ନୀତି ବଦଳିଲା, ସଂଯମ ତୁଟିଲା

ନୀତି ବଦଳିଲା, ସଂଯମ ତୁଟିଲା

Share :

ଭାରତୀୟ ସେନା କରି ଦେଖାଇଛନ୍ତି। ତାହା ପୁଣି ଷ୍ଟାଇଲ‍୍‌ରେ। ରାତି ଅଧିଆ ଆକ୍ରମଣ କରି ନିୟନ୍ତ୍ରଣ ରେଖା ସେପଟେ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀଙ୍କର ୭ ଆଡ୍ଡା ଧ୍ୱଂସ କରିଦେଇଛନ୍ତି। ଏହି ପ୍ରକ୍ରିୟାରେ ନିପାତ ହୋଇଛନ୍ତି ଭାରତକୁ ଅନୁପ୍ରବେଶ ପାଇଁ ଅପେକ୍ଷା କରିଥିବା ପ୍ରାୟ ୪୦ ଆତଙ୍କବାଦୀ। ସେନାର ଏହି ସାହସିକ ଅଭିଯାନକୁ ସମର୍ଥନ କରିଛନ୍ତି ଦେଶର ସମସ୍ତ ରାଜନୀତିକ ଦଳ। ଏହି ଘଟଣା ପରେ ପାକିସ୍ତାନ ପଟୁ ସମ୍ଭାବ୍ୟ ସମସ୍ତ ପ୍ରକାର ଆକ୍ରମଣକୁ ପ୍ରତିହତ କରିବା ପାଇଁ ସୀମାନ୍ତରେ ନିୟୋଜିତ ସମସ୍ତ ପ୍ରକାର ସେନାକୁ ପୂର୍ଣ୍ଣ ଜାଗତିଆର କରାଯାଇଛି।   ଯାହା କୁହାଯାଉଥିଲା ତାହା କରି ଦେଖେଇଦେଲେ ଭାରତୀୟ ସେନା। ସେପ୍ଟେମ୍ୱର ୨୮-୨୯ ମଧ୍ୟରାତିରେ ପାକିସ୍ତାନ ଅଧିକୃତ କାଶ୍ମୀର ଭିତରେ ପଶି ଆତଙ୍କବାଦୀଙ୍କ ଆଡ୍ଡା ଉପରେ ସର୍ଜିକାଲ ଆକ୍ରମଣ କରିଛନ୍ତି ଭାରତର ଦୁର୍ଦ୍ଧଷ ପାରା କମାଣ୍ଡୋ ବାହିନୀ। ପାକିସ୍ତାନ କିଛି ଜାଣିବା ପୂର୍ବରୁ ଏହାର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ନିୟନ୍ତ୍ରଣ ରେଖା ନିକଟରେ ଚାଲିଥିବା ୭ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ ହୋଇଯାଇଛି ଏବଂ ନିପାତ ହୋଇଛନ୍ତି ଭାରତକୁ ଅନୁପ୍ରବେଶ କରିବାକୁ ଅପେକ୍ଷା କରିଥିବା ପ୍ରାୟ ୪୦ ଆତଙ୍କବାଦୀ। ସେନାର ଏହି ଅପରେସନ ସଂପର୍କରେ ଗଣମାଧ୍ୟମକୁ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି ସାମରିକ ଅଭିଯାନର ମହାନିଦ୍ଦେର୍ଶକ ଲେଫଟନାଣ୍ଟ ଜେନେରାଲ ରଣବୀର ସିଂହ। କେମିତି ହେଲା ସର୍ଜିକାଲ ଷ୍ଟ୍ରାଇକ୍   ଲେଫଟ‍୍‌ନାଣ୍ଟ ଜେନେରୋଲ ରଣବୀର ସିଂହଙ୍କ ସୂଚନା ଅନୁସାରେ ସେପ୍ଟେମ୍ୱର ୨୮ ତାରିଖ ବୁଧବାର ରାତି ପ୍ରାୟ ୧୨.୩୦ ଘଣ୍ଟା ସମୟରେ ଆରମ୍ଭ ହୋଇଥିଲା ଅପରେସନ। ଉତ୍ତର ଭାରତର ଏକ ଅଜଣା ସ୍ଥାନରୁ ସେନା ହେଲିକପ୍ଟରରେ ଚଢ଼ିଥିଲେ ଭାରତର ବଛା ବଛା ପାରା କମାଣ୍ଡୋ। ହେଲିକପ୍ଟର ରାଡାର ସଂକେତ ଆଡେ଼ଇବା ପାଇଁ ଭୂପୃଷ୍ଠର ଖୁବ ନିକଟରେ ଉଡ଼ିଉଡ଼ି ନିୟନ୍ତ୍ରଣ ରେଖା ପାର କରି ପାକ୍ ଅଧିକୃତ କାଶ୍ମୀରର ୫୦୦ ମିଟରରୁ ୩ କିଲୋମିଟର ଭିତରକୁ ପଶିଥିଲେ। ସେଠାରେ ମୋଟ ୭ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ସେବୁ ଆଡ୍ଡା ନିକଟରେ ହେଲିକପ୍ଟରରୁ ଦଉଡ଼ି ଯୋଗେ ଓହ୍ଲୋଇଥିଲେ ପାରା କମାଣ୍ଡୋ।   କମାଣ୍ଡୋମାନଙ୍କୁ ନିଦ୍ଦେର୍ଶ ଥିଲା ଯେ ସେମାନେ ସେଠାରେ ଥିବା ସମସ୍ତ ଆତଙ୍କବାଦୀ ଏବଂ ଆଉ ଯିଏ ମଝିରେ ଆସିବେ ସମସ୍ତଙ୍କୁ ନିପାତ କରିବେ। ସେମାନେ ସେଇଆ କରିଥିଲେ। ନିୟନ୍ତ୍ରଣ ରେଖା ସେପଟେ ଥିବା ଭିମ୍ୱେର, ହଟସ୍ପ୍ରିଙ୍ଗ, କେଲ‍୍‌ ଓ ଲିପା ଆଦି ସ୍ଥାନରେ ଥିବା ୭ଟି ଆତଙ୍କବାଦୀ ଆଡ୍ଡା ଉପରେ ସେମାନେ ଅତିର୍କିତ ଆକ୍ରମଣ କରିଥିଲେ। ଆକ୍ରମଣ ଭୋର‍୍‌ ୪.୩୦ ଘଣ୍ଟା ଚାଲିଥିଲା। ଏଥିରେ ୩୫-୪୦ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ ଓ ଆଡ୍ଡାଗୁଡ଼ିକ ଧ୍ୱଂସ ପାଇଥିଲା। ଏକ ଟିଭି ଚାନେଲ ଅନୁସାରେ ଆତଙ୍କବାଦୀଭ୍କ ସହିତ ପାକିସ୍ତାନର ୯ ଜଣ ଯବାନ ମଧ୍ୟ ନିହତ ହୋଇଛନ୍ତି। ଏସବୁ ଆଡ୍ଡାରେ ଥିବା ଆତଙ୍କବାଦୀମାନେ ସୁଯୋଗ ଉଣ୍ଡି ଭାରତ ଭିତରକୁ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ଥିଲେ। ଏହି ସର୍ଜିକାଲ ବା ଧାର୍ଯ୍ୟ ଲକ୍ଷସ୍ଥଳ ଉପରେ ହୋଇଥିବା ଆକ୍ରମଣରେ କେବଳ ଜଣେ ଭାରତୀୟ କମାଣ୍ଡୋ ଆହତ ହୋଇଥିଲେ। ଅନ୍ୟ କାହାର କିଛି କ୍ଷତି ହୋଇନାହିଁ।   ପାକିସ୍ତାନର ଖଣ୍ଡନ   ଏ ବିଷୟରେ ପାକିସ୍ତାନ କିଛି ଜାଣିପାରି ନଥିଲା। ଭାରତର ଡିଜିଏମଓ ଲେଫଟ‍୍‌ନାଣ୍ଟ ଜେନେରାଲ ରଣବୀର ସିଂହ ସାମ୍ୱାଦିକ ସମ୍ମିଳନୀରେ ଏହା ଘୋଷଣା କରିବା ପରେ ପାକିସ୍ତାନ ପ୍ରତିକ୍ରିୟା ପ୍ରକାଶ କରି ଏହାକୁ ଖଣ୍ଡନ କରିଛି। ପାକ୍ ପ୍ରଧାନମନ୍ତ୍ରୀ ନବାଜ ଶରିଫ କହିଛନ୍ତି ଯେ ସର୍ଜିକାଲ ଅପରେସନ କଥା ଡାହା ମିଛ। ସୀମାନ୍ତରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଛି। ପାକିସ୍ତାନର ଶାନ୍ତି ଉଦ୍ୟମକୁ ଭାରତ ଦୁର୍ବଳତା ବୋଲି ଭାବିବା ଉଚିତ ନୁହେଁ। ସେହିପରି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ କହିଛନ୍ତି ଯେ ସୀମାନ୍ତରେ ଗୁଳି ବିନିମୟରେ ୨ ଜଣ ପାକ୍ ଯବାନ ନିହତ ଏବଂ ୯ ଜଣ ଆହତ ହୋଇଛନ୍ତି। ଭାରତୀୟ ସେନା ଅଧିକୃତ କାଶ୍ମୀର ଭିତରେ ପ୍ରବେଶ କରି ନାହାନ୍ତି। ଯଦି ସେମାନେ ଭବିଷ୍ୟତରେ ସେପରି କରନ୍ତି ତେବେ ତାହାର ଦୃଢ଼ ଜବାବ ଦିଆଯିବ ବୋଲି ସେ କହିଛନ୍ତି। ପାକ୍ ସେନା ମଧ୍ୟର ଭାରତର ଏହି ଦାବିକୁ ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି।   ସବୁ କଥା ଜଣାଗଲା   ଡିଜିଏମଓଙ୍କ ସୂଚନା ଅନୁସାରେ ଏହି ଅପରେସନ ସଂପର୍କରେ ପରମ୍ପରା ଅନୁଯାୟୀ ପାକିସ୍ତାନର ଡିଜିଏମଓଙ୍କୁ ଜଣାଇ ଦିଆଯାଇଛି। ଭାରତର ରାଷ୍ଟ୍ରପତି ତଥା କମାଣ୍ଡର ଇନ‍୍‌ ଚିଫ ପ୍ରଣବ ମୁଖାର୍ଜୀ, ଉପରାଷ୍ଟ୍ରପତି ହମିଦ ଅନସାରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଜାମ୍ମୁକାଶ୍ମୀର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଯାଇଥିଲା। ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏ ବିଷୟରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀର୍, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ସହିତ କଥା ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା, କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଓ ସିପିଏମ ନେତା ସୀତାରାମ ୟେଚୁରୀଙ୍କ ସହିତ ମଧ୍ୟ ରାଜନାଥ ଏ ନେଇ କଥା ହୋଇଥିଲେ। ସେହିପରି ଏକ ସର୍ବଦଳୀୟ ବୈଠକରେ ମଧ୍ୟ ଏ ବିଷୟରେ ବିଭିନ୍ନ ଦଳର ନେତାମାନଙ୍କୁ ଅବଗତ କରାଯାଇଥିଲା। ଏକ ବିରଳ ଘଟଣାକ୍ରମରେ ସବୁ ଦଳର ନେତା ସେନାର ଏହି ଅଭିଯାନକୁ ସମର୍ଥନ କରିବା ସହିତ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଭାରତର ସୁରକ୍ଷା ପାଇଁ ସରକାରଙ୍କର ଏହି କାର୍ଯ୍ୟକୁ ସବୁ ଦଳ ସମର୍ଥନ କରି ଏକତା ପ୍ରଦର୍ଶନ କରିଛନ୍ତି।   ଏହି ଘୋଷଣା ପରେ ବିଦେଶ ବ୍ୟାପାର ସଚିବ ଏସ. ଜୟଶଙ୍କର ମିଳିତ ଜାତିସଂଘର ୫ ସ୍ଥାୟୀ ସଦସ୍ୟ ରାଷ୍ଟ୍ରଙ୍କ ସ୍ଥାୟୀ ପ୍ରତିନିଧିଙ୍କ ସମେତ ପ୍ରାୟ ୩୦ଟି ଦେଶର ରାଷ୍ଟ୍ରଦୂତଙ୍କୁ ଭାରତର ଏହି ଅଭିଯାନ ସଂପର୍କରେ ଅବଗତ କରାଇଛନ୍ତି। ଉରିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ଏହା କରିଛି ଏବଂ ଦେଶର ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଏଭଳି ଅଭିଯାନ ପାଇଁ ଭାରତର ଅଧିକାର ରହିଛି ବୋଲି ଦାବି କରିଛନ୍ତି। ଭାରତର ଏହି ଯୁକ୍ତିକୁ ବାଂଲାଦେଶ ସମର୍ଥନ କରିଛି ଏବଂ କହିଛି ଯେ ଭାରତ ଯାହା କରିଛି ତାହାର ଅଧିକାର।   ମୁକାବିଲା ପାଇଁ ପୂର୍ଣ୍ଣ ପ୍ରସ୍ତୁତି   ଘଟଣା ବିଷୟରେ ଘୋଷଣା କରାଯିବା ପରେ ପ୍ରଧାନମନ୍ତ୍ରୀ ମୋଦି ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ କମିଟିରେ ପରିସ୍ଥିତିର ସମୀକ୍ଷା କରିବା ସହିତ ପାକିସ୍ତାନର ଯେକୌଣସି ପ୍ରକାର ପ୍ରତ୍ୟାକ୍ରମଣର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିଦ୍ଦେର୍ଶ ଦେଇଛନ୍ତି। ପଞ୍ଜାବ ଓ ଜାମ୍ମୁକାଶ୍ମୀରରେ ଥିବା ଅନ୍ତର୍ଜାତୀୟ ସୀମା ନିକଟରେ ରହିଥିବା ସମସ୍ତ ଗାଁର ଲୋକଙ୍କୁ ସୀମା ନିକଟରୁ ପ୍ରାୟ ୧୦ କିଲୋମିଟର ହଟାଇ ଅଣାଯାଇଛି। ସୀମାନ୍ତର ୭-୮ କିଲୋମିଟର ମଧ୍ୟରେ ଥିବା ସମସ୍ତ ସ୍କୁଲରେ ଅନ୍ୟାଦେଶ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ପାକିସ୍ତାନ ସହିତ ଥିବା ଉଭୟ ରାଜ୍ୟର ସୀମାରେ ସୀମା ସୁରକ୍ଷା ବାହିନୀକୁ ଜାଗତିଆର କରାଯାଇଛି। ରିଜର୍ଭରେ ଥିବା ବିଏସଏଫ ଯବାନମାନଙ୍କୁ ତୁରନ୍ତ ସୀମାରେ ପହଂଚିବାକୁ ନିଦ୍ଦେର୍ଶ ଦିଆଯାଇଛି। ସେହିପରି ରାଜସ୍ଥାନ ସୀମାନ୍ତରେ ମଧ୍ୟ ସେନା ବାହିନୀକୁ ସଜାଗ କରାଯାଇଛି।   ଟଙ୍କାମୂଲ୍ୟ ଓ ଶେୟାର ବଜାର ପ୍ରଭାବିତ   ଭାରତର ଏହି ସାମରିକ ଅଭିଯାନର ପ୍ରଭାବ ଭାରତୀୟ ଶେୟାର ବଜାର ଓ ଟଙ୍କାର ବିନିମୟ ମୂଲ୍ୟ ଉପରେ ପଡ଼ିଛି। ସେନ୍ସେକ୍ସ ୪୬୫ ପଏଣ୍ଟ ହ୍ରାସ ପାଇ ୨୭୮୨୭ ପଏଣ୍ଟରେ ପହଂଚିଛି। ନିଫ୍ଟି ମଧ୍ୟ ୧୫୩ ପଏଣ୍ଟ ଖସି ୮୫୯୧ ପଏଣ୍ଟରେ ପହଂଚିଛି। ସେହିପରି ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟ ହ୍ରାସ ପାଇଛି। ଏହା ଆଜି ୬୬.୮୬ ଟଙ୍କାକୁ ଖସି ଯାଇଛି। ଏହି ଅଭିଯାନ ଯୋଗୁଁ ପାକିସ୍ତାନର ଶେୟାର ବଜାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

Share :