ଆତ୍ମଶୁଦ୍ଧି, ସୁସ୍ଥମନ, ସ୍ୱଚ୍ଛ ଭାରତ

ଆତ୍ମଶୁଦ୍ଧି, ସୁସ୍ଥମନ, ସ୍ୱଚ୍ଛ ଭାରତ

Share :

ଏମ.ଭେଙ୍କେୟା ନାଇଡୁ   ଠିକ୍‌ ଦୁଇ ବର୍ଷ ପୂର୍ବେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଥିଲା। ଦେଖୁ ଦେଖୁ ଏହି କାର୍ଯ୍ୟକ୍ରମ ଏବେ ଗାଁ ଗହଳରେ, ସହର ବଜାରରେ ସାଧାରଣ ଲୋକଙ୍କ ମନକୁ ଛୁଇଁ ପାରିଛି। ଏବେ ଲୋକେ ବୁଝିବାକୁ ଲାଗିଲେଣି ସ୍ୱଚ୍ଛ ଭାରତର ଗୁରୁତ୍ୱ କେତେ। ପୂର୍ବରୁ ବୁଝୁଥିଲେ ଯେ କେବଳ ସହର, ବଜାରରେ ହିଁ ସ୍ୱଚ୍ଛତା ଦେଖିବାକୁ ମିଳିବ, ସହରର ଗଳିକନ୍ଦି ପରିସ୍କାର ପରିଚ୍ଛନ୍ନ ରହିଥିବ ଏବଂ ସହରର ନାଗରୀକମାନେ ବେଶ‌୍‍ ସ୍ୱଚ୍ଛନ୍ଦରେ ଚଳୁଥିବେ। ଏବେ କିନ୍ତୁ ଦେଖାଯାଇଛି ଆମ ଗ୍ରାମାଂଚଳରେ ଗରିବ ଓ ନିମ୍ନ ମଧ୍ୟବିତତ୍ତ ପରିବାରମାନେ ମଧ୍ୟ ସ୍ୱଚ୍ଛ ଭାରତ ବିଷୟରେ ଜାଣିଲେଣି ଏବଂ ନିଜର ଆଖପାଖ ପରିବେଶକୁ ପରିସ୍କାର ପରିଚ୍ଛନ୍ନ ରଖିବା ଲାଗି ଅଂଟା ଭିଡିଲେଣି।   ସ୍ୱଚ୍ଛ ଭାରତର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ନିପଟ ମଫସଲରେ ଅଥବା ଅଖ୍ୟାତ ପଲ୍ଲୀରେ। ମହାରାଷ୍ଟ୍ରର ୱାସିମ ଜିଲ୍ଲାର ସାଇଖେଡା ଗାଁରେ ସଙ୍ଗୀତା ଆୱଲେ ନିଜର ଏକମାତ୍ର ସମ୍ୱଳ - ମଙ୍ଗଳସୂତ୍ର ବିକି ଘର ଲାଗି ଶୌଚାଳୟଟିଏ ଗଢିଛନ୍ତି। ଛତିଶଗଡର ଧମତରୀ ଜିଲ୍ଲାର ପୋଟଭରୀ ଗାଁରେ ୧୦୪ ବର୍ଷର ମହିଳା କୁଅଁର ବାଈ ତାଙ୍କର ଯାହାକିଛି ସମ୍ୱଳ ସ୍ୱରୁପ କେତୋଟି ଛେଳି ଥିଲେ ସେମାନଙ୍କୁ ବିକ୍ରୀ କରି ପାଇଖାନା ନିର୍ମାଣ କରିଛନ୍ତି। କୋଲରାସ ବ୍ଲକର ଗୋପାଳପୁର ଗାଁର ଝିଅ ପ୍ରିୟଙ୍କା ଆଦିବାସୀ ସଦ୍ୟ ବିବାହିତ ହୋଇ ଶାଶୁ ଘରକୁ ଯାଇଥିଲେ କିନ୍ତୁ ଶୌଚାଳୟ ନଥିବାରୁ ବାପ ଘରକୁ ପୁଣି ଫେରି ଆସିଛନ୍ତି। ଆନ୍ଧ୍ର ପ୍ରଦେଶର ଗଂୁଟୁର ଜିଲ୍ଲାରେ ଜଣେ ମୁସଲିମ‌୍‍ ଭଦ୍ର ମହିଳା ତାଙ୍କ ନବବଧୂକୁ ଏକ ସୁନ୍ଦର ଶୌଚାଳୟ ଉପହାର ସ୍ୱରୁପ ପ୍ରଦାନ କରିଛନ୍ତି। କେବଳ ସେତିକି ନୁହେଁ ଏବେ ଅନେକ ପାଠ ପଢୁଆ ଝିଅ ଶୌଚାଳୟ ନଥିବା ଘରେ ବାହାହେବାକୁ ସିଧା ସିଧା ମନା କରିଦେଇଛନ୍ତି। ଏହିଥିରୁ ଦେଖାଯାଉଛି ଯେ ସ୍ୱଚ୍ଛ ଭାରତ ଅଭିଯାନ ଗାଁ ଗହଳର ଲୋକଙ୍କ ମନ ଭିତରେ ଭରିଯାଇଛି। ବିଶେଷକରି, ଝିଅ ବୋହୂମାନେ ଏହି ଅଭିଯାନରେ ନୂଆ ଉତ୍ସାହ, ଉଦ୍ଦୀପନା ଓ ଉଚ୍ଛ୍ବାସ ଭରି ଦେଇଛନ୍ତି। ସେମାନେ ନିଜର ଆତ୍ମ ମର୍ଯ୍ୟାଦା ଓ ସ୍ୱାଭିମାନର ଟେକ ରଖିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନର ଅଗ୍ରଦୂତ ପାଲଟିଛନ୍ତି। କଣ୍ଣାର୍ଟକରେ ହାଲୋନାହାଲି ଗାଁର ସ୍କୁଲ ଝିଅ ଲାବଣ୍ୟ, ଶୌଚାଳୟ ନିର୍ମାଣ ପାଇଁ ଅହିଂସାର ମାର୍ଗ ବାଛିନେଇଥିଲେ। ନିଜ ଗାଁରେ ସମସ୍ତଙ୍କ ଘରେ ଶୌଚାଳୟ ନିମାର୍ଣ ପାଇଁ ଆମରଣ ଅନଶନରେ ବସିଲେ। ଝିଅ ଲାବଣ୍ୟର ଏପ୍ରକାର ଦୃଢ ସଂକଳ୍ପ ଓ ମାନସିକତା ଆଗରେ ହାଲୋନାହାଲି ଗାଁ ନତମସ୍ତକ ହୋଇଥିଲା। ଗାଁର ୮୦ରୁ ଅଧିକ ପରିବାର ନିଜ ନିଜ ଘରେ ଶୌଚାଳୟ ନିର୍ମାଣ ପାଇଁ ବାଧ୍ୟ ହୋଇଥିଲେ। ଗ୍ରାମ୍ୟ ଭାରତର ରୂପାନ୍ତରଣ କ୍ଷେତ୍ରରେ ଇଏ ହେଉଛି ସ୍ୱଚ୍ଛ ଭାରତ ଅଭିଯାନର ଅଳ୍ପ କେତେକ ନମୁନା ମାତ୍ର।   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଅକ୍ଟୋବର ୨୦୧୪ରେ ଏହି ଯୁଗାନ୍ତକାରୀ ସ୍ୱଚ୍ଛ ଭାରତ ମିଶନର ଶୁଭାରମ୍ଭ କରିଥିଲେ। ସମଗ୍ର ଭାରତକୁ ଏକ ସ୍ୱଚ୍ଛ ରାଷ୍ଟ୍ରରେ ପରିଣତ କରିବା ଥିଲା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ। ଏହାର ଅର୍ଥ ନୁହେଁ ଯେ ପୂର୍ବରୁ ଏହିଭଳି କାର୍ଯ୍ୟକ୍ରମ କେବେ ହୋଇନଥିଲା। ସ୍ୱଚ୍ଛ ଭାରତ ମିଶନ ପୂର୍ବରୁ ସଂପୂର୍ଣ୍ଣ ପରିମଳ ମିଶନ ଏବଂ ନିର୍ମଳ ଭାରତ ଅଭିଯାନ ନାମରେ କିଛି ପ୍ରୟାସ କରାଯାଇଥିଲା। ତେବେ ପୂର୍ବର ଏବଂ ବର୍ତ୍ତମାନର ପ୍ରୟାସ ମଧ୍ୟରେ ଗୋଟିଏ ମାତ୍ର ପ୍ରଭେଦ ହେଉଛି - ସଫଳ କାର୍ଯ୍ୟାନ୍ୱୟନ ଏବଂ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଦୃଢ ଇଚ୍ଛା ଶକ୍ତି। ଏବେ କେନ୍ଦ୍ର ସରକାର ଶ୍ଭୋଚାଳୟ ନିର୍ମାଣ ଉପରେ ଯେତିକ ଗୁରୁତ୍ୱ ଦେଉଛନ୍ତି ତାହା ଅପେକ୍ଷା ଅଧିକ ଅଥବା ସମାନୁପାତିକ ଭାବେ ସାଧାରଣ ଲୋକଙ୍କର ସ୍ୱଚ୍ଛତା ପ୍ରତି ମନୋଭାବରେ ପରିବର୍ତ୍ତନ ଆଣିବା ଉପରେ ଗୁରୁତ୍ୱ ଦିଆଯାଉଛି। ଶୌଚାଳୟ ନିର୍ମାଣ କରିବା କିଛି ବଡ କଥା ନୁହେଁ କିନ୍ତୁ ସବୁଠାରୁ ବଡ ଚାଲେଞ୍ଜ ହେଲା ଏହାକୁ ସବୁବେଳେ ବ୍ୟବହାର କରିବା ଏବଂ ପରିସ୍କାର ପରିଚ୍ଛନ୍ନ ରଖିବା।   ଏଠାରେ ମହାତ୍ମା ଗାନ୍ଧୀଙ୍କ କିଛି କଥା ମୁଁ ସାଧାରଣ ଲୋକଙ୍କୁ ମନେପକାଇଦେବା ପାଇଁ ଉଚିତ ମନେକରୁଛି। ଠିକ‌୍‍ ୧୦୦ ବର୍ଷ ତଳେ ଗାନ୍ଧୀଜୀ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଉଦବୋଧନ ଦେବାପାଇଁ ଯାଇଥିଲେ। ସେଠାରେ ସେ ଆମ ଦେଶର ନିମ୍ନ ମାନର ପରିମଳ ବ୍ୟବସ୍ଥା ଦେଖି ଅତ୍ୟନ୍ତ ଉଦବିଗ୍ନ ହୋଇପଡିଥିଲେ। ବିଶେଷକରି ସେ ଯେତେବେଳେ ପ୍ରସିଦ୍ଧ କାଶୀ ବିଶ୍ୱନାଥ ମନ୍ଦିରକୁ ଚାଲି ଚାଲି ଯାଉଥିଲେ, ସେହି ରାସ୍ତାର ଦୁଇ ପାର୍ଶ୍ୱର ଅପରିସ୍କାର ଅବସ୍ଥା ଦେଖି ବିସ୍ମିତ ହୋଇପଡିଥିଲେ। ସେତେବେଳେ ସେ କହିଥିଲେ ଆମର ରାଜନୈତିକ ସ୍ୱାଧୀନତାର ଗୁରୁତ୍ୱ ଯେତିକି ପରିମଳ ସୁରକ୍ଷାର ମହତ୍ୱ ତା’ଠାରୁ କୌଣସି ଗୁଣରେ କମ‌୍‍ ନୁହେଁ। ଠିକ‌୍‍ ୬୯ ବର୍ଷ ତଳେ ଭାରତ ପରାଧୀନତାର ଶୃଙ୍ଖଳରୁ ମୁକ୍ତି ପାଇଥିଲା କିନ୍ତୁ ଦୁଃଖର ବିଷୟ ଯେ ଆମେ ଅଳିଆ, ଆବର୍ଜନା, ଅପରିସ୍କାର ଓ ଅପରିଚ୍ଛନ୍ନତାର ଅଭିଶାପରୁ ମୁକ୍ତି ପାଇପାରିନାହୁଁ। ଏହା ଆମ ସମାଜ ପାଇଁ ଏକ ବଡ ମୁଣ୍ଡବ୍ୟଥା। ଏ ପ୍ରକାର ସାମାଜିକ ସମସ୍ୟାର ଗୁରୁତ୍ୱର ଉପଲବ୍ଧି କରି ପ୍ରଧାନମନ୍ତ୍ରୀ ମୋଦି ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି, ଯାହାର କି ମୂଳ ଉଦ୍ଦେଶ୍ୟ ହେଉଛି ୨୦୧୯ ସୁଦ୍ଧା ଭାରତକୁ ସମସ୍ତ ପ୍ରକାର ଅପରିସ୍କାର ଓ ଅସ୍ୱଚ୍ଛ ପରିବେଶରୁ ମୁକ୍ତି ଦେବା।   ଯୁଗ ଯୁଗ ଧରି ଭାରତୀୟ ସଂସ୍କୃତି ଓ ସଭ୍ୟତାର ମୂଳମନ୍ତ୍ର ହୋଇ ରହିଛି ‘‘ଆତ୍ମଶୁଦ୍ଧି’’। ମଣିଷର ଏହି ଆତ୍ମଶୁଦ୍ଧି ଲାଗି ଅନେକ ପ୍ରକାର ପାରିପାର୍ଶ୍ବିକ ଓ ମାନସିକ ଅବସ୍ଥାର ଅନୁକୂଳ ବାତାବରଣ ଆବଶ୍ୟକ ହୋଇଥାଏ। ପରିବେଶ ଓ ପୃଥିବୀ ମା’ ସହିତ କିପରି ତାଳଦେଇ ଚାଲିବାକୁ ପଡିବ ତାହା ଆମ ନଜରର ସବାର୍ଗ୍ରେ ରଖିବାକୁ ପଡିଥାଏ। ପରିବେଶକୁ ଅପରିସ୍କାର ଓ ଅସ୍ୱଚ୍ଛ ରଖିବାର ଅର୍ଥ ପୃଥିବୀ ମା’ର ଶରୀରକୁ ଅନିର୍ମଳ କରି ରଖିବା। ଏହା ମା’ ପ୍ରତି ଅସମ୍ମାନ। କୁଢ କୁଢ ଅଳିଆ, ଯେଉଁଆଡେ ନଜର ପକାଇବ ଆବର୍ଜନା ଆଉ ମଇଳା।  ପାଣି ବି ଚାରିଆଡେ ପ୍ରଦୂଷିତ। କେନାଲ ପ୍ରଦୂଷିତ। ନଦୀ ଜଳ ମଧ୍ୟ ଦୂଷିତ। ସହର, ବଜାର, ଗାଁ ଗଣ୍ଡାରେ ନାଳ ନର୍ଦ୍ଦମା ଭରି ରହିଛି। ଜଳ ଓ ବାୟୁ ପ୍ରଦୂଷଣ ବଢିଚାଲିଛି। ଗଛ କଟାଯାଉଛି। ଜଙ୍ଗଲ ବି ସଫା ହେଉଛି, ଯାହାକି ଏକ ପ୍ରତିକୂଳ ପରିବେଶ ସୃଷ୍ଟି କରୁଛି। ଏହିଭଳି  ବାତାବରଣ, ସୁସ୍ଥ ଜୀବନଧାରଣ ଏବଂ ଆତ୍ମଶୁଦ୍ଧି ଭଳି ମାନବୀୟ ମନ୍ତ୍ରର ପରିପନ୍ଥୀ।   ସ୍ୱଚ୍ଛ ଭାରତ ମିଶନର ଅର୍ଥ ହେଲା ମଣିଷର ଆତ୍ମା ଏବଂ ପ୍ରକୃତି ସହିତ ତାଳମେଳ ରଖି ଜୀବନଧାରଣ କରିବା। ଏହାର ଅନେକ ମାନସିକ, ସାମାଜିକ ଓ ଆର୍ଥିକ ଦିଗ ମଧ୍ୟ ରହିଛି। ସେହିପରି ସ୍ୱଚ୍ଛ ଭାରତ ମିଶନ ସମାବେଶୀ ସମାଜର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି। ଏବେ ଆମ ସମାଜ ଓ ସରକାରଙ୍କ ପାଇଁ ସ୍ୱଚ୍ଛ ଭାରତ ଗଢିବା ଏକ ଚାଲେଞ୍ଜ ରୂପେ ଛିଡା ହୋଇଛି। ସ୍ୱଚ୍ଛ ଭାରତକୁ କେବଳ ସ୍ଲୋଗାନ ମଧ୍ୟରେ ସୀମିତ ରଖାଯାଇନାହିଁ। ଏହି ସାମାଜିକ ଆହ୍ୱାନର ମୁକାବିଲା କରିବା ପାଇଁ ବର୍ତମାନ ସରକାରଙ୍କର ଦୃଢ ଇଚ୍ଛାଶକ୍ତି ରହିଛି। ସାରା ଦେଶରେ ଖୋଲା ମଳମୁକ୍ତ ପରିବେଶ ସୃଷ୍ଟି କରିବା ଏବଂ କଠିନ ଓ ତରଳ ବଜ୍ର୍ୟର ସଠିକ‌୍‍ ପରିଚାଳନା କରିବା ହେଉଛି ବର୍ତମାନ ପ୍ରଶାସନର ଦୁଇଟି ପ୍ରମୁଖ ଲକ୍ଷ୍ୟ। ସ୍ୱଚ୍ଛ ଭାରତର ସ୍ୱପ୍ନ ସାକାର କରିବାକୁ ହେଲେ ଏହି ଦୁଇଟିଯାକ ଲକ୍ଷ୍ୟକୁ ହାସଲ କରିବାକୁ ପଡିବ। ଗାଁ, ଗଣ୍ଡା, ସହର, ବଜାର ଓ ଗଳି କନ୍ଦିରେ କେହି ଯେପରି ବାହାରେ ମଳତ୍ୟାଗ ନ କରିବେ, ପରିବେଶକୁ ଆବର୍ଜନାମୟ ନ କରିବେ ଏବଂ ଅପରିସ୍କାର ନ କରିବେ ତାହା ଉପରେ ଅଗ୍ରପ୍ରାଧାନ୍ୟ ଦେଇ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ପଦକ୍ଷେପ ଗ୍ରହଣ କରାଯାଉଛି। ଆଉ ଗୋଟିଏ ବିଷୟ ଦେଖାଯାଇଛି ଯେ କଠିନ ଓ ତରଳ ବର୍ଜ୍ୟ ପରିଚାଳନା ସହରାଂଚଳରେ ଏକ ପ୍ରମୁଖ ସମସ୍ୟା ରୂପେ ମୁଣ୍ଡ ଟେକିଛି ଯାହାକି ଗ୍ରାମାଂଚଳରେ ସେତେଟା ନଜରକୁ ଆସେନାହିଁ। ଏଭଳି ପରିବେଶ ସାଧାରଣ ମଣିଷର ସ୍ୱାସ୍ଥ୍ୟ ଉପରେ ଗୁରୁତର କୁପ୍ରଭାବ ପକାଇଥାଏ। ଏଣେତେଣେ ଅଳିଆ ଆବର୍ଜନା ଏବଂ ଖୋଲାରେ ମଳତ୍ୟାଗ କରିବା ଦ୍ୱାରା ଗରିବ ଲୋକର ଅବସ୍ଥା ଉପରେ ବେଶୀ ପ୍ରଭାବ ପଡିଥାଏ। ଅପରିସ୍କାର ପରିବେଶ, ପରିମଳର ଅଭାବ, ପ୍ରଦୂଷିତ ପାରିପାର୍ଶ୍ୱିକ ଅବସ୍ଥା ଏବଂ ଦୂଷିତ ଜଳ ଓ ଜମି ତଥା ପ୍ରଦୂଷିତ ବାୟୁ ଗରିବର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେଇଥାଏ। ଏଭଳି ପରିବେଶରେ ଗରିବ ଲୋକଟିର ସ୍ୱାସ୍ଥ୍ୟ ଭାଙ୍ଗି ପଡେ। ପ୍ରତିକୂଳ ପରିବେଶରେ ତାର ସ୍ୱାସ୍ଥ୍ୟହାନୀ ଘଟି ରୋଗ ବ୍ୟାଧି ହୁଏ। ବ୍ୟାଧି ଓ ବିଭିନ୍ନ ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ତଥା ସ୍ୱାସ୍ଥ୍ୟର ଯତ୍ନ ଗରିବ ଲୋକ ପାଇଁ ଆର୍ଥିକ ବୋଝ ହୋଇପଡେ। ତେଣୁ ଏହି ପ୍ରେକ୍ଷାପଟରେ ଗ୍ରାମାଂଚଳ ଓ ସହରାଂଚଳକୁ ଖୋଲା ମଳମୁକ୍ତ କରିବା ହେଉଛି ସମୟର ଆହ୍ୱାନ।   ଏବେ ଆମ ସମସ୍ତଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବାକୁ ପଡିବ। ଉନ୍ନତ ପରିବେଶ ସୃଷ୍ଟି କରିବା ପାଇଁ ହେଲେ ଆମକୁ ନିୟମିତ ଭାବେ ଶୌଚାଳୟର ବ୍ୟବହାରର ଅଭ୍ୟାସକୁ ଆପଣେଇବାକୁ ପଡିବ। ଏଣେ ତେଣେ ଆବର୍ଜନା ଫିଙ୍ଗିବା ବନ୍ଦ କରିବାକୁ ପଡିବ। କଠିନ ବର୍ଜ୍ୟକୁ ଅଲଗା କରି ରଖିବାକୁ ପଡିବ। ଖାଇବା ପୂର୍ବରୁ ହାତଗୋଡ ଧୋଇବା, ନିଜ ଘର ଓ କାର୍ଯ୍ୟ ପରିସରକୁ ସଫା ସୁତୁରା ରଖିବା, ସର୍ବ ସାଧାରଣ ସ୍ଥାନକୁ ପରିସ୍କାର ପରିଚ୍ଛନ୍ନ ରଖିବା, ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ଓ ପରିମଳ ବ୍ୟବସ୍ଥାକୁ ସମସ୍ତେ ମିଳିମିଶି ନିର୍ମଳ ରଖିବା ଏବଂ ସେସବୁର ନିୟମିତ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା, ସର୍ବ ସାଧାରଣ ବୁଲୁଥିବା ପାର୍କଗୁଡିକୁ ପରିସ୍କାର ପରିଚ୍ଛନ୍ନ ରଖିବା- ଏବେ ସବୁ ନାଗରିକଙ୍କ ମିଳିତ ଦାୟିତ୍ୱ ହୋଇଛି। ଏହିସବୁ ପରିମଳ କାର୍ଯ୍ୟ ସଂପର୍କରେ ସର୍ବସାଧାରଣଙ୍କୁ ସମ୍ୱେଦନ ଓ ସଚେତନ କରାଇବା ହେଉଛି ସ୍ୱଚ୍ଛ ଭାରତ ଲକ୍ଷ୍ୟ ହାସଲର ପ୍ରକୃତ ମାର୍ଗ।   ଖୋଲାରେ ମଳତ୍ୟାଗ ଓ ଶୌଚ କରିବା ଆତ୍ମ ମର୍ଯ୍ୟାଦାର ପରିପନ୍ଥୀ। ଏହା ଅସମତୁଲ ବିକାଶର ମଧ୍ୟ ଏକ ନମୁନା। ଆମେ ଅନେକ ଦଶନ୍ଧି ଧରି ଏହି ଖରାପ ଅଭ୍ୟାସକୁ ବାଧ୍ୟବାଧକତାରେ ପରିଣତ କରିସାରିଛେ। କିନ୍ତୁ, ସୁଯୋଗ ମିଳିଲେ କେହି କେବେହେଲେ ବାହାରେ ମଳତ୍ୟାଗ ଓ ଶୌଚ କରିବାକୁ ପସନ୍ଦ କରିବେ ନାହିଁ। ଏହାର ମଧ୍ୟ କୌଣସି ଯୁକ୍ତିଯୁକ୍ତତା ନାହିଁ। ବିଶେଷକରି ସହରାଂଚଳରେ ଖୋଲାରେ ମଳତ୍ୟାଗ ଓ ଶୌଚ କରିବା ଏକ ମର୍ଯ୍ୟାଦାହୀନ ଓ ଅଶୋଭନୀୟ କାର୍ଯ୍ୟ।   ଆପଣମାନଙ୍କୁ ଏଠାରେ ସୂଚନା ଦେବାପାଇଁ ଚାହେଁ ଯେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେବାର ଦୁଇ ବର୍ଷ ମଧ୍ୟରେ ଦେଶର ୮୫,୦୦୦ ଗ୍ରାମ ଏବଂ ୧୪୧ଟି ସହର ଖୋଲା ମଳମୁକ୍ତ ଅଂଚଳ ଘୋଷିତ ହୋଇଛି। ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଗ୍ରାମାଂଚଳରେ ୨ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି। ସହରାଂଚଳରେ ମଧ୍ୟ ୨୫ ଲକ୍ଷରୁ ଅଧିକ ଶୌଚାଳୟ ତିଆରି କରାଯାଇଛି। ମିଶନ ଯେତେବେଳେ ଆରମ୍ଭ ହେଲା ଲାଗୁଥିଲା ସ୍ୱଚ୍ଛ ଭାରତ କଚ୍ଛପ ଗତିରେ ଚାଲିଛି। କିନ୍ତୁ ଜନସାଧାରଣଙ୍କ ମାନସିକତା ଓ ଜୀବନଶୈଳୀରେ ଯଥେଷ୍ଟ ପରିବର୍ତ୍ତନ ଘଟିଛି ଏବଂ ସ୍ୱଚ୍ଛ ପରିବେଶର ସ୍ୱପ୍ନ ହାସଲ ଆଡକୁ ଦୃତ ଅଗ୍ରସର ହେଉଛି। ଯାହାକିଛି ସ୍ୱଚ୍ଛ ଭାରତର ସଂପତ୍ତି ତାକୁ ଆମେ ନିର୍ମଳ ଢଙ୍ଗରେ ରକ୍ଷଣାବେକ୍ଷଣ କରିବାକୁ ପଡିବ। ଯାହାକି ସର୍ବସାଧାରଣ ସ୍ୱାସ୍ଥ୍ୟ ଉପରେ ଅନୁକୂଳ ପ୍ରଭାବ ପକାଇବ। ୨୦୧୯ ସୁଦ୍ଧା ସ୍ୱଚ୍ଛ ଭାରତ ଗଠନ ପୂରା ବିଶ୍ୱ ଉପରେ ଏକ ସକାରାତ୍ମକ ପ୍ରଭାବ ବିସ୍ତାର କରିବ। ଭାରତ ସ୍ୱଚ୍ଛ ରହିଲେ ଅନ୍ୟମାନେ ଆମପ୍ରତି ଆକୃଷ୍ଟ ହେବେ। ଅଧିକ ପର୍ଯ୍ୟଟକ ଭାରତକୁ ଆସିବେ। ଅଧିକ ପୁଂଜି ବିନିଯୋଗ ହେବ। ଗରିବର ସ୍ୱାସ୍ଥ୍ୟ ରକ୍ଷା ହେବ। ଗରିବର ସ୍ୱାସ୍ଥ୍ୟ ରକ୍ଷା ଅର୍ଥ ତାର ଆର୍ଥିକ ସଶକ୍ତିକରଣ। ଏହା ସମାବେଶୀ ବିକାଶକୁ ସୂଚାଇ ଥାଏ।   ଆଉ କିଛିଦିନ ମଧ୍ୟରେ ସ୍ୱଚ୍ଛ ଭାରତ ମିଶନର ଦ୍ୱିତୀୟ ବାର୍ଷିକୀ ଅନୁଷ୍ଠିତ ହେବ। ସେଥିଲାଗି ସର୍ବଭାରତୀୟ ସଚେତନତା ଅଭିଯାନ ଓ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ଯାହାକି ପରିମଳ ତଥା ନିର୍ମଳ ପରିବେଶର ଭାବନାକୁ ଉଜାଗର କରିବ ଏବଂ ଏକ ସ୍ୱଚ୍ଛ ଭାରତ ଗଠନ ଦିଗରେ ଆମର ସଂକଳ୍ପକୁ ଦୋହରାଇବ।   ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହେବାର ପ୍ରଥମ ଦିନରୁ ହିଁ ପ୍ରଧାନମନ୍ତ୍ରୀ ମୋତେ ଏକ କଥା ସ୍ପଷ୍ଟ କରିଦେଇଥିଲେ ଯେ ଏହି ମିଶନକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ପଡିବ। ଏହା ସରକାରୀ କାର୍ଯ୍ୟକ୍ରମ ନୁହେଁ କି ସରକାରୀ ସମାରୋହ ମଧ୍ୟରେ ସୀମାବଦ୍ଧ ରହିନାହିଁ। ଦେଶର ସବୁ ନାଗରିକ, ଗାଁ ଗହଳରେ ଆମର ଭାଇ ଭଉଣୀ, ବାପା, ମା’ ଏବଂ ସର୍ବୋପରି ଆବାଳ ବୃଦ୍ଧ ବନୀତାଙ୍କୁ ଏହି କାର୍ଯ୍ୟକ୍ରମରେ ଅଙ୍ଗାଙ୍ଗୀ ଭାବେ ଜଡିତ କରାଇବା ଲାଗି ଆମେ ନିଷ୍ଠାପର ଉଦ୍ୟମ ଚଳାଇଛୁ। ସ୍ୱଚ୍ଛ ଭାରତ ଅଭିଯାନର ଏହି ମହାନ କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଭିନ୍ନ ସ୍ତରର ନିର୍ବାଚିତ ଜନପ୍ରତିନିଧି, ଔଦ୍ୟୋଗିକ ସଂସ୍ଥା, ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏବଂ ବିଭିନ୍ନ ବର୍ଗର ଜନମତ ସୃଷ୍ଟିକାରୀ ନେତୃ ସ୍ଥାନୀୟ ବ୍ୟକ୍ତି, ସାମାଜିକ କର୍ମୀ ସଂଶ୍ଳିଷ୍ଟ ହୋଇଛନ୍ତି। ସେଥିଯୋଗୁଁ ଏହି କାଯ୍ର୍ୟକ୍ରମ ଜନ ଆନ୍ଦୋଳନର ରୂପ ନେଉଛି। ଭାରତୀୟ ସଭ୍ୟତାର ମୂଳମନ୍ତ୍ର ‘ଆତ୍ମଶୁଦ୍ଧି’କୁ ଦୃଷ୍ଟିରେ ରଖି ଏବେ ଯେଉଁ ଦେଶବ୍ୟାପୀ ପରିମଳ କାର୍ଯ୍ୟକ୍ରମ ଚାଲିଛି ଏବଂ ଏହା ଯେଭଳି ଭାବେ ବିରାଟ ଆକାର ଧାରଣ କଲାଣି ଏବଂ ଲୋକପ୍ରିୟ ହେଲାଣି ସେଥିରୁ ବୁଝି ହେଉଛି ଯେ ସ୍ୱଚ୍ଛ ଭାରତର ସ୍ୱପ୍ନ ଦୂର ନୁହେଁ। ଏହା ହାସଲକ୍ଷମ। ଜନ ଆନ୍ଦୋଳନ ଜରିଆରେ ଏକ ସ୍ୱଚ୍ଛ ଓ ନିର୍ମଳ ଭାରତ ସୃଷ୍ଟି କରିବାକୁ ଦେଶବାସୀ ଅଙ୍ଗୀକାରବଦ୍ଧ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।   (ଲେକଖକ କେନ୍ଦ୍ର ସହରାଂଚଳ ବିକାଶ, ଗୃହ ନିର୍ମାଣ, ସହରାଂଚଳ ଦାରିଦ୍ର୍ୟ ଦୂରୀକରଣ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ)

Share :