କିଏ ନବୀନଙ୍କ ରକ୍ଷାକବଚ!

କିଏ ନବୀନଙ୍କ ରକ୍ଷାକବଚ!

Share :

 ଏତେ ଦିନେକେ ପଦାକୁ ଆସିଲେ ନବୀନ ପଟ୍ଟନାୟକଙ୍କ ରକ୍ଷାକବଚ! ସେ ପୁଣି ଆଉ କେହି ନୁହନ୍ତି, ବାରମ୍ବାର ନବୀନଙ୍କ ଦ୍ବାରା ଅପମାନିତ ଓ ଅବହେଳିତ ହୋଇଥିବା ଡାକ୍ତର ଦାମୋଦର ରାଉତ! ସେ ନିଜକୁ ନିଜେ ନବୀନଙ୍କ ରକ୍ଷାକବଚ ଭାବେ ଉପସ୍ଥାପିତ କରିଛନ୍ତି। ତେବେ ଡାକ୍ତର ରାଉତଙ୍କ ପରି ରକ୍ଷାକବଚ କାହିଁକି ପିନ୍ଧୁ ନାହାନ୍ତି ନବୀନ ପଟ୍ଟନାୟକ, କେଉଁ ଡରରେ ତାହା କେବଳ ନବୀନଙ୍କୁ ହିଁ ଜଣା। ତାଙ୍କ ମୁହଁରୁ ଏହାର ଉତ୍ତର ମିଳିବା ମୁସ୍କିଲ।   ଅକ୍ଟୋବର ୫ ତାରିଖରେ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଜଙ୍ଗରେ ବିଜୁ ଜନତା ଦଳର ଜନ ସଂପର୍କ ଯାତ୍ରା ପାଇଁ ଏକ ସଭା ଆୟୋଜନ କରିଥିଲେ ଡାକ୍ତର ରାଉତ। ତେବେ ରାଜ୍ୟସାରା ଦଳ ତରଫରୁ ଜନସଂପର୍କ ଯାତ୍ରା ଆୟୋଜିତ ହେଉଥିବାରୁ ସେ ଭିଡ଼ରେ ହଜି ନଯିବା ପାଇଁ ଦାମ ଏହାକୁ ମହାନଦୀ ସମାବେଶ ଭାବରେ ପ୍ରଚାରିତ କରାଇଥିଲେ। ନିକଟରେ ଶେଷ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନରେ ଦାମଙ୍କୁ ମହାନଦୀ ବିତର୍କରେ ଭାଗ ନେବାର ଅନୁମତି ମିଳି ନଥିଲା। ତାହାକୁ ନେଇ ସେ ଦଳ ଓ ବାଚସ୍ପତିଙ୍କ ବିରୋଧରେ କଟାକ୍ଷ କରିଥିଲେ। ତେଣୁ କୁଜଙ୍ଗ ମହାନଦୀ ସମାବେଶରେ କାଳେ ସରକାରଙ୍କ ସଂପର୍କରେ ଦାମ କିଛି ନୂଆ କଥା କହିବେ ସେଥିପାଇଁ ଗଣମାଧ୍ୟମ ଓ ଅର୍ଦ୍ଧଚେତନ ନାଗରିକ ଗୋଷ୍ଠୀ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିଲା।   କିନ୍ତୁ ଦେଖାଗଲା ତାହା ମହାନଦୀ ସମାବେଶ ନହୋଇ ଆତ୍ମସୁରକ୍ଷା ସମାବେଶରେ ଶେଷ ହେଲା।   ସଭାରେ ନିଜର ନବୀନଭକ୍ତି ଦେଖାଇବା ପାଇଁ ଦାମ ନିଜକୁ ନବୀନଙ୍କ ରକ୍ଷାକବତ ଭାବେ ଉପସ୍ଥାପିତ କଲେ। ଦଳର ଅନ୍ୟ ବହୁ ନେତା ନିଜକୁ ନବୀନଙ୍କ ଚାକର ଭାବେ ବର୍ଣ୍ଣନା କରୁଥିବାବେଳେ ଦାମ ନିଜକୁ ନବୀନଙ୍କ ରକ୍ଷାକବଚ ଭାବେ ଉପସ୍ଥାପିତ କରି ନିଜକୁ ନିଜ ଆସନ ଅନ୍ୟମାନଙ୍କଠାରୁ ଉପରେ ବୋଲି ଦେଖେଇ ହେଇଛନ୍ତି। ଦିନେ ରାମକୃଷ୍ଣ ପଟ୍ଟନାୟକ ମଧ୍ୟ ନିଜକୁ ଏମିତି ନବୀନଙ୍କ ଅଭିଭାବକ ଭାବେ ଉପସ୍ଥାପିତ କରିଥିଲେ। ମୋଗଲ ଶାସନରେ ଯେପରି ବୈରାମ ଖାଁ ବାଳକ ଆକବରଙ୍କ ସୁରକ୍ଷାକର୍ତ୍ତା ଓ ଅଭିଭାବକ ଭାବେ କାର୍ଯ୍ୟ କରୁଥିଲେ ରାମକୃଷ୍ଣ ସେମିତି ନିଜକୁ ନବୀନଙ୍କ ଅଭିଭାବକ ଓ ସୁରକ୍ଷାକର୍ତ୍ତା ଭାବେ ଉପସ୍ଥାପିତ କରୁଥିଲେ। ଶେଷରେ ସେ ଆଜି କେଉଁଠି ତାହା ଡାକ୍ତର ରାଉତଙ୍କୁ ଆଦୌ ଅମାଲୁମ ନଥିବ। ତଥାପି ସେ ନିଜକୁ ନବୀନଙ୍କ ରକ୍ଷା କବଚ ଭାବେ ଉପସ୍ଥାପିତ କରିଛନ୍ତି।   କୁଜଙ୍ଗ ସଭାରେ ଦାମ କହିଛନ୍ତି, ବିଜେଡି ସରକାରରେ ଯଦି କେବେ ମଶା ଲାଗେ ମୁଁ ତାଙ୍କୁ ଧୂଆଁ ଦେଇ ଦୂର କରିବି। ମୂଷା ପଶିଲେ ଯନ୍ତା ବସେଇ ମାରିବି। ମୁଁ ବିଜେଡି ସରକାରକୁ ସୁରକ୍ଷା ଦେଇ ଆସିଛି, ଦେଇ ଚାଲିଥିବି। ନବୀନଙ୍କ ରକ୍ଷା କବଚ ହୋଇ ରହିଛି, ରହିଥିବି।   କିନ୍ତୁ ସେ କିପରି ରକ୍ଷାକବଚ? ୨୦୧୨ ମେ ୨୯ ତାରିଖ ରାତିରେ ପ୍ୟାରୀ ମହାପାତ୍ରଙ୍କ ବିଦ୍ରୋହରୁ ଦାମ କ’ଣ ନବୀନଙ୍କୁ ଉଦ୍ଧାର କରିଥିଲେ? ଏମିତି ଦାବି ତ ଅନେକେ କରନ୍ତି। ଅନଙ୍ଗ ଉଦୟ, ପସନ୍ନ ଆଚାର୍ଯ୍ୟ, ସୂର୍ଯ୍ୟ ପାତ୍ର ମଧ୍ୟ ପ୍ୟାରୀ ଷଡ଼ଯନ୍ତ୍ର ଭଣ୍ଠୁର କରିଥିଲେ ବୋଲି ମଝିରେ ମଝିରେ ସୁଯୋଗ ଉଣ୍ଡି ଦାବି କରିଥାନ୍ତି। ତେବେ, ଡାକ୍ତର ରାଉତ ଯେ ନବୀନଙ୍କ ରକ୍ଷା କବଚ ଏକଥା ବୋଧହୁଏ ନବୀନ ନିଜେ ବୁଝି ନାହାନ୍ତି। ନହେଲେ ତାଙ୍କୁ ମନ୍ତ୍ରିମଣ୍ଡଳରେ ଅପମାନିତ ଓ ଅବହେଳିତ କରି ରଖି ନଥାନ୍ତେ। ମନ୍ତ୍ରିମଣ୍ଡଳ ବା ସରକାରରେ ଦାମ ଅପମାନିତ ଓ ଅବହେଳିତ ବୋଲି ଅନ୍ୟ କେହି ନୁହେଁ, ନିଜେ ଦାମ ବାରମ୍ବାର ଅଭିଯୋଗ କରିଛନ୍ତି।   କେବେ ସେ କହିଛନ୍ତି ଯେ କନିଷ୍ଠ ମନ୍ତ୍ରୀମାନେ ତାଙ୍କଠାରୁ ଅଧିକ ଗୁରୁତ୍ବ ପାଉଛନ୍ତି ପୁଣି କେବେ କହିଛନ୍ତି ସେ ସରକାରରେ କିଏ କି? ତାଙ୍କ କଥା ତାଙ୍କ ଅଫିସରମାନେ ଶୁଣୁ ନାହାନ୍ତି ବୋଲି କେବେ ସେ କ୍ଷୋଭ ପ୍ରକାଶ କରିଥିବାବେଳେ କେବେ କହିଛନ୍ତି ଏ ସରକାରର ବାପମା’ ଅଛନ୍ତି ବୋଲି ସେ ଭାବୁ ନାହାନ୍ତି। ଏଠି ଅନୁମାନର ରାଜନୀତି ଚାଲିଛି, ଅନୁଭବର ରାଜନୀତି ଚାଲି ନାହିଁ। ଅମଲାତନ୍ତ୍ର ସରକାର ଚଳାଉଛନ୍ତି। ବିଜୁ ଜନତା ଦଳ ଓ ସରକାରର ନିଷ୍ପତ୍ତି ନେଉଥିବା ଲୋକମାନେ ବିଜୁ ଆଦର୍ଶ କ’ଣ ଜାଣନ୍ତି ନାହିଁ। ସଂପତ୍ତି ଅର୍ଜନ କରିବା ମନ୍ତ୍ରୀମାନଙ୍କର ନୀତି ହୋଇଯାଇଛି। ଏମିତି କେତେ କ’ଣ କହି ସେ ଜନ ସାଧାରଣରେ ନିଜକୁ ନବୀନ ସରକାରର ଜଣେ ତୀବ୍ର ସମାଲୋଚକ ଭାବେ ଉପସ୍ଥାପନ କରିଛନ୍ତି। ସେଥିପାଇଁ ତାଙ୍କୁ ନବୀନଙ୍କର ବିକଳ୍ପ ଭାବେ ମଧ୍ୟ ବିବେଚନା କରାଯାଏ।   କିନ୍ତୁ ସେ ନିଜକୁ ନବୀନଙ୍କ ରକ୍ଷାକବଚ ଭାବେ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଗଲା ଯେ ଡାକ୍ତର ରାଉତ ମଧ୍ୟ ସୂର୍ଯ୍ୟ ପାତ୍ର ଓଗେରଙ୍କ ଭଳି ନବୀନଙ୍କର ଜଣେ ପାଳିତପୋଷିତ କର୍ମଚାରୀ!   ତେବେ ଏଭଳି ଜଣେ ଦକ୍ଷ କର୍ମଚାରୀଙ୍କୁ ନବୀନ କାହିଁକି ଯେ ସବୁବେଳେ ଅଣଦେଖା କରି ଚାଲିଛନ୍ତି ତାହା ଜଣାପଡ଼ୁ ନାହିଁ। ନବୀନ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦଫାରେ ଦାମଙ୍କୁ ମନ୍ତ୍ରୀ କରି ନଥିଲେ। ୨୦୦୨ ମସିହାର ଅଦଳବଦଳରେ ନବୀନଙ୍କର ତତ୍କାଳୀନ ମୁଖ୍ୟ ପରାମର୍ଶଦାତା ପ୍ୟାରୀ ମୋହନ ମହାପାତ୍ରଙ୍କ ଆଶୀର୍ବାଦରୁ ଦାମଙ୍କୁ ସେହି ସୌଭାଗ୍ୟ ମିଳିଥିଲା। ସେହି ସୂତ୍ରେ ୨୦୦୪ ନିର୍ବାଚନ ପରେ ତାଙ୍କୁ ପୁଣି ମନ୍ତ୍ରୀ କରାଗଲା। କିନ୍ତୁ ପୂର୍ବ ଥର ତାଙ୍କୁ ପଂଚାୟତିରାଜ, ସୂଚନା ଓ ଲୋକସଂପର୍କ ବିଭାଗ ସହିତ ସଂସ୍କୃତି ବିଭାଗ ଦିଆଯାଇଥିଲାବେଳେ ୨୦୦୪ ମନ୍ତ୍ରିମଣ୍ଡଳରେ ସୂଚନା ଓ ଲୋକସଂପର୍କ ବିଭାଗ ତାଙ୍କୁ ମିଳି ନଥିଲା। ସେଥର ସେ ପୁଣି ସରକାରଙ୍କର ଏମିତି ରକ୍ଷା କବଚ ସାଜିଲେ ଯେ ନବୀନ ତାଙ୍କୁ ମାତ୍ର ୨ ବର୍ଷ ପରେ ୨୦୦୬ ମସିହାରେ ମନ୍ତ୍ରିମଣ୍ଡଳରୁ ବାଦ ଦେଲେ। ଏହା ପରେ ସେ ବିଜୁ ବିଚାର ମଂଚ ଗଠନ କରି ନବୀନ ଓ ତାଙ୍କ ଲୋକମାନେ କେମିତି ବିଜୁ ଆଦର୍ଶ ପରିପନ୍ଥୀ ତାହା ପ୍ରମାଣିତ କରିବାକୁ ଉଦ୍ୟମ କଲେ। କିନ୍ତୁ ଚାପ ପଡ଼ିବାରୁ ସେହି ମଂଚ ଅନ୍ତୁଡ଼ିଶାଳରେ ସମାଧି ନେଲା। ଦାମଙ୍କୁ ପୁଣି ମନ୍ତ୍ରୀ ହେବାର ସୌଭାଗ୍ୟ ମିଳିଲା ୨୦୦୯ ନିର୍ବାଚନ ପରେ। ସେଥର ତାଙ୍କୁ ତାଙ୍କର ପ୍ରିୟ ପଂଚାୟତିରାଜ ବିଭାଗ ଦିଆ ନଯାଇ କୃଷି, ସମବାୟ, ମତ୍ସ୍ୟ ଓ ପଶୁପାଳନ ବିଭାଗ ଦିଆଯାଇଥିଲା। ତେବେ ୨୦୧୧ ମସିହାରେ ପୁଣି ଥରେ ନବୀନ ତାଙ୍କଠାରୁ ମନ୍ତ୍ରୀପଦ ଛଡ଼ାଇ ନେଲେ। ୨୦୧୪ ନିର୍ବାଚନ ପରେ ପୁଣି ତାଙ୍କୁ ନିଆଗଲା। କିନ୍ତୁ ଏଥର ଦିଆଗଲା ଅବକାରୀ ଓ ସମବାୟ। ଏ ଦୁଇ ବିଭାଗ ଦାମଙ୍କ ଭାବମୂର୍ତ୍ତି ତୁଳନାରେ ନ୍ୟୁନ, ତାଙ୍କ ପସନ୍ଦର ନୁହେଁ। ତେଣୁ ବିଭାଗ ପାଇବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଥିଲା, ଯାହା ହଉ ନାଲିବତୀ ତ ମିଳିଲା, ବିଭାଗରୁ କ’ଣ ମିଳିବ?   ଇଏ କାଳେ ପୁଣି ନବୀନଙ୍କ ରକ୍ଷକବଚ!   ନବୀନ ନିଜେ କେଉଁ ବା କାହାର କବଚ ପିନ୍ଧିଛନ୍ତି ତାହା ସେ କାହାକୁ କହି ନାହାନ୍ତି। କହିବେ ବି ନାହିଁ। କାରଣ ସେ ଅନ୍ୟର କବଚ ପିନ୍ଧି ନେତା ହୋଇଛନ୍ତି ବୋଲି ଜଣାପଡ଼ିବା ତାଙ୍କର ପୌରୁଷତ୍ବ(?) ପ୍ରତି ଅପମାନ ହୋଇପାରେ। ତେଣୁ ସେ ମଝିରେ ମଝିରେ ତାଙ୍କର କବଚ ବଦଳାଇଥାନ୍ତି। ଏଠି ତାଙ୍କର ମୁଖ୍ୟ ଉପଦେଷ୍ଟା ବା ପ୍ରଧାନ କର୍ମଚାରୀଙ୍କୁ କବଚ ଭାବେ ଗ୍ରହଣ କରାଯାଇଛି। ବାସ୍ତବରେ ଓଡ଼ିଶାର ପ୍ରାୟ ଏକ କୋଟି ବୋକା ଲୋକ ନବୀନଙ୍କ କ୍ଷମତାର କବଚ ହୋଇଥିଲେ ହେଁ ଏହା ଗୋଟେଇଗାଟେଇ ତାଙ୍କ ଥାଳିରେ ସଜେଇଥିବା ଲୋକ ହିଁ ହେଉଛନ୍ତି ନବୀନଙ୍କର ପ୍ରକୃତ ରକ୍ଷା କବଚ। ପ୍ରଥମେ ଜନତା ଦଳ ଭାଙ୍ଗି ବିଜୁ ଜନତା ଦଳ ଗଠନ କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବିଜୟ ମହାପାତ୍ର ଥିଲେ ସେଇ କବଚ। କିନ୍ତୁ ବିଧାନସଭା ନିର୍ବାଚନ ଲଢ଼ିବା ପୂର୍ବରୁ ୨୦୦୦ ମସିହାରେ ନବୀନ ତାଙ୍କୁ ଏମିତି ପାନେ ଦେଲେ ଯେ ଏହି ବିଚକ୍ଷଣ ରାଜନେତା ଏବେ ବି ଉଠିବାର ବୁଦ୍ଧି ପାଉ ନାହାନ୍ତି। ଏହା ପରେ ଅବସରପ୍ରାପ୍ତ ଆଇଏଏସ ପ୍ୟାରୀ ମୋହନ ମହାପାତ୍ରଙ୍କୁ ନବୀନ ନିଜର କବଚ କରି ପିନ୍ଧିଥିଲେ। ଯିଏ ଯାହା କହିଲା ସେ ସବୁବେଳେ ଶହୀଦ ନଗରକୁ ଆଙ୍ଗୁଳି ଦେଖେଇ ଦିଅନ୍ତି। କିନ୍ତୁ ପ୍ୟାରୀ କବଚ ପୁରୁଣା ହୋଇଯିବାରୁ ବା ତାହା ବିପରୀତ କାମ କରିବାରୁ ନବୀନ କିଛି ଦିନ ଅନ୍ୟତମ ଆଇଏଏସ ଅଫିସର ବିଜୟ ପଟ୍ଟନାୟକଙ୍କୁ ନିଜର କବଚ ଭାବେ ପିନ୍ଧିଥିଲେ। ତେବେ ପ୍ୟାରୀ ତଡ଼ା ଖାଇଲା ପରେ ଏବଂ ବିଜୟ ସରକାର ଚଳଉଥିବା ଭିତରେ ଦଳୀୟ ନିଷ୍ପତ୍ତି ପାଇଁ ନବୀନ କିଛି ଦିନ କଳ୍ପତରୁ ଦାସଙ୍କୁ ନିଜର କବଚ ଭାବେ ଉପସ୍ଥାପନ କରିଥିଲେ। ସେ ନିଜେ ସବ ପ୍ରାର୍ଥୀ ବାଛିଥିଲେ ବି ସମାଲୋଚନା ହେଲେ ତାହା କଳ୍ପତରୁଙ୍କ ଆଡ଼କୁ ମୁହାଁଇ ଦିଆଯାଉଥିଲା। କଳ୍ପତରୁ ନବୀନଙ୍କ କବଚ ବା ମୁଖ୍ୟ ଉପଦେଷ୍ଟା ହୋଇ ଏମିତିସବୁ କାମ କରି ବଦନାମ ହେଲେ ଯେ ନବୀନ ତାଙ୍କୁ କାଢ଼ି ଖପାଡ଼ିଦେଲେ। ଏହା ପରଠାରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଆଇଏଏସ ଅଫିସର କାର୍ତ୍ତିକେୟନ ପାଣ୍ଡିଆନ କାଳେ ନବୀନଙ୍କ ମୁଖ୍ୟ ଉପଦେଷ୍ଟା ଓ ଉଭୟ ଦଳ ଓ ସରକାରର ରକ୍ଷାକବଚ ସାଜିଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି।   ଏହା ଭିତରେ ଡାକ୍ତର ରାଉତ କେଉଁଦିନ ନବୀନଙ୍କ ରକ୍ଷା କବଚ ହେଲେ ତାହା କାହିଁକି କେହି କହୁ ନାହାନ୍ତି ତାହା ର୍ହି ଆଶ୍ଚର୍ଯ୍ୟର କଥା!

Share :