ଘୋଷିତ ହେଲା ଚଳିତ ବର୍ଷର ବିଜ୍ଞାନ ନୋବେଲ

ଘୋଷିତ ହେଲା ଚଳିତ ବର୍ଷର ବିଜ୍ଞାନ ନୋବେଲ

Share :

ଚଳିତ ବର୍ଷ ପାଇଁ ଚିକିତ୍ସା ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଜାପାନର ଜଣେ ଚିକିତ୍ସା ବିଜ୍ଞାନୀ ମେଡିସିନ ନୋବେଲ ଜିତିଥିବାବେଳେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନର ନୋବଲେ ଜିତିଛନ୍ତି ସଂଖ୍ୟାଧିକା ମାର୍କିନ ବିଜ୍ଞାନୀ।   ଜାପାନର କୋଷ ଜୀବବିଜ୍ଞାନୀ ୟୋଶିନୋରି ଓହସୁମି ଚଳିତ ବର୍ଷର ଶରୀରବିଜ୍ଞାନ ବା ମେଡିସିନ‍୍‌ ନୋବେଲ ପୁରସ୍କାର ପାଇବେ। ଅଟୋଫାଗି ବା କୋଷଗୁଡ଼ିକ ମଧ୍ୟରେ ପରସ୍ପରକୁ ନଷ୍ଟ କରିବାର ପ୍ରକ୍ରିୟା ଆବିଷ୍କାର ପାଇଁ ସେ ଏହି ପୁରସ୍କାର ପାଇବେ। ନୋବେଲ କମିଟି ଏହି ଘୋଷଣା କରିଛି। କମିଟି କହିଛି ଯେ କୋଷ ଓ କୋଷ ଉପାଦନଗୁଡ଼ିକର ଅବକ୍ଷୟ ସଂପର୍କରେ ତାଙ୍କର ଗବେଷଣା ପାଇଁ ଓହସୁମିଙ୍କୁ ଏହି ପୁରସ୍କାର ଦିଆଯିବ।   ଚଳିତ ବର୍ଷ ମେଡିସିନ‍୍‌ ନୋବେଲ ପାଇଁ ୨୭୩ ଜଣ ବିଜ୍ଞାନୀଙ୍କ ନାମ ପ୍ରସ୍ତାବିତ ହୋଇଥିଲା। ସେମାନଙ୍କ ମଧ୍ୟରୁ ୟୋଶିନୋରି ଓହସୁମିଙ୍କୁ ନୋବେଲ ପାଇଁ ମନୋନୀତ କରାଯାଇଛି। ଜାପାନର ଫୁକୁଓକାରେ ୧୯୪୫ ଫେବୃଆରୀ ୯ ତାରିଖରେ ଜନ୍ମ ଗ୍ରହଣ କରିଥିିବା ଓହସୁମି ଏବେ ଟୋକିଓ ଇନ‍୍‌ଷ୍ଟିଚ୍ୟୁଟ‍୍‌ ଅଫ୍ ଟେକ୍ନୋଲୋଜିରେ ପ୍ରଫେସର ଅଛନ୍ତି। ମେଡିସିନ‍୍‌ରେ ନୋବେଲ ପୁରସ୍କାର ପାଇବାରେ ସେ ହେଉଛନ୍ତି ଜାପାନର ଷଷ୍ଠ ନାଗରିକ। ୧୯୦୫ ମସିହାରେ ମେଡିସିନ‍୍‌ରେ ପ୍ରଥମ ନୋବେଲ ଦିଆଯିବା ପରେ ଚଳିତ ବର୍ଷ ଓହସୁମିଙ୍କୁ ଏହି ବର୍ଗରେ ୧୦୭ତମ ନୋବେଲ ପ୍ରଦାନ କରାଯିବ।   ସେହିପରି ବ୍ରିଟିଶ ଜନ୍ମିତ ତିନି ଜଣ ମାର୍କିନ ବୈଜ୍ଞାନିକ ପାଇବେ ଚଳିତ ବର୍ଷର ପଦାର୍ଥ ବିଜ୍ଞାନ ନୋବେଲ। ସେମାନେ ହେଲେ ୮୨ ବର୍ଷ ବୟସ୍କ ଡେଭିଡ ଥୋଲେସ‍୍‌, ୬୫ ବର୍ଷ ବୟସ୍କ ହନକାନ ହାଲଡାନେ ଏବଂ ୭୩ ବର୍ଷ ବୟସ୍କ ମାଇକେଲ କୋଷ୍ଟରଲିଜ। ସେମାନେ ବହିରାଗତ ପଦାର୍ଥର ରହସ୍ୟ ଉନ୍ମୋଚନ କରିବାରେ ସଫଳ ହୋଇଥିବାରୁ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ନୋବେଲ କମିଟି ଘୋଷଣା କରିଛି।   ରୟାଲ େସ୍ୱଡିଶ ଏକାଡେମି ଅଫ ସାଇନ୍ସେସ ଏହି ପୁରସ୍କାର ଘୋଷଣା କରି କହିଛି ଯେ ଏ ତିନି ଜଣ ପଦାର୍ଥର ଅସ୍ୱାଭାବିକ ପରିବର୍ତ୍ତନ ସଂପର୍କରେ ଗବେଷଣା କରିଛନ୍ତି। ସେମାନଙ୍କ ଗବେଷଣା ଏ କ୍ଷେତ୍ରରେ ନୂତନ ଦ୍ୱାର ଉନ୍ମୋଚନ କରିଛି। ଏ ତିନି ଜଣ ୧୯୭୦ ଓ ୧୯୮୦ ଦଶକରେ ଏ ବିଷୟରେ ଗବେଷଣା କରିଥିଲେ। କିନ୍ତୁ ଚଳିତ ବର୍ଷ ସେମାନଙ୍କୁ ଏଥିପାଇଁ ପୁରସ୍କାର ମିଳିବ।   ଥୋଲେସ‍୍‌ ଏବେ ୱାଶିଂଟନ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମିରେଟସ‍୍‌ ଥିବାବେଳେ ହାଲଡାନେ ନିଉଜର୍ସିର ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟ ଏବଂ କୋଷ୍ଟଲିଜ ରୋଡେ ଆଇଲାଣ୍ଡର ବ୍ରାଉନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି।   ପୃଥିବୀର କ୍ଷୁଦ୍ରତମ ଯନ୍ତ୍ର ତିଆରି କରିଥିବା ତିନି ଜଣ ବୈଜ୍ଞାନିକ ପାଇବେ ଚଳିତ ବର୍ଷର ରସାୟନ ନୋବେଲ। ରୟାଲ େସ୍ୱଡିଶ ଏକାଡେମୀ ଅଫ ସାଇନ୍ସେସ ଏହି ଘୋଷଣା କରିଛି। ରସାୟନ ବିଜ୍ଞାନରେ ନୋବେଲ ପାଇବାକୁ ବିବେଚିତ ହୋଇଥିବା ଏହି ବୈଜ୍ଞାନିକମାନେ ହେଲେ ଫରାସୀ ଜନ୍ମିତ ଜାଁ ପେରେ ସଭେଜ୍‌, ସ୍କଟଲାଣ୍ଡ ଜନ୍ମିତ ଫ୍ରେଜର ଲ୍ପୋଡାର୍ଟ ଏବଂ ହଲାଣ୍ଡ ଜନ୍ମିତ ବର୍ଣ୍ଣାଡ ଫେରିଙ୍ଗା। ସେମାନେ ମଣିଷ କେଶଠାରୁ ୧୦୦୦ ଗୁଣରୁ ଅଧିକ ଛୋଟ ଯନ୍ତ୍ର ତିଆରି କରିଥିଲେ। ସେମାନଙ୍କର ଏହି ଆବିଷ୍କାର କଂପ୍ୟୁଟର ଓ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବାରେ ସହାୟକ ହୋଇପାରିବ।   ୭୪ ବର୍ଷ ବୟସ୍କ ବୈଜ୍ଞାନିକ ଲ୍ପୋଡାର୍ଟ ଏବେ ଇଲିନୟସର ନର୍ଥେୱଷ୍ଟର୍ଣ୍ଣ ବିଶ୍ୱବିଦ୍ୟାଳୟରେ ରସାୟନବିଦ୍ୟାର ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ନେଦରଲାଣ୍ଡର ଗ୍ରୋନିଙ୍ଗେନ ବିଶ୍ୱବିଦ୍ୟାଳୟର ଅର୍ଗାନିକ କେମିଷ୍ଟ୍ରି ବା ଜୈବରସାୟନ ବିଭାଗର ପ୍ରଫେସର ଅଛନ୍ତି ଫେରିଙ୍ଗା ଏବଂ ଷ୍ଟ୍ରାସବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମିରେଟସ ଭାବେ କାର୍ଯ୍ୟ କରୁଛନ୍ତି ସଭେଜ। ଏମାନେ ଯେଉଁ ମୋଲିକ୍ୟୁଲାର ବା ଅଣୁଯନ୍ତ୍ର ବାହାର କରିଛନ୍ତି ତଦ୍ୱାରା ନୂଆ ପଦାର୍ଥ ସୃଷ୍ଟି କରାଯାଇ ପାରିବ। ସେହିପରି ଏହାକୁ ବ୍ୟବହାର କରି ଶକ୍ତି ଭଣ୍ଡାର ବ୍ୟବସ୍ଥା ମଧ୍ୟ ବିକଶିତ ହୋଇପାରିବ ବୋଲି ଏକାଡେମୀ କହିଛି।

Share :