ପ୍ରତାରଣାର ପ୍ରକଳ୍ପ ପୋଲାଭରମ

ପ୍ରତାରଣାର ପ୍ରକଳ୍ପ ପୋଲାଭରମ

Share :

ଭାଲଚନ୍ଦ୍ର ଷଡ଼ଙ୍ଗୀ   ମହାନଦୀ ପରେ ଏବେ ପୋଲାଭରମ‌୍‍ ପ୍ରକଳ୍ପକୁ ନେଇ ରାଜ୍ୟର ରାଜନୀତି ହଠାତ‌୍‍ ସରଗରମ ହୋଇଥିବା ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଦେଶର ପୋଲାଭରମଠାରେ ଗୋଦାବରୀ ନଦୀ ଉପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିର୍ମାଣାଧୀନ ଇନ୍ଦିରା ସାଗର ପ୍ରକଳ୍ପ ଫଳରେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ବିସ୍ତୃତ ଅଂଚଳ ଜଳମଗ୍ନ ହେବ ବୋଲି ଆଶଙ୍କା ଦେଖାଯାଇଛି। ତେବେ କର୍ପୋରେଟ୍‌ ସ୍ୱାର୍ଥରେ ନିର୍ମିତ ହେଉଥିବା ଏହି ପ୍ରକଳ୍ପ ଫଳରେ ଓଡ଼ିଶାର ଲାଭ ପରିବର୍ତ୍ତେ ଅଶେଷ କ୍ଷତି ହେବାକୁ ଯାଉଥିବାରୁ ସେନେଇ ଓଡ଼ିଶାବାସୀ ବିଶେଷ କରି ମାଲକାନାଗିରି ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରୀୟା ସୃଷ୍ଟି ହୋଇଥିବା ବେଳେ ଏନେଇ ରାଜ୍ୟ ଓ କେନ୍ଦ୍ର ସରକାର ତଥା ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନଙ୍କ ଭୂମିକା ଲୋକଙ୍କୁ ଏକ ରକମ ନିରାଶ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।   ଏହା ସତ ଯେ ରାଜ୍ୟରେ ସକ୍ରିୟ ଦୁଇଟି ପ୍ରମୁଖ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଉଭୟ ଅତିତରେ ଏବଂ ବର୍ତ୍ତମାନ କେନ୍ଦ୍ରରେ କ୍ଷମତାରେ ଥିବା ବେଳେ ପୋଲାଭରମ‌୍‍ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇ ତାର ନିର୍ମାଣ ପାଇଁ ବିପୁଳ ପରିମାଣର ଅର୍ଥ ବରାଦ କରିଛନ୍ତି। ଏହି କାରଣରୁ ଉପରୋକ୍ତ ଦୁଇ ଦଳର ରାଜ୍ୟ ନେତୃବୃନ୍ଦ ପୋଲାଭରମ‌୍‍ ପ୍ରକଳ୍ପକୁ ସିଧାସଳଖ ବିରୋଧ କରିବା ପରିବର୍ତ୍ତେ ନିଜକୁ ଏକ ରକମ ରକ୍ଷାତ୍ମକ ସ୍ଥିତିରେ ରଖିବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟପଟେ ନିଜକୁ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ଗଠିତ ବୋଲି ଦାବୀ କରୁଥିବା ବିଜେଡ଼ି ତଥା ତା’ର ସରକାରର ଭୂମିକାଟି ଏକ୍ଷେତ୍ରରେ ଅତ୍ୟନ୍ତ ସନ୍ଦେହଜନକ ମନେହେଉଛି। ଓଡ଼ିଶା ସରକାର ମହାନଦୀ ଭଳି ପୋଲାଭରମ କ୍ଷେତ୍ରରେ ବି ଠିକଣା ସମୟରେ ଉପଯୁକ୍ତ ପଦକ୍ଷେପ ନନେଇ ଅପରାଧିକ ଅବହେଳା ପ୍ରଦର୍ଶନ କରିଥିବା ସ୍ପଷ୍ଟ ଜଣାପଡ଼ିଛି। ଗତ ୨୦୦୫ ମସିହାରୁ ବିଭିନ୍ନ ପର୍ଯ୍ୟାୟରେ ପୋଲାଭରମ‌୍‍ର ନିର୍ମାଣ କାମ ଚାଲିଥିବା ବେଳେ ପ୍ରକଳ୍ପ ଫଳରେ ଓଡ଼ିଶାର କ’ଣ କ୍ଷୟକ୍ଷତି ହେବ ନା ତା’ର କୌଣସି ସର୍ଭେ କରାଯାଇନି କି ନିର୍ମାଣାଧୀନ ପ୍ରକଳ୍ପକୁ ବନ୍ଦ କରିବାକୁ କୌଣସି ପ୍ରଶାସନିକ ତଥା ଆଇନଗତ ପଦକ୍ଷେପ ନିଆଯାଇ ନାହିଁ। ଶାସକ ଦଳ ରାଜ୍ୟରେ ମହାନଦୀ ଓ ପୋଲାଭରମର କଥା ଉଠାଇ ନିଜର ଅପରାଧିକ ଅବହେଳାକୁ ଲୁଚେଇବାକୁ ଚେଷ୍ଟା କରିବା ସହିତ ନିଜକୁ ରାଜ୍ୟବାସୀଙ୍କ ସ୍ୱାର୍ଥର ଏକମାତ୍ର ରକ୍ଷାକାରୀ ଭାବେ ଉପସ୍ଥାପିତ କରିବାକୁ ଚାହୁଁଛି।   ପୋଲାଭରମ‌୍‍ ପ୍ରକଳ୍ପର ପରିକଳ୍ପନାଟି ସର୍ବ ପ୍ରଥମେ ୧୯୪୧ ମସିହାରେ ବ୍ରିଟିଶ ସରକାର ସମୟରେ କରାଯାଇଥିଲା। ସେତେବେଳେ ମାଦ୍ରାସ‌୍‍ ପ୍ରେସିଡେ଼ନ୍ସୀ ଅଧିନରେ ରହିଥିବା ଉପକୂଳ ଆନ୍ଧ୍ର ତଥା ରୟଲସୀମା ଅଞ୍ଚଳକୁ ଜଳସେଚିତ କରିବାର ଲକ୍ଷ୍ୟ ନେଇ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଦେଶରୁ ବ୍ରିଟିଶମାନଙ୍କ ପ୍ରସ୍ଥାନ ସହିତ ଏହି ପ୍ରକଳ୍ପର ଅଗ୍ରଗତିରେ ଭଟ୍ଟା ପଡ଼ିଥିଲେ ମଧ୍ୟ ଜଳସେଚନର ସ୍ୱାର୍ଥରେ ଅବିଭକ୍ତ ଆନ୍ଧ୍ର ପ୍ରଦେଶରେ ଏହି ପ୍ରକଳ୍ପ ପାଇଁ ଏକ ଜନମତ ରହିଆସିଥିଲା। ଏକ ଜଳସେଚନ ପ୍ରକଳ୍ପ ରୂପରେ ରାଜ୍ୟର ଏକ ବିସ୍ତୀର୍ଣ୍ଣ ଅଞ୍ଚଳରେ ଜଳସେଚନ କରିବାକୁ ଉଦ୍ଦିଷ୍ଟ ଥିବାରୁ ଦଳମତ ନିର୍ବିଶେଷରେ ପୋଲାଭରମ‌୍‍ ନଦୀବନ୍ଧକୁ ସମସ୍ତେ ସମର୍ଥନ କରିବା ସହିତ ତାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଦାବୀ କରୁଥିଲେ।   ଏହି କ୍ରମରେ ୧୯୮୦ ମସିହାରେ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଟି. ଆଣ୍ଢେୟା ଏହାକୁ ଇନ୍ଦିରା ସାଗର ଜଳଭଣ୍ଡାର ନାମରେ ନାମିତ କରି ତାର କାମ ଆରମ୍ଭ କରିବାକୁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ତା’ ପୂର୍ବରୁ ୧୯୭୮ ମସିହାରେ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଏହି ପ୍ରକଳ୍ପ ଫଳରେ ପ୍ରଭାବିତ ହେଉଥିବା ତିନୋଟି ରାଜ୍ୟ ଯଥା ତତ୍କାଳୀନ ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ଓଡ଼ିଶା ସରକାରଙ୍କୁ ନେଇ ହୋଇଥିବା ତ୍ରିପାକ୍ଷିକ ବୈଠକରେ ପୋଲାଭରମ‌୍‍ ପ୍ରକଳ୍ପ ନିର୍ମାଣ ପାଇଁ ସହମତି ହେବା ସହ ଓଡ଼ିଶା ତଥା ମଧ୍ୟ ପ୍ରଦେଶ(ବର୍ତ୍ତମାନ ଛତିଶଗଡ଼)ର କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକଙ୍କ ପାଇଁ ପ୍ରକଳ୍ପର ଅଟକଳରେ କ୍ଷତିପୂରଣର ବ୍ୟବସ୍ଥା ରଖିବାକୁ ସ୍ଥିର ହୋଇଥିଲା। କିନ୍ତୁ ଏହା ପରେ ବି ପ୍ରକଳ୍ପ ପାଇଁ ଆବଶ୍ୟକ ବିପୁଳ ଅର୍ଥ, ଆନ୍ତରିକତା ତଥା ଅନ୍ୟାନ୍ୟ କାରଣରୁ ଏହି ଉଦ୍ୟମ ଆଗକୁ ବଢ଼ି ପାରି ନଥିଲା। ପରେ ୨୦୦୪ ମସିହାରେ ୱାଇ.ଏସ‌୍‍. ରାଜଶେଖର ରେଡ୍ଡୀ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ସେ ନିଜର ବହୁ ପ୍ରଚାରିତ ଜଳଯଜ୍ଞ କାର୍ଯ୍ୟକ୍ରମର ଅଂଶ ଭାବେ ଦୀର୍ଘ ବର୍ଷ ଧରି ସ୍ଥଗିତ ରହିଥିବା ପୋଲାଭରମ‌୍‍ ପ୍ରକଳ୍ପ ଆରମ୍ଭ କରିଥିଲେ। ପ୍ରକଳ୍ପ ପାଇଁ ତୁରନ୍ତ ଅର୍ଥ ବରାଦ କରିବା ସହିତ ଜମି ଅଧିଗ୍ରହଣ ଆରମ୍ଭ କରି ବନ୍ଧର ତଳମୁଣ୍ଡରେ କେନାଲ ଖୋଳା କାର୍ଯ ମଧ୍ୟ ଆରମ୍ଭ କରିଥିଲେ। କିନ୍ତୁ ନିଜର ସୀମିତ ସମ୍ୱଳରେ ପ୍ରକଳ୍ପ କାମ ଆରମ୍ଭ କରିଥିଲେ ସୁଦ୍ଧା ପରବର୍ତ୍ତୀ ଅବସ୍ଥାରେ ପ୍ରକଳ୍ପ ପାଇଁ ଆବଶ୍ୟକ ବିପୁଳ ଅର୍ଥ ଯୋଗାଡ଼ କରିବାରେ ସେ ବିଫଳ ହେବାରୁ ସରକାର ପ୍ରକଳ୍ପ କାର୍ଯ୍ୟକୁ ଅଧାରେ ରଖିବାକୁ ବାଧ୍ୟ ହୋଇଥିଲେ।   ୨୦୧୩ ମସିହାରେ ସ୍ୱତନ୍ତ୍ର ରାଜ୍ୟ ଦାବୀରେ ତେଲେଙ୍ଗାନାର ଜନଗଣଙ୍କ ଦୀର୍ଘଦିନର ଲଢ଼େଇ ଫଳରେ କେନ୍ଦ୍ରର ଉପା ସରକାର ଆନ୍ଧ୍ର ପ୍ରଦେଶକୁ ଭାଙ୍ଗି ତେଲେଙ୍ଗାନା ରାଜ୍ୟ ଗଠନ ଘୋଷଣା କରିବା ସହ ପୋଲାଭରମ‌୍‍କୁ ଏକ ଜାତୀୟ ପ୍ରକଳ୍ପ ରୂପେ ମଧ୍ୟ ମାନ୍ୟତା ଦେଇଥିଲେ। ଏହା ଜରିଆରେ ସରକାର ବିଭାଜନ ଫଳରେ ଅସନ୍ତୁଷ୍ଟ ହୋଇ ପଡ଼ିଥିବା ଆନ୍ଧ୍ରର ଲୋକଙ୍କୁ ବିଶେଷ କରି ସେଠାକାର ଶିଳ୍ପପତି ଓ ଠିକାଦାର ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଥିଲେ। ପରେ ୨୦୧୪ର ସାଧାରଣ ନିର୍ବାଚନରେ କେନ୍ଦ୍ରରେ ଉପା ବଦଳରେ ବିଜେପି ନେତୃତ୍ୱରେ ଏନ‌୍‍ଡ଼ିଏର ସରକାର ଏବଂ ଆନ୍ଧ୍ର ପ୍ରଦେଶରେ କଂଗ୍ରେସ ବଦଳରେ ଟିଡ଼ିପିର ସରକାର ପ୍ରତିଷ୍ଠିତ ହୋଇଥିଲା। କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ବଦଳିଲେ ମଧ୍ୟ ପୋଲାଭରମ‌୍‍କୁ ନେଇ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେଲାନି। କ୍ଷମତାକୁ ଆସିବାର ମାତ୍ର କିଛି ଦିନ ମଧ୍ୟରେ ମୋଦି ଉପା-୨ ସରକାରର ନିଷ୍ପତ୍ତିକୁ ଦୋହରାଇବା ସହିତ ପ୍ରକଳ୍ପ ନିର୍ମାଣକୁ ସହଜ କରିବାକୁ ତେଲେଙ୍ଗାନା ସରକାର ତଥା ସେଠାକାର ଜନତାଙ୍କ ବିରୋଧ ସତ୍ତ୍ୱେ ଆନ୍ଧ୍ର ପ୍ରଦେଶ ରାଜ୍ୟ ପୁନର୍ଗଠନ ଆଇନରେ ସଂଶୋଧନ କରି ପ୍ରକଳ୍ପ ଫଳରେ ଜଳମଗ୍ନ ହେବାକୁ ଥିବା ଭେଲୁରୁପାଡ଼ୁ, କୁକନୁର, ବୁରଗମ‌୍‍ପାଡ଼ୁ, ଭିଆର‌୍‍ପୁରମ‌୍‍, ଚିନ୍ତୁର, ଭଦ୍ରାଚଳମ‌୍‍ ଆଦି ତେଲେଙ୍ଗାନାର ସାତଟି ମଣ୍ଡଳ(ବ୍ଳକ‌୍‍)କୁ ଆନ୍ଧ୍ର ପ୍ରଦେଶରେ ମିଶାଇ ଦେଇଥିଲେ। ଏହି ଅଧ୍ୟାଦେଶ ପଛରେ ଉଦ୍ଦେଶ୍ୟ ହେଲା ବୁଡ଼ି ଅଞ୍ଚଳକୁ ନେଇ ତେଲେଙ୍ଗାନା ସରକାରର ସମ୍ଭାବିତ ବିରୋଧ ତଥା ପ୍ରକଳ୍ପ କ୍ଷତିଗ୍ରସ୍ତ ଅନ୍ୟ ରାଜ୍ୟରେ ରହିଲେ ସେମାନଙ୍କ ବିରୋଧକୁ ଦମନ କରି ପ୍ରକଳ୍ପ କରିବାରେ ଉପୁଜିବାକୁ ଥିବା ସମସ୍ୟାକୁ ଦୂରେଇବା।   ପୋଲାଭରମ‌୍‍ ପ୍ରକଳ୍ପ ଫଳରେ ଆନ୍ଧ୍ର ପ୍ରଦେଶର ୨.୯୧ ଲକ୍ଷ ହେକ୍ଟର ଜମିକୁ ଜଳସେଚନ, ବିଶାଖାପାଟଣା ସହରକୁ ଜଳଯୋଗାଣ ତଥା ଆନ୍ଧ୍ର ଊପକୂଳରେ ସ୍ଥାପିତ ହୋଇଥିବା ବିଭିନ୍ନ କାରଖାନାକୁ ପାଣି ମିଳିବ ବୋଲି ସରକାରୀ ଭାବେ କୁହାଯାଇଛି। କିନ୍ତୁ ଖୋଦ‌୍‍ ଆନ୍ଧ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ପୋଲାଭରମ‌୍‍ର ପ୍ରସ୍ତାବିତ ଜଳସେଚିତ ଅଞ୍ଚଳର ୭୧ ପ୍ରତିଶତ ଜମି ୧୯୯୯ ଠାରୁ ହିଁ ଶ୍ରୀଶୈଲମ‌୍‍ ସାଗର, ପୁଷ୍କର ତଥା ଅନ୍ୟାନ୍ୟ ମେଗା ଉଠା ଜଳସେଚନ ଯୋଜନା ଜରିଆରେ ସଂପୂର୍ଣ୍ଣ ଜଳସେଚିତ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ ସ୍ପଷ୍ଟ ଅଟେ ବରଂ ଜଳସେଚନର ଆଳରେ ସରକାର ଉପକୂଳ ଆନ୍ଧ୍ରରେ ଗଢ଼ି ଉଠୁଥିବା କୋଷ୍ଟାଲ କରିଡ଼ରର ଶହ ଶହ ରାସାୟନିକ-ପେଟ୍ରୋ ରାସାୟନିକ ଶିଳ୍ପ ତଥା ପରମାଣୁ ଏବଂ ତାପଜ ବିଦ୍ୟୁତ‌୍‍ ପ୍ରକଳ୍ପକୁ ଗୋଦାବରୀର ଜଳକୁ ଦେବାକୁ ଚାହୁଛନ୍ତି।  ପୋଲାଭରମ‌୍‍ ନଦୀବନ୍ଧରୁ ଜଳଯୋଗାଣ ପାଇଁ ନିର୍ମିତ ହୋଇଥିବା ବିଶାଳକାୟ କେନାଲ ତଥା ଆନ୍ଧ୍ରର ଶିଳ୍ପପତି ଗୋଷ୍ଠୀଙ୍କ ଅତ୍ୟଧିକ ଉତ୍ସାହ ଏହି ଯୁକ୍ତିକୁ ଅଧିକ ବଳ ପ୍ରଦାନ କରୁଛି।   ନବେ ଦଶକରେ ପ୍ରସ୍ତୁତ ପ୍ରକଳ୍ପର ‘ପରିବେଶଗତ ପ୍ରଭାବ ରିପୋର୍ଟିଂରେ ପ୍ରକଳ୍ପ ଫଳରେ ମୋଟ ୨୭୬ଟି ଗାଁ ବୁଡ଼ିବା ଫଳରେ ସେଥିରେ ବସବାସ କରୁଥିବା ୧,୭୭,୨୭୫ ଜଣ ବିସ୍ଥାପିତ ହେବା କଥା କୁହାଯାଇଥିଲା। କିନ୍ତୁ ୨୦୦୧ର ଜନଗଣନା ଅନୁଯାୟୀ ଉପରୋକ୍ତ ୨୭୬ଟି ଗାଁରେ ମୋଟ ଜନସଂଖ୍ୟା ୨,୩୬,୮୩୪ ହୋଇଥିବା ବେଳେ ବର୍ତ୍ତମାନ ତାହା ଯେ ଢ଼େର ଅଧିକ ହେବ ଏଥିରେ ସନ୍ଦେହ ନାହିଁ। ଯଦି ଉପରୋକ୍ତ ସଂଖ୍ୟା ସହିତ ପ୍ରକଳ୍ପ ଫଳରେ ବୁଡ଼ିର ଶୀକାର ହେବାକୁ ଥିବା ଓଡ଼ିଶା ଓ ଛତିଶଗଡ଼ର ଲୋକଙ୍କୁ ତଥା କେନାଲ ନିର୍ମାଣ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ଯୋଡ଼ି ଦିଆଯାଏ ତାହେଲେ ପ୍ରଭାବିତଙ୍କ ମୋଟ ସଂଖ୍ୟା ଚାରି ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ବାସଚ୍ୟୁତ ହେବାକୁ ଥିବା ଲୋକଙ୍କ ମଧ୍ୟରୁ ୭୦ ଭାଗରୁ ଅଧିକ କୋଣ୍ଡାରେଡ଼ି, କୋଣ୍ଡାଦୋରା ଓ କୋୟା ପରି ଆଦିବାସୀ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଆଦିମ ଆଦିବାସୀ (ପି.ଟି.ଜି) ମଧ୍ୟ ରହିଛନ୍ତି। ଗତ ଅର୍ଦ୍ଧ ଶତାବ୍ଦୀର ଭାରତରେ କେବଳ ନର୍ମଦା ନଦୀ ବନ୍ଧ ପ୍ରକଳ୍ପକୁ ଛାଡ଼ିଦେଲେ ବୋଧହୁଏ ପୋଲାଭରମ‌୍‍ ସବୁଠାରୁ ବେଶୀ ଲୋକ ବିଶେଷ କରି ଆଦିବାସୀଙ୍କୁ ବିସ୍ଥାପିତ କରୁଥିବା ପ୍ରକଳ୍ପ ହେବାକୁ ଯାଉଛି। ଏହି ପ୍ରକଳ୍ପ ହେଲେ କେବଳ ଯେ ଲକ୍ଷ ଲକ୍ଷ ଲୋକ ବିସ୍ଥାପତି ହେବେ ତାହା ନୁହେଁ ବରଂ ପୁରୁଷ ପୁରୁଷ ଧରି ଜମି ତଥା ଜଙ୍ଗଲ ଉପରେ ଆଧାରିତ ସେମାନଙ୍କ ନିରନ୍ତର ଜୀବିକାରୁ ସେମାନେ ସବୁଦିନ ପାଇଁ ବଂଚିତ ହେବେ। ଅତଏବ ଏହା ବିକାଶର ପ୍ରତୀକ ନୁହେଁ ବରଂ ହାତଗଣତି ପୁଞ୍ଜିପତି ତଥା ଠିକାଦାରମାନଙ୍କ ଲାଭ ପାଇଁ ଲକ୍ଷ ଲକ୍ଷ ଆଦିବାସୀଙ୍କ ବିନାଶର ଯେ ବନ୍ଧ ହେବାକୁ ଯାଉଛି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।   ଆଶ୍ଚର୍ଯ୍ୟର କଥା ପୋଲାଭରମ‌୍‍ ପ୍ରସଙ୍ଗରେ ବିଜେପି, ବିଜେଡ଼ି, କଂଗ୍ରେସ, ଟିଡ଼ିପି, ଟିଆର‌୍‍ଏସ‌୍‍ ପରି ଦେଶର ଶାସକ ଶ୍ରେଣୀର ରାଜନୈତିକ ଦଳମାନଙ୍କ ମଧ୍ୟରେ ସମସ୍ତ ବାଦ ବିବାଦ ସତ୍ତ୍ୱେ ସେମାନଙ୍କ ନୀତିଗତ ଅବସ୍ଥାନଟି ଏକା ଅଟେ। ଉପରୋକ୍ତ ଦଳମାନଙ୍କ ମଧ୍ୟରୁ କେହି ବି ନୀତିଗତ ଭାବେ ପୋଲାଭରମ‌୍‍ ପରି ବଡ଼ ନଦୀବନ୍ଧ ନିର୍ମାଣର ବିରୋଧୀ ନୁହଁନ୍ତି କି ଆଦିବାସୀଙ୍କ ସ୍ୱାର୍ଥକୁ ବଳି ଦେଇ ବଡ଼ କମ୍ପାନୀଙ୍କୁ ପାଣି ଯୋଗାଇବାର ମଧ୍ୟ ବିରୋଧୀ ନୁହଁନ୍ତି। ଖୋଲାଖୋଲି ଭାବେ ପ୍ରକଳ୍ପକୁ ସମର୍ଥନ କରୁଥିବା ସପକ୍ଷବାଦୀଙ୍କ କଥା ଛାଡନ୍ତୁ଼ ପ୍ରକଳ୍ପକୁ ବିରୋଧର ନାଟକ କରୁଥିବା ବିଜେଡ଼ି, ଟିଆର‌୍‍ଏସ‌୍‍ ପରି ପାର୍ଟି, କାହାରି ବି ବକ୍ତବ୍ୟରେ ବିସ୍ଥାପିତ ହେବାକୁ ଥିବା ଉପରୋକ୍ତ ଚାରି ଲକ୍ଷରୁ ଉର୍ଦ୍ଧ ଲୋକଙ୍କ କଥା ଆସୁନି। ଏପରିକି ବିଧାନସଭାରେ କିମ୍ୱା ଗଣ ମାଧ୍ୟମରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ବେଳେ ପ୍ରକଳ୍ପ ଫଳରେ ଏତେ ବଡ଼ ସଂଖ୍ୟାରେ ଆଦିବାସୀ ଉଦ‌୍‍ବାସ୍ତୁ ହୋଇ ସେମାନଙ୍କର ସର୍ବସ୍ୱ ହରାଇବାକୁ ଯାଉଛନ୍ତି ସେକଥା ନେଇ ପଦୁଟିଏ ବି ଆଲୋଚନା ହେଉନି। ଏହି ପ୍ରକଳ୍ପ କରିବାକୁ ଦେଶର ପେସା ଆଇନ, ଜଙ୍ଗଲ ଅଧିକାର ଆଇନ-୨୦୦୬, ଅନୁସୂଚୀତ ଅଞ୍ଚଳ ଆଇନ ଏପରିକି ବର୍ତ୍ତମାନର ଜମି ଅଧିଗ୍ରହଣ ଆଇନ-୨୦୧୩ ପରି ସମସ୍ତ ସମ୍ୱିଧାନ ପ୍ରଦତ୍ତ ଆଇନ କାନୁନ‌୍‍କୁ ଉଲଂଘନ କରାଯାଉଛି ସେକଥା ମଧ୍ୟ କେହି ଉଠାଉ ନାହାନ୍ତି।   ପୋଲାଭରମ‌୍‍ ପ୍ରକଳ୍ପ ଫଳରେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ୨୫ଟି ଗ୍ରାମର ୬୮୧୮ ଲୋକ ବିସ୍ଥାପିତ ହେବା ସହ ୭୬୫୬ ହେକ୍ଟର ଚାଷ ଜମି ଓ ଜଙ୍ଗଲ ଜଳମଗ୍ନ ହେବ ବୋଲି କୁହାଯାଉଛି। କିନ୍ତୁ ଏହି ତଥ୍ୟ ବି ବହୁତ ପୁରୁଣା ଏବଂ ଅନୁମାନ ଉପରେ ଆଧାରିତ ଅଟେ। ସତକଥା ହେଲା ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେବେ ବି ସର୍ଭେ କରାଯାଇ ନାହିଁ। ଏଠାରେ ପ୍ରଶ୍ନ ଉଠେ ସରକାର ପ୍ରକଳ୍ପ ଫଳରେ ନିଜ ରାଜ୍ୟର କ’ଣ କ୍ଷୟକ୍ଷତି ହେବ ସେକଥା ସର୍ଭେ କରି ଜାଣି ନାହାନ୍ତି ତା’ହେଲେ କାହା ଭିତ୍ତିରେ ପ୍ରକଳ୍ପକୁ ବିରୋଧ କରିବେ? ଏଥିରୁ ରାଜ୍ୟ ସରକାରଙ୍କ ଛଳନା ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଅସଲ କଥା ହେଉଛି ବିକାଶ ନାଁରେ ଖଣି, କାରଖାନା ଓ ନଦୀବନ୍ଧ ପାଇଁ କର୍ପୋରେଟ‌୍‍ଙ୍କୁ ରାଜ୍ୟର ଜମି ଓ ଜଙ୍ଗଲ ଯୋଗାଇ ଚାଷୀ ବିଶେଷ କରି ଆଦିବାସୀଙ୍କୁ ଉଦ‌୍‍ବାସ୍ତୁ କରି ଆସିଥିବା ରାଜ୍ୟ ସରକାର ନୀତିଗତ ଭାବେ ପୋଲାଭରମ‌୍‍ ପ୍ରକଳ୍ପର ବିରୋଧ କରିବା ସମ୍ଭବ ନୁହେଁ।    ଅତଏବ ସେ ବିଜେଡ଼ି ହେଉ କିମ୍ୱା ଟି.ଆର‌୍‍.ଏସ‌୍‍ ହେଉ ସେମାନଙ୍କ ଏହି ତଥାକଥିତ ବିରୋଧର ନାଟକ ପଛରେ ରହିଛି ନିଜ ନିଜର ନିଚ୍ଛକ ରାଜନୈତିକ ସ୍ୱାର୍ଥ। ପୋଲାଭରମ‌୍‍ ପ୍ରକଳ୍ପକୁ ବିରୋଧର ନାଟକ କରି ନିଜକୁ ଆଦିବାସୀମାନଙ୍କ ହିତୈଶୀ ବୋଲି ପ୍ରଚାରିତ କରୁଥିବା ବିଜେଡ଼ି ଓ ଟିଆର‌୍‍ଏସ‌୍‍ ମଧ୍ୟ ଏହି ପ୍ରକଳ୍ପ ଫଳରେ ହେବାକୁ ଥିବା ବିସ୍ଥାପନକୁ ନେଇ ପ୍ରସଙ୍ଗ କରିବା ପରିବର୍ତ୍ତେ କେବଳ ଏକ ଆନ୍ତଃ ରାଜ୍ୟ ବିବାଦ ଭାବେ ତାକୁ ଉପସ୍ଥାପିତ କରି ତାର ଗୁରୁତ୍ବକୁ ଏକ ରକମ ହାଲକା କରିଦେବାକୁ ଚେଷ୍ଟା କରୁଛନ୍ତି। ଅତିତରେ ଲୋକସଭାରେ ପୋଲାଭରମ‌୍‍ ପ୍ରସଙ୍ଗରେ ଆଲୋଚନା ବେଳେ ଖୋଦ‌୍‍ ବିଜେଡ଼ି ସଂସଦୀୟ ଦଳର ନେତା ଭର୍ତ୍ତୃହରି ମହତାବ ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆମେ ପୋଲାଭରମ‌୍‍ ପ୍ରକଳ୍ପକୁ ବିରୋଧ କରୁନାହୁଁ, ବରଂ ଯେଉଁଭଳି ଭାବେ ଆମକୁ ନପଚାରି ଏହି ପ୍ରକଳ୍ପ କରାଯାଉଛି ତାର ବିରୋଧ କରୁଛୁ।   ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅତିତରେ ବାଜପେୟୀଙ୍କ ସରକାରରେ ବିଜେଡ଼ି ପକ୍ଷରୁ ଅର୍ଜୁନ ସେଠୀ ଜଳ ସମ୍ପଦ ମନ୍ତ୍ରୀ ଥିବା ବେଳେ ମଧ୍ୟ ଏହି ପ୍ରକଳ୍ପକୁ ବିରୋଧ କରିବା ତ ଦେଖାଯାଇନି ବରଂ ତାକୁ ସମସ୍ତ ପ୍ରକାର ସହଯୋଗ କରିବା ଦେଖିବାକୁ ମିଳିଛି। ପୋଲାଭରମ‌୍‍ ନେଇ ଏତେ ହୋହାଲ୍ଲା କରୁଥିବା ରାଜ୍ୟର ବିଜେଡ଼ି ସରକାର ମଧ୍ୟ ନିଜର ଗତ ଷୋହଳ ବର୍ଷର ଶାସନ କାଳରେ ନା ପ୍ରକଳ୍ପ ଫଳରେ ଓଡ଼ିଶାର କ’ଣ କ୍ଷତି ହେବ ତାର ସର୍ଭେ କରିଛନ୍ତି ନା ଉପଯୁକ୍ତ ମଂଚରେ ଆନ୍ତରିକତାର ସହିତ ତାକୁ ବିରୋଧ କରିଛନ୍ତି। ଗତ ଦଶ ବର୍ଷ ଧରି ଆନ୍ଧ୍ର ସରକାର ପୋଲାଭରମ ନଦୀବନ୍ଧର ନିର୍ମାଣ କାର୍ଯ୍ୟ ଅବ୍ୟାହତ ରଖିବା ସହିତ ବିସ୍ଥାପିତ ହେବାକୁ ଥିବା ଆନ୍ଧ୍ରର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ ତଥା ଥଇଥାନ କରିବା କାର୍ଯ୍ୟ ଚଳାଇ ରଖିଥିବା ବେଳେ ଓଡ଼ିଶା ସରକାର ଏହାକୁ ଅଟକାଇବାକୁ କୌଣସି ପ୍ରକାର ତ୍ବରାନ୍ବିତ ପ୍ରଶାସନିକ କିମ୍ୱା ଆଇନଗତ ପଦକ୍ଷେପ ନେବାକୁ ଚିନ୍ତା ହିଁ କରୁନାହାନ୍ତି। ଓଡ଼ିଶା ସରକାର ସୁପ୍ରିମ କୋର୍ଟରେ ନାମକୁ ମାତ୍ର ଏକ ମାମଲା ଦାଏର କରି ୯ ବର୍ଷ ହେଲା ବସି ରହିଛନ୍ତି। ସେ ମାମଲାର ଅଗ୍ରଗତି ନେଇ ନବୀନ ସରକାରଙ୍କ ପକ୍ଷରୁ କେବେ କୌଣସି ଉଦ୍ୟମ ହୋଇନାହିଁ। ରାଜ୍ୟ ସରକାରଙ୍କ ଏହି ଅପରାଧିକ ଅବହେଳା ସୀମାନ୍ତ ମାଲକାନଗରୀ ଜିଲ୍ଲାର ହଜାର ହଜାର ଲୋକଙ୍କୁ ଯେ ଅଚିରେ ଉଦ‌୍‍ବାସ୍ତୁ କରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଭବିଷ୍ୟତରେ ରାଜ୍ୟର ରାଜ୍ୟର ନବୀନ ସରକାର ଓ ତାଙ୍କର ଦଳ ପୋଲାଭରମ ନାଁରେ ବିରୋଧର ନାଟକ କରି ନିଜକୁ ଓଡ଼ିଶାବାସୀଙ୍କ ଏକମାତ୍ର ହିତୈଷୀ ବୋଲି ପ୍ରତିପାଦିତ କରିବାକୁ ଚାହୁଁଛନ୍ତି। ଅତଏବ ପୋଲାଭରମ‌୍‍ ନେଇ ରାଜ୍ୟର ତିନୋଟି ଯାକ ମୁଖ୍ୟ ଦଳଙ୍କ ଆଭିମୁଖ୍ୟଟି ଅତ୍ୟନ୍ତ ସୁବିଧାବାଦୀ ଏବଂ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରିବାକୁ ଯେ ଉଦ୍ଦିଷ୍ଟ ଏଥିରେ ସନ୍ଦେହ ନାହିଁ। ଅନ୍ୟ ପକ୍ଷରେ ବାମପନ୍ଥୀ ଦଳଙ୍କ ମଧ୍ୟରେ ମଧ୍ୟ ସି.ପି.ଆଇ(ଏମ‌୍‍ଏଲ‌୍‍) ଓ ମାଓବାଦୀମାନେ ହିଁ ପ୍ରକଳ୍ପକୁ ସିଧାସଳଖ ବିରୋଧ କରୁଥିବା ବେଳେ ସିପିଆଇ ତାକୁ ସମର୍ଥନ କରୁଛି। ସିପିଏମ‌୍‍ ଦଳ ଅତିତରେ ପ୍ରକଳ୍ପର ନକ୍ସାରେ ପରବର୍ତ୍ତନ କରି କ୍ଷୟକ୍ଷତିକୁ କମାଇବାକୁ କହୁଥିବା ବେଳେ ବର୍ତ୍ତମାନ କେବଳ ପ୍ରକଳ୍ପ କ୍ଷତିଗ୍ରସ୍ତଙ୍କ ଥଇଥାନ ଓ କ୍ଷତିପୂରଣର କଥା କହୁଛି।   ପୋଲାଭରମ‌୍‍ ପ୍ରକଳ୍ପ ନେଇ ଦକ୍ଷିଣ ଠାରୁ ବାମ ପର୍ଯ୍ୟନ୍ତ ଶାସକ ଶ୍ରେଣୀର ଦଳମାନଙ୍କ ଏଭଳି ଅବସ୍ଥାନରେ ଆଶ୍ଚର୍ଯ୍ୟ ହେବାର ନାହିଁ। ନବ ଉଦାର ଅର୍ଥନୀତିର ସମର୍ଥକ ଏହି ଦଳମାନେ ବଡ଼ ପୁଞ୍ଜିର ସ୍ୱାର୍ଥରେ ଦେଶରେ ବଡ଼ ନଦୀବନ୍ଧ, ଖଣି ଖନନ ଏବଂ ଖଣି ଭିତ୍ତିକ ବୃହତ୍ତ ଶିଳ୍ପକୁ ହିଁ ବିକାଶର ମଡେଲ ବୋଲି କହି ନୀତିଗତ ଭାବେ ତାକୁ ସମର୍ଥନ କରିବା ସହ ନିଜ ନିଜର ଶ&

Share :