କଲେଜ ନିର୍ବାଚନ କେତେ ଜରୁରୀ?

କଲେଜ ନିର୍ବାଚନ କେତେ ଜରୁରୀ?

Share :

ବୈଷ୍ଣବ ଜେନା   ସଂପ୍ରତି ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ବେଶ‌୍‍ ସରଗରମ ତଥା ଉତ୍ତେଜନାମୂଳକ ବାତାବରଣ ସୃଷ୍ଟି ହୋଇଛି। ଛାତ୍ର ସଂସଦ ନିର୍ବାଚନରେ ସାମିଲ‌୍‍ ହୋଇଥିବା ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଏବେ ଉଷ୍ଣ ବାତାବରଣ। କ୍ୟାମ୍ପସଗୁଡ଼ିକ କୋଳାହଳୟମୟ। ପ୍ରାର୍ଥୀମାନଙ୍କର ଭୋକ, ଶୋଷ କିମ୍ୱା ନିଦ୍ରା ନାହିଁ। ପାଠପଢା ବନ୍ଦ। କେବଳ ସମର୍ଥକ ଖୋଜିବାରେ ବ୍ୟସ୍ତ। ରାଜନୈତିକ ଦଳରେ ଛାମୁଆ ସଂଗଠନ- ଛାତ୍ର ଓ ଯୁବ ସଂଗଠନଗୁଡ଼ିକ ମଧ୍ୟ ବେଶ‌୍‍ ତତ୍ପର। ଅଣଛାତ୍ରମାନେ ଉତ୍ପାତ ଆରମ୍ଭ କରିଦେଲେଣି। କେତେକ ସ୍ଥାନରେ ପ୍ରାରମ୍ଭିକ ଗଣ୍ଡଗୋଳର ସୂଚନା ମିଳିଲାଣି। ରାସ୍ତାରୋକ ଓ ମାଡ଼ପିଟ‌୍‍ ପର୍ଯ୍ୟନ୍ତ କଥା ଗଲାଣି। ଛାତ୍ରୀମାନଙ୍କ ମଧ୍ୟରେ ମଧ୍ୟ ଟଣାଓଟରା ଓ ଧସ୍ତାଧସ୍ତି ଖବର ଆସିଛି। ଗଣ୍ଡଗୋଳ ଓ ହିଂସାକାଣ୍ଡ ଘଟିଲେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ଛାତ୍ର ନିର୍ବାଚନ ହେବ ନାହିଁ ବୋଲି କର୍ତ୍ତୃପକ୍ଷ ଚେତାବନୀ ଦେବା ସତ୍ତ୍ୱେ ରାଜ୍ୟବ୍ୟାପୀ ଗଣ୍ଡଗୋଳ ଚାଲିଛି। ପୋଲିସ‌୍‍ ବିଭାଗ ବ୍ୟାପକ ଗଣ୍ଡଗୋଳର ଆଶଙ୍କା କରି ଚିନ୍ତାଗ୍ରସ୍ତ। ଆଶାୟୀଙ୍କ ପିତାମାତାମାନେ ଉଦ‌୍‍ବେଗ ପ୍ରକାଶ କରୁଛନ୍ତି। ଗୋଳିଆ ପାଣିରୁ ଫାଇଦା ଉଠାଇବା ପାଇଁ ରାଜନୈତିକ ଦଳମାନେ କାଇଦାକୌଶଳ ଚୂଡାନ୍ତ କରିସାରିଲେଣି।   ଏଭଳି ପରିସ୍ଥିତିରେ ଉଦବିଗ୍ନ ବହୁ ସଂଖ୍ୟାରେ ଲୋକ ଅଛନ୍ତି ଯେଉଁମାନେ ଛାତ୍ରସଂସଦ ନିର୍ବାଚନକୁ ବିରୋଧ କରୁଛନ୍ତି। ସେମାନଙ୍କ ମତରେ ଏଭଳି ନିର୍ବାଚନର ଆଦୌ ଆବଶ୍ୟକତା ନାହିଁ - ଏହା ଗଣ୍ଡଗୋଳ ଓ ବିଭେଦ ସୃଷ୍ଟିକାରୀ। ତେଣୁ ଛାତ୍ରସଂସଦ ନିର୍ବାଚନ ବନ୍ଦ କରାଯାଉ- ଏପରିକି ଆଉ କେବେ ମହାବିଦ୍ୟାଳୟ କିମ୍ୱା ବିଶ୍ୱବିଦ୍ୟାଳୟରେ ଛାତ୍ରମାନଙ୍କୁ ନିର୍ବାଚନ ପାଇଁ ପ୍ରୋତ୍ସାହିତ କରା ନଯାଉ ବୋଲି ମତପ୍ରକାଶ ପାଇଲାଣି। ରୀତିମତ ଦାବି ମଧ୍ୟ ହେଲାଣି। ଏପରି ଦାବି ଉଠୁଥିବା ଲୋକଙ୍କ ସଂଖ୍ୟା ଛାତ୍ରସଂସଦ ନିର୍ବାଚନ ଚାହଁୁଥିବା ଲୋକଙ୍କଠାରୁ ବହୁ ଅଧିକ। ତେବେ ଏଭଳି ଦାବୀ ସମ୍ପୂର୍ଣ୍ଣ ଅଯୌକ୍ତିକ। କାରଣ ଏହା ଏକ ଜାତୀୟ ଆବଶ୍ୟକତା। ଅନ୍ୟ ବୃତ୍ତିଧାରୀଙ୍କ ପରି ଦେଶ ମଧ୍ୟ ନେତା ଚାହଁୁଛି। ସେହି ନେତାମାନେ ଆଗାମୀ ଦିନରେ ଦେଶ ଚଳାଇବେ। ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବେ।   ଏକଥାକୁ ଯେ କେହି ସ୍ୱୀକାର କରିବେ- ଦେଶପାଇଁ ଓ ସରକାର ଗଠନ ପାଇଁ ନେତାଙ୍କର ନିଶ୍ଚୟ ଆବଶ୍ୟକ ରହିଛି। ସେହି ନେତାମାନେ ଯୋଗ୍ୟ ତଥା ଗୁଣାତ୍ମକ ହେବା ନିହାତି ଜରୁରୀ। ଏଥିପାଇଁ ମହାବିଦ୍ୟାଳୟ ସ୍ତରରେ ଛାତ୍ରସଂସଦ ନିର୍ବାଚନ ଏକ ପରୀକ୍ଷାଗାର ସଦୃଶ। ଏଥିରୁ ସଫଳତା ପାଉଥିବା କିମ୍ୱା ବିଫଳ ହେଉଥିବା ଛାତ୍ରନେତାମାନେ ଭବିଷ୍ୟତରେ ଭଲ ନେତୃତ୍ୱ ଦେଇପାରିବେ। ଲୋକମାନଙ୍କ ସହିତ ସେମାନେ ରହିପାରିବେ। ୨୪ ଘଣ୍ଟିଆ କାମ କରିପାରିବେ। ଅତୀତରେ ଓ ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାର ବହୁଳ ନଜିର ରହିଛି। ଅର୍ଥାତ‌୍‍ ଛାତ୍ର ସଂସଦ ନିର୍ବାଚନରେ ଅଂଶଗ୍ରହଣ କରିଥିବା କିମ୍ୱା ସକ୍ରୀୟ ଭୂମିକା ନେଇଥିବା ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ସମୟରେ ଭଲ ନେତା ହୋଇଛନ୍ତି। ରାଜ୍ୟପାଇଁ ବରପୁତ୍ର-ବରପୁତ୍ରୀ ଘୋଷିତ ହୋଇଛନ୍ତି। ରାଜ୍ୟର ମର୍ଯ୍ୟାଦା ବୃଦ୍ଧି କରିଛନ୍ତି। ସେମାନଙ୍କର ଜାତୀୟ ସ୍ତରରେ ଆବଶ୍ୟକତା ରହିଛି ବୋଲି ସେମାନଙ୍କ କାର୍ଯ୍ୟକଳାପ ପ୍ରମାଣିତ କରିଯାଇଛି। ସଂସଦ ହେଉ କିମ୍ୱା ବିଧାନସଭା ହେଉ ବହୁ ପୂର୍ବତନ ଛାତ୍ରନେତା ଉନ୍ନତମାନର ଆଇନ‌୍‍ ପ୍ରଣୟନରେ ସହାୟକ ହୋଇଛନ୍ତି। ଭାରତୀୟ ଗଣତନ୍ତ୍ରକୁ ମହନୀୟ ଅବଦାନ ଦେଇଛନ୍ତି।   ଏକଥା ସ୍ୱୀକାର୍ଯ୍ୟ ଯେ, ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଏକ ଦୃଷ୍ଟିରୁ ଏକପାଖିଆ ହେଉଛି। ମେଧାବୀ ଛାତ୍ରମାନେ ଏଥିରେ ଅଂଶଗ୍ରହଣ କରିବାକୁ ଆଦୌ ଇଚ୍ଛା କରୁନାହାଁନ୍ତି। ସେମାନେ ନିଜର ଚାକିରୀ ଜୀବନ ପ୍ରତି ଯେତିକି ସଚେତନ, ରାଜ୍ୟ ତଥା ଦେଶକୁ ନେତୃତ୍ୱ ଦେବା ପ୍ରତି ତାହାଠାରୁ ଅଧିକ ବିମୁଖ। ସେମାନେ ଧାରଣା ଅନୁଯାୟୀ ରାଜନୀତି କରିବା କେବଳ ବେକାରଙ୍କ କାମ। ସେମାନଙ୍କ ଏଭଳି ଧାରଣା ପ୍ରତି ବହୁଲୋକଙ୍କ ସମର୍ଥନ ରହିଛି। ଖାସ‌୍‍କରି ପିତାମାତାଙ୍କର ସମର୍ଥନ ରହିଛି। କାରଣ ଓଡ଼ିଶାର ୯୯ ପ୍ରତିଶତ ପିତାମାତା ସେମାନଙ୍କ ପିଲା ରାଜନୀତିରେ ପ୍ରବେଶ କରିବାକୁ ବିରୋଧ କରନ୍ତି, ସେହିପରି ଭାବେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଯେଉଁ ଛାତ୍ର ସଂସଦ ନିର୍ବାଚନ ହେଉଛି, ସେଥିରେ ଅତି ବେଶିରେ ୧୦ ପ୍ରତିଶତ ଛାତ୍ରଛାତ୍ରୀ ସାମିଲ‌୍‍ ହେଉଛନ୍ତି। ଅନ୍ୟମାନେ ନିରବ ରହିବାକୁ ପସନ୍ଦ କରୁଛନ୍ତି। ଏହି ସୀମିତ ଆନୁପାତିକ ଛାତ୍ରଛାତ୍ରୀ ନିର୍ବାଚନ ଉଷ୍ଣତାକୁ ବାଦ ଦେଲେ ଅନ୍ୟ ସମୟରେ ନିର୍ବାଚନ କିମ୍ୱା ରାଜନୈତିକ କଥା ଚିନ୍ତା କରନ୍ତି ନାହିଁ। ଖାଲି ପାଠପଢ଼ା ଓ ପାଠପଢ଼ା।   କହିବା ବାହୁଲ୍ୟ ଯେ, ମେଧାବୀ ଛାତ୍ରମାନଙ୍କ ରାଜନୀତି ପ୍ରତି ଏଭଳି ବିମୁଖତାର ସୁଯୋଗ ନେଉଛନ୍ତି ଅଣମେଧାବୀ ଛାତ୍ରଛାତ୍ରୀ। ଏହାଛଡା ଦୀର୍ଘଦିନର ଚାକିରୀ ପରେ ଅବସର ନେଉଥିବା ଅଫିସର ଓ କର୍ମଚାରୀମାନେ ନିର୍ବାଚନ ରାଜନୀତିରେ ସାମିଲ ହୋଇଯାଉଛନ୍ତି। ୬୦ ବର୍ଷ ବୟସ ପରେ ସେମାନେ ରାଜନୀତିରେ ପ୍ରବେଶ କରୁଛନ୍ତି- ବିଧାୟକ ଓ ସାଂସଦ ହେଉଛନ୍ତି, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଧ୍ୟ ହେଉଛନ୍ତି। ଏପରି ନିର୍ବାଚିତ ପ୍ରତିନିଧିମାନଙ୍କର କାର୍ଯ୍ୟଦକ୍ଷତା ଯାହା ହେଉନା କାହିଁକି ଏମାନେ ଅଧିକ ସମାଲୋଚନାର ଶରବ୍ୟ ହେଉଛନ୍ତି। ରାଜନୈତିକ ବିଶାରଦମାନେ ଏହାକୁ ପସନ୍ଦ କରୁନାହାଁନ୍ତି। ଅପରପକ୍ଷରେ ଛାତ୍ରଜୀବନରୁ ରାଜନୀତିରେ ସାମିଲ‌୍‍ ହୋଇଥିବା ଅଥବା ଛାତ୍ରସଂସଦ ନିର୍ବାଚନରେ ସଫଳ ହୋଇଥିବା ରାଜନେତାମାନେ ଏପରି ସମାଲୋଚନାର ଶିକାର ହୁଅନ୍ତି ନାହିଁ। ଏମାନେ ବିଧାୟକ ଓ ସାଂସଦ ଭାବେ ନିର୍ବାଚିତ ହେଲାପରେ ତାହା ତାଙ୍କର ଦୀର୍ଘ ଦନର ପରିଶ୍ରମର ଫଳ ବୋଲି କୁହାଯାଇଥାଏ। ତେବେ ମେଧାବୀ ଛାତ୍ରମାନେ ଏ ଦିଗରେ ଆଗ୍ରହୀ ହେଲେ ଦେଶ ଓ ରାଜ୍ୟ ଅଧିକ ଲାଭବାନ ହେବ। ସମ୍ପୃକ୍ତି ଗଣତନ୍ତ୍ରରେ ଅମଲାତନ୍ତ୍ର ପ୍ରଭାବ ଯେପରି ଭାବେ ବଢ଼ିଚାଲିଛି, ତାହା ଆଉ ହେବନାହିଁ। ବରଂ ରାଜନେତାମାନେ ଅମଲାତନ୍ତ୍ରୀଙ୍କଠାରୁ ଅଧିକ ପ୍ରଭାବି ହେବେ।   ଆଉ ଏକ କଥା ହେଉଛି ଯେ, ରାଜନୀତିକ ଦଳମାନେ ଆଗାମୀ ଦିନରେ ନେତା ପ୍ରସ୍ତୁତି ପାଇଁ ସଠିକ‌୍‍ ଉଦ୍ୟମ କରୁନାହାଁନ୍ତି। ଅର୍ଥାତ‌୍‍ ଛାତ୍ରଜୀବନରୁ ଭବିଷ୍ୟତ ନେତାମାନଙ୍କୁ ଚିହ୍ନଟ କରୁନାହାଁନ୍ତି କିମ୍ୱା ଛାମୁଆ ସଂଗଠନକୁ (ଛାତ୍ରସଂଗଠନ)କୁ ବ୍ୟାପକ କରୁନାହାଁନ୍ତି। ରାଜନୈତିକ ଦଳମାନେ ସେମାନଙ୍କର ଦଳର ନୀତି ଓ ଆଦର୍ଶ ସମ୍ପର୍କରେ ଛାତ୍ରମାନଙ୍କୁ ଅବଗତ କରାଇବାରେ ବିଫଳ ହେଲେଣି। ଯାହାଫଳରେ ଛାତ୍ରସଂସଦ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଛାତ୍ରମାନେ ଆକର୍ଷଣୀୟ ଭାଷଣ ଦେଇପାରୁନାହାଁନ୍ତି। ଅତି ବେଶୀରେ ୫ ମିନିଟ‌୍‍ ପର୍ଯ୍ୟନ୍ତ ଭାଷଣ ଦେଉଛନ୍ତି। ବେଶୀ କଥା କହିପାରୁନାହାଁନ୍ତି। ଅତୀତରେ ବାମପନ୍ଥୀ ଦଳଗୁଡ଼ିକ ସେମାନଙ୍କର ଛାତ୍ର ସଂଗଠନର ସମସ୍ତ ସଦସ୍ୟଙ୍କୁ ରୀତିମତ ଭାଷଣ ଦେବା ପ୍ରଶିକ୍ଷଣ ଦେଉଥିଲେ। ଏବେ କାହିଁକି ସେଥିରେ ଭଟ୍ଟା ପଡ଼ିଯାଇଛି। ଏଭଳି ପ୍ରଶିକ୍ଷଣ କାରଣରୁ ବାମପନ୍ଥୀ ନେତାମାନେ ଦୀର୍ଘ ସମୟ ଧରି ଉତ୍ତମ ଭାଷଣ ଦେବାକୁ ସକ୍ଷମ। ଏବେ ଦକ୍ଷିଣପନ୍ଥୀ ଛାତ୍ରସଂଗଠନରେ ଏପରି ପ୍ରକ୍ରିୟା ଚାଲିଛି, ମାତ୍ର ତାହା ଠିକଣା ବାଟରେ ଚାଲୁନଥିବାରୁ ଫଳପ୍ରଦ ହେଉନାହିଁ। ଏହି ସଂଗଠନଗୁଡ଼ିକର ସଦସ୍ୟ ସଂଖ୍ୟା ସୀମିତ, ବୃଦ୍ଧି ଘଟୁନାହିଁ, ଯାହାଦ୍ୱାରା ଦଳ ସମୃଦ୍ଧ ହେଉନାହିଁ।   ଏହା ସୁବିଦିତ ଯେ ଓଡ଼ିଶାର ନିର୍ବାଚିତ ସାଂସଦମାନେ ଭଲ ଭାଷଣ ଦେଇପାରନ୍ତି ନାହିଁ ବୋଲି ଏକ ଅପବାଦ ରହିଛି। ସ୍ୱାଧୀନତା ପରଠାରୁ କେତେକ ହାତଗଣତି ନେତାଙ୍କୁ ଛାଡ଼ିଦେଲେ ପ୍ରାୟ ୯୦ ପ୍ରତିଶତ ସାଂସଦ ବିଭିନ୍ନ ପ୍ରସଙ୍ଗରେ ସଂସଦରେ ମୁହଁ ଖୋଲନ୍ତି ନାହିଁ। କେତେକ ଘଟଣାରେ ଓଡ଼ିଆ ସାଂସଦମାନେ ହିନ୍ଦୀ କିମ୍ୱା ଇଂରାଜୀ ଭଲ ଭାବରେ କହିନପାରି ଲୋକହସା ହୁଅନ୍ତି। ସେମାନଙ୍କର ଦାମ୍ଭିକତା ନଥାଏ। ଭାଷଣ ଦେଲାବେଳେ ସେମାନଙ୍କର ଗୋଡ଼ ଥରେ ବୋଲି କୁହାଯାଏ। ବହୁବାର ଓଡ଼ିଆ ସାଂସଦମାନେ ପ୍ରଶ୍ନ ପଚାରିଲା ବେଳେ ଥଙ୍ଗଥଙ୍ଗ ହୋଇପଡ଼ନ୍ତି। ସେମାନେ ଅନ୍ୟମାନଙ୍କର ହସ ଓ ସମାଲୋଚନାର ଶିକାର ହୁଅନ୍ତି। ୫ ବର୍ଷ ମଧ୍ୟରେ ୫ ଥର ଠିଆ ହୋଇ କହିବା ଘଟଣା ବହୁ ସାଂସଦଙ୍କ କ୍ଷେତ୍ରରେ ଘଟେ ନାହିଁ। ଚଳିତ ସଂସଦରେ ମଧ୍ୟ ପାଖାପାଖି ଆଠ ଜଣ ଏପରି ସାଂସଦ ରହିଅଛନ୍ତି। ଛାତ୍ର ଜୀବନ କାଳରୀ ରାଜନୀତିରେ ଥିଲେ ଏପରି ଅପମାନଜନକ କଥା ଘଟନ୍ତା ନାହିଁ।   ସାମଗ୍ରିକ ଭାବେ କୁହାଯାଇପାରେ ଯେ, ଭବିଷ୍ୟତରେ ନେତା ତିଆରି ପାଇଁ ସାମଗ୍ରିକ ତଥା ସମନ୍ୱିତ ଢଙ୍ଗରେ ଉଦ୍ୟମ ହେବା ଉଚିତ‌୍‍। ଏଥିପାଇଁ ସ୍କୁଲ‌୍‍ ଓ କଲେଜ ପ୍ରକୃଷ୍ଟ ସ୍ଥାନ ହୋଇଥିବାବେଳେ ଅନ୍ୟାନ୍ୟ ସଂଗଠନ ଏବଂ ସାମାଜିକ ସଂଘ ମଧ୍ୟ ଭଲ ମାଧ୍ୟମ ଅଟେ। ସରକାରୀ ପ୍ରୋତ୍ସାହନ ରହିଲେ ଏହା ଗୁଣାତ୍ମକ ହୋଇପାରିବ। ଶୋଭାଯାତ୍ରା, ଭାଷଣବାଜି ଏବଂ ପ୍ରତିଦ୍ୱନ୍ଦ୍ୱିତା ଆକର୍ଷଣୀୟ ହେବ। ତେବେ ଗଣ୍ଡଗୋଳର ଆଶଙ୍କା କରି ଛାତ୍ରସଂସଦ ନିର୍ବାଚନକୁ ବାତିଲ କରାଯିବା ଆଦୌ ସ୍ପୃହଣୀୟ ନୁହେଁ। ଯାହାକି ଏବେକାର ସରକାରମାନଙ୍କର ଅନ୍ୟତମ ଆଦବ କାଇଦା ହେଲାଣି। ସାମାନ୍ୟ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ‌୍‍ କରିଦେଉଛନ୍ତି। ଏହାଦ୍ୱାରା ନିଶ୍ଚିତ ଭାବେ ସେମାନେ ଦେଶ ଓ ରାଜ୍ୟର ଘୋର କ୍ଷତି ଘଟାଉଛନ୍ତି ବୋଲି କହିଲେ ଭୁଲ‌୍‍ ହେବନାହିଁ।   ମୋବାଇଲ: ୯୪୩୭୦୦୭୨୦୦

Share :