ବିକାଶ ପାଇଁ ସାମାଜିକ ନବସୃଜନ

ବିକାଶ ପାଇଁ ସାମାଜିକ ନବସୃଜନ

Share :

କୃଷି, ଶିକ୍ଷା, ଜୀବିକା ଆଦି କ୍ଷେତ୍ରରେ ଅଭିନବ ନବସୃଜନ ରହିଛି। ସେଗୁଡ଼ିକ ଏକାଠି କରି ବ୍ୟାପକ ପ୍ରଚାର ପ୍ରସାର କରାଯାଇପାରିଲେ, ସମାଜର ବ୍ୟବହାରରେ ଲାଗିପାରିବ ଓ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରି ବୋଲି ସାମାଜିକ ନବସୃଜନ ସମ୍ମେଳନର ଉଦ‌୍‍ଯାପନୀ ସମାରୋହରେ ମତପ୍ରକାଶ ପାଇଛି।   ୟଙ୍ଗ ଇଣ୍ଡିଆ ପ୍ରାୟୋଜିତ ଏହି ଦୁଇଦିନିଆ ସମ୍ମେଳନରେ ପାଂଚଟି ବିଭାଗର ୩୦ ପ୍ରକାର ନବସୃଜନକୁ ଉପସ୍ଥାପନା କରାଯାଇଥିଲା। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକାର୍ଜନ, ଗଣମାଧ୍ୟମ ଓ ସ୍ୱଶାସନ ବିଭାଗର ନବସୃଜନଗୁଡ଼ିକ ଅଭ୍ୟାସ କରି ବିଭିନ୍ନ ଅଂଚଳରେ କିଭଳି ବିକାଶର ସୂଚକ ଦେଖିବାକୁ ମିଳିଛି, ଅଂଶଗ୍ରହଣକାରୀମାନେ ସେମାନଙ୍କ ଅନୁଭବ ବଖାଣିଥିଲେ।   ଏଭଳି ଅଭିନବ ଗବେଷଣାକୁ ବ୍ୟବହାର କରାଯାଇ ପାରମ୍ପରିକ କୃଷି, ଜଳସେଚନ, କୀଟ ନିୟନ୍ତ୍ରଣ, ସମନ୍ୱିତ କୃଷି, ମରୁଡ଼ି ମୁକାବିଲା, ଜୀବିକାର୍ଜନରେ ଉନ୍ନତି, ପ୍ରଭାବୀ ଗଣଯୋଗାଯୋଗ ଓ ସରକାରୀ ଯୋଜନା ଗୁଡ଼ିକର ସଫଳ ରୂପାୟନ ସମ୍ଭବ ହୋଇପାରିଥିବା ଉପସ୍ଥାପକମାନେ ଦର୍ଶାଇଥିଲେ। ଲୋକବିକାଶ, ଯୁବବିକାଶ, ଡେଭଲପ‌୍‍ମେଂଟ ନ୍ୟୁଜ‌୍‍, ସିଡ଼ିଏସ‌୍‍ଆର‌୍‍, ଦିଶା, ଆଇସିଓଏନ‌୍‍, ଆକ୍ସନ ଏଡ଼‌୍‍, ପ୍ରାକ୍ଟିକାଲ ଆକ୍ସନ ଭଳି ପ୍ରମୁଖ ସାମାଜିକ ସଂଗଠନଗୁଡ଼ିକର ସହଯୋଗ କ୍ରମେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।   ସମ୍ମେଳନରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଗବେଷକ, ଉଦ‌୍‍ଭାବକ, ସମାାଜିକ ସଂଗଠନ ତଥା ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ। ଗଣମାଧ୍ୟମ ଓ ସୃଜନଶୀଳତା ଥିମକୁ ନେଇ ଆଲୋଚନାଚକ୍ରରେ ସାମ୍ୱାଦିକ ସନ୍ଦୀପ ସାହୁ, ଅଶୋକ ଦାସ, ଯତୀନ ଦାସ, ବାସୁଦେବ ମହାପାତ୍ର ଓ ଅନନ୍ତ ପ୍ରସାଦ ପ୍ରମୁଖ ସାମାଜିକ ମିଡ଼ିଆର ପ୍ରଭାବରୁ ପ୍ରତ୍ୟେକ ବ୍ୟକ୍ତି ସାମ୍ୱାଦିକତାର ଭୂମିକାରେ ପହଂଚିପାରିଥିବା ସୂଚାଇଥିଲେ। ଫେସବୁକ‌୍‍, ଟ୍ୱିଟର, ରେଡ଼ିଓ ଓ ଗୋଷ୍ଠୀଭିତ୍ତିକ ଖବରକାଗଜ କିଭଳି ନୂଆପ୍ରକାର ସୃଜନଶୀଳତା ପ୍ରଦର୍ଶିତ କରାଇପାରି ଜନଗଣଙ୍କ ଅସଲ ସମସ୍ୟା ସମାଧାନ କରିପାରୁଛି, ତାହା ଆଲୋକପାତ କରାଇଥିଲେ। ଭାରତ ସ୍ୱାଭିମାନ େସ୍ୱଚ୍ଛାସେବୀ ବାହିନୀରେ ରାଜ୍ୟର ଅଶିହଜାର େସ୍ୱଚ୍ଛାସେବୀ ସରକାରୀ କାର୍ଯ୍ୟକ୍ରମର ରୂପାୟନରେ ଯୋଗଦାନ କରୁଥିବା ସୂଚନା ପ୍ରଦାନ କରାଯାଇଥିଲା। ୟଙ୍ଗ‌୍‍ଇଣ୍ଡିଆର ମୁଖ୍ୟ ଏନ‌୍‍.ଏ. ଶାହ ଆନସାରୀ ଓ ସାମ୍ୱାଦିକ ବାସୁଦେବ ମହାପାତ୍ର ଓଡ଼ିଶାର ପ୍ରଥମ ଗୋଷ୍ଠୀଭିତ୍ତିକ ଖବରକାଗଜ ‘ନମସ୍କାର’ର ଲୋକପରିଚାଳନା ପ୍ରକ୍ରିୟା ସମ୍ପର୍କରେ ଉପସ୍ଥାପନା କରିଥିଲେ।   ଲୋକବିକାଶର ମୁଖ୍ୟ ସଫିକ‌୍‍ ଭାଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଅତିଥିଙ୍କୁ ଚାରାବୃକ୍ଷ ଉପହାରସ୍ୱରୂପ ପ୍ରଦାନ କରାଯାଇଥିଲା।

Share :