୍‍ ମନ୍ତ୍ରୀ ହିସାବରେ ପଛୁଆବର୍ଗଙ୍କ ଶିକ୍ଷା ଦିଗରେ ବିକାଶ ଆଣିବା ନିମନ୍ତେ ୧୯୫୧ ମସିହାରେ ୧୫ ଧାରାର ପ୍ରଥମ ସଂଶୋଧନ ଆଣିଥିଲେ। ପରବର୍ତ୍ତୀ କାଳରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସ୍ୱାଭାବିକ ବିକାଶ ଦିଗରେ ୧୫ ଓ ୧୬ ଧାରାର ଆବଶ୍ୟକୀୟ ସଂଶୋଧାନ କରାଯାଇଛି। ରାଜ୍ୟସ୍ତରରେ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଇବାରେ ରାଜ୍ୟ ସରକାରଙ୍କର ଉଦାସୀନତା ପଛୁଆବର୍ଗ ତଥା ରାଜ୍ୟପ୍ରତି ଏକ ଉପହାସ।   ସଂବିଧାନର ମୁଖବନ୍ଧ, ନିର୍ଦ୍ଦିଷ୍ଟ ଧାରା, ନିର୍ଦ୍ଦେଶ ଓ ଅନୁସୂଚନା ଜରୀଆରେ ବାବା ସାହେବ ଶିକ୍ଷା, ସ୍ୱାଧୀନତା, ସମାନତା ଓ ଭ୍ରାତୃତ୍ୱର ଉପଯୁକ୍ତ ବିକାଶ ଦିଗରେ ଉଦ୍ୟମ କରିଛନ୍ତି। ୧୯୫୩ ମସିହାରେ ଓବିସିଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାର ଜଣେ ବ୍ରାହ୍ମଣ ଲୋକ କାକା କାଲେଲକରଙ୍କ ଅଧ୍ୟକ୍ଷତାରେ ପ୍ରଥମ ଓବିସି କମିଶନ ବସାଇଥିଲେ। ବିଭିନ୍ନ କାରଣରୁ କମିଶନଙ୍କ ରିପୋର୍ଟ କାର୍ଯ୍ୟକାରୀ ହୋଇପାରି ନଥିଲା। ଉଲ୍ଲେଖଯୋଗ୍ୟ ଏହି ଯେ, ଉକ୍ତ କମିଟି ଓବିସି ଚୟନରେ କେବଳ ଶୁଦ୍ର ବର୍ଗ ଅନ୍ତର୍ଗତ ଜାତିଙ୍କ ମଧ୍ୟରୁ କରାଇବା ପ୍ରସ୍ତାବକୁ ଭାରତ ସରକାରଙ୍କ ପ୍ରତିନିଧିମାନେ ନାପସନ୍ଦ କରିଥିଲେ। କମିଶନ ସରକାରଙ୍କୁ ୧୯୬୧ ସୁଦ୍ଧା ଜାତି ଭିତ୍ତିକ ଜନଗଣନା ସମାପନ କରିବାକୁ ପରାମର୍ଶ ଦେଇଥିଲେ। କମିଶନ ମଧ୍ୟ ରାଜ୍ୟ ସରକାରଙ୍କୁ ପଛୁଆବର୍ଗଙ୍କ ଶିକ୍ଷାଦିଗରେ ଅଧିକ ବଜେଟ‌୍‍ ବ୍ୟୟ ବରାଦ କରିବା ପାଇଁ ପରାମର୍ଶ ଦେଇଥିଲେ। ପ୍ରକାଶ ଥାଉକି ପ୍ରଥମ ଓବିସି କମିଶନଙ୍କୁ ଓଡ଼ିଶା ସରକାର ଆବଶ୍ୟକ ସହଯୋଗ ଦେଇ ନଥିଲେ। କିଛିବର୍ଷ ମଧ୍ୟରେ ୧୯୬୯ ମସିହାରେ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟ ସ୍ତରୀୟ ସଂରକ୍ଷଣ ଆଇନ‌୍‍ କରି ଓବିସିମାନଙ୍କୁ  ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଇଥିଲେ। ଏହାକୁ ଅନୁକରଣ କରି ଅନ୍ୟାନ୍ୟ ରାଜ୍ୟମାନେ ଆଇନ‌୍‍ ଜରିଆରେ ସେମାନଙ୍କ ରାଜ୍ୟରେ ଥିବା ଓବିସିମାନଙ୍କୁ ଅନୁରୂପ ସଂରକ୍ଷଣ ସୁବିଧା ପ୍ରଦାନ କରିଛନ୍ତି।   ଏ ସବୁ ଦିଗରେ ଓଡ଼ିଶା ସରକାର ନିରବ ରହିଥିଲେ। ଏହା ଫଳରେ  ଓଡ଼ିଶା ଓବିସି ବର୍ଗଙ୍କର ଅପୂରଣୀୟ କ୍ଷତି ହୋଇଅଛି। ୧୯୭୮ ମସିହାରେ ଭାରତ ସରକାର ବି.ପି. ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ଓବିସି କମିଶନ ବସାଇଥିଲେ। ୧୯୮୦ ମସିହାରେ କମିଶନ ତାଙ୍କର ରିପୋର୍ଟ ସରକାରଙ୍କୁ ଦେଇଥିଲେ। କିନ୍ତୁ ୧୯୯୦ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭି.ପି. ସିଂହ ଉକ୍ତ କମିଟି ରିପୋର୍ଟକୁ ସରକାର ଗ୍ରହଣ କରିବା ଏବଂ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଓବିସିଙ୍କ ନିମନ୍ତେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ପାର୍ଲିଆମେଣ୍ଟରେ ପ୍ରକାଶ କରିଥିଲେ। ଏହି କମିଟି ରିପୋର୍ଟ କାର୍ଯ୍ୟକାରୀତା ବିରୁଦ୍ଧରେ ଓଡ଼ିଶାର ତତ୍କାଳୀନ ବିଜୁ ପଟ୍ଟନାୟକ ସରକାର ସୁପ୍ରିମକୋର୍ଟରେ ହୋଇଥିବା ମୋକଦ୍ଦମାରେ ପକ୍ଷଭୁକ୍ତ ହୋଇଥିଲେ। ଭାରତର ଏକ ଓବିସି ନେତୃମଣ୍ଡଳି ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ସାକ୍ଷାତ କରି ମଣ୍ଡଳ କମିଶନ ରିପୋର୍ଟ କାର୍ଯ୍ୟକାରିତା ବିରୁଦ୍ଧରେ ନ ଯିବାପାଇଁ ଅନୁରୋଧ ଜଣାଇ ବିଫଳ ହୋଇଥିଲେ। ଅବଶ୍ୟ ୧୯୯୨ ମସିହାର ସୁପ୍ରିମକୋର୍ଟଙ୍କ ରାୟ ପରେ ସାରା ଦେଶରେ ୧୯୯୩ ମସିହାଠାରୁ ଉକ୍ତ ରିପୋର୍ଟ କାର୍ଯ୍ୟକାରିତା ହୋଇଅଛି।   ନିଯୁକ୍ତି ଓ ଶିକ୍ଷାନୁଷ୍ଠାନରେ ନାମ ଲେଖା ନିମନ୍ତେ ସଂରକ୍ଷଣ ସୁବିଧା ସହିତ ଛାତ୍ରବୃତ୍ତି ଓ ହଷ୍ଟେଲ ବୃତ୍ତିର ଆବଶ୍ୟକତା ଦୃଷ୍ଟିରୁ ଅଧିକ ଅର୍ଥ ବରାଦ, ନାମୀ ଶିକ୍ଷାନୁଷ୍ଠାନରେ ନାମଲେଖା ଏବଂ ସିଭିଲ‌୍‍ ଓ ବ୍ୟାଙ୍କ ଚାକିରୀ ନିମନ୍ତେ ଉପଯୁକ୍ତ ତାଲିମ‌୍‍ ଦେବା କିମ୍ୱା ଉଚିତ‌୍‍ ଷ୍ଟାଇପେଣ୍ଡ, ଏସ‌୍‍ଇବିସିଙ୍କ ନିମନ୍ତେ ମଡେଲ‌୍‍ ଆବାସିକ ବିଦ୍ୟାଳୟ, ସ୍କୁଲ‌୍‍ଛାତ୍ରଙ୍କ ନିମନ୍ତେ ଛାତ୍ରାବାସ ବୃତ୍ତି, ସରକାରୀ କିମ୍ୱା ଘରୋଇ ଶିକ୍ଷାନୁଷ୍ଠାନରେ ନାମଲେଖା ନିମନ୍ତେ ସରକାରୀ ହାରରେ ସ୍ୱତନ୍ତ୍ର ସାହାଯ୍ୟ ଇତ୍ୟାଦି ଉପରେ ଆମ୍ଭେ ସରକାରଙ୍କ ଦୃଷ୍ଟି ବାରମ୍ୱାର ଆକର୍ଷଣ କରିଆସିଅଛୁ। ଏତଦ ବ୍ୟତୀତ ସାକ୍ଷରତା ଅଭିଯାନର ସଫଳତା ଦିଗରେ ରାଜ୍ୟ ସରକାର ଯତ୍ନବାନ ହେବା ନିମନ୍ତେ ଅନୁରୋଧ ଜଣାଉଅଛୁ।   ଶାସନରେ ଥିବା ରାଜନୈତିକଦଳ ଓ ଉଚ୍ଚ ପଦାଧିକାରୀମାନଙ୍କର ସହଯୋଗ ଓ ସହାନୁଭୂତି ନଥିବାରୁ ଆମ୍ଭ ରାଜ୍ୟରେ ଓବିସି ବର୍ଗ ଅନେକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏଥିପାଇଁ ସାମାଜିକ ସଚେତନତା ଓ ସାମାଜିକ ଆନ୍ଦୋଳନରେ ଆବଶ୍ୟକତା ରହିଅଛି। ଓବିସି ଯୁବ ସଂଗଠନ ଓ ଜାତି ସଂଗଠନ ମଧ୍ୟରେ କ୍ରମଶ ସଚେତନତା ବୃଦ୍ଧି ପାଉଅଛି। ବାମସେଫ‌୍‍ ଭଳି ଜାତୀୟ ସଂସ୍ଥା ଏବଂ ରାଜ୍ୟର ଏସ‌୍‍.ସି. ଓ ଏସ‌୍‍ଟି ସଂଗଠନମାନେ ଓବିସିଙ୍କ ଦାବି ସପକ୍ଷରେ ତାଙ୍କର ସମର୍ଥନ ଜଣାଇଛନ୍ତି। ସାମାଜିକ ଗଣତନ୍ତ୍ର ସାକାର ହେଲେ, ସମଗ୍ର ପଛୁଆବର୍ଗ ତାଙ୍କର ଇପ‌୍‍ସିତ ଲକ୍ଷ୍ୟ ହାସଲ କରିପାରିବେ।   କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପଛୁଆବର୍ଗ ବିକାଶ ମଞ୍ଚ, ଭୁବନେଶ୍ୱର ମୋବାଇଲ‌୍‍ : ୯୪୩୯୫୧୩୦୯୭

Share :