ଶିଳ୍ପପତିଙ୍କୁ କର ଛାଡ଼ି ଦେବାଳିଆ!

ଶିଳ୍ପପତିଙ୍କୁ କର ଛାଡ଼ି ଦେବାଳିଆ!

Share :

ଦେବେନ୍ଦ୍ର ପୃଷ୍ଟି   ଓଡ଼ିଶା ଦେବାଳିଆ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ’ଣ ଘର ବିକିବାକୁ ପଡ଼ିବ? ନା ତାଙ୍କ ମନ୍ତ୍ରୀ ଓ ସଚିବମାନେ ଖାଇବାକୁ ପାଇବେ ନାହିଁ? ମୁଖ୍ୟ ଶାସନ ସଚିବଙ୍କ ଦରମା ଓ ଭତ୍ତା କମିଯିବ କି? ଦରମା ଓ ଭତ୍ତା ବୃଦ୍ଧି ପାଇଁ ଆନ୍ଦୋଳନ କରୁଥିବା ଶିକ୍ଷକ ଓ ଅଧ୍ୟାପକଙ୍କ ସମେତ ଅନ୍ୟ କର୍ମଚାରୀଙ୍କର ଅନାହାର ମୃତ୍ୟୁ ହେବ କି?   ଏସବୁ ପ୍ରଶ୍ନ ଯାହାକୁ ବି ପଚାରିଲେ ଉତ୍ତର ହେବ, ନା।   ଆଉ ଭୋଗିବେ ତେବେ କିଏ? ଶିଳ୍ପପତି? ପୁଂଜିପତି? ବ୍ୟବସାୟୀ? ବ୍ୟାଙ୍କବାଲା?   ଏସବୁ ପ୍ରଶ୍ନର ଉତ୍ତର ମଧ୍ୟ ନା।   ଓଡ଼ିଶା ଦେବାଳିଆ ହେଲେ ଓଡ଼ିଶାବାସୀଙ୍କୁ ଭୋଗିବାକୁ ପଡ଼ିବ। ଓଡ଼ିଶାବାସୀ କହିଲେ ଓଡ଼ିଶାର ବେତନ ଓ ଭତ୍ତା ସୁବିଧା ରହିତ ସାଧାରଣ ଜନତା, ଯେଉଁମାନେ ମୁଖ୍ୟତଃ ମଜୁରୀ ଓ ପାରିଶ୍ରମିକ ଉପରେ ନିର୍ଭର କରି ଚଳନ୍ତି। ଓଡ଼ିଶା ଦେବାଳିଆ ହେଲେ ଚାଷୀଙ୍କୁ ସହାୟତା ମିଳି ନପାରେ। ହିତାଧିକାରୀ କୈନ୍ଦ୍ରିକ ଯୋଜନା ବନ୍ଦ ହୋଇଯାଇ ପାରେ। ରାସ୍ତାକଡ଼ ଦୋକାନୀ ଓ ବୁଲା ବିକାଳୀର ବେଉସା ବୁଡ଼ିଯାଇପାରେ। ଖୁଚୁରା ଦୋକାନରେ ତାଲା ପଡ଼ିପାରେ। ବଢ଼େଇ, କମ୍ମାର, କୁମ୍ଭାର, ମିସ୍ତ୍ରୀ ଓ କାରିଗରଙ୍କ ପରି କୁଳବେଉସା କରୁଥିବା ଲୋକମାନଙ୍କର ରୋଜଗାର କମିଯିବାର ଆଶଙ୍କା ଆସିପାରେ।   ତେବେ, ଓଡ଼ିଶା ଦେବାଳିଆ ହେଲେ ନବୀନ ପଟ୍ଟନାୟକଙ୍କ ଭୋଟ ସଂଖ୍ୟା କମିଯିବ କି? ବିଜୁ ଜନତା ଦଳର ଚାକର ଓ ଭୋଟରମାନେ ଦଳବଦଳ କରିବେ କି?   ଏ ପ୍ରଶ୍ନର ଉତ୍ତର ମିଳିବା ବି ମୁସ୍କିଲ!   ଏହା ସତ୍ତ୍ବେ ଓଡ଼ିଶା ଦେବାଳିଆ ହେବାଟା ଥୟ। କାରଣ ଓଡ଼ିଶା ସରକାର କରିଚାଲିଥିବା ଋଣ ପରିଶୋଧ କରିବାର ହରାଇ ଚାଲିଛନ୍ତି। ସରକାରଙ୍କର ଉତ୍ପାଦନ ଭିତ୍ତିକ ଆୟ ବୃଦ୍ଧି ନହେଲେ କେବଳ ଟିକସ ବଢ଼ାଇ ଋଣ ଶୁଝିବା ଚିନ୍ତା ଲୋକଙ୍କୁ ଆହୁରି କାଙ୍ଗାଳ କରିବ ସିନା ରାଜ୍ୟକୁ ଧନୀ କରିପାରିବ ନାହିଁ। ରାଜ୍ୟକୁ ଧନୀ କରିବାକୁ ହେଲେ ରାଜ୍ୟର କୃଷି ଓ ଶିଳ୍ପ ଉତ୍ପାଦନ ବୃଦ୍ଧି କରିବାକୁ ହେବ। ରପ୍ତାନୀ ବଢ଼ାଇବାକୁ ହବ। ଆମଦାନୀ କମାଇବାକୁ ପଡ଼ିବ। କର୍ମଚାରୀଙ୍କ ଦରମା ଓ ଭତ୍ତା ଆଦି ଖର୍ଚ୍ଚ କମାଇ ସାଧାରଣ ଲୋକଙ୍କ ରୋଜଗାର ବଢ଼ାଇବାର ଫନ୍ଦି କରିବାକୁ ହେବ। ଶିଳ୍ପ ଓ ବ୍ୟବସାୟଙ୍କୁ ଦିଆଯାଇଥିବା ଅଯଥା ଫାଇଦା ବନ୍ଦ କରିବାକୁ ପଡ଼ିବ। ସେମାନେ ଦାଖଲ କରୁ ନଥିବା ଟିକସ ଆଦାୟ କରିବାକୁ ପଡ଼ିବ। ସେମାନଙ୍କ ଉପରେ ପଡ଼ି ରହିଥିବା ସରକାରୀ ପ୍ରାପ୍ୟ ଆଦାୟ କରିବାକୁ ହେବ।   କିନ୍ତୁ ଏ ବାବଦରେ ଚଳନ୍ତି ସରକାରର ଚିନ୍ତା ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ସହଚର ଓ ଅନୁଚର ବର୍ଗଙ୍କ ମୁଣ୍ଡରେ ଭୋଟର ସୃଷ୍ଟି କରିବା ଓ ଭୋଟବ୍ୟାଙ୍କର ଜମାଖାତା ବଢ଼ାଇବା ବ୍ୟତିତ ଏ ଚିନ୍ତା ଢୁକିବା ଲକ୍ଷଣ ଦେଖାଯାଉ ନାହିଁ। ବାୟା ଚଢ଼େଇର କି ଯାଏ ନା ବାଆ ଦେଲେ ବସା ଦୋହଲୁ ଥାଏ! କ୍ଷମତା ଯିବାର ଆଶଙ୍କା ବଢ଼ିଲେ ସିନା ମିଥ୍ୟା ଓ ଛଳନାର ରାଜନୀତିକ କୌଶଳ ତ୍ୟାଗ କରି ଦେଶଦୁନିଆର ବାସ୍ତବ ପରିସ୍ଥିତିକୁ ଅନୁଭବ କରନ୍ତେ? ଗାଁ ଗହଳ ବୁଲି ଲୋକଙ୍କ ପାଇଁ ପ୍ରକୃତରେ କ’ଣ ଦରକାର ବୁଝନ୍ତେ? ଲୋକଙ୍କ କ୍ଷତି ନକରି ସରକାରଙ୍କର ଆୟ କିପରି ବଢ଼ାଯାଇ ପାରିବ ସେ ବିଷୟ ଚିନ୍ତା କରନ୍ତେ?   କୋଠାବାଡ଼ି, ବନ୍ଧବାଡ଼, ସଡ଼କ, ପୋଲ ଆଦି ମନ୍ତ୍ରୀ-ଯନ୍ତ୍ରୀ-ଠିକାଦାର-ପୋଷଣୀୟ ପ୍ରକଳ୍ପଗୁଡ଼ିକ ପାଇଁ ଶହେ ଜାଗାରେ ତିନି ଶହ ଖର୍ଚ୍ଚ କରୁଥିବା ସରକାରଙ୍କୁ ଆୟ କହିଲେ କେବଳ ବିକ୍ରି, ନିଲାମ ଓ ଟିକସ କଥା ଦେଖାଯାଏ। ରାଜ୍ୟର ଖଣିଖାଦାନ ଓ ଅନ୍ୟାନ୍ୟ ସଂପଦ ବିକି ଆୟ କରିବାର ନିଶା ଦୁର୍ନୀତିଖୋର ନେତା ଓ ବାବୁଙ୍କୁ ବେଶ୍‌ ମାଲୁମ। ଟିକସ ବଢ଼ାଇ କିମବା ମଦ ବିକି ଆୟ କରିବାର ବୁଦ୍ଧି ମଧ୍ୟ ସେଇମାନଙ୍କର। ଖର୍ଚ୍ଚ ପାଇଁ ଦରକାର ହେଲେ ଋଣ କରିବାକୁ ଭଲ ପାଉଥିବା ଏଇ ଲୋକମାନେ କିନ୍ତୁ ଶିଳ୍ପ ଓ ବ୍ୟବସାୟ ଜଗତ ପ୍ରତି ଭାରି ଉଦାର। ସେମାନେ ରାଜ୍ୟର ଲକ୍ଷଲକ୍ଷ କୋଟି ଟଙ୍କା ଖାଇଗଲେ ବି ଏମାନେ ଅଟକାଇବାକୁ କିମ୍ବା ଆଦାୟ କରିବାକୁ କେବେ ବି ତତ୍ପରତା ପ୍ରକାଶ କରନ୍ତି ନାହିଁ।   ଏଇ ନିକଟରେ ଶେଷ ହୋଇଥିବା ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନରେ ବିଭିନ୍ନ ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ଯାଇଁ ସରକାର ଯେଉଁସବୁ ତଥ୍ୟ ଉପସ୍ଥାପନ କରିଛନ୍ତି ସେଥିରୁ ରାଜ୍ୟର ଦେବାଳିଆ ପରିସ୍ଥିତି ସ୍ପଷ୍ଟ ବାରି ହୋଇପଡ଼ୁଛି। କିନ୍ତୁ ସେ କଥା ମୁଖ୍ୟମନ୍ତ୍ରୀ କି ତାଙ୍କ ଅର୍ଥମନ୍ତ୍ରୀଙ୍କ ମଗଜରେ ପଶି ନାହିଁ।   ୨୦୦୦ ମସିହାରେ ନବୀନ ପଟ୍ଟନାୟକ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେବାବେଳକୁ ରାଜ୍ୟ ଉପରେ ୧୮,୧୦୦ କୋଟି ଟଙ୍କାର ଋଣବୋଝ ଥିଲା। ଏହାକୁ ନିର୍ବଚନବେଳେ ନବୀନ ଓ ତାଙ୍କର ସହଯୋଗୀମାନେ ଋଣଯନ୍ତା ବୋଲି ହୁରି ଛାଡ଼ିଲେ। ନବୀନ ଓ ତାଙ୍କ ଲୋକମାନେ ଗଲା ୧୬ ବର୍ଷ ଧରି ଶାସନ କ୍ଷମତାରେ ଅଛନ୍ତି। ଏବେ ରାଜ୍ୟର ଋଣବୋଝ ୫୪ ହଜାର କୋଟି ଟଙ୍କା। ଆର ବର୍ଷକୁ ଏହା ୭୦ ହଜାର କୋଟି ଟଙ୍କା ହୋଇଯିବାର ସମ୍ଭାବନା ରହିଛି।   ସରକାରୀ ତଥ୍ୟ ଅନୁସାରେ ୨୦୧୬ ଅଗଷ୍ଟ ସୁଦ୍ଧା ରାଜ୍ୟର ଋଣବୋଝ ୫୪,୦୬.୨୦ କୋଟି ଟଙ୍କାରେ ପହଂଚିଛି। କେବଳ ଗତ ତିନି ବର୍ଷରେ ନବୀନ ସରକାର ୯୬୭୨ କୋଟି ଟଙ୍କାର ଋଣ କରିଛନ୍ତି। ଆସନ୍ତା ବର୍ଷ ସୁଦ୍ଧା ଆହୁରି ୧୫,୬୬୯ କୋଟି ଟଙ୍କାର ଋଣ କରିବାକୁ ସରକାର ନିଷ୍ପତ୍ତି ନେଇସାରିଛନ୍ତି।   ଅଥଚ ତେଣେ ରାଜ୍ୟର ଖଣିଜ ସଂପଦ ଲୁଟ୍ କରିଥିବା କମ୍ପାନୀଙ୍କ ଉପରେ ରାଜ୍ୟ ସରକାର ବସାଇଥିବା ୬୬ ହଜାର କୋଟି ଟଙ୍କାର ଜରିମାନା ଅନାଦାୟ ଗଡ଼ୁଛି। ସରକାର ଯଦି କେବଳ ଏତକ ଟଙ୍କା ଆଦାୟ କରନ୍ତେ ତେବେ ରାଜ୍ୟର ସବୁ ଋଣ ପରିଶୋଧ ହୋଇଯାନ୍ତା। କିନ୍ତୁ ସରକାରଙ୍କୁ ସେ ବୁଦ୍ଧି ଦିଶୁ ନାହିଁ। କାରଣ ଭାବପ୍ରୀତି, ଚାନ୍ଦାଭେଦା ଓ ଅନ୍ୟାନ୍ୟ ନେକ୍ସସ୍‌! ୨୦୦୩-୦୪ ମସିହାର ନବୀନ ପଟ୍ଟନାୟକଙ୍କ ପୌରୋହିତ୍ୟରେ ରାଜ୍ୟ ସରକାର ରାଜ୍ୟର ଖଣିଜ ସଂପଦ ଲୁଟ୍‌ ପ୍ରତି ସଂପୂର୍ଣ୍ଣ ଆଖିବୁଜି ଦେଇଥିଲେ। ଓଡ଼ିଶା ଜନ ସମ୍ମିଳନୀ ପକ୍ଷରୁ ଏନେଇ ଏକାଧିକ ସଭା ଓ ସେମିନାରରେ ବିସ୍ତୃତ ତଥ୍ୟ ଉପସ୍ଥାପିତ ହୋଇଥିଲେ ମଧ୍ୟ ସରକାର ମାନୁ ନଥିଲେ କି କିଛି କରୁ ନଥିଲେ। କିନ୍ତୁ ୨୦୦୯ ମସିହାରେ ବିଜେପି ସହିତ କ୍ଷମତାର ବିବାହ ତୁଟାଇବାରୁ ଖଣି ଦୁର୍ନୀତି କଥା ରାଜନୀତିକ ମୋଡ଼ ନେଲା ଓ ସରକାର ଭିଜିଲାନ୍ସ ତଦନ୍ତ କରାଇଲେ, ଯାହା କେବେଠାରୁ ଦାନ୍ତ ହରାଇ ପାକୁଆ ହୋଇସାରିଛି। ପରେ ପରେ ଶାହା କମିଶନ ଓ ଅନ୍ୟାନ୍ୟ ତଦନ୍ତ।   ଏସବୁ ତଦନ୍ତରୁ ନବୀନ ସରକାରଙ୍କ ‘ବିଲେଇର ଆଖିବୁଜା ଦୁଧପିଆ ନୀତି’ ଧରାପଡ଼ିବା ପରେ କେତେକ ଖଣି କମ୍ପାନୀ ବେଆଇନ ଖଣିଜ ଉତ୍ତୋଳନ ଓ ପରିବହନ କରିଥିବା ଦର୍ଶଇ ଏଇ ସରକାର ସେମାନଙ୍କ ଉପରେ ପ୍ରାୟ ୬୬ ହଜାର କୋଟି ଟଙ୍କାର ଜରିମାନା ଧାର୍ଯ୍ୟ କରିଥିଲେ। ଏହି ଜରିମାନା ନୋଟିସ ଜାରି ହେବାର ୪ ବର୍ଷ ବିତି ଗଲାଣି। ଅଥଚ ସରକାର କୌଣସି ଖଣି କମ୍ପାନୀଠାରୁ ଟଙ୍କାଟିଏ ଜରିମାନା ଆଦାୟ କରି ନାହାନ୍ତି। ଖଣି କମ୍ପାନୀଗୁଡ଼ିକ ଏହି ନୋଟିସ ବିରୋଧରେ ଟ୍ରିବ୍ୟୁନାଲରେ ମାମଲା ଦାଏର କରିଛନ୍ତି। ରାଜ୍ୟ ସରକାର ବି ସେହି ମାମଲାର ତୁରନ୍ତ ରଫାଦଫା ନେଇ କିଛି ଉଦ୍ୟମ କରୁ ନାହାନ୍ତି। ଶୁଣ୍ଢି ସାକ୍ଷୀ ମାତାଲ ଭଳି ଉଭୟ ପକ୍ଷ ଲାଭବାନ! ଜରିମାନା ନଦେଇ ସରକାରଙ୍କ ବିରୋଧରେ ଯେଉଁସବୁ କମ୍ପାନୀ ମକଦ୍ଦମା କରିଛନ୍ତି ସରକାର ବି ସେମାନଙ୍କ ପ୍ରୀତି ଛାଡ଼ୁ ନାହାନ୍ତି। ଆହୁରି ଆହୁରି ଜମି, ଖଣି ଓ ପାଣି ଲୁଟିବାକୁ ସେମାନଙ୍କୁ ଅନୁମତି ଦିଆଯାଉଛି।   କେବଳ ଖଣି ନୁହେଁ, ବିଜୁଳି ସେବା କ୍ଷେତ୍ରରେ ରିଲାଏନ୍ସ ଗୋଷ୍ଠୀ ରାଜ୍ୟରୁ ମୋଟ ଉପରେ ପ୍ରାୟ ୧୭ ହଜାର କୋଟି ଟଙ୍କା ଠକି ନେଇଥିବା ସତ୍ତ୍ବେ ନବୀନ ସରକାର ଆମ୍ବାନୀ ଭାଇଙ୍କ ପ୍ରତି ଭାରି ଉଦାର! ରାଜ୍ୟରେ ଶିଳ୍ପ ଓ ବ୍ୟବସାୟ କରି ପ୍ରଚୁର ଲାଭ ଅର୍ଜନ କରୁଥିବା ୨୩ଟି କମ୍ପାନୀଙ୍କ ଉପରେ ପ୍ରାୟ ୫୯୭ କୋଟି ଟଙ୍କାର ବିଦ୍ୟୁତ ଦେୟ ବାକି ପଡ଼ିଛି। ତାହା ଆଦାୟ ହେଉ ନାହିଁ। ରାଜ୍ୟର ବିଜୁଳି ଦେୟ ଦେଉ ନଥିବା କମ୍ପାନୀଙ୍କ ମଧ୍ୟରେ ଅଛନ୍ତି ରାଉରକେଲା ଇସ୍ପାତ କାରଖାନା, ଇମ୍ଫା, ପିପିଏଲ, ଓସ୍ବାଲ ବା ଇଫକୋ, ବଲାରପୁର ଇଣ୍ଡଷ୍ଟ୍ରିଜ, ମିଥାନ ଇସ୍ପାତ ଆରତୀ ଷ୍ଟିଲ, ଶ୍ରୀ ମେଟାଲିକ୍ସ, ଏସଏମସି ପାୱାର। ସେହିପରି ବେଦାନ୍ତର ସହଯୋଗୀ ଷ୍ଟେର୍ଲଇଟ୍ ଏନର୍ଜି ଉପରେ ୨୦୨ କୋଟି ଟଙ୍କାର ବିକ୍ରିକର ବାକି ପଡ଼ିଥିବାବେଳେ ଭୂଷଣ ଷ୍ଟିଲ ଉପରେ ୧୯୫ କୋଟି, ଜିଏମଆର କମଳାଙ୍ଗ ଉପରେ ୧୩୫ କୋଟି, ଇଫକୋ ଉପରେ ୧୧୩ କୋଟି, ବେଦାନ୍ତ ଆଲୁମିନିୟମ ଉପରେ ୯୩ କୋଟି, ଆଦାନୀ ଉପରେ ୯୦ କୋଟି, ଜିନ୍ଦଲ ଷ୍ଟେନଲେସ ଉପରେ ୮୨ କୋଟି, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଉପରେ ୮୧ କୋଟି, ଭୂଷଣ ପାୱାର ଉପରେ ୭୫ କୋଟି ଟଙ୍କାର ବିକ୍ରିକର ଅନାଦାୟ ଗଡ଼ୁଛି। ଏଭଳି ଅନେକ ଅନାଦାୟ ଟିକସ ଉପରେ ମକଦ୍ଦମା ଚାଲିଛି ଓ ସରକାରୀ ଓକିଲମାନେ ଫି ନେଇ ମାମଲା ଗଡ଼େଇ ଚାଲିଛନ୍ତି।   ଅର୍ଥ ବିଭାଗ ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ କମ୍ପାନୀ ଉପରେ ୨୭୫୪ କୋଟି ଟଙ୍କାର ଟିକସ ବକେଇ ପଡ଼ିରହିଛି। ଏହା ସହିତ କେତେକ ବଡ଼ବଡ଼ କାରଖାନା ଉପରେ ୧୦୦୦ କୋଟିରୁ ଅଧିକ ଟଙ୍କାର ଜଳକର ଅନାଦାୟ ଗଡ଼ୁଛି। ମିଲରଙ୍କ ଉପରେ ଲେଭି ଚାଉଳ ବାବଦରେ ପ୍ରାୟ ୫ ହଜାର କୋଟି ଟଙ୍କା ଅନାଦାୟ ପଡ଼ିଛି।   ରାଜ୍ୟ ସରକାର ଏସବୁ ଅର୍ଥ ଅଦାୟ କରିବାକୁ କେବେ ବି ତତ୍ପର ନଥିବାବେଳେ ନିଅଣ୍ଟ ଭରଣା କରିବାକୁ ଋଣ ଉପରେ ଋଣ କରି ଚାଲିଛନ୍ତି।   ଶେଷରେ ପୁଣି ସେଇ ଏକା ପ୍ରଶ୍ନ- ଏ ଋଣ ଶୁଝିବ କିଏ? ନବୀନ ପଟ୍ଟନାୟକ ନା ତାଙ୍କ ଦଳବଳ?

Share :