ଦାମ ବିରୋଧୀଙ୍କୁ ବିଷ୍ଣୁଙ୍କ ପୁରସ୍କାର!

ଦାମ ବିରୋଧୀଙ୍କୁ ବିଷ୍ଣୁଙ୍କ ପୁରସ୍କାର!

Share :

ବଟକୃଷ୍ଣ ଦାସ    ପାରାଦୀପରେ ଡାକ୍ତର ଦାମୋଦର ରାଉତଙ୍କକୁ ଧୀରେ ଧୀରେ ପ୍ରଭାବହୀନ କରିବା ପାଇଁ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟସଭା ସଦସ୍ୟ ବିଷ୍ଣୁ ଦାସ ଗୋଟି ଚଳେଇବା ଆରମ୍ଭ କରିଛନ୍ତି। ତାଙ୍କର ଦାମ ବିରୋଧୀ ଷଡ଼ଯନ୍ତ୍ର ପ୍ରତି ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଧ୍ୟ ସମର୍ଥନ ଥିବା ଜଣାପଡ଼ୁଛି। ଦାମଙ୍କ କଟ୍ଟର ବିରୋଧୀ ଭାବେ ଜଣାଶୁଣା ସନ୍ତୋଷ ପଟ୍ଟନାୟକଙ୍କ ସମର୍ଥକମାନଙ୍କୁ ଜିଲ୍ଲା ବିଜେଡିର ଗୁରୁତ୍ବପୂର୍ଣ୍ଣ ପଦ ଦିଆଯିବା ଘଟଣାରୁ ପାରାଦୀପର ରାଜନୀତିକ ସମୀକ୍ଷକମାନେ ଏହା ଅନୁମାନ କରୁଛନ୍ତି।   ନିକଟରେ ଅବିଭକ୍ତ କଟକ ଜିଲ୍ଲାର ବିଶିଷ୍ଟ ଶ୍ରମିକ ନେତା ତଥା ବିଜୁ ଜନତା ଦଳର ସଂଗଠକ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଦୁଇ ଅନୁଗତ ମନୀନ୍ଦ୍ର ଗୁରୁ ଓ ପଦ୍ମଲୋଚନ ଦାସଙ୍କୁ ଜିଲ୍ଲା ବିଜେଡିର ନୂତନ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ଜିଲ୍ଲା ସଭାପତି ତଥା ସାଂସଦ ବିଷ୍ଣୁ ଦାସଙ୍କ ଦ୍ବାରା ପ୍ରସ୍ତୁତ ଜିଲ୍ଲା କାର୍ଯ୍ୟକର୍ତ୍ତା ତାଲିକାକୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଅନୁମୋଦନ କରିବା ପରେ ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ଏହା ଘୋଷଣା କରାଯାଇଥିଲା।   ଶ୍ରୀ ମନୀନ୍ଦ୍ର ଗୁରୁ ଶ୍ରମିକ ସଙ୍ଗଠନରୁ ନିଜର ରାଜନୀତିକ ଜୀବନ ଆରମ୍ଭ କରି ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ଉପସଭାପତି ଓ ତୈଳ ବିଶୋଧନାଗାର କଣ୍ଟ୍ରାକ୍ଟ ଲେବର କୋଅପରେଟିଭ‌୍‍ ସୋସାଇଟିର ସଭାପତି ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ଅନ୍ୟତମ ସମ୍ପାଦକ ଶ୍ରୀ ପଦ୍ମଲୋଚନ ଦାସ ଚଟୁଆ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଥିଲେ। ଏବେ ସେ ସମ୍ମାନଜନକ ଶ୍ରମିକ ସଙ୍ଗଠନ ପୂର୍ବଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ସମ୍ପାଦକ ଭାବେ କାର୍ଯ୍ୟରତ ଅଛନ୍ତି। ଉଭୟ ସାଧାରଣ ଜନତାଙ୍କର ସେବା ସହିତ ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଳାର ବହୁ ବେକାର ଯୁବକ ଯୁବତୀ ମାନଙ୍କୁ ଏକତ୍ରୀତ କରି ପାରାଦୀପ ଶିଳ୍ପାଞ୍ଚଳରେ ସେମାନଙ୍କର ନିଯୁକ୍ତି କ୍ଷେତ୍ରରେ ତାଙ୍କର ବଳିଷ୍ଠ ଉଦ୍ୟମ ବେଶ ପ୍ରଶଂସନୀୟ।   ଏ ଦୁଇ ନେତା ସେମାନଙ୍କର ନିଷ୍ଠା, ସେବା ଓ ତ୍ୟାଗ ପାଇଁ ରାଜନୀତି କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି। ଉଭୟ ଜିଲ୍ଲା ବିଜେଡି ସମ୍ପାଦକ ଭାବେ ମନୋନୀତ ହେବା ପରେ ଶ୍ରୀ ଗୁରୁ ଓ ଶ୍ରୀ ଦାସ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକ, ଜିଲ୍ଳା ସଭାପତି ବିଷ୍ଣୁ ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।      ଡାକ୍ତର ରାଉତଙ୍କ ତୀବ୍ର ବିରୋଧୀ ଭାବେ ଜଣାଶୁଣା ସନ୍ତୋଷ ପଟ୍ଟନାୟକଙ୍କର ଏ ଦୁଇ ଅନୁଗତଙ୍କୁ ଜିଲ୍ଲା ବିଜେଡିରେ ଗୁରୁତ୍ବପୂର୍ଣ୍ଣ ପଦବୀ ମିଳିବା ଦାମଙ୍କ ପାରାଦୀପ ଗଡ଼ ଭାଙ୍ଗିବା ପାଇଁ ଉଦ୍ଦିଷ୍ଟ ବୋଲି ରାଜନୀତିକ ମହଲ ଅନୁଶୀଳନ କରୁଛନ୍ତି। ପାରାଦୀପ ବିଜେଡିରେ ଥିବା ଦାମଙ୍କର କୌଣସି ଅନୁଗତଙ୍କୁ ଜିଲ୍ଲା ବିଜେଡିରେ ପଦପଦବୀ ମିଳି ନାହିଁ। ଦାମଙ୍କ ଅନୁଗତ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ସବିତା ମହାପାତ୍ର ଜିଲ୍ଲା ସଂଗଠନର ଅନ୍ୟତମ ଉପସଭାପତି ଥିବାବେଳେ କୁଜଙ୍ଗ ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ପରିଡ଼ା ଅନ୍ୟତମ ସଂପାଦକ ଅଛନ୍ତି। କିନ୍ତୁ ପାରାଦୀପ ବିଜୁ ଜନତା ଦଳରେ ଡାକ୍ତର ରାଉତଙ୍କର ଖାସ୍‌ ଅନୁଗତ ଭାବେ ଜଣାଶୁଣା ସୁମନ୍ତ ବିଶ୍ବାଳ ଓ ବସନ୍ତ ବିଶ୍ବାଳଙ୍କୁ ଜିଲ୍ଲା ବିଜେଡି କାର୍ଯ୍ୟକର୍ତ୍ତା ତାଲିକାରେ ଗ୍ରହଣ ନକରାଯିବା ବିଷ୍ଣୁଙ୍କ ଦାମ ବିରୋଧୀ ଚାଲ୍‌ ବୋଲି ଆଲୋଚିତ ହେଉଛି। ସୁମନ୍ତ ଏବେ ପାରାଦୀପ ବିଜେଡିର ସଭାପତି ଓ ବସନ୍ତ ପାରାଦୀପ ପୌରସଭାର ଅଧ୍ୟକ୍ଷ ଅଛନ୍ତି। ଏହି ଦୃଷ୍ଟିରୁ ସେମାନଙ୍କୁ ଜିଲ୍ଲା କାର୍ଯ୍ୟକର୍ତ୍ତା କରାଯାଇ ନାହିଁ ବୋଲି କେହିକେହି କହୁଛନ୍ତି। ତେବେ ଦାମଙ୍କର ଅନ୍ୟତମ ଖାସ୍‌ ଅନୁଗତ ସଂଜୟ ବେହେରାଙ୍କୁ ମଧ୍ୟ ଜିଲ୍ଲା କାର୍ଯ୍ୟକର୍ତ୍ତା ତାଲିକାର ନିଆଯାଇ ନାହିଁ।   ପାରାଦୀପର ଅଧିକ ଦାମ ବିରୋଧୀଙ୍କୁ ଜିଲ୍ଲା ବିଜେଡିରେ ଗୁରୁତ୍ବ ପ୍ରଦାନ କରି ଦାମଙ୍କ ଶକ୍ତି ଓ ସଂଗଠନ ଦୁର୍ବଳ କରିବାକୁ ବିଷ୍ଣୁ ଦାସ ଉଦ୍ୟମ ଚଳାଇବା ଦିଗରେ ଏହା ନୂଆ ଉଦାହରଣ ନୁହେଁ। ପୂର୍ବରୁ ବିଷ୍ଣୁ ଅନେକ ଥର ପାରାଦୀପରେ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରିଛନ୍ତି। କେତେବେଳେ ବାପି ସାର୍ଖେଲଙ୍କ ଜରିଆରେ ତ କେତେବେଳେ ସନ୍ତୋଷ ପଟ୍ଟନାୟକଙ୍କ ଜରିଆରେ ସେ ପାରାଦୀପ ରାଜନୀତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଛନ୍ତି। ତେବେ ଏଯାଏଁ ସେ ତାଙ୍କ ଉଦ୍ଦେଶ୍ୟ ପୂରଣ କରିପାରି ନାହାନ୍ତି। ତାଙ୍କର ସବୁ ଉଦ୍ୟମ ବିଫଳ ହୋଇଛି। ସୁଚତୁର ଦାମ ଏଯାଏଁ ବିଷ୍ଣୁଙ୍କର ସମସ୍ତ ଉଦ୍ୟମକୁ ଶେଷ ମୁହୂର୍ତ୍ତରେ ପଣ୍ଡ କରିଦଇଛନ୍ତି। ଆଗକୁ ସେ ସଫଳ ହେବେ କି ନହେବେ ତାହା ସମୟ କହିବ।

Share :