ପ୍ରାକୃତିକ ଚିକିତ୍ସା ସବୁ ରୋଗର ନିଦାନ!

ପ୍ରାକୃତିକ ଚିକିତ୍ସା ସବୁ ରୋଗର ନିଦାନ!

Share :

  ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଉତ୍କଳ ବିପନ୍ନ ସହାୟତା ସମିତି ଦ୍ୱାରା ପରିଚାଳିତ ବାବୁରାଓ ପାଲଧିକର ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଦ୍ୱାରା ଅଷ୍ଠ ଦିବସୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ  ହୋଇଯାଇଛି। ଏହି ଶିବିର ପଣ୍ଡିତ ଦୀନଦୟାନ ଉପଧ୍ୟାୟଙ୍କ ଜନ୍ମତିଥି ସେପ୍ଟେମ୍ୱର-୨୫, ୨୦୧୬ ରିଖ ଠାରୁ ଆରମ୍ଭ ହୋଇ ଅକ୍ଟୋବର-୨ ଗାନ୍ଧୀ ଜୟନ୍ତୀ ଦିନ ଉଦ‌୍‍ଯାପିତ ହୋଇଛି। ଏହି ଶିବିରରେ ଓଡିଶାର ୧୨ଟି ଜିଲ୍ଲାରୁ  ପ୍ରାୟ ୪୦ରୁ ଉର୍ଦ୍ଧ୍ୱ ଶିକ୍ଷାର୍ଥୀ ଯୋଗଦେଇଥିଲେ।   ପ୍ରାକୃତିକ ଚିକିତ୍ସା ପ୍ରଶିକ୍ଷଣରେ ପ୍ରାକୃତିକ ଚିକିତ୍ସକ ଡ. ସୁରେନ୍ଦ୍ର ପ୍ରଧାନ, ଡ. ସୁବ୍ରତ କୁମାର ମେହେର, ପ୍ରାକୃତିକ ଚିକିତ୍ସକ ଯୁଧିଷ୍ଠିର ନାୟକ ଏବଂ ଯୋଗ ପ୍ରଶିକ୍ଷଣରେ ଯୋଗାଚାର୍ଯ୍ୟ ସଞ୍ଜୟ କୁମାର ପଣ୍ଡା, କୈଳାସ ଚନ୍ଦ୍ର ଜେନା, ଯୋଗାଚାର୍ଯ୍ୟ ହରିହର ଆର୍ଯ୍ୟନ‌୍‍  ଆଦି ପ୍ରମୁଖ ପ୍ରଶିକ୍ଷକ ଉପସ୍ଥିତ ରହି ଶିକ୍ଷାର୍ଥୀମାନଙ୍କୁ ଯୋଗ ଓ ଯୌଗିକକ୍ରିୟା, ପ୍ରାକୃତିକ ଚିକିତ୍ସାର ପାଠ୍ୟକ୍ରମ ସହ ପ୍ରାକ୍ଟିକାଲ, ଆନାଟମୀ ଫିଜିଓଲୋଜି ଓ ଆକ୍ୟୁପ୍ରେସରର ବିଷୟରେ ପ୍ରଶିକ୍ଷଣ ଦେଇଥିଲେ।   ଏହି ଶିବିରର ସମାରୋପ ତଥା ଗାନ୍ଧୀ ଜୟନ୍ତୀ- ପ୍ରାକୃତିକ ଚିକିତ୍ସା ଦିବସ ଅବସରରେ ପ୍ରାଚ୍ୟ ଯୋଗ ପ୍ରତିଷ୍ଠାନର ଡାଇରେକ୍ଟର ଡ. ଇନ୍ଦୁଲତା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିବା ସହ ଯୋଗ ମାଧ୍ୟମରେ ବ୍ୟକ୍ତି ନିରୋଗ ହୋଇ ପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଶ୍ରୀ ସୁନ୍ଦର ଲକ୍ଷ୍ମଣ, ଅଖିଳ ଭାରତୀୟ ସ୍ୱୟଂ ସହାୟକ ଗୋଷ୍ଠୀ ସମନ୍ୱୟ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସେବା ଦ୍ୱାରା ସମାଜରେ ଭାତୃଭାବ ଜାଗ୍ରତ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରାନ୍ତ ସଂଘଚାଳକ-ଓଡିଶା ପୂର୍ବ, ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରାକୃତିକ ଚିକିତ୍ସା ମାଧ୍ୟମରେ ସମସ୍ତ ପ୍ରକାର ରୋଗର ନିରାକରଣ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏଣୁ ପ୍ରତ୍ୟେକ ଶିକ୍ଷାର୍ଥୀ ଏଠାରୁ ଗଲା ପରେ ନିଜ ନିଜ ସ୍ଥାନରେ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଖୋଲିବା ପାଇଁ ଆଗ୍ରହ କରିଥିଲେ।    ସମିତିର ଅନ୍ୟତମ ବରିଷ୍ଠ ସଦସ୍ୟ ଶ୍ରୀ କୈଳାସ ଚନ୍ଦ୍ର ସେନାପତି ଅଧ୍ୟକ୍ଷତା କରିଥିଲା ବେଳେ ସଦସ୍ୟା ଡା.ବିଘ୍ନେଶ୍ୱରୀ ଦାଶ ମଞ୍ଚାସୀନ ଅତିଥି ଅଧିକାରୀମାନଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ।  ଭୁବନେଶ୍ୱର ମହାନଗରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସମାରୋପ କାର୍ଯ୍ୟକୁ ସାଫଲ୍ୟମଣ୍ଡିତ କରିଥିଲେ। ପରିଶେଷରେ ଅଧ୍ୟକ୍ଷ ଶ୍ରୀ ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ଦେଲା ପରେ ଶାନ୍ତିପାଠ ପୂର୍ବକ ସଭାସାଙ୍ଗ କରାଯାଇଥିଲା।

Share :