ବଳ ଖଟାଇବ ବିଜେପି

ବଳ ଖଟାଇବ ବିଜେପି

Share :

ପଞ୍ଚାୟତ ନିର୍ବାଚନକୁ ପୂର୍ବଭଳି ହାଲ‍୍‌କା ଭାବେ ନେବ ନାହିଁ ବିଜେପି। ପରାଜୟର ସମ୍ଭାବନା ସତ୍ତ୍ବେ ମଇଦାନ ଛାଡ଼ିବନି। ଭୋଟ‍୍‌ ଦାନ ଦିନ ପର୍ଯ୍ୟନ୍ତ ସବୁ ବଳ ଖଟାଇ ଲଢ଼ିବ। ତେଣିକି ଯେତିକି ଭୋଟ‍୍‌ ମିଳୁଛି ମିଳୁ, ପରବାୟ ନାହିଁ। ବିଜେପି କର୍ମୀମାନଙ୍କର ସାମୂହିକ ଲଢ଼େଇ ଦଳକୁ ନୂଆ ଦିଶା ଦେବ। ୨୦୧୯ ମିଶନ ପାଇଁ ବାଟ ଆହୁରି ପ୍ରଶସ୍ତ କରିବ। ଏମିତି ଭାବେ ଜିଲ୍ଲା ଓ ରାଜ୍ୟସ୍ତରୀୟ ପଦାଧିକାରୀ ଓ କର୍ମୀମାନଙ୍କୁ କର୍ଣ୍ଣମନ୍ତ୍ର ଦେଇଛି ବିଜେପି।   ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରିଛି। ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳର ପଦାଧିକାରୀ ଓ ଜିଲ୍ଲା ସଭାପତିମାନେ ଉପସ୍ଥିତ ରହି ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ। ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ‍୍‌ ଓରାମ‍୍‌ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, କନକବର୍ଦ୍ଧନ ସିଂହଦେଓ, ସୁରେଶ ପୂଜାରୀ, କେନ୍ଦ୍ରୀୟ ନେତା ଅରୁଣ ସିଂହଙ୍କ ସମେତ ବହୁ ଆଗଧାଡ଼ିର ନେତା ଓ ବିଧାୟକମାନେ ଉପସ୍ଥିତ ମଧ୍ୟ ଥିଲେ। ଦଳର ପୂର୍ବତନ ସଭାପତିମାନେ ପଞ୍ଚାୟତ ନିର୍ବାଚନରେ ଦଳର କ’ଣ ସମସ୍ୟା ରହିଥାଏ, କ’ଣ କରାଗଲେ ସ୍ଥିତି ମଜବୁତ୍ ହୋଇପାରିବ ଆଦି ବିଷୟରେ ଆଲୋକପାତ କରିଥିଲେ। ଏଥବରେ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ ହୋଇଥିଲା। ଏହାଛଡ଼ା ରାଜ୍ୟ ସରକାରଙ୍କ ବିରୋଧରେ ଦଳ ପକ୍ଷରୁ ରାଜନୈତିକ ପ୍ରସ୍ତାବ ମଧ୍ୟ ଆଗତ କରାଯାଇଥିଲା।   ବିଜେପିର ଏହି ଦୁଇଦିନିଆ ବୈଠକରେ ବିଭିନ୍ନ ନେତାମାନେ ଦେଇଥିବା ଅଭିଭାଷଣର ନିର୍ଯ୍ୟାସ ହେଉଛି, ବିଜେଡ଼ି ହାତ ଛାଡ଼ିବା ପରେ ଦଳ ୨୦୧୨ ପଞ୍ଚାୟତ ନିର୍ବାଚନରେ ଏକାକୀ ନିର୍ବାଚନ ଲଢ଼ିଥିଲା। ହେଲେ ସଫଳତା ପାଇନଥିଲା। ଦଳର ସ୍ଥିତି ଏକରକମ ଶୋଚନୀୟ ହୋଇ ଯାଇଥିଲା। ୭୫ ପ୍ରତିଶତ ଭାଗ ଜିଲ୍ଲା ପରିଷଦ ଆସନରେ ଦଳୀୟ ପ୍ରାର୍ଥୀମାନେ ଅମାନତ ବି ହରାଇଥିଲେ। ବାଲେଶ୍ୱର, ବରଗଡ଼, ବୌଦ୍ଧ, ଦେବଗଡ଼, ଯାଜପୁର, ଝାରସୁଗୁଡ଼ା, ଜଗତସିଂହପୁର, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ପୁରୀ, ରାୟଗଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ଖାତା ଖୋଲିବାରେ ଦଳ ବିଫଳ ହୋଇଥିଲା। ହେଲେ ଏବେ ସ୍ଥିତି ବଦଳିଯାଇଛି। ଦଳର ଭୋଟ‍୍‌ ହାର ବଢ଼ିଛି। ବିଜେଡ଼ିରେ ଗୋଷ୍ଠୀକନ୍ଦଳ ବଢ଼ିବା ସହ ତୃଣମୂଳସ୍ତରୀୟ ନେତାମାନେ ଲୋକପ୍ରିୟତା ହରାଇଛନ୍ତି। ଦୁର୍ନୀତିରେ ବିଜେଡ଼ି ନେତାମାନେ ବୁଡ଼ି ରହିଛନ୍ତି। ସେପଟେ କଂଗ୍ରେସ ଏଯାଏଁ ବି ନିଜକୁ ସଜାଡ଼ି ପାରିନାହିଁ। ଏବେବି ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ସୁସମ୍ପର୍କ ନାହିଁ। ଗୋଛି କଟାକଟିରେ ବ୍ୟସ୍ତ। ଏସମସ୍ତ ପ୍ରସଙ୍ଗରେ ଦଳର ନେତାମାନେ ଘଣ୍ଟାଚକଟା କରିଥିଲେ।   ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳ କିଭଳି ୨୦୧୨ ତୁଳନାରେ ଭଲ ପ୍ରଦର୍ଶନ କରିବା ସହ ଉଭୟ କଂଗ୍ରେସ ଓ ବିଜେଡ଼ି ପାଇଁ ଚାଲେଞ୍ଜ ସୃଷ୍ଟି କରିବ ସେନେଇ ସବିଶେଷ ଆଲୋଚନା ହୋଇଥିଲା। ୨୦୧୨ରେ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ କମ‍୍‌ ଭୋଟ‍୍‌ ପାଇବାର କାରଣ ହେଉଛି ଦଳ ୱାର୍ଡ଼ମେମ୍ୱର କଥା ଛାଡ଼, ସବୁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ବି ଦେଇପାରିନଥିଲା। କିନ୍ତୁ ଏଥର ପୂରା ନୂଆ ରଣନୀତି। ଖାଲି ସରପଞ୍ଚ କି ସମିତି ସଭ୍ୟ ନୁହେଁ ଦଶ ବାର ଖଣ୍ଡ ଭୋଟ‍୍‌ ପଛେ ମିଳୁ ସବୁ ୱାର୍ଡ଼ରେ ପ୍ରାର୍ଥୀ ଦିଆଯିବ। ଫଳରେ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଦୁର୍ବଳ ପଞ୍ଚାୟତରେ ବି ଦି ତିନିଶହ ଭୋଟ‍୍‌ ଭିଡ଼ିପାରିବେ। ପୂର୍ବରୁ ଦଳୀୟ ପ୍ରାର୍ଥୀମାନେ ନିଶ୍ଚିତ ପରାଜୟ ବରଣ କରିବେ ବୋଲି ପ୍ରଚାର ପ୍ରସାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁନଥିଲେ। କିନ୍ତୁ ଏଥର ସେମିତି ହେବନାହିଁ। ସବୁ ବଳ କୌଶଳ ଖଟେଇ ଦଳ ଜୋରଦାର ଲଢ଼େଇ କରିବ। ଆବଶ୍ୟକ ସ୍ଥଳେ ବିଜେଡ଼ିର ଅସନ୍ତୁଷ୍ଟ ଗୋଷ୍ଠୀ ସହ ହାତ ମିଳାଇ ସେମାନଙ୍କୁ ନିଜ ପଟକୁ ଆଣିବାକୁ ଚେଷ୍ଟା କରିବେ କର୍ମୀ।   ଯେଉଁ ଯେଉଁ ସ୍ଥାନରେ ବିଜେପି ଶକ୍ତିଶାଳୀ, ଯେଉଁଯେଉଁ ସ୍ଥାନରେ ବିଜେପି ବିଧାୟକ ଅଛନ୍ତି ସେଠାରେ ଦଳ ବ୍ଲକ୍ ଅଧ୍ୟକ୍ଷ ଉପରେ ବି ନଜର ରଖିଛି। ନିଜ ଦମ‍୍‌ରେ ବ୍ଲକ୍ ଅଧ୍ୟକ୍ଷ ପଦବୀ ନହାତେଇଲେବି ଦଳ କିଭଳି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ତାହା ଉପରେ ଫୋକସ କରିବାକୁ ବି ରଣନୀତି ପ୍ରସ୍ତୁତ କରାଯାଇଛି। ପୂଜା ବେଳଠାରୁ ପ୍ରତି ପଞ୍ଚାୟତରେ ଯେଭଳି ଦଳର ଚିହ୍ନ, ମୋଦିଜୀଙ୍କ ଫଟୋ, ଦଳର ନେତା ଓ କର୍ମୀଙ୍କର ପୋଷ୍ଟର ବ୍ୟାନର, ପ୍ରାଚୀର ପତ୍ର ଲାଗିବ ତାହା ଉପରେ ବି ଗୁରୁତ୍ୱାରୋପ କରାଯାଇଛି। ଅନ୍ୟ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଗତ ନିର୍ବାଚନରେ ଦଳ ଜିଲ୍ଲାପରିଷଦ ପ୍ରାର୍ଥୀ ପିଛା ମାତ୍ର ୨୫ ହଜାର ଟଙ୍କା ପ୍ରଦାନ କରିଥିଲା। କିନ୍ତୁ ଏଥର ବଜେଟ‍୍‌ ବଢ଼ିବ। ବିଜେଡ଼ି ସହ ମୁକାବିଲା ନକରିପାରିଲେ ବି ପ୍ରାର୍ଥୀ କ୍ୟାମ୍ପେନ‍୍‌ରେ ବି ଯେଭଳି ପଛରେ ନପଡ଼ିବ ସେଥିପ୍ରତି ଦୃଷ୍ଟି ଦିଆଯିବ। ଚଳିତ ଥର ପ୍ରାର୍ଥୀ ଚୟନ ବି ଦେଖିଚାହିଁ ହେବ। ଗତଥର ଭଳି ମନଇଚ୍ଛା ଟିକେଟ‍୍‌ ନଦିଆଯାଇ ଉପଯୁକ୍ତ ପ୍ରାର୍ଥୀକୁ ଚୟନ କରିବା ପାଇଁ ମଧ୍ୟ ଦଳୀୟ ନେତାମାନେ ପରାମର୍ଶ ଦେଇଥିବା ଜାଣିବାକୁ ମିଳିଛି।  

Share :