ବିପଦରେ ମହେନ୍ଦ୍ରତନୟା, ନିଦରେ ଓଡ଼ିଶା

ବିପଦରେ ମହେନ୍ଦ୍ରତନୟା, ନିଦରେ ଓଡ଼ିଶା

Share :

ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ୧୯୬୨ରେ ହୋଇଥିବା ଏକ ଚୁକ୍ତିକୁ ଖିଲାପ କରି ଆନ୍ଧ୍ର ସରକାର ୨୦୦୮ ମସିହାରେ  ମହେନ୍ଦ୍ରତନୟା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ସ୍ଥାନୀୟ  ଜନଗଣଙ୍କ ପକ୍ଷରୁ ପ୍ରବଳ ଚାପ ପଡ଼ିବା ଫଳରେ  ଓଡ଼ିଶା ସରକାର  ଗଜପତି ଜିଲ୍ଳାର ଡମ୍ୱାପୁର ଓ ଚମ୍ପାପୁରଠାରେ ଦୁଇଟି ପ୍ରକଳ୍ପ ପାଇ ଶିଳାନ୍ୟାସ କରି ପ୍ରତି ଜବାବ ଦେଇଥିଲେ।  କିନ୍ତୁ ଏ ମଧ୍ୟରେ ୯ ବର୍ଷ ବିତି ଯାଇଥିଲେ ବି ପ୍ରକଳ୍ପ କାମ ଆରମ୍ଭ ହୋଇପାରି ନାହିଁ। କେବଳ ଡମ୍ୱାପୁର ପ୍ରକଳ୍ପର ୩୦ ପ୍ରତିଶତ କାମ ସରିଥିବା ବେଳେ ଚମ୍ପାପୁର ପ୍ରକଳ୍ପ ପ୍ରତିଶ୍ରୁତିରେ ଅଟକି ଯାଇଛି।   ମହାନଦୀ ଏବଂ ପୋଲାଭରମ ପ୍ରକଳ୍ପକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଓଡ଼ିଶା ସରକାର ଡମ୍ୱାପୁର ଓ ଚମ୍ପାପୁର ପ୍ରକଳ୍ପ କାମ ଦୁଇବର୍ଷ ମଧ୍ୟରେ  ଶେଷ କରିବାକୁ ପ୍ରତିଶ୍ରୁତି ଦେଇ ୯ ବର୍ଷ ପରେ ପ୍ରକଳ୍ପ କାମ ଆରମ୍ଭ କରି ନଥିବା ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆନ୍ଧ୍ର କରିଥିବା ପ୍ରକଳ୍ପ ଦ୍ୱାରା ଗଜପତି ଜିଲ୍ଳାର ୩୦ଟି ଗାଁ, ୮ ହଜାର ପରିବାର, ୧୧ ହଜାର ହେକ୍ଟର ଚାଷ ଜମି ସହ ପାରଳାଖେମୁଣ୍ଡି ସହର ଓ ଅଂଚଳବାସୀ ପ୍ରଭାବିତ। ଏହାକୁ ନେଇ ମହେନ୍ଦ୍ରତନୟା  ବଂଚାଓ ଆନ୍ଦୋଳନ ନାମକ ଏକ ଲୋକସଂଗଠନ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି।   ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ସଚିବ, ମୁଖ୍ୟ ଯନ୍ତ୍ରୀ, ଋଷିକୂଲ୍ୟା-ବଂଶଧାରା- ନାଗାବଳୀ ଡିଭିଜନ୍‌ର ମୁଖ୍ୟ ଯନ୍ତ୍ରୀ, ଦକ୍ଷିଣାଂଚଳ ରାଜସ୍ୱ କମିଶନର ଓ ଗଜପତି ଜିଲ୍ଳାପାଳଙ୍କୁ ପକ୍ଷଭୁକ୍ତ କରି ଦାୟର ହୋଇଥିବା ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୩ରେ ଏକ ସତ୍ୟପାଠ ଦାୟର କରାଯାଇଛି। ଉକ୍ତ ସତ୍ୟପାଠରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚିକିଟି ଡିଭିଜନ୍‌ର ନିର୍ବାହୀ ଯନ୍ତ୍ରୀ ଚମ୍ପାପୁର ପ୍ରକଳ୍ପ ସ୍ଥାନାନ୍ତରିତ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଦର୍ଶାଇଥିବା ବେଳେ  ସେହି ନିର୍ବାହୀ ଯନ୍ତ୍ରୀ ଓ ମୁଖ୍ୟଯନ୍ତ୍ରୀ ଚମ୍ପାପୁର ପ୍ରକଳ୍ପ  ସ୍ଥାନାନ୍ତରିତ ହେବାକୁ ନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଅଦାଲତକୁ ବିଭ୍ରାନ୍ତ କରାଉଥିବା ଜଣାଯାଏ।   ଆନ୍ଧ୍ର ସରକାର ଜଳ କମିଶନଙ୍କ ବିନା ଅନୁମତିରେ ପ୍ରକଳ୍ପ କାମ ତ୍ୱରାନ୍ୱିତ କରିଥିବା ବେଳେ ଓଡ଼ିଶା ସରକାର ମିଛ ପ୍ରତିଶ୍ରୁତି ଦେଇ ଶୋଇ ଯାଇଛନ୍ତି। ବିଗତ ୯ ବର୍ଷ ଧରି  ଆତଙ୍କିତ ଅଂଚଳବାସୀ ମହେନ୍ଦ୍ରତନୟା ଜଳକୁ ଅପେକ୍ଷା କରି ରହିଛନ୍ତି। ଯଦି  ରାଜ୍ୟ ସରକାର ଏଥିରେ ତୁରନ୍ତ ହସ୍ତକ୍ଷେପ ନ କରନ୍ତି, ତେବେ ରାଷ୍ଟ୍ରୀୟ ଓଡ଼ିଆ ଯୁବ ପ୍ରତିଷ୍ଠାନ ଅନ୍ତର୍ଗତ ମହେନ୍ଦ୍ରତନୟା ବଂଚାଓ ଆନ୍ଦୋଳନ ସଂଗଠନ ପକ୍ଷରୁ ନବୀନ ନିବାସ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି ଏହାର ଆବାହକ ଶ୍ରୀକାନ୍ତ ପାଢ଼ୀ।

Share :