ସମାଧାନ କେବଳ ସରଳ ଜୀବନଶୈଳୀ!

ସମାଧାନ କେବଳ ସରଳ ଜୀବନଶୈଳୀ!

Share :

  ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପ୍ୟାରିସ ପାଗ ପରିବର୍ତ୍ତନ ଚୁକ୍ତିକୁ ଅନୁମୋଦନ କରିଛି ଭାରତ। ଅକ୍ଟୋବର ୨ ରବିବାର ଭାରତର ଅନୁମୋଦନ ସଂକ୍ରାନ୍ତ ନଥି ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି। ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟିତ ଆକବରୁଦ୍ଦିନ ଏହା ଦାଖଲ କରିଛନ୍ତି।   ପ୍ୟାରିସ ପାଗ ପରିବର୍ତ୍ତନ ଚୁକ୍ତିରେ ମହାତ୍ମା ଗାନ୍ଧୀଙ୍କ ମୋହର ମାରିଛି ଭାରତ। ଏହି ମୋହର ମାରି ଭାରତ ସମଗ୍ର ବିଶ୍ୱକୁ ଏହି ବାର୍ତ୍ତା ଦେଇଛି ଯେ ପାଗ ପରିବର୍ତ୍ତନ ସମସ୍ୟାର ସମାଧାନ କରିବା ନିମନ୍ତେ ସମନ୍ତେ ଗାନ୍ଧୀଙ୍କ ପରି ସରଳ ଜୀବନ ଶୈଳୀ ଆପଣାର କରନ୍ତୁ। ଆସନ୍ତା ନଭେମ୍ୱର ୭ ତାରିଖରେ ମରକ୍କୋର ମାରାକେଚରେ ଅନୁଷ୍ଠିତ ହେବ ପାଗ ପରିବର୍ତ୍ତନ ସଂକ୍ରାନ୍ତ ପରବର୍ତ୍ତୀ ସମ୍ମିଳନୀ। ଏହି ସମ୍ମିଳନୀରେ ଭାରତ ଗାନ୍ଧୀ ପ୍ରଦର୍ଶୀତ ସରଳ ଜୀବନ ଶୈଳୀ ଉପରେ ବିସ୍ତୃତ ଉପସ୍ଥାପନ କରିବା ସଙ୍ଗେସଙ୍ଗେ ବିଶ୍ୱବାସୀଙ୍କୁ ତାହା ଅନୁସରଣ କରିବାକୁ ଆହ୍ୱାନ ଦେବ ବୋଲି କହିଛନ୍ତି ପରିବେଶ ମନ୍ତ୍ରୀ ଅନୀଲ ମାଧବ ଦାଭେ। ପାଗ ପରିବର୍ତ୍ତନ ଚୁକ୍ତିରେ ଭାରତ ଏହି ବିଷୟ ଅନ୍ତର୍ଭୁକ୍ତ କରାଇଛି।   ପ୍ୟାରିସ ଚୁକ୍ତିକୁ ଅନୁମୋଦନ କରିବା ପରେ ଭାରତ ତା’ର ପାଗ ପରିବର୍ତ୍ତନ ମୁକାବିଲା ଇସ୍ତାହାର ଆଗେଇ ନେବ ବୋଲି ଦାଭେ କହିଛନ୍ତି। ଅଙ୍ଗାରକାମ୍ଳ ନିର୍ଗମନ ନିୟନ୍ତ୍ରଣ କରିବା ସହିତ ସରଳ ଜୀବନ ଶୈଳୀକୁ ଲୋକପ୍ରିୟ କରାଇବା ଦିଗରେ ଭାରତ କାର୍ଯ୍ୟ କରିବ। ଅଧିକରୁ ଅଧିକ ବ୍ୟକ୍ତି ଯଦି ସରଳ ଜୀବନ ଶୈଳୀ ଆପଣାର କରନ୍ତି ତେବେ ବିଶ୍ୱରୁ ଅଙ୍ଗାରକାମ୍ଳ ନିର୍ଗମନ ଆଖିଦୃଶିଆ ଭାବେ ହ୍ରାସ ପାଇବ ବୋଲି ସେ କହିଛନ୍ତି। ମାରାକେଚ‍୍‌ରେ ଭାରତ ଏହି ବିଷୟ ଉପସ୍ଥାପନ କରିବା ସହିତ ଗାନ୍ଧୀ ଜୀବନ ଶୈଳୀ ଉପରେ ଏକ ପ୍ରଦର୍ଶନୀ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି।   ଆଜି ଭାରତ ଏହି ଚୁକ୍ତିକୁ ଅନୁମୋଦନ ଦେବା ସହିତ ଆସନ୍ତା ମଙ୍ଗଳବାର ଦିନ ୟୁରୋପୀୟ ୟୁନିଅନ‍୍‌ ପ୍ୟାରିସ ପାଗ ପରିବର୍ତ୍ତନ ଚୁକ୍ତିର ଅନୁମୋଦନ ନଥି ଦାଖଲ କରିବ। ୟୁରୋପୀୟ ୟୁନିଅନରେ ଏବେ ୨୮ଟି ଦେଶ ସଦସ୍ୟ ରହିଛନ୍ତି। ଏହା ପରଠାରୁ ଏହି ଚୁକ୍ତି ବିଶ୍ୱର ଅନ୍ୟତମ ପ୍ରଭାବଶାଳୀ ଚୁକ୍ତି ହେବାର ଗୌରବ ଅର୍ଜନ କରିବ ଓ ମାରାକେଚ ସମ୍ମିଳନୀରୁ ସାରା ବିଶ୍ୱରେ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି।   ପ୍ୟାରିସ ପାଗ ପରିବର୍ତ୍ତନ ଚୁକ୍ତିକୁ ଆଜି ଭାରତ ଅନୁମୋଦନ କରିବା ମିଳିତ ଜାତିସଂଘ ମହାସଚିବ ବାନ‍୍‌ କି ମୁନ‍୍‌ ଏ ଦିଗରେ ଭାରତର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଭାରତର ଅନୁମୋଦନ ଏହି ସମସ୍ୟା ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି। ଭାରତ ପୂର୍ବରୁ ବିଶ୍ୱର ଅନ୍ୟ ୬୧ଟି ରାଷ୍ଟ୍ର ଏହି ଚୁକ୍ତିକୁ ଅନୁମୋଦନ କରିସାରିଛନ୍ତି। ବିଶ୍ୱରେ ଯେତେ ଅଙ୍ଗାରକାମ୍ଳ ନିର୍ଗମନ ହେଉଛି ତହିଁରେ ଭାରତର ଭାଗ ହେଉଛି ୪.୧ ପ୍ରତିଶତ। ଏଯାଏଁ ଯେଉଁ ୬୨ ରାଷ୍ଟ୍ର ଏହି ଚୁକ୍ତିକୁ ଅନୁମୋଦନ କରିଛନ୍ତି ସେମାନଙ୍କର ମିଳିତ ଭାଗ ହେଉଛି ୫୨ ପ୍ରତିଶତ। ଚୁକ୍ତିରେ ରହିଥିବା ସର୍ତ୍ତ ଅନୁସାରେ ଆଉ ୩ ପ୍ରତିଶତ ନିର୍ଗମନ ଭାଗ ଯୋଡ଼ିହେଲେ ଏହା ତପିରବର୍ତ୍ତୀ ୩୦ ଦିନ ଭିତରେ କାର୍ଯ୍ୟକାରୀ ହେବ। ମଙ୍ଗଳବାର ୟୁରୋପୀୟ ୟୁନିଅନ ଏହାକୁ ଅନୁମୋଦନ କଲେ ଏହି ସୀମା ପାର କରିଯିବ। ୟୁରୋପୀୟ ୟୁନିଅନରୁ ବିଶ୍ୱର ୧୨.୧ ପ୍ରତିଶତ ଅଙ୍ଗାରକାମ୍ଳ ନିର୍ଗମନ ହେଉଛି।   ଗାନ୍ଧୀ ଜୟନ୍ତୀରେ ଭାରତର ପ୍ୟାରିସ ପାଗ ପରିବର୍ତ୍ତନ ଚୁକ୍ତି ଅନୁମୋଦନକୁ ବାନ‍୍‌ କି ମୁନ‍୍‌ ପ୍ରଶଂସା କରି କହିଛନ୍ତି ଯେ ଭାରତ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବାତ୍ତାର୍ କ’ଣ ଦେଇଥାନ୍ତା? ମହାତ୍ମା ଗାନ୍ଧୀ କହୁଥିଲେ ବିଶ୍ୱର ପ୍ରତ୍ୟେକ ଲୋକର ଆବଶ୍ୟକତା ପୂରଣ କରିବାର ଶକ୍ତି ପ୍ରକୃତି ପାଖରେ ଅଛି, କିନ୍ତୁ ବିଶ୍ୱର କୌଣସି ଲୋକର ଲୋଭର ପରିତୃପ୍ତି ପାଇଁ ସମଗ୍ର ବିଶ୍ୱର ସମ୍ୱଳ ନିଅଣ୍ଟ ପଡ଼ିବ। ଏହା ବ୍ୟତିତ ମହାତ୍ମା କହୁଥିଲେ, ତୁମେ ଯେଉଁ ପରିବର୍ତ୍ତନ ଆଣିବାକୁ ଚାହୁଁଛ ଆଗେ ତାହା ନିଜେ କରି ଦେଖାଅ। ଆଜିର ବିଶ୍ୱରେ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ କିଛି ନାହିଁ ବୋଲି ମୁନ‍୍‌ କହିଛନ୍ତି।

Share :