ଉପକୂଳ ମୁକୁଳା, ସୂର୍ଯ୍ୟମନ୍ଦିର ଅସୁରକ୍ଷିତ

ଉପକୂଳ ମୁକୁଳା, ସୂର୍ଯ୍ୟମନ୍ଦିର ଅସୁରକ୍ଷିତ

Share :

  ସମଗ୍ର ଦେଶରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଥିବା ବେଳେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଏଥିରୁ ବାଦ ପଡିଛି। ସେପ୍ଟେମ୍ବର ୧୮ ତାରିଖରେ ଜମ୍ମ‌୍‍ୁ କାଶ୍ମୀର ଉରି ସେକ୍ଟରରେ ଥିବା ସେନା କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ବଡଧରଣର ଆତଙ୍କୀ ହମଲ୍ଲା କରିଥିଲେ। ଏଥିରେ ୧୯ ଜଣ ଯବାନ ସହିଦ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।   ସହିଦ ହୋଇଥିବା ବୀର ଜବାନଙ୍କ ବଳିଦାନ ଓ ସେମାନଙ୍କ ଅମର ଅତ୍ମାର ସଦଗତି କାମନା କରି ଭାରତୀୟ ସେନା ପକ୍ଷରୁ ଗତ ମାସ ୨୯ ତାରିଖରେ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା। ଭାରତୀୟ ସେନା ପାକିସ୍ତାନର ୩ କିଲୋମିଟର ସୀମା ଭିତରକୁ ପ୍ରବେଶ କରି ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ମାରି ଫେରି ଆସିବା ପରେ ପାକିସ୍ତାନୀ ଆତଙ୍କବାଦୀମାନେ ଭାରତର ସୀମାକୁ ପ୍ରବେଶ କରି ଆତଙ୍କୀ କାର୍ଯ୍ୟକଳାପ କରିବା ପାଇଁ ଯୋଜନା ଆରମ୍ଭ କରି ଦେଇଛନ୍ତି। ଏନେଇ ସମଗ୍ର ଦେଶରେ ହାଇ ଆର୍ଲଟ ଜାରି କରାଯାଇଥିବା ବେଳେ ଓଡିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଓ ପୁରୀ, ଏବଂ କୋଣାର୍କ-ପୁରୀ ବେଳାମାର୍ଗସ୍ଥ ସମୁଦ୍ର ଉପକୂଳରେ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ।   ସମୁଦ୍ର ଗର୍ଭରେ ତଟରକ୍ଷୀ ବାହୀନି ଓ ସାମୁଦ୍ରିକ ଥାନାକୁ ସଜାଗ କରାଯାଇଥିଲେ ବେଳେ ପୁରୀରୁ ଆସ୍ତରଙ୍ଗ ମଧ୍ୟରେ ୩ଟି ସାମୁଦ୍ରିକ ଥାନା ରହିଛି।  ଏହି ସାମୁଦ୍ରିକ ଥାନାଗୁଡ଼ିକ ପକ୍ଷରୁ ଏଯାବତ କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନ ଥିବା ବେଳେ ସାମୁଦ୍ରିକ ଥାନାକୁ ମିଳିଥିବା ଇଣ୍ଟରସେପ୍ଟ ବୋଟଗୁଡିକ ସମୁଦ୍ର କୂଳରେ ପଡିରହିଥିବା ଦେଖିବାକୁ ମିଳିଛି।  କୋଣାର୍କ-ପୁରୀ ବେଳାମାର୍ଗର ବାଲିଘାଇ ଛକରେ ବାଲିଘାଇ ପାଣ୍ଡି, ରାମଚଣ୍ଡୀଠାରେ ରାମଚଣ୍ଡୀ ଥାନା ଓ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ରହିଥିଲେ ମଧ୍ୟ ଏହି ଥାନାଗୁଡ଼ିକରେ ଆତଙ୍କବାଦୀମାନଙ୍କୁ ପ୍ରତିହତ କଲାଭଳି ଅତ୍ୟାଧୁନିକ ଯନ୍ତ୍ରପାତି ନାହିଁ।   ଭାରତ ପକ୍ଷରୁ ସର୍ଜିକାଲ ଅପରେସନ ପରେ ପାକିସ୍ଥାନ ପକ୍ଷରୁ ସାମ୍ଭାବ୍ୟ ଆତଙ୍କୀ ଆକ୍ରମଣକୁ ଲକ୍ଷ୍ୟ ରଖି ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି କୋଣାର୍କ ଓ ପୁରୀରେ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରବେଶ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିବା ବେଳେ ସୂର୍ଯ୍ୟମନ୍ଦିରରେ ପ୍ରବେଶ ପାଇଁ ଟିକଟ ଯାଞ୍ଚ କରିବା ବ୍ୟତିତ ପର୍ଯ୍ୟଟକମାନେ ସାଙ୍ଗରେ ଆଣିଥିବା ସାମଗ୍ରୀକୁ ଯାଞ୍ଚ କରାଯାଉ ନାହିଁ। ଏଯାବତ ପ୍ରଶାସନ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇ ନଥିବା ଘଟଣା ପର୍ଯ୍ୟଟକ ଓ ସାଧାରଣରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ସୂର୍ଯ୍ୟମନ୍ଦିରର ଚତୁଃପାର୍ଶ୍ୱ ଖୋଲା ରହିଥିବାବେଳେ ନିରସ୍ତ୍ର ୨୨ ଜଣ ସୁରକ୍ଷା କର୍ମୀ ୩ଟି ପର୍ଯ୍ୟାୟରେ ମନ୍ଦିରକୁ ସୁରକ୍ଷା ଯୋଗାଇ ଦେଉଛନ୍ତି। ସୂର୍ଯ୍ୟମନ୍ଦିରକୁ ଜଗିବା ଛଡା କୌଣସି ଅଘଟଣକୁ ରୋକିବା ଏମାନଙ୍କ ପକ୍ଷେ ସମ୍ଭବପର ନୁହେଁ।   ଏବେ ସୂର୍ଯ୍ୟମନ୍ଦିର ବେଢ଼ାପରିସର ଦିନକୁ ଦିନ ପର୍ଯ୍ୟଟକମାନଙ୍କ ପାଇଁ  ଅସୁରକ୍ଷିତ ହେବାରେ ଲାଗିଛି। ଆବଶ୍ୟକ ସୁରକ୍ଷା କର୍ମୀଙ୍କ ଅଭାବ ସାଙ୍ଗକୁ ବିଭିନ୍ନ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପ୍ରତ୍ୟହ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଦେଶ ବିଦେଶର ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଏଏସଆଇ ପକ୍ଷରୁ ବିଦେଶୀ ପର୍ଯ୍ୟଟକଙ୍କଠାରୁ ୫୦୦ ଟଙ୍କା ଓ ଦେଶୀ ପର୍ଯ୍ୟଟକଙ୍କଠାରୁ ୩୦ ଟଙ୍କା ମନ୍ଦିର ପ୍ରବେଶ ଶୁଳ୍କ ବାବଦରେ ଆଦାୟ କରାଯାଇଥାଏ। ଏଏସଆଇ କର୍ତ୍ତୃପକ୍ଷ ପ୍ରତ୍ୟକ ଦିନ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ ମଧ୍ୟ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ସଂଦିଗ୍ଧ କାର୍ଯ୍ୟକଳାପକୁ ରୋକିବା ପାଇଁ ସୂର୍ଯ୍ୟମନ୍ଦିର ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ଓ ସିସିଟିଭି କେମେରାର ଲାଗିଥିଲେ ମଧ୍ୟ ଅଧିକାଶଂ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ ନଥିବା ଜଣା ପଡିଛି। ସୂର୍ଯ୍ୟମନ୍ଦିରକୁ ସାମ୍ଭାବ୍ୟ ଆତଙ୍କୀ ହାମଲାରୁ ରକ୍ଷା କରିବା ଏବଂ ମନ୍ଦିରର ଚତୁର୍ପାଶ୍ବର କଡା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବା ପାଇଁ କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ ଦାବି କରିଛନ୍ତି।

Share :