ମିଳିଲା ୬୫,୨୫୦ କୋଟି ଟଙ୍କାର କଳାଧନ ହିସାବ

ମିଳିଲା ୬୫,୨୫୦ କୋଟି ଟଙ୍କାର କଳାଧନ ହିସାବ

Share :

କେନ୍ଦ୍ର ସରକାରଙ୍କ ଆୟ ଘୋଷଣା ଯୋଜନା ବା ଆଇଡିଏସରେ ଏବେ ସୁଦ୍ଧା ୬୪,୨୭୫ ଜଣ ମୋଟ ୬୫,୨୫୦ କୋଟି ଟଙ୍କାର ଅଘୋଷିତ ଆୟ ଘୋଷଣା କରିଛନ୍ତି। ଏସବୁ ଆୟ ଉପରେ ପୂର୍ବରୁ ଟିକସ ଦାଖଲ କରାଯାଇ ନଥିଲା। ଅକ୍ଟୋବର ପହିଲାରେ ସରକାରଙ୍କ ଏହି ଯୋଜନାର ଅବଧି ଶେଷ ହୋଇଛି। ତେବେ ଆଗରୁ ଲୁଚା ଯାଇଥିବା ଓ ଏହି ଯୋଜନା ଅଧୀନରେ ଘୋଷଣା କରାଯାଇଥିବା ଆୟ ଆହୁରି ଅଧିକ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି।   ଚଳିତ ବର୍ଷ ଜୁନ ପହିଲାରୁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ଯୋଜନା ଅନୁସାରେ ଯେଉଁମାନେ ଆୟ ଲୁଚାଇଥିଲେ ସେମାନେ ତାହା ଘୋଷଣା କଲେ କେବଳ କର ଓ ଉପକର ଦାଖଲ କରି ତାହାକୁ ଧଳାଧନରେ ପରିଣତ କରିପାରିବେ। ସେଥିପାଇଁ ସେମାନଙ୍କୁ ଅଧିକ ଦଣ୍ଡ ମିଳିବ ନାହିଁ। ଏହି ଯୋଜନା ପାଇଁ କର ଓ ଉପକର ହାର ୪୫ ପ୍ରତିଶତ ରଖାଯାଇଥିଲା। ଏହାର ଅର୍ଥ ଏବେ ସୁଦ୍ଧା ଯେଉଁ ପରିମାଣର କଳାଧନ ବା ଗୁପ୍ତ ଆୟ ଘୋଷଣା କରାଯାଇଛି ସେଥିରୁ କେନ୍ଦ୍ର ସରକାର ପ୍ରାୟ ୩୦ ହଜାର କୋଟି ଟଙ୍କାର ରାଜସ୍ୱ ଆୟ କରିବେ।   ତେବେ ଏହି ଦେୟ ୨୦୧୭ ସେପ୍ଟେମ୍ୱର ମଧ୍ୟରେ ତିନିଟି କିସ୍ତିରେ ଦାଖଲ କରାଯିବ। ପ୍ରଥମ କିସ୍ତି ବାବଦରେ ୨୫ ପ୍ରତିଶତ ଚଳିତ ବର୍ଷ ନଭେମ୍ୱର ମଧ୍ୟରେ, ଦ୍ୱିତୀୟ କିସ୍ତି ବାବଦରେ ଆଉ ୨୫ ପ୍ରତିଶତ ୨୦୧୭ ମାର୍ଚ୍ଚ ମଧ୍ୟରେ ଏବଂ ତୃତୀୟ ତଥା ଶେଷ କିସ୍ତି ବାବଦ ବାକି ୫୦ ପ୍ରତିଶତ ୨୦୧୭ ନଭେମ୍ୱର ମଧ୍ୟରେ ଦାଖଲ କରିବାକୁ ଘୋଷଣାକାରୀମାନଙ୍କୁ ସୁଯୋଗ ଦିଆଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳାଧନ ଠୁଳକାରୀଙ୍କୁ ଚେତାବନୀ ଦେଇ କହିଥିଲେ ଯେ ସେପ୍ଟେମ୍ୱର ୩୦ ତାରିଖ ସୁଦ୍ଧା ଯେଉଁମାନେ ଆୟ ଘୋଷଣା ନକରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।   କଳାଧନ ଠୁଳକାରୀଙ୍କୁ ଆୟ ଘୋଷଣା କରିବାକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ସେମାନଙ୍କ ନାମ ପ୍ରକାଶ କରିବେ ନାହିଁ ବୋଲି କହିଥିଲେ। ଆଜି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ମଧ୍ୟ ସେହି କଥା ଦୋହରାଇଛନ୍ତି। କେଉଁମାନେ ଏହି ଆୟ ଘୋଷଣା କରିଛନ୍ତି ସେମାନଙ୍କ ତାଲିକା ସେ ପ୍ରକାଶ କରି ନାହାନ୍ତି। ସେହିପରି କେଉଁ ସୂତ୍ରରୁ ଏହି ଆୟ ଅର୍ଜନ କରାଯାଇଥିଲା ତାହା ଘୋଷଣା କରିବା ଦରକାର ନାହିଁ ବୋଲି ସରକାର କହିଥିଲେ। ୨୦୧୫-୧୬ ଆଥିର୍କ ବର୍ଷ କିମ୍ୱା ତା’ ପୂର୍ବରୁ ଲୁଚା ଯାଇଥିବା ଆୟ ଘୋଷଣା କରିବାକୁ ଏହି ଯୋଜନା ଆରମ୍ଭ ହୋଇଥିଲା। ବିଦେଶରେ ରହୁଥିବା ଭାରତୀୟଙ୍କୁ ମଧ୍ୟ କଳାଧନ ଘୋଷଣା କରିବାର ସୁଯୋଗ ଦେବା ନିମନ୍ତେ ସରକାର ଗତ ବର୍ଷ ଠିକ୍ ଏହିପରି ଅନ୍ୟ ଏକ ଯୋଜନା ଘୋଷଣା କରିଥିଲେ। ସେଥିରେ ୪,୧୬୪ କୋଟି ଟଙ୍କାର କଳାଧନ ଘୋଷିତ ହୋଇଥିଲା।   ନିର୍ବାଚନ ପୂର୍ବରୁ କଳାଧନ ଫେରାଇ ଆଣିବାକୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସଭାରେ ପ୍ରତିଶ୍ରୁତି ଦେଇଥିଲେ। ଭାରତର ମୋଟ କଳାଧନ ପରିମାଣ ୩୦ ଲକ୍ଷ କୋଟି ଟଙ୍କା ହେବ ବୋଲି ଆମ୍ୱିଟ‍୍‌ କ୍ୟାପିଟାଲ ଆକଳନ କରିଛି। ୧୯୯୭ ମସିହାରେ ଆୟ ଲୁଚାଇଥିବା ଲୋକଙ୍କୁ ଆୟ ଘୋଷଣା କରିବାର ସୁଯୋଗ ଦେବା ନିମନ୍ତେ ତତ୍କାଳୀନ ମିଳିତ ସାମ୍ମୁଖ୍ୟ ସରକାର ମଧ୍ୟ ଏହିପରି ଏକ ଯୋଜନା ଘୋଷଣା କରିଥିଲେ। ସେତେବେଳେ ୩୩ ହଜାର କୋଟି ଟଙ୍କାର ଆୟ ଘୋଷିତ ହୋଇଥିଲା।

Share :