ନିଜ ମଳ ଶୁଙ୍ଘି ମରିବା କଥା!

ନିଜ ମଳ ଶୁଙ୍ଘି ମରିବା କଥା!

Share :

ତଥାକଥିତ ପ୍ରଗତି ଓ ବିକାଶ ଯୋଗୁଁ ବାୟୁ ପ୍ରଦୂଷଣର ବେଗ ବଢ଼ିବାରେ ଲାଗିଛି ଏବଂ ସେଥିରେ ମଣିଷ ସମାଜର ପୀଡ଼ା ଓ ସମସ୍ୟା ବହୁଗୁଣୀତ ହୋଇଚାଲିଛି। ଗାଡ଼ିମୋଟର, କଳକାରଖାନା ଓ ଘରୋଇ ଇନ୍ଧନ ଆଦି ଯୋଗୁଁ ବିଶ୍ବବ୍ୟାପୀ ବାୟୁର ମାନ କମିବାରେ ଲାଗିଛି। ଏଥିରେ ମାରାତ୍ମକ ପିଏମ-୨୫ ମାତ୍ରା ବୃଦ୍ଧି ପାଇ ମଣିଷ ଶରୀରକୁ ରୋଗଗ୍ରସ୍ତ କରି ଚାଲିଛି। ବାୟୁରେ ବଢ଼ି ଚାଲିଥିବା ପିଏମ-୨୫ ମଣିଷ ପ୍ରଶ୍ବାସରେ ଫୁସ୍‌ଫୁସ୍‌କୁ ଯାଇ ତାହାକୁ ନଷ୍ଟ କରୁଛି।   ପୃଥିବୀର ପ୍ରତି ୧୦ ଜଣରୁ ୯ ଜଣ ଲୋକ ପ୍ରଶ୍ୱାସରେ ଏହିଭଳି ଭାବେ ନିମ୍ନ ମାନର ବାୟୁ ଗ୍ରହଣ କରୁଛନ୍ତି। ଏହା ସେମାନଙ୍କୁ ବିଭିନ୍ନ ରୋଗରେ ପକାଉଛି। ଅନେକ ସମୟରେ ନିମ୍ନ ମାନର ବାୟୁ ପ୍ରଶ୍ୱାସରେ ନେଇ ବହୁ ଲୋକ ମୃତ୍ୟୁମୁଖ୍ୟରେ ପଡ଼ୁଛନ୍ତି। ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୬୦ ଲକ୍ଷ ଲୋକ ଏହି କାରଣରୁ ପ୍ରାଣତ୍ୟାଗ କରୁଛନ୍ତି। ଏଭଳି କିଛି ଗମ୍ଭୀର ତଥ୍ୟ ପ୍ରକାଶ କରିଛି ମିଳିତ ଜାତିସଂଘ ଅଧୀନସ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା।   ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ଏକ ସଦ୍ୟତମ ରିପୋର୍ଟରେ ରହିଥିବା ଏଭଳି ତଥ୍ୟ ଆମ ସମସ୍ତଙ୍କୁ ଚିନ୍ତାରେ ପକାଇଛି ବୋଲି କହିଛନ୍ତି ଏହି ସଂସ୍ଥାର ଜନସ୍ୱାସ୍ଥ୍ୟ ଏବଂ ପରିବେଶ ବିଭାଗ ମୁଖ୍ୟ ମାରିଆ ନେଇରା। ଏହି ରିପୋର୍ଟ ଅନୁସାରେ ବିଶ୍ୱର ପ୍ରାୟ ସମସ୍ତ ସହରର ବାୟୁର ମାନ ଅତ୍ୟନ୍ତ ନିମ୍ନ। ତେବେ ଗ୍ରାମାଞ୍ଚଳ ବାୟୁର ମାନ ମଧ୍ୟ ଉଦବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଛି।   ଗରୀବ ଦେଶଗୁଡ଼ିକର ବାୟୁର ମାନ ଅଧିକ ଖରାପ। ଧନୀ ଦେଶଗୁଡ଼ିକର ବାୟୁର ମାନ ଅପେକ୍ଷାକୃତ ଉନ୍ନତ। ତେବେ ସବୁ ଦେଶର ସବୁ ବର୍ଗର ଲୋକମାନେ ବାୟୁ ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ଏହା ଏକ ଜନସ୍ୱାସ୍ଥ୍ୟ ଜନିତ ଜରୁରୀକାଳିନ ପରିସ୍ଥିତି ବୋଲି କହିଛନ୍ତି ନେଇରା।   ବାୟୁ ପ୍ରଦୂଷଣ ରୋକିବାକୁ ଏଯାଏଁ କୌଣସି ଦ୍ରୁତ ଓ ସକ୍ରିୟ ପଦକ୍ଷେପ ନିଆଯାଇ ନାହିଁ। ସେଥିପାଇଁ ରାସ୍ତାରେ ଗାଡ଼ି ଚଳାଚଳ ଯଥେଷ୍ଟ ମାତ୍ରାରେ କମାଇବାକୁ ପଡ଼ିବ। ଏହା ସହିତ ବର୍ଜ୍ୟବସ୍ତୁ ପରିଚାଳନା ଓ ରୋଷେଇ ପାଇଁ ନିର୍ମଳ ଇନ୍ଧନର ଦ୍ରୁତ ପ୍ରସାରଣ କରାଯିବା ଦରକାର। ଦେଶଗୁଡ଼ିକ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଇରା ଆହ୍ୱାନ ଦେଇଛନ୍ତି।   ସେପ୍ଟେମ୍ବର ୨୭ ତାରିଖ ମଙ୍ଗଳବାର ପ୍ରକାଶ କରାଯାଇଥିବା ଏହି ରିପୋର୍ଟ ବିଶ୍ୱର ଅନ୍ୟୁନ ୩୦୦୦ ସ୍ଥାନର ତଥ୍ୟ ଭିତ୍ତିରେ ପ୍ରସ୍ତୁତ କରାଯାଇଛି। ରିପୋର୍ଟ ଅନୁସାରେ ବିଶ୍ୱର ୯୨ ପ୍ରତିଶତ ଲୋକ ଏମିତିସବୁ ସ୍ଥାନରେ ବସବାସ କରୁଛନ୍ତି ଯେଉଁଠି ବାୟୁର ମାନ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ଧାର୍ଯ୍ୟ ମାନଠାରୁ ଯଥେଷ୍ଟ ତଳେ। ଏସବୁ ସ୍ଥାନର ବାୟୁରେ ପାର୍ଟିକୁଲେଟ ମ୍ୟାଟର ୨.୫ ବା ପିଏମ-୨୫ ମାତ୍ରା ଯଥେଷ୍ଟ ଅଧିକ ରହିଛି। ପିଏମ-୨୫ରେ ସଲଫେଟ‍୍‌ ଓ କଳା ଅଙ୍ଗାରାମ୍ଳ ଭରପୂର ଥାଏ। ଏହା ସିଧାସଳଖ ଫୁସଫୁସରେ ପ୍ରବେଶ କରି ତାହାକୁ କ୍ଷତିଗ୍ରସ୍ତ କରେ। ଅନେକ ସମୟରେ ଏହା ମଣିଷର କାର୍ଡ଼ିଓଭାସ୍କୁଲାର ବ୍ୟବସ୍ଥାକୁ ଦୁର୍ବଳ କରିଦିଏ। ପ୍ରତି କ୍ୟୁବିକ ମିଟର ବାୟୁରେ ୧୦ ମାଇକ୍ରୋଗ୍ରାମ ପିଏମ-୨୫ ରହିଥିଲେ ତାହା ନିମ୍ନ ମାନର ବାୟୁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ବିଚାର କରେ।   ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ଏକ ଆକଳନ ଅନୁସାରେ ବାର୍ଷିକ ପ୍ରାୟ ୬୦ ଲକ୍ଷ ଲୋକ ଘର ଭିତର ଓ ଘର ବାହାରର ପ୍ରଦୂଷିତ ବାୟୁ ଗ୍ରହଣ କରି ମୃତ୍ୟୁମୁଖରେ ପଡ଼ିଥାନ୍ତି। ଘର ଭିତର ବାୟୁ ଅପେକ୍ଷା ଘର ବାହାର ବାୟୁ ଅଧିକ ବିଷାକ୍ତ। ଘର ବାହାର ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତି ବର୍ଷ ଅନ୍ୟୁନ ୩୦ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାରେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗରିବ ଦେଶଗୁଡ଼ିକରେ ରୋଷେଇ ପାଇଁ ସାଧାରଣ ଲୋକମାନେ କୋଇଲା, କାଠ କୋଇଲା ଓ କାଠ ଇତ୍ୟାଦି ଅଧିକ ପରିମାଣରେ ବ୍ୟବହାର କରିଥାନ୍ତି। ତାହା ଉଭୟ ଘର ଭିତର ଓ ଘର ବାହାର ପ୍ରଦୂଷଣ ପାଇଁ ଅଧିକ ଦାୟୀ। ବାୟୁ ପ୍ରଦୂଷଣ ଯୋଗୁଁ ଯେତେ ଲୋକଙ୍କର ମୃତ୍ୟୁ ହୋଇଥାଏ ତାହାର ୯୦ ପ୍ରତିଶତ କେବଳ ସ୍ୱଳ୍ପ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ଘଟିଥାଏ।   ଚୀନ, ମାଲେସିଆ ଓ ଭିଏତନାମ ପରି ଦକ୍ଷିଣପୂର୍ବ ଏସିଆ ଦେଶଗୁଡ଼ିକର ବାୟୁ ପ୍ରଦୂଷଣ ଅଧିକ ବିପଜ୍ଜନକ ସ୍ତରରେ ପହଂଚିଛି। ସମଗ୍ର ବିଶ୍ୱର ୮୦ ପ୍ରତିଶତ ସହର ବାସିନ୍ଦା ସବୁ ଦିନ ନିମ୍ନ ମାନର ବାୟୁ ଗ୍ରହଣ କରୁଛନ୍ତି। ଗରିବ ଦେଶଗୁଡ଼ିକରେ ଏହି ହାର ୯୮ ପ୍ରତିଶତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥାର ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।   ଏହି ମାରାତ୍ମକ ପ୍ରଦୂଷଣ ସହସା ରୋକାଯିବା ଅସମ୍ଭବ ମନେ ହେଉଛି। ତେବେ ତାହାକୁ ନିୟନ୍ତ୍ରଣ କରାଯାଇ ପାରିବ। ସେଥିପାଇଁ ଅଯଥା ଶିଳ୍ପାୟନ ଓ ସହରାୟନ ରୋକାଯିବା ସହିତ ଅଯଥା ଘରୋଇ ଗାଡ଼ି ବ୍ୟବହାରକୁ ନିରୁତ୍ସାହିତ କରାଯିବା ସହିତ ତା’ ଉପରେ କଟକଣା ଜାରି କରାଯିବା ଉଚିତ। ଦେଶଗୁଡ଼ିକ ନିର୍ମଳ ଶକ୍ତିର ଉତ୍ପାଦନ ଓ ବ୍ୟବହାର ଉପରେ ମଧ୍ୟ ଅଧିକ ଗୁରୁତ୍ବ ଦେବା ଉଚିତ। କାଠ, କୋଇଲା, ପେଟ୍ରୋଲ, ଡିଜେଲ ଆଦିର ବ୍ୟବହାର ଯଥେଷ୍ଟ କମାଇବା ସହିତ ଭୃପୃଷ୍ଠରେ ବୃକ୍ଷାଚ୍ଛାଦାନ ବୃଦ୍ଧି କରାଯିବା ଦରକାର।

Share :