ଏଣିକି ଶବ ପାଇବ ସମ୍ମାନ

ଏଣିକି ଶବ ପାଇବ ସମ୍ମାନ

Share :

ଶବକୁ ସମ୍ମାନ ଦେବା ପାଇଁ ବିଧିବ୍ୟବସ୍ଥା ଥିଲା। ହେଲେ କଡ଼ାକଡ଼ି ଭାବେ ପାଳନ କରାଯାଉନଥିଲା। ଯେଉଁଥିପାଇଁ ଦାନ ମାଝୀ ନିଜ କାନ୍ଧରେ ପତ୍ନୀଙ୍କ ଶବ ନେବାକୁ ବାଧ୍ୟ ହୋଇଥିଲେ। ଖାଲି ଦାନ ନୁହଁନ୍ତି କେଉଁଠି ସାଇକେଲ‍୍‌ କ୍ୟାରିୟରରେ ତ କେଉଁଠି ଟ୍ରଲିରେ, କେଉଁଠି ବାଉଁଶରେ ମଧ୍ୟ ଶବ ପରିବହନ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ସରକାର ସମାଲୋଚିତ ମଧ୍ୟ ହୋଇଥିଲେ। ତେବେ ଆଗାମୀ ଦିନରେ ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନହେବ ସେଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଶବକୁ ସମ୍ମାନ ଦେବା ପାଇଁ ସଂଶୋଧିତ ଗାଇଡ଼ଲାଇନ‍୍‌ ଜାରି କରାଯାଇଥିବାବେଳେ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।   ସଂଶୋଧିତ ଗାଇଡ଼ଲାଇନ‍୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ, ଏଣିକି ହସପିଟାଲ‍୍‌ରେ ଚିକିତ୍ସିତ ହେଉଥିବା ଅବସ୍ଥାରେ କୌଣସି ବ୍ୟକ୍ତି ମୃତ୍ୟୁବରଣ କଲେ ସାଙ୍ଗେସାଙ୍ଗେ ଡେଥ୍ ସ୍ଲିପ‍୍‌ ପ୍ରଦାନ କରାଯିବ। ମୃତକଙ୍କ ଆତ୍ମୀୟମାନେ ସେତେବେଳେ ଦୁଃଖଦ ଅବସ୍ଥାରେ ଥିବାରୁ ସେମାନଙ୍କୁ ଅବିଳମ୍ୱେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯିବ। ଯଦି ହସପିଟାଲ‍୍‌ ପରିସରରେ କୌଣସି ଶବ ପରିବହନ ବେଳେ ସନ୍ଦେହ ସୃଷ୍ଟି ହୁଏ ତେବେ ତୁରନ୍ତ ସୁରକ୍ଷା ଅଧିକାରୀ ଓ ହସପିଟାଲ‍୍‌ କର୍ମଚାରୀ ସେମାନଙ୍କୁ ଡେଥ୍ ସ୍ଲିପ‍୍‌ ମାଗିବା ବାଧ୍ୟତାମୂଳକ କରାଯାଇଛି। ଡେଥ୍ ସ୍ଲିପ‍୍‌ ନଦେଖାଇବା ପର୍ଯ୍ୟନ୍ତ ସେମାନଙ୍କ ହସପିଟାଲ ପରିସରରୁ ବାହାରକୁ ଛଡ଼ା ନଯିବା ପାଇଁ ଗାଇଡ଼ଲାଇନ‍୍‌ରେ ଉଲ୍ଲେଖ ରହିଛି।   ଅଚିହ୍ନା ଶବକୁ ସମ୍ମାନର ସଂରକ୍ଷଣ କରିବା ପାଇଁ ଗାଇଡ଼ଲାଇନ‍୍‌ରେ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ଏହାଛଡ଼ା କୌଣସି ପରିବାର ବ୍ୟକ୍ତି ଚାହିଁଲେ ସେମାନେ ଯେପରି ବିନା ସମସ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଓ ମହାପ୍ରୟାଣ ଯୋଜନାର ସୁଫଳ ପାଇବେ ତାହା ଉପରେ ଗୁରୁତ୍ୱାରୋପ କରିବାକୁ ମଧ୍ୟ ଉଲ୍ଲେଖ ରହିଛି। ମେଡ଼ିକୋ ଆଇନଗତ କ୍ଷେତ୍ରରେ ଶବ ପରିବହନ ପାଇଁ ପୁଲିସ‍୍‌ ଥାନାକୁ ଅର୍ଥ ପ୍ରଦାନ କରାଯିବ। ଗ୍ରାମାଞ୍ଚଳ କ୍ଷେତ୍ରରେ ୧୫୦୦, ସହରାଞ୍ଚଳରେ ୧୦୦୦ ଓ ସ୍ୱତନ୍ତ୍ର କ୍ଷେତ୍ରରେ ୨ ହଜାର ଟଙ୍କା ଲେଖାଏଁ ଥାନାକୁ ପ୍ରଦାନ କରାଯିବ। ଏକ୍ଷେତ୍ରରେ ଜିଲ୍ଲାପାଳ ଓ ପୁଲିସ ଏସ‍୍‌ପିଙ୍କ ମଧ୍ୟରେ ସମନ୍ୱୟ ରହିବା ସହ ଶବ ପରିବହନ, ଅନ୍ତିମ ସଂସ୍କାର, ଅନୁକମ୍ପାମୂଳକ ସହାୟତା ପାଇଁ ଥିବା ସରକାରୀ ଯୋଜନା ଯେଭଳି ସେମାନଙ୍କ ନିକଟରେ ପହଞ୍ଚିବ ତାହା ଅନୁଧ୍ୟାନ କରିବା ପାଇଁ ମଧ୍ୟ ଗାଇଡ଼ଲାଇନ‍୍‌ରେ ଉଲ୍ଲେଖ ରହିଛି।

Share :