ଅମଲାତନ୍ତ୍ରର ଶୂଳି ଚଢ଼ିଲେ ବିଧାୟକ!

ଅମଲାତନ୍ତ୍ରର ଶୂଳି ଚଢ଼ିଲେ ବିଧାୟକ!

Share :

ସୁଭାଷ ଚନ୍ଦ୍ର ପଟ୍ଟନାୟକ   ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଅଧିନିୟମ, ୨୯୧୬ ଆମ ବିଧାନସଭାରେ ପାରିତ ହୋଇଯାଇଛି ୨୮.୯.୨୦୧୬ ତାରିଖରେ। ହାରିଯାଇଛି ଓଡ଼ିଶା। ଆମ ବିଧାୟକମାନଙ୍କ ଆଇନପ୍ରଣୟନକାରୀ ବୈଶିଷ୍ଟ୍ୟ ଅମଲାତନ୍ତ୍ରର ଶୂଳିରେ ପଡ଼ି ଅକାମୀ ହୋଇଯାଇଛି।   ଅବଶ୍ୟ ଏହା ସତ୍ୟ ଯେ, ଅମର ପ୍ରସାଦ ଶତପଥୀ, ନବ କିଶୋର ଦାସ ଓ ତାରା ପ୍ରସାଦ ବାହିନୀପତିଙ୍କ ପରି ଭାଷାପ୍ରେମୀ ବିଧାୟକମାନେ ଭାଷା ଆନ୍ଦୋଳନର ଦାବିଠାରୁ ଦୂରରେ ନଥିଲେ। ୧୯୫୪ ର ଭାଷା ଆଇନ‌୍‍ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନର ଆବଶ୍ୟକତା ପ୍ରତି ସେମାନଙ୍କ ସମର୍ଥନ ସାମାନ୍ୟ ବ୍ୟତିକ୍ରମ ବ୍ୟତୀତ ବାରି ହୋଇପଡୁଥିଲା। କିନ୍ତୁ ଅମଲାତାନ୍ତ୍ରିକ ଧୂର୍ତ୍ତତାର ଶୂଳିଖୁଣ୍ଟ ଟପି ଆମ ବିଧାୟକୀୟ ବିଜ୍ଞତା ଆଗକୁ ଯାଇପାରିଲା ନାହିଁ। ଓଡ଼ିଆ ଭାଷାଜନନୀ ପ୍ରତି ସୃଷ୍ଟି କରାହୋଇଥିବା ବିପଦ ବଳବତ୍ତର ରହିଲା।   ବିଧାୟକମାନେ ଜାଣିଥିଲେ ଯେ, ସେମାନଙ୍କ ଅନୁମୋଦନ ପାଇଁ ରଖା ହୋଇଥିବା ବିଧେୟକଟି ଗତ ୨୧.୫.୨୦୧୬ ତାରିଖରେ ସରକାର ପ୍ରବର୍ତ୍ତୀତ କରିଥିବା ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ଅଧ୍ୟାଦେଶ, ୨୦୧୬ ର ଅବିକଳ ରୂପ। ଅଧ୍ୟାଦେଶଟିକୁ ଓଡ଼ିଶା ବିଧାନସଭା ତିଆରି କରିନଥିଲା; ତିଆରି କରିଥିଲେ ସଚିବାଳୟର ଅମଲାମାନେ, ଯେଉଁମାନେ ଆଇନ‌୍‍ ପ୍ରଣେତା ନୁହନ୍ତି। ଅଥଚ ଆମ ଆଇନ‌୍‍ ପ୍ରଣେତାମାନେ ତାହାକୁ ହିଁ ଅବିକଳ ଗ୍ରହଣ କରିନେଲେ, ଓ ଏଥିସହ ଆଇନ‌୍‍ କରିଦେଲେ ବିଧେୟକଟିର ବେଖାପ ଓଡ଼ିଆ ରୂପକୁ, ଯାହା ଓଡ଼ିଆ ଭାଷାକୁ ଉପହାସ କରିଚାଲିବ ଚିର କାଳ।   ଯେତେବେଳେ ବିଧାନସଭାରେ ଏହା ଉପସ୍ଥାପିତ ଓ ଆଲୋଚିତ ହେଲା, ଏଥିରେ ବିଧାନସଭାର ମାନ୍ୟବର ସଦସ୍ୟମାନେ ସେମାନଙ୍କର ବିଧାୟକୀୟ ବିଜ୍ଞତା ମିଶାଇ ପାରିଥାନ୍ତେ। ଏହାର ସଂଶୋଧନ କରିଥାନ୍ତେ କିମ୍ୱା ଏହାକୁ ପ୍ରତ୍ୟାଖ୍ୟାନ କରି ଓଡ଼ିଶା ସରକାରୀ ଭାଷା ଆଇନ‌୍‍ ୧୯୫୪ ର ଉଲ୍ଲଂଘନକାରୀଙ୍କ ପ୍ରତି ଦଣ୍ଡବିଧାନର ବ୍ୟବସ୍ଥା ସହ ପୁନର୍ବାର ଗୃହରେ ଉପସ୍ଥାପନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇପାରିଥାନ୍ତେ। ସେମାନେ ତାହା କଲେ ନାହିଁ। ଭିନ୍ନ ଭାବେ କହିଲେ, ଓଡ଼ିଆ ଭାଷାଦ୍ରୋହୀ ଅଣଓଡ଼ିଆ ଅମଲାମାନେ ତିଆରି କରିଥିବା ଆଇନକୁ ଆମ ବିଧାୟକମାନେ ଅକ୍ଷରେ ଅକ୍ଷରେ ମାନିନେଲେ। ତେଣୁ, ଏହା ହିଁ କହିବାକୁ ହେବ ଯେ, ଭାଷା ଅଧ୍ୟାଦେଶରେ ବିଧାୟକୀୟ ବିଜ୍ଞତା ନଥିଲା ଓ ସେହି ଅଧ୍ୟାଦେଶ ଯେତେବେଳେ ଆଇନ‌୍‍ ହେଲା, ତହିଁରେ ମଧ୍ୟ ବିଧାୟକୀୟ ବିଜ୍ଞତା ରହିଲା ନାହିଁ। ଓଡ଼ିଆଭାଷା ବିରୋଧୀ ଅମଲାତନ୍ତ୍ର ଆମ ଆଇନ ପ୍ରଣେତାମାନଙ୍କ ବିଧାୟକୀୟ ବିଜ୍ଞତାକୁ ଆଇନ‌୍‍-ପ୍ରଣୟନ-ଶୈଳୀର ଶୁଳିରେ ଏମିତି ଚଢ଼େଇଦେଲା ଯେ, ଓଡ଼ିଆଭାଷା ପଛକେ ରସାତଳକୁ ଯାଉ, ଏମାନେ କେହି ବି ସେହି ଶୂଳିରୁ ଖସିବାକୁ ସମର୍ଥ ହେଲେ ନାହିଁ।   ବିଧାନସଭା ନିୟମାବଳୀର ଧାରା ୬୬-କ କହେ, କୌଣସି ବିଧେୟକ ଯଦି କୌଣସି ଅଧ୍ୟାଦେଶକୁ ବ୍ୟବସ୍ଥାପିତ କରିବାକୁ ବିଧାନସଭାରେ ଉପସ୍ଥାପିତ ହୁଏ, ତେବେ ସରକାର ତା ସହ ଏକ ବିବୃତ୍ତି ସଂଯୁକ୍ତ କରିବେ, ଯହିଁରେ ଥିବ କେଉଁ ପରିସ୍ଥିତିରେ ଅଧ୍ୟାଦେଶ ପରି ଏକ ଅତି ଜରୁରୀ ବ୍ୟବସ୍ଥାପନର ଆବଶ୍ୟକତା ପଡିଥିଲା ତାହାର ସବିଶେଷ ସ୍ପଷ୍ଟ ବିତରଣୀ। ଅଥଚ, ଏହି ବିଧେୟକରେ ତାହା ନାହିଁ। ସୁତରାଂ ଏହି ବିଧେୟକଟିର ଆବଶ୍ୟକୀୟ ଯୋଗ୍ୟତା ନଥିଲା ଆଲୋଚନାପାଇଁ। ଅଥଚ ଏହା ଆଲୋଚିତ ହେଲା ଓ ଅମଲାମାନେ ଯେମିତି ଚାହିଁଥିଲେ ସେମିତି ବି ଗୃହୀତ ହୋଇଗଲା।   କେଉଁ ଜରୁରୀ ପରିସ୍ଥିତି ଉପୁଜିଥିଲା ଯେ, ସରକାର ଅଧ୍ୟାଦେଶ ଜାରି କରିବାକୁ ବାଧ୍ୟ ହୋଇଥିଲେ? ଏବଂ ସରକାର ତାକୁ ଲୁଚେଇ ରଖିବାକୁ ଏତେ ବ୍ୟାକୁଳ ଥିଲେ କାହିଁକି? କୌଣସି ଜଣେ ବି ଆଲୋଚନାକାରୀ ବିଧାୟକ ତାହା ଜାଣିବାକୁ ଚାହିଁଲେ ନାହିଁ। ଯଦି ଜାଣିବାକୁ ଚାହିଁ ଥାନ୍ତେ, ସେମାନେ ପହଞ୍ଚିଥାନ୍ତେ ୨୧.୫.୨୦୧୬ର ଦୃଶ୍ୟପଟରେ, ଯେଉଁଠି ସେମାନଙ୍କୁ ଦିଶିଥାନ୍ତା ଅଧ୍ୟାଦେଶର ପୃଷ୍ଠଭୂମି। ସେମାନେ ବିଧିବଦ୍ଧଭାବେ ଜାଣିଥାନ୍ତେ ଏହା ହିଁ ଯେ, ଭାଷା ଆନ୍ଦୋଳନ, ଓଡ଼ିଶାର ଦାବି ହିଁ ସରକାରଙ୍କୁ ଅଧ୍ୟାଦେଶ ଜାରିପାଇଁ ବାଧ୍ୟ କରିଥିଲା। ଭାଷା ଆନ୍ଦୋଳନର ଦାବି ଥିଲା ଓଡ଼ିଆରେ ଶାସନପାଇଁ ଗଠିତ ନଭମଞ୍ଚ (େୱବ‌୍‍ସାଇଟ‌୍‍) odia.odisha.gov.ine http://odia.odisha.gov.in/niyama-bali.htm ପୃଷ୍ଠାରେ ସ୍ଥାନିତ ପ୍ରସ୍ତାବ ଅନୁସାରେ ୧୯୫୪ର ଭାଷା ଆଇନକୁ ସଂଶୋଧନ କରି ନିୟମାବଳୀ ପ୍ରବର୍ତ୍ତନ ପାଇଁ ସରକାର ନିଜ ହାତକୁ କ୍ଷମତା ନିଅନ୍ତୁ, କାରଣ ଏ କ୍ଷମତା ସରକାରଙ୍କର ନଥିଲା। ଯେଉଁ ପଦାଧିକାରୀ ଏହି ଆଇନ ଉଲ୍ଲଘଂନ କରିବେ, ତାକୁ ଦଣ୍ଡବିଧାନର ବ୍ୟବସ୍ଥା ପାଇଁ ଏହି ଆଇନର ସଂଶୋଧନ ଅବଶ୍ୟକ ଥିଲା। ସେପ୍ଟେମ୍ୱର ୩,୨୦୧୫ ତାରିଖରେ ଏହି ଲେଖକ ମନ୍ତ୍ରୀସ୍ତରୀୟ କମିଟିର ସଦସ୍ୟ ଭାବେ ଏହି ସଂଶୋଧନ ଓ ନିୟମାବଳୀର ନିଭୁର୍ଲ ଚିଠା ସରକାରଙ୍କୁ ଦେଇଥିଲେ ମଧ୍ୟ ଓ ତାହା ଉପରୋକ୍ତ ସରକାରୀ ନଭମଞ୍ଚରେ ସ୍ଥାନିତ ହୋଇଥିଲେ ମଧ୍ୟ, ଓଡ଼ିଆ ବିଦ୍ୱେଷୀ ମୁଖ୍ୟମନ୍ତ୍ରୀ ଏହାକୁ ଟାଳିବାକୁ ଚେଷ୍ଟା କରିବାକୁ (ମୁଖ୍ୟମନ୍ତ୍ରୀଙ୍କ ନିଜ ଦପ୍ତରର ପ୍ରେସ‌୍‍ ନୋଟ‌୍‍ ୧୭.୧୨.୨୦୧୫) ଭାଷା ଆନ୍ଦୋଳନ, ଓଡ଼ିଶା ଆମ ନୂଆବର୍ଷ (୧୩.୪.୨୦୧୬) ଠାରୁ ଚଳାଇଲା ତାର ନୀରବ କଳାପତାକା ପଟୁଆର ଯାହା ଲାଭକଲା ସାରା ଓଡ଼ିଶାର ଜନଗଣଙ୍କ ଅକୁଣ୍ଠ ସମର୍ଥନ।   ଅଧ୍ୟାପକ ନିରଂଜନ ପାଢ଼ୀଙ୍କ ଭାଷାରେ, ନିଜ ମାତୃଭୂମିର ଶାସନତନ୍ତ୍ରରେ ଆପଣାର ମାତୃଭାଷାକୁ ପ୍ରତିଷ୍ଠା କରିବାର ପ୍ରାଣମୟ ପ୍ରଚେଷ୍ଟାରୁ ଜନ୍ମ ନେଇଥିବା ଏହି ନିଆରା ଆନ୍ଦୋଳନର ସ୍ପନ୍ଦନ ଏତେ ତୀବ୍ର ଓ ପ୍ରଭାବଶାଳୀ ଥିଲା ଯେ, ଏହା ଉପରେ ଅଜାଡ଼ି ହୋଇ ପଡିଥିଲା ରାଜ୍ୟର ବିଭିନ୍ନ ବର୍ଗର ବହୁ ଲୋକଙ୍କ ସମର୍ଥନ’ (ସମ୍ୱାଦ, ୧୮.୬.୨୦୧୬)। କେବଳ ଓଡ଼ିଶା ନୁହେଁ ଓଡ଼ିଶା ବାହାରେ, ପୃଥିବୀର ବିଭିନ୍ନ ପ୍ରାନ୍ତରେ ଥିବା ଓଡ଼ିଆମାନେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ଉଦାହରଣତଃ, ଜର୍ମାନୀରେ ଦାସ କରୁଥିବା ଡ.ରାଜେନ୍ଦ୍ର ନାରାୟଣ ଦାସ, ଯେକି ପ୍ରତ୍ୟୟ ଓଡ଼ିଶାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଗଣମାଧ୍ୟମ ଅନୁଧ୍ୟାନ କରନ୍ତି ନଭମଞ୍ଚ ମାଧ୍ୟମରେ ଓ ବିଦେଶରହଣୀ ସେତ୍ତ୍ୱ ଯାହାଙ୍କ ମାଟିମନସ୍କତା ହେତୁ ବିଖ୍ୟାତ ସାହିତ୍ୟିକ ଅସିତ ମହାନ୍ତିଙ୍କ ସାହିତ୍ୟ ମନ୍ଥନର ନେପତ୍ୟ ନାୟକ ଭାବେ ଯେ ପ୍ରକୀର୍ତ୍ତିତ, ସେ ଲେଖିଥିଲେ, ‘ଭାଷା ଆନ୍ଦୋଳନ ତରଫରୁ ଆରମ୍ଭ ହୋଇଥିବା କଳା ପତାକା ପଟୁଆର ନିଶ୍ଚିତ ଭାବରେ ଏକ ଅଭୂତପୂର୍ବ ଆନ୍ଦୋଳନ।  ଏହାର ପ୍ରଭାବ କ୍ରମେ ତେଜିବାରେ ଲାଗିଛି। ଆନ୍ଦୋଳନଟି  କ୍ରମେ ଉଗ୍ରରୂପ ଧାରଣ କରିବା ସହିତ ରାଜ୍ୟର ଅନ୍ୟ  ଅଞ୍ଚଳକୁ ପ୍ରସାରିତ ହେଉଛି। ଓଡ଼ିଶାର ପଲ୍ଲୀଠାରୁ ଆରମ୍ଭ କରି ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ଏହା ଲମ୍ୱିଲାଣି’ (ସୂର୍ଯ୍ୟପ୍ରଭା, ୧୪.୫.୨୦୧୬)। ସୁତରାଂ, ଏହି ଅନନ୍ୟ ଆନ୍ଦୋଳନ ଚାପରେ, ମୁଖ୍ୟମନ୍ତ୍ରୀ ଅଗତ୍ୟା ଅଧ୍ୟାଦେଶ ଆଣି ୨୧.୫.୨୦୧୬ ତାରିଖରେ ଓଡ଼ିଶା ଜାତିକୁ କହିଥିଲେ କି, ୧୫,୮,୨୦୧୬ ସୁଦ୍ଧା ଓଡ଼ିଆ ଭାଷାରେ ଓଡ଼ିଶାର ଶାସନପଥରୁ ସବୁ ଅନ୍ତରାୟ ଅପସାରିତ ହୋଇଯିବ।   ବିଧାନସଭା ନିୟମାବଳୀର ଧାରା ୬୬-କ (୧) ଅନୁସାରେ ଓଡ଼ିଶା ସରକାରୀ ଭାଷା (ସଂଶୋଧନ) ବିଧେୟକରେ ଏହି ତଥ୍ୟ ରହିବା ବାଧ୍ୟତାମୂଳକ ଥିଲା। କାରଣ ଏହି ବିଧେୟକଟି ଥିଲା ୨୧.୫.୨୦୧୬ ତାରିଖରେ ଜାରିହୋଇଥିବା ଅଧ୍ୟାଦେଶର ଅବିକଳ ରୂପ। ଏବଂ କେଉଁ ପ୍ରେକ୍ଷାପଟରେର ତାହା ଜାରି ହୋଇଥିଲା ତାହା ବିଧେୟକଟିକୁ ପାରିତ କରିବା ପୂର୍ବରୁ ବିଧାୟକମାନେ ଜାଣିବା ଓ ତା’ପରେ, ତହିଁରେ ନିଜ ନିଜର  ବିଧାୟକୀୟ ବିଜ୍ଞତା ପ୍ରୟୋଗ କରିବା ବିଧିତଃ ଅପରିହାର୍ଯ୍ୟ ଥିଲା।   ଅତଏବ, କେଉଁ ବିଶେଷ ପରିସ୍ଥିତି ପ୍ରତି ସମ୍ମାନ ଦେଇ ସରକାର ସେହି ଅଧ୍ୟାଦେଶ ଜାରି କରିଥିଲେ ତାହାର ସ୍ପଷ୍ଟ କଥନ ବ୍ୟତିରେକ ଆଗତ ହୋଇଥିବା ବିଧେୟକଟି ସଂପୂର୍ଣ୍ଣ ନଥିଲା। ତାହା ସ୍ପଷ୍ଟତଃ ଉଲ୍ଲେଖ କରିବାକୁ ବିଧାୟକମାନେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥାନ୍ତେ; ତା’ ନ ହେଲେ ବିଧାୟକଟିକୁ ପ୍ରତ୍ୟାଖ୍ୟାନ କରିଥାନ୍ତେ। ସରକାର ଯଦି ତାହା ସ୍ପଷ୍ଟ କରିଥାନ୍ତେ, ଅଶଇନଟିର ଉଲ୍ଲଂଘନପାଇଁ ଦଣ୍ଡବିଧାନ ବ୍ୟବସ୍ଥା ଖଞ୍ଜିବାକୁ ବିଜ୍ଞ ବିଧାୟକମାନେ ସରକାରଙ୍କୁ ବାଧ୍ୟ କରିପାରିଥାନ୍ତେ; କାରଣ ସେଇଥିପାଇଁ ହିଁ ଅଧ୍ୟାଦେଶ ସୃଷ୍ଟି ହୋଇଥିଲା। ଅନ୍ୟଥା ତାହା ଲୋକଙ୍କ ପ୍ରତି ବିଶ୍ୱାସଘାତକତା ବୋଲି ବିବେଚିତ ହୋଇଥାନ୍ତା ଓ ସେହେତୁ ତାହାକୁ ପ୍ରତ୍ୟାଖ୍ୟାନ କରି ଆମ ବିଧାୟକମାନେ ସେମାନଙ୍କ ବିଜ୍ଞତାର ପରିଚୟ ଦେଇଥାନ୍ତେ।   ପ୍ରେକ୍ଷାପଟରେ ଉଲ୍ଲେଖ ନ କରି ସରକାର ଯେ ବିଧାନସଭା ସଦସ୍ୟମାନଙ୍କଠାରୁ ଏହି ଗୋଟିକ ମାତ୍ର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇ ରଖିଥିଲେ, ତା ନୁହେଁ; ସେହି ଅଧ୍ୟାଦେଶ ବଳରେ ସରକାର ଯେ ଏକ ନିୟମାବଳୀ ପ୍ରବର୍ତ୍ତନ କରିଛନ୍ତି ଓ ଏହି ବିଧେୟକଟି ପାରିତ ନ ହେଲେ ସେହି ନିୟମାବଳୀ ଯେ ଅକାମୀ  ହୋଇଯିବ, ତାହା ବି ଲୁଚାଇ ରଖିଥିଲେ। ଅଧିକନ୍ତୁ; ଉଦ୍ଦେଶ୍ୟ ଓ କାରଣ କଥନରେ ମଧ୍ୟ ସମାନ ଅପରାଧ ଆଚରଣ କରିଥିଲେ ସରକାର।   ଏଥିରେ ଲେଖାଥିଲା, ଅଧିନିୟମର ଧାରା ୨ ଉପଧାରା (୨) ଅନୁସାରେ ରାଜ୍ୟ ସରକାର, ଅଧିସୂଚନା ଦ୍ୱାର କେଉଁ ବିନିର୍ଦ୍ଦିଷ୍ଟ କ୍ଷେତ୍ରରେ ଓ କେଉଁ ବିନର୍ଦିଷ୍ଟ ତାରିଖଠାରୁ ସରାକର କାର୍ଯ୍ୟ ଓଡ଼ିଆଭାଷାରେ ହେବ, ସେ ନେଇ ଏକ ଅଧିସୂଚନା ଜାରି କରିବା କଥା। ଅଧିନିୟମଟିରେ ରାଜ୍ୟ ସରକାରଙ୍କର ନିୟମାବଳୀ ପ୍ରଣୟନ କରିବା କ୍ଷମତା ନଥିବା ହେତୁ ଏହା ହୋଇପାରିନି ବୋଲି ସରକାର ଏଥିରେ ଏକ ଧାରଣା ସୃଷ୍ଟି କରି ବିଧାୟକମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ବସ୍ତୁତଃ ଆଉ କୌଣସି ଅଧିସୂଚନା ଜାରି କରିବାର ଆବଶ୍ୟକତା ହିଁ ନଥିଲା; କାରଣ ଏହି ଧାରା ଓ ଏହି  ଉପଧାର ବଳରେ ୨୯.୩.୧୯୮୫ ତାରିଖରେ ଶେଷ ଓ ଚୂଡ଼ାନ୍ତ ଅଧିସୂଚନା ଜାରି ହୋଇ ଓଡ଼ିଶାର ସମସ୍ତ ସାଧାରଣ ପ୍ରଶାସନିକ ଦପ୍ତରରେ ବିଧାନସଭାଠାରୁ ଲୁଚାଇ ରଖିଲେ। ଏପରିକି ମିଛ ବି କହିଲେ। ବିଧେୟକଟି ଉପରେ ବିତର୍କରେ ଭାଗନେବା ପୂର୍ବରୁ ବିରୋଧୀଦଳ ନେତା ନରସିଂହ ମିଶ୍ର ଧାରା ୨ର ଉପଧାରା (୨) ବଳରେ ସରକାର କିଛି  ଅଧିସୂଚନା ପ୍ରବର୍ତ୍ତନ କରିଛନ୍ତି କି ନାହିଁ ବୋଲି ଜାଣିବାକୁ ଚାହିଁଥିଲେ। ଉଦ‌୍‍ବେଗର କଥା, ତାଙ୍କୁ ଉତ୍ତର ମିଳିଥିଲା- ନା! ଏକଥଶ ସେ କହିଛନ୍ତି ତାଙ୍କ ଭାଷଣରେ। ଅତଏବ, ଏପରି ଇଚ୍ଛାକୃତ ତଥ୍ୟ ସଂଗୋପନ ଦୋଷରୁ ବିଧେୟକଟି ପ୍ରତ୍ୟାଖ୍ୟାତ ହେବା ଆବଶ୍ୟକ ଥିଲା। ହେଲାନାହିଁ। ୧୯୮୫ରେ ଓଡ଼ିଆଭାଷାକୁ ସାଧାରଣ ପ୍ରଶସାନର ଭାଷା ଭାବେ ପୂର୍ଣ୍ଣ ପ୍ରଯୁ‌୍‍କ୍ତ କରାହୋଇସାରିଥିଲେ ମଧ୍ୟ ଦଣ୍ଡବିଧାନ ଅଭାବରୁ ତାହା କାର୍ଯ୍ୟକାରୀ ହେଉନାହିଁ ଓ ଖାସ‌୍‍ ଏହି କାରଣ ହେତୁ ଭାଷା ଆନ୍ଦୋଳନ ଓଡ଼ିଶା ସରକାରୀ ଭାଷା ଅଧିନିୟମର ଉଲ୍ଲଂଘନ କାରୀକୁ ଦଣ୍ଡବିଧାନ ଦାବି କରି କଳାପତାକା ଅଭିଯାନ ଚଳାଇଛି। ଆମ ବିଧାୟକମାନେ ଏହାର ଗୁରୁତ୍ୱ ବୁଝିଲେ ନାହିଁ।   ସେମାନେ ଆମ ଜାତିର ଭାଗ୍ୟବିଧାତା ହୋଇପାରିଥାନ୍ତେ ଆମ ପ୍ରଶାସନରେ ଆମ ଭାଷା ଜନନୀର ସାର୍ବଭୌମତା ସ୍ଥାପନ କରି। କିନ୍ତୁ ସେମାନେ ହାରିଗଲେ। ରାଜନୀତି ଭାଷାପ୍ରୀତିକୁ ଖାଇଗଲା। ଅମଲାତନ୍ତ୍ର ତିଆରି କରିଥିବା ଶୁଳିରେ ଅକାମୀ ହୋଇଗଲା ବିଧାୟକୀୟ ବିଜ୍ଞତା।   ଆମ ଭାଷା ଆମ ଶାସନର ଭାଷା ହେବ ବୋଲି ଆମ ପୂର୍ବପୁରୁଷେ ଗଢ଼ିଥିଲେ ଓଡ଼ିଶା। ଆମ ପ୍ରତିନିଧିମାନେ ଏହି ମୌଳିକ ବୈଶିଷ୍ଟକୁ ବିଚାରକୁ ନ ନେଇ; ଭାଷଣ ଦେଇ କାମ ସାରିଦେଲେ। ଓଡ଼ିଆ ଭାଷା ଜନନୀ ଯେଉଁ ବିପଦରେ ପଡ଼ିଛି, ସେହି ବିପଦରେ ରହିଗଲା।   ଆମେ ସହିବା?   ଅଧ୍ୟକ୍ଷ, ଭାଷା ଆନ୍ଦୋଳନ, ଓଡ଼ିଶା, ଦୂରଭାଷ - ୯୪୩୭୩୦୮୫୮୯

Share :