ସମସ୍ୟାକୁ ଅସ୍ବୀକାର, ସମାଧାନ ହେବ କେମିତି?

ସମସ୍ୟାକୁ ଅସ୍ବୀକାର, ସମାଧାନ ହେବ କେମିତି?

Share :

ଅଭାବୀ ଧାନବିକ୍ରିରୁ ଆରମ୍ଭ ହୋଇଥିବା ଓଡ଼ିଶା ଚାଷୀ ଆତ୍ମହତ୍ୟା ସାରା ଦେଶରେ ଚହଳ ସୃଷ୍ଟି କରିଛି।  ୨୦୦୧ ମସିହାରେ ବରଗଡ଼ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ  ଆତ୍ମହତ୍ୟା କରିଥିଲେ କ୍ଷୁଦ୍ର ଚାଷୀ ବାବୁରାଓ। ଏ ମଧ୍ୟରେ  ରାଜ୍ୟରେ ୩୦୩୫ ଚାଷୀ ଆତ୍ମହତ୍ୟା କଲେଣି। ସମବେଦନା ତ ଦୂରର କଥା, ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର ମଧ୍ୟ କରୁନାହାନ୍ତି ବୋଲି ସେପ୍ଟେମ୍ବର ୩୦ ତାରିଖ ଶୁକ୍ରବାର ଦିନ ଲୋହିଆ ଏକାଡେମୀଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି।   ଦେଶୀ ବିହନ ସୁରକ୍ଷା ମଂଚ, ରାଜ୍ୟ ଖାଦ୍ୟ ଅଧିକାର ଅଭିଯାନ ତଥା ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ପକ୍ଷରୁ  ୫୩ ଆତ୍ମହତ୍ୟାକରୀ ଚାଷୀ ପରିବାରର ଅଧ୍ୟୟନ ରିପୋର୍ଟ ପ୍ରକାଶ ଅବସରରେ କୃଷି ବିଶେଷଜ୍ଞ ସରୋଜ ମହାନ୍ତି କହିଲେ ଯେ ରାଜ୍ୟ ସରକାର ଚାଷୀ ସଂକଟକୁ ସ୍ୱୀକାର କରୁନଥିବାରୁ ସମାଧାନର ବାଟ ଫିଟୁନାହିଁ। ଚାଷ ଆଜି ଖର୍ଚ୍ଚବହୁଳ ହୋଇପଡ଼ିଛି। ଗୋଟିଏ ପ୍ରକାର ଚାଷକୁ ବି ନିଶ୍ଚିତ ଜଳସେଚନ ସୁବିଧା କରାଯାଇ ନାହିଁ। ସରଳ ସୁଧରେ ଋଣ ବ୍ୟବସ୍ଥା ନାହିଁ କି ଚାଷୀଙ୍କ ଦ୍ରବ୍ୟର ବିକ୍ରିବଟା ପାଇଁ ଭିତ୍ତିଭୂମି ନାହିଁ।   ୨୦୧୧ ମସିହା ପୂର୍ବରୁ ରାଜ୍ୟରେ ଅଣଜଳସେଚିତ ଜମିରେ ଚାଷ କରି କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନେ ଆତ୍ମହତ୍ୟା କରୁଥିବା ବେଳେ ୨୦୧୧ ପରଠାରୁ ସେ ଧାରାରେ ପରିବର୍ତ୍ତନ ହୋଇଛି। ଖୋର୍ଦ୍ଧା, ଭଦ୍ରକ, ଜଗତସିଂହପୁର, ବାଲେଶ୍ୱର ଆଦି ଜଳସେଚିତ ଜିଲ୍ଳାରେ ଚାଷୀ ଆତ୍ମହତ୍ୟା ଦେଖିବାକୁ ମିଳିଲାଣି। ଚାଷୀମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ କମିଛି। ଶିକ୍ଷା ଓ ସ୍ୱାସ୍ଥ୍ୟର ଖର୍ଚ୍ଚକୁ ଭରଣା କରିପାରୁନି ସ୍ୱାଭିମାନୀ ଚାଷୀ। କୃଷି ଶ୍ରମିକରୁ ନିର୍ମାଣ ଶ୍ରମିକ ସାଜି ଦାଦନ ଯିବାକୁ ପଡ଼ୁଛି। କୋଡିଏ ଏକର ଜମି ଥିବା ଚାଷୀ ଆତ୍ମହତ୍ୟାର ରାସ୍ତାକୁ ବାଛି ନେଉଛି।   କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ସରକାର ଚାଷୀ ଆତ୍ମହତ୍ୟା ଘଟଣାକୁ ସ୍ୱୀକାର କରୁଥିବା ବେଳେ ଓଡ଼ିଶା ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରୁନାହାନ୍ତି। ତେଣୁ ଦୁଃସ୍ଥିତିରେ ଥିବା ଚାଷୀ ଋଣର ଚାପ, ଫସଲର ବିପର୍ଯ୍ୟୟ, ମହାଜନୀ ଋଣ ସହ ତୃଟିପୂର୍ଣ୍ଣ କୃଷିନୀତି କାରଣରୁ ଜୀବନ ହାରିବାକୁ ଶ୍ରେୟ ମଣୁଛନ୍ତି ବୋଲି କହିଥିଲେ ରାଜ୍ୟ ଖାଦ୍ୟ ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ।   ବିକେନ୍ଦ୍ରିତ ଜଳସେଚନ, ଉପଯୁକ୍ତ ବଜାର ବ୍ୟବସ୍ଥା, ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ, ସରଳ ଋଣ ଯୋଗାଣ ଓ କୃଷକଙ୍କ ଆର୍ଥିକ ଦୁର୍ଗତିକୁ ରାଜ୍ୟ ସରକାର ସ୍ୱୀକାର କରିବାକୁ ଏଥିରେ ଦାବୀ କରାଯାଇଛି।

Share :