ନଗଡ଼ା, ଗୁମୁଡ଼ୁମାହ, ମେଲଘରା କାହିଁକି?

ନଗଡ଼ା, ଗୁମୁଡ଼ୁମାହ, ମେଲଘରା କାହିଁକି?

Share :

ଖାଇବାକୁ ନପାଇ ଆଦିବାସୀ ଓ ଦଳିତ ଶିଶୁ ମୃତ୍ୟୁବରଣ କରୁଛନ୍ତି। ଶିଳ୍ପପତିଙ୍କ ପାଇଁ ସରକାର ସେମାନଙ୍କ ରକ୍ତ ନେଉଛନ୍ତି। ମାଓବାଦୀ ସନ୍ଦେହରେ ନିରୀହ ଦଳିତ ଆଦିବାସୀଙ୍କୁ ମିଥ୍ୟା ଏନକାଉଣ୍ଟର କରାଯାଉଛି। ଶିକ୍ଷାରେ ସେମାନେ ଅବହେଳିତ ଓ ସ୍ୱାସ୍ଥ୍ୟସେବାରେ ଉପେକ୍ଷିତ ହେଉଛନ୍ତି। ରାଜ୍ୟର ୩୦ଞ୍ଝ ଆଦିବାସୀ ଓ ଦଳିତଙ୍କ ବିକାଶ ପାଇଁ ପଦକ୍ଷେପ ନେବାରେ ସରକାର ବିଫଳ ହୋଇଛନ୍ତି ବୋଲି ବିରୋଧୀ ଅଭିଯୋଗ ବାଢ଼ିଛନ୍ତି। ଅପରପକ୍ଷରେ ଶିକ୍ଷାଠାରୁ ନେଇ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସରକାର ଆଦିବାସୀ ଓ ଦଳିତଙ୍କ ବିକାଶ ପାଇଁ ବହୁବିଧ ପଦକ୍ଷେପ ନେବା ସହ ଅନେକ ଯୋଜନା ପ୍ରଣୟନ କରିଛନ୍ତି। କେନ୍ଦ୍ରର ଅର୍ଥ କାଟ‍୍‌ ସତ୍ତ୍ବେ ରାଜ୍ୟ ସରକାର ନିଜସ୍ୱ ଅର୍ଥରେ ଉନ୍ନୟନମୂଳକ କାର୍ଯ୍ୟ ଜାରି ରଖିଛନ୍ତି। ଫଳରେ ସେହି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଆଦି କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରକାଶ କରିଛନ୍ତି।   ସଦ୍ୟ ସମାପ୍ତ ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନରେ ଆଦିବାସୀଙ୍କ ବିକାଶ ନେଇ ଏମିତି କଥା କଟାକଟି ହୋଇଥିଲେ ଶାସକ ଓ ବିରୋଧୀ ପକ୍ଷ। ଏବେ ମାଲକାନଗିରିରେର ବ୍ୟାପିଥିବା ଜାପାନିଜ ଏନ୍‌ସେଫାଲିଟିସ ଓ ତହିଁରେ ମାସକ ଭିତରେ ୩୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ହେବା ଘଟଣାରୁ ସାବିତ ହୋଇଯାଇଚି କିଏ ସତ କହୁଛି।   ବିଧାନସଭାରେ ଆଦିବାସୀ ବିକାଶ ସଂଂପର୍କୀତ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ରାଜ୍ୟରେ ଦଳିତ ଓ ଆଦିବାସୀ ନିର୍ଯ୍ୟାତିତ ଓ ଅବହେଳିତ। ସବୁ କଥାରେ ବିଜେଡ଼ି ସରକାର କଂଗ୍ରେସକୁ ଦାୟୀ କରୁଛି। ହେଲେ ରାଜ୍ୟରେ କଂଗ୍ରେସ ଅପେକ୍ଷା ଅଣକଂଗ୍ରେସ ସରକାର ଅଧିକ ଦିନ ଧରି ଶାସନ କ୍ଷମତାରେ ରହିଛି। ଖୋଦ‍୍‌ ବିଜୁବାବୁ ବି କଂଗ୍ରେସ ମୁଖ୍ୟମନ୍ତ୍ରୀ ଥିଲେ। ତେବେ ଶାସକ ଦଳ କ’ଣ ପରୋକ୍ଷରେ ବିଜୁବାବୁଙ୍କୁ ମଧ୍ୟ ନିନ୍ଦା କରୁଛି କି ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ, ସରକାର ଯେତେବେଳେ ପଳାୟନପନ୍ଥୀ ହୁଅନ୍ତି ସେତେବେଳେ କଂଗ୍ରେସକୁ ଦାୟୀ କରନ୍ତି। ହେଲେ କଂଗ୍ରେସ ହଁି ସବୁବେଳେ ଦଳିତ ଓ ଆଦିବାସୀଙ୍କ ପାଇଁ ଲଢ଼େଇ କରିଥାଏ। ସେମାନଙ୍କ ହିତ ପାଇଁ କଂଗ୍ରେସ ସରକାରଙ୍କ ଅମଳରେ ହିଁ ଅନେକ ଆଇନ‍୍‌ ପ୍ରଣୟନ କରାଯାଇଛି ବୋଲି ନରସିଂହ ପ୍ରକାଶ କରିଛନ୍ତି।   କମ୍ୟୁନିଷ୍ଟ ଆଦର୍ଶ ଉପସ୍ଥାପନ କରି ନରସିଂହ କହିଥିଲେ ଯେ, ଯୁଗେଯୁଗେ ପୁଞ୍ଜିପତି ସର୍ବହରାକୁ ଶୋଷିତ କରେ। ପୁଞ୍ଜିପତିମାନେ ସରକାରଙ୍କୁ କବଳିତ ରଖିଛନ୍ତି। ଧନୀଙ୍କ ପାଇଁ ଚିନ୍ତା କରୁଥିବା ସରକାର ଗରିବ ବିରୋଧୀ କାର୍ଯ୍ୟ ହିଁ କରିଥାଏ। ରାଜ୍ୟ ସରକାର ସବୁବେଳେ ପୁଞ୍ଜିପତିଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଆସୁଛନ୍ତି ବୋଲି ସେ କହିଥିଲେ। ଶାସକ ଦଳର ବରିଷ୍ଠ ନେତାଙ୍କ ଉଦ୍ଦେଶ୍ୟରେ ନରସିଂହ କହିଥିଲେ ଯେ, ବିଧାନସଭାରେ ଶାସକ ଦଳ ବିଧାୟକମାନେ ଆମ୍ୱ ଟାକୁଆ ଖାଇବା ଆଦିବାସୀଙ୍କ ଅଭ୍ୟାସ ଓ ଏଥିରେ ହିଁ ସେମାନଙ୍କ ଖୁସି ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସରକାର ଗରିବଙ୍କ ବିକାଶ ପାଇଁ ଟଙ୍କିକିଆ ଚାଉଳ, ଛତା, ଜୋତା, ଆହାର ଓ ଭତ୍ତା ଆଦି କରୁଛନ୍ତି ବୋଲି ବାହାସ୍ଫୋଟ ମାରୁଛନ୍ତି। ଏଭଳି ଯୋଜନାକୁ ଆମେ ବିରୋଧ କରୁନାହୁଁ କିନ୍ତୁ ଏହାଦ୍ୱାରା ପ୍ରକୃତରେ କ’ଣ ଗରିବ, ଆଦିବାସୀ ଓ ଦଳିତଙ୍କର ବିକାଶ ହୋଇପାରିବ କି ବୋଲି ସେ ପ୍ରଶ୍ନ କରିଥିଲେ। ବିକାଶ ପାଇଁ ଗୁଣାତ୍ମକ ଶିକ୍ଷା ଦରକାର। ସରକାର ସ୍କୁଲ‍୍‌ ଓ ହଷ୍ଟେଲ କରିଥିବା କଥା କହୁଛନ୍ତି କିନ୍ତୁ ଶିକ୍ଷକ ନଥିବାରୁ ପିଲାଙ୍କୁ ପଣିକିଆ ବି ଆସୁନି। ଯୁକ୍ତ ଦୁଇ ପିଲାଟେ ଠିକରେ ନିଜ ଦସ୍ତଖତ ବି କରିପାରୁନାହିଁ। ବୈଷୟିକ ଶିକ୍ଷାରେ ଦଳିତ ଓ ଆଦିବାସୀଙ୍କ ପାଇଁ ସଂରକ୍ଷଣ ମଧ୍ୟ ନାହିଁ। ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ବିନା ସେମାନଙ୍କ ବିକାଶ ସମ୍ଭବନୁହେଁ ବୋଲି ସେ କହିଥିଲେ।   ନଗଡ଼ାରେ ଶିଶୁ ମୃତ୍ୟୁ ହେଲା, କେନ୍ଦୁଝରରେ ଡେଙ୍ଗୁ, ବଲାଙ୍ଗୀରରେ ମାଲେରିଆ ବ୍ୟାପିଲା, ହେଲେ ସେହି ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମିଳିଲା ନାହିଁ। ଡାକ୍ତରଖାନା ବାରଣ୍ଡାରେ ପଡ଼ିଥିବା ଦୁଇ ତୃତୀୟାଂଶ ରୋଗୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଆଦିବାସୀ ଓ ଦଳିତ। ଏହା କ’ଣ ବିକାଶ? ଖପ୍ରାଖୋଲ ଓ ରତନପୁରରେ ଆଦିବାସୀ ଝିଅଙ୍କୁ ଗଣଧର୍ଷଣ କରାଯାଇଥିଲେ ବି ବିଜେଡ଼ି ନେତାଙ୍କ ସଂପୃକ୍ତି ଥିବାରୁ ପୁଲିସ‍୍‌ ଗିରଫ କରୁନାହିଁ। ଆଦିବାସୀ ଓ ଦଳିତ ନିର୍ଯ୍ୟାତନା ମାମଲାର ଦଣ୍ଡ ହାର ମାତ୍ର ଦୁଇ ତିନି ପ୍ରତିଶତ ରହିଛି। ଏହା କ’ଣ ଆଦିବାସୀ ଓ ଦଳିତଙ୍କ ସୁରକ୍ଷା?   ଅନ୍ୟପକ୍ଷରେ ଆପଣାର ୧୬ ବର୍ଷର ଶାସନର ବିଫଳତାକୁ ଘୋଡ଼ାଇ ପକାଇବାକୁ ଯାଇଁ ଶାସକ ଦଳ ବିଧାୟକମାନେ ତାଙ୍କ ସରକାର ଆଦିବାସୀ ଓ ଦଳିତଙ୍କ ଉନ୍ନତି ପାଇଁ ସବୁଠୁଁ ଅଧିକ କାମ ଓ ଯୋଜନା କରିଥିବା କଥା କହୁଛନ୍ତି। ବିଧାନସଭାରେ ବିରୋଧୀ ପକ୍ଷଙ୍କୁ ସମାଲୋଚନା କରି ବିଜେଡି ବିଧାୟକ ପଦ୍ମନାଭ ବେହେରା କହିଥିଲେ ଯେ, ଆଦିବାସୀ ଓ ଦଳିତଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିକାଶ ପାଇଁ ନବୀନ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଅତୀତରେ କୌଣସି ସରକାର ସେଭଳି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଆଦିବାସୀଙ୍କ ପିଲାଙ୍କ ପାଇଁ ସ୍ୱତନ୍ତ୍ର ସ୍କୁଲ‍୍‌ ଓ ହଷ୍ଟେଲର ବ୍ୟବସ୍ଥା ସହ ରହିବା ଓ ଖାଇବାରୁ ସୁବନ୍ଦୋବସ୍ତ କରାଯାଉଥିବାରୁ ପାଶ‍୍‌ ହାର ୯୫ ପ୍ରତିଶତ ଛୁଇଁପାରିଛି। ଅଧିକାଂଶ ପିଲା ପ୍ରଥମ ଶ୍ରେଣୀରେ ବି ଉତ୍ତୀର୍ଣ୍ଣ ହେଉଛନ୍ତି। କେନ୍ଦ୍ରରେ ଓଡ଼ିଶାର ମନ୍ତ୍ରୀ ଥିଲେ ବି ଷ୍ଟାଇପେଣ୍ଡ ଓ ଅନ୍ୟାନ୍ୟ ଯୋଜନାରେ ଅର୍ଥ ଦେବାରେ ଟାଳଟୁଳ ନୀତି ଅବଲମ୍ୱନ କରୁଛନ୍ତି। ହେଲେ ରାଜ୍ୟ ସରକାର ଏହି ୪୦ ପ୍ରତିଶତ ଜନତାଙ୍କ ବିକାଶ ପାଇଁ ବଜେଟ‍୍‌ରେ ଆବଶ୍ୟକୀୟ ଅର୍ଥ ପ୍ରାବଧାନ କରି ଆସୁଛନ୍ତି।   ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ ଯେ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍୍ରୀମାନଙ୍କର ଶୈକ୍ଷିକ ବିକାଶ ନିମନ୍ତେ ପ୍ରାୟ ୧୬୭୦ଟି ଆବାସିକ ବିଦ୍ୟାଳୟ କାର୍ଯ୍ୟ କରୁଛି। ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ନିମନ୍ତେ ୫ ହଜାରରୁ ଊର୍ଦ୍ଧ୍ୱ ହଷ୍ଟେଲ‍୍‌ର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ମାଗଣାରେ ଖାଦ୍ୟ ପ୍ରଦାନ ସହ ସ୍କୁଲ ପୋଷାକ, ପାଠ୍ୟପୁସ୍ତକ ଏବଂ ଲେଖନୀ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଥାଏ।   ରାଜ୍ୟ ସରକାର ୧୪ ଲକ୍ଷ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀଙ୍କୁ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ଯୋଗାଇଦେଇଛନ୍ତି। ଛାତ୍ରମାନଙ୍କର ଛାତ୍ରବୃତ୍ତିକୁ ଛାତ୍ରପିଛା ୬୨୦ରୁ ୭୫୦ ଟଙ୍କା ଏବଂ ଛାତ୍ରୀ ପିଛା ୬୫୦ରୁ ୮୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଗତବର୍ଷ ରାଜ୍ୟ ସରକାର ଅନ୍ୱେଷା ନାମରେ ଏକ ଯୁଗାନ୍ତକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀମାନେ ରାଜ୍ୟର ୧୭ଟି ଜିଲାର ଶ୍ରେଷ୍ଠ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଲାଭ କରିପାରିବେ। ‘ଅନ୍ୱେଷା’ କାର୍ଯ୍ୟକ୍ରମରେ ୨୫୦୦୦ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କୁ ଅନ୍ତଭୁର୍କ୍ତ କରିବା ପାଇଁ ଯୋଜନା କରାଯାଇଛି।   ନବୋଦୟ ବିଦ୍ୟାଳୟ ଢାଞ୍ଚାରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ରାଜ୍ୟ ସରକାର ୧୦ଟି କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତି।  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନେ ସହରରେ ରହି ଉଚ୍ଚଶିକ୍ଷା ଲାଭ ନିମନ୍ତେ ସହରାଞ୍ଚଳ ହଷ୍ଟେଲ‍୍‌ ‘ଆକାଂକ୍ଷା’ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଛି।   ରାଜ୍ୟ ସରକାର ପ୍ରାଚୀନ ଆଦିବାସୀ ଜନଜାତି ସଂପ୍ରଦାୟ (ପିଭିଟିଜି)ଙ୍କ ବିକାଶ ନିମନ୍ତେ ବିଶେଷ ଦୃଷ୍ଟି ଦେଉଛନ୍ତି। ଆଗାମୀ ୮ବର୍ଷ ମଧ୍ୟରେ ୭୯୫ କୋଟି ଟଙ୍କା ବ୍ୟୟରେ ଓଡ଼ିଶା ପିଭିଟିଜି ସଶକ୍ତିକରଣ ଓ ଜୀବନଜୀବିକା କାର୍ଯ୍ୟକ୍ରମ (ଓପିଇଏଲ‍୍‌ଆଇପି) କାର୍ଯ୍ୟକାରୀ ହେଉଛି। ରାଜ୍ୟ ସରକାର ସରକାରୀ ଚାକିରିରେ ଅନୁସୂଚିତ ଜନଜାତିଙ୍କ ପାଇଁ ଶତକଡ଼ା ୨୨.୫ ପ୍ରତିଶତ ଓ ଅନୁସୂଚିତ ଜାତି ବର୍ଗ ନିମନ୍ତେ ଶତକଡ଼ା ୧୬.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏହି ସଂରକ୍ଷଣ କନିଷ୍ଠ ବର୍ଗର ଶ୍ରେଣୀ ପଦବୀ ପର୍ଯ୍ୟନ୍ତ ଲାଗୁ ହୋଇଛି। ବିଗତ ବର୍ଷରେ ପ୍ରାୟ ୩୦ ହଜାର ଏସ‍୍‌ଟି, ଏସ‍୍‌ସି ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କୁ ରୋଜଗାରକ୍ଷମ କରାଯାଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ।    ତେବେ ଏତେସବୁ ଯୋଜନା ଓ କାର୍ଯ୍ୟକ୍ରମ ଓ ନବୀନ ସରକାର ସତ୍ତ୍ବେ କାହିଁକି ଓଡ଼ିଶାରେ ନଗଡ଼ା, ଗୁମୁଡ଼ୁମାହ, ମେଲଘରା ଆଦି ଅଂଚଳ ରହିଛି ତାହା ବୁଝି ହେଉ ନାହିଁ। କାହିଁକି ଆଦିବାସୀମାନେ ଏବେ ବି କମ୍ ସାକ୍ଷର, କମ ରୋଜଗାରକ୍ଷମ ଓ କମ ସୁସ୍ଥ ତାହା କିଏ କହିବ?

Share :