ସ୍ୱଚ୍ଛତା ପାଇଁ କେତେ ସଚେତନ?

ସ୍ୱଚ୍ଛତା ପାଇଁ କେତେ ସଚେତନ?

Share :

  ଗାନ୍ଧିଜୀଙ୍କ ସ୍ୱଚ୍ଛ ଓ ନିର୍ମଳ ଭାରତ ଗଠନ ପରିକଳ୍ପନାକୁ ସାକାର କରିବା ପାଇଁ ଗତ ୨୦୧୫ ମସିହା ଅକ୍ଟେବର ୨ ତାରିଖ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ୧୪୫ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛ ଓ ନିର୍ମଳ ଭାରତ ଗଠନ ଅଭିଯାନ ଆରମ୍ଭ ହୋଇଥିଲା। ଆଜି ଏହି ଅଭିଯାନକୁ ଦୁଇ ବର୍ଷ ପୂରିଯାଇଛି। ସ୍ୱଚ୍ଛ ଓ ନିର୍ମଳ ଭାରତ ଅଭିଯାନରେ ସମଗ୍ର ଦେଶର ସରକାରୀ ଓ ବେସରକାରୀ ଅନୁଷ୍ଠାନମାନେ ସାମିଲ ହୋଇ ନିଜ ନିଜ ଅଞ୍ଚଳକୁ ସଫାସୁତୁରା ରଖିବାର ଉଦ୍ୟମ କରିଛନ୍ତି। କିନ୍ତୁ ଏହା କେତେ ସଫଳ ହୋଇଛି ଓ ବାସ୍ତବରେ ସହର ଓ ଗାଁ କେତେ ସଫା ହୋଇଛି ତାହା ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ବିଶ୍ବ ପ୍ରସିଦ୍ଧ କୋଣାର୍କ ବୁଲି ଦେଖିଲେ ସ୍ପଷ୍ଟ ହୋଇଯାଏ।   ଏଥିରେ ବଡ ବଡ ରାଜନେତା, ଅଭିନେତା, ସରକାରୀ ବାବୁ ଓ ସ୍ବେଚ୍ଛାସେବୀମାନେ ମଧ୍ୟ ସାମିଲ ହୋଇ ଲୋକ ଦେଖାଣିଆ ଭାବେ ସଫେଇ କରି ନିଜ ନାମ ଓ ଫଟୋକୁ ଗଣମାଧ୍ୟମରେ କିଭଳି ପ୍ରକାଶିତ ହୋଇ ପାରିବ ସେନେଇ ତତ୍ପରତା ପ୍ରକାଶ କରୁଥିବା ବେଳେ ସ୍ୱଚ୍ଛତା ପ୍ରତି ଧାନ ଦେଉନଥିବା ଦେଖିବାକୁ ମିଳିଛି। ହେଲେ ଏହି ସ୍ୱଚ୍ଛ ଭାରତ ଅଭିଯାନ ଦ୍ୱାରା କେତେ ସଚେତନ ହୋଇଛୁ ଆମେ ଓ ଆମ ପରିବେଶ ତା ବିଭିନ୍ନ ସ୍ଥାନରେ ପଡି ରହିଥିବା ଅଳିଆ ଅବର୍ଜନାକୁ ଦେଖିଲେ ସହଜରେ ଅନୁମାନ କରିହୁଏ।   କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଏହି ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଥିଲା କୋଣାର୍କ ଏନଏସି। ଏନଏସି ଅଞ୍ଚଳରେ ଥିବା ଚନ୍ଦ୍ରଭାଗା ବଜାର, ସମୁଦ୍ର କୂଳ, ସୂର୍ଯ୍ୟମନ୍ଦିର ଚତୁର୍ପାଶ୍ବ, ବସ୍‌ ଷ୍ଟାଣ୍ଡ, ଥାନା ଛକ, ଟୁରିଷ୍ଟ ମାର୍କେଟ, ଡାକ୍ତର ଖାନା ପରିସର, ଡ୍ରେନ ମଧ୍ୟରେ କୁଢ କୁଢ ଅଳିଆ ଆବର୍ଜନାକୁ ଦେଖିଲେ ଲଜ୍ଜାରେ ମୁଣ୍ଡ ତଳକୁ ହୋଇଯାଏ ଏବଂ ମନକୁ ପ୍ରଶ୍ନ ଉଠେ- କେତେ ସ୍ୱଚ୍ଛ ହୋଇଛି ଆମ ବିଶ୍ୱ ଐତିହ୍ୟ କୋଣାର୍କ?    ବର୍ଷା ଋତୁ ସମୟରେ ସୂର୍ଯ୍ୟମନ୍ଦିର ପରିସର ଓ କୋଣାର୍କ ବଜାରରୁ ଜଳଠୁଳ ସମସ୍ୟାକୁ ଦୂର କରିବା ନିମନ୍ତେ ଡ୍ରେନେଜ ବିଭାଗ ପକ୍ଷରୁ ୨୦୧୧ ମସିହା ଫେବୃଆରୀ ମାସରେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଥିଲେ ମଧ୍ୟ ଏଯାବତ ଅସଂପୂର୍ଣ୍ଣ ଅବସ୍ଥାରେ ପଡିଛି। ଡ୍ରେନ କଡରେ ଘର ଓ ଡ୍ରେନ ଉପରେ ଦୋକାନ କରିଥିବା ବ୍ୟକ୍ତିମାନ ମାଛ, ମାଂସ, ପରିବା ଜଳଖିଆ ଦୋକାନ ଏବଂ ଅନ୍ୟାନ୍ୟ ଦୋକାନ କରିଥିବା ବ୍ୟବସାୟୀମାନେ ପାଣି, ଅଳିଆ ଓ ଆବର୍ଜନା ପକାଇବା ସହ ଏନଏସିର ସଫେଇ କର୍ମଚାରୀମାନେ ଅଳିଆ ଆଣି ଡ୍ରେନ ମଧ୍ୟରେ ପକାଉଥିବାରୁ ଡ୍ରେନଟି କେତେକ ସ୍ଥାନରେ ସଂପୂର୍ଣ୍ଣ ପୋତି ହୋଇ ପଡିବାରୁ ଜଳ ନିଷ୍କାସିତ ହୋଇପାରୁ ନାହିଁ।   ଖୋଲା ସ୍ଥାନମାନଙ୍କରେ ଜମି ରହୁଥିବା ପାଣି ଡ୍ରେନ ମଧ୍ୟକୁ ନିଷ୍କାସନ ହୋଇପାରୁ ନ ଥିବାବେଳେ ଡ୍ରେନ ମଧ୍ୟରେ ଦୀର୍ଘ ଦିନ ଧରୀ ପାଣି ଜମା ହୋଇ ରହିବାରୁ ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରି ଡେ଼ଙ୍ଗୁ ମଶା, ମାଛି ଓ ବିଷଧର ସାପଙ୍କ ଜନ୍ମ ସ୍ଥାନ ପାଲଟିଛି। ଏତଦ ବ୍ୟତିତ ରାସ୍ତା କଡ଼ରେ କୁଢ କୁଢ ଅଳିଆ ଅବର୍ଜନା ଗଦା ହେବାରୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀରେ ଅଳିଆ ଅବର୍ଜନା ଜମା ହୋଇ ରହିଥିବାରୁ ଏହା ଏବେ ତୀର୍ଥସ୍ନାନ ପାଇଁ ଅନୁପଯୋଗୀ ହୋଇ ପଡିଛି।   ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ପୁତି ଗନ୍ଧମୟ ପରିବେଶକୁ ଦେଖି ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ସ୍ୱଚ୍ଛତା ବୋଲି ଏଠାରେ କୌଣସି ବାତାବରଣ ଦେଖିବାକୁ ମିଳୁନାହିଁ। ଏହି ବର୍ଷକ ମଧ୍ୟରେ ବିଭିନ୍ନ ସଂଗଠନଙ୍କ ପକ୍ଷରୁ ସୂର୍ଯ୍ୟମନ୍ଦିର ଚତୁର୍ପାଶ୍ବ, ସ୍ୱାସ୍ଥ୍ୟ କେନ୍ଦ୍ର, ଶିକ୍ଷାନୁଷ୍ଟାନ, ଚନ୍ଦ୍ରଭାଗା ବେଳାଭୂମି ପରିସରରେ ପଡିରହିଥିବା ଅଳିଆ ଆବର୍ଜନାକୁ ମିଡିଆ କଭରେଜ ପାଇଁ ଲୋକ ଦେଖାଣିଆ ଭାବେ ସଫା କରି କାମ ସାରି ଦେଇଛନ୍ତି। ଲୋକଙ୍କ ମଧ୍ୟରେ ବ୍ୟାପକ ଜନ ସଚେତନତା ଅଭାବ ଯୋଗୁଁ ଗାନ୍ଧୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ସାକାର ହୋଇପାରୁ ନାହିଁ ବୋଲି ପରିବେଶବିତମାନେ ମତବ୍ୟକ୍ତ କହିଛନ୍ତି।

Share :