ମହାଗାଲୁଆଙ୍କ ମହାପ୍ରସଙ୍ଗ ମହାନଦୀ!

ମହାଗାଲୁଆଙ୍କ ମହାପ୍ରସଙ୍ଗ ମହାନଦୀ!

Share :

ମହାନଦୀ ଓଡ଼ିଶାର ଜୀବନ ରେଖା। ମହାନଦୀ ଉପରେ ଓଡ଼ିଶାର ୬୫ ପ୍ରତିଶତ ଲୋକ ନିର୍ଭରଶୀଳ। ମହାନଦୀ ଶୁଖିଗଲେ ଓଡ଼ିଶା ଲୋକେ ପାଣି ପାଇବେ ନାହିଁ।   ଏଇ ତିନିଟି ବାକ୍ୟ ବ୍ୟତିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ନନ୍ଦିଭୃଙ୍ଗୀମାନଙ୍କ ନିକଟରେ ମହାନଦୀ ଉପରେ ଆଉ କ’ଣ କିଛି ଜ୍ଞାନ ଓ ସୂଚନା ନାହିଁ? ଥିଲେ ତ’ ଏତେ ବିତର୍କରେ ସେସସବୁ ପଦାକୁ ଆସନ୍ତା! ଛତିଶଗଡ଼ ଯୋଗୁଁ ଓଡ଼ିଶାରେ ମହାନଦୀ ଶୁଖିଯିବ ବୋଲି ଓଡ଼ିଶା ସରକାର କେମିତି ଓ ଯେଉଁ ତଥ୍ୟ ଆଧାରରେ ଜାଣିଲେ ତାହା ତ ଅନ୍ତତଃ ପଦାକୁ ଆସିବା କଥା! ନା ସେମିତି କିଛି ତଥ୍ୟ ମୂଳରୁ ନାହିଁ? ବିନା ତଥ୍ୟ ଓ ପ୍ରମାଣରେ ସରକାର କେମିତି ମହାନଦୀକୁ ଓଡ଼ିଶାର ଏହା ମହାପ୍ରସଙ୍ଗରେ ପରିଣତ କରିଛନ୍ତି? ନବୀନବାବୁ ଓ ତାଙ୍କ ବିଜୁ ଜନତା ଦଳର ଏହି ପ୍ରସଙ୍ଗ ପାଇଁ ଓଡ଼ିଶା ଲୋକଙ୍କର କେତେ ସମୟ ନଷ୍ଟ ହୋଇଛି? ଗଣମାଧ୍ୟମର କେତେ କାଗଜ ଓ ପ୍ରସାରଣ ସମୟ ଯାଇଛି? ସରକାରଙ୍କର କେତେ ଟଙ୍କା ଖର୍ଚ୍ଚ ହୋଇ ଏହାକୁ ଏକ ରାଜନୀତିକ ପ୍ରସଙ୍ଗରେ ପରିଣତ କରାଯାଇଛି?   ଏସବୁ ପ୍ରଶ୍ନର ଉତ୍ତର ନା ନବୀନବାବୁ ଦେଇପାରିବେ ନା ତାଙ୍କ ‘ଚାକର’ମାନେ!   ମହାନଦୀ ନେଇ ଛତିଶଗଡ଼ ରମଣ ସିଂହଙ୍କୁ କିଛି ପ୍ରଶ୍ନ କରନ୍ତୁ, ସେ ତଥ୍ୟ ଓ ପରିସଂଖ୍ୟାନ ଦେଇ ବୁଝେଇ ଦେବେ ଯେ ତାଙ୍କ ରାଜ୍ୟରେ ହେଉଥିବା ବ୍ୟାରେଜ ଯୋଗୁଁ ଓଡ଼ିଶାର କିଛି ବି କ୍ଷତି ହେବନି। ବରଂ ସେ ଏହା ବି କହିବେ ଯେ ଓଡ଼ିଶା ସରକାର ତାଙ୍କ ଭାଗ ମହାନଦୀ ଜଳ ବ୍ୟବହାର ନକରି ଆମକୁ ଦୋଷ ଦେଉଛନ୍ତି। ତାଙ୍କ ଜଳସଂପଦ ମନ୍ତ୍ରୀ ବ୍ରଜଭୂଷଣ ମଧ୍ୟ ସେଇପରି ଗୁଡ଼ାଏ ପରିସଂଖ୍ୟାନ ଆଧାରରେ ଓଡ଼ିଶା ଖାଲି ରାଜନୀତି କରୁଛି ବୋଲି କହିବେ। କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଉମା ଭାରତୀ ମଧ୍ୟ ମହାନଦୀ ନେଇ ଅନେକ ତଥ୍ୟ ଓ ପରିସଂଖ୍ୟାନ ପେଶ୍‌ କରି କେନ୍ଦ୍ର ପକ୍ଷ ରଖିଛନ୍ତି।   ତଥ୍ୟ ଓ ପରିସଂଖ୍ୟାନ ରଖି ନାହାନ୍ତି କେବଳ ନବୀନ। ଆଗ୍ରହୀ ଗବେଷକମାନେ ଆଶା କରୁଥିଲେ ବିଧାନସଭାର ମହାନଦୀ ଆଲୋଚନାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କିଛି ତଥ୍ୟ ଓ ପରିସଂଖ୍ୟାନ ଉପସ୍ଥାପନ କରିବେ! ମହାନଦୀ ଅବବାହିକାରେ ବାର୍ଷିକ ବୃଷ୍ଟିପାତ ହାର କେତେ? ସେଥିରୁ କେତେ ପାଣି ମହାନଦୀରେ ପଡ଼ୁଛି। ଛତିଶଗଡ଼ର କେତେ ବର୍ଷା ଜଳ ମହାନଦୀରେ ପଡ଼ୁଛି ଓ ଓଡ଼ିଶାର କେତେ ବର୍ଷା ଜଳ ସେଥିରେ ମିଶୁଛି। ହୀରାକୁଦ ଜଳ ଭଣ୍ଡାରର ଜଳଧାରଣ କ୍ଷମତା କେତେ? ଛତିଶଗଡ଼ରୁ କେତେ ପାଣି ମୌସୁମୀ ଓ ଅଣମୌସୁମୀ ସମୟରେ ଆସୁଛି? ସେଥିରୁ କେତେ ପାଣି ଓଡ଼ିଶା ସରକାର ବିଭିନ୍ନ କଳକାରଖାନାକୁ ଏକରକମ ମାଗଣାରେ ଦେଉଛନ୍ତି? କେତେ ପାଣି ଚାଷ ପାଇଁ କେନାଲରେ ଛଡ଼ା ଯାଉଛି? ହୀରାକୁଦ ପରେ ବାର୍ଷିକ କେତେ ପାଣି ସମୁଦ୍ରକୁ ଚାଲିଯାଉଛି?   ଏସବୁ ତଥ୍ୟ ଓ ପରିସଂଖ୍ୟାନ ଓଡ଼ିଶା ସରକାରଙ୍କ ପାଖରେ ନାହିଁ ନା ତାହା ସେମାନେ ପ୍ରଘଟ କରିବାକୁ ପସନ୍ଦ କରୁ ନାହାନ୍ତି? ନବୀନବାବୁ ମୁଖ୍ୟମନ୍ତ୍ରୀ ହେବା ପରେ ୨୦୦୦, ୨୦୦୧, ୨୦୦୫, ୨୦୦୬, ୨୦୦୯ ଓ ୨୦୧୦ ଆଦି ବର୍ଷଗୁଡ଼ିକରେ ବିଧାନସଭାରେ ଏ ସଂକ୍ରାନ୍ତରେ ବିଭିନ୍ନ ଦଳର ସଦସ୍ୟମାନେ ଅନେକ ପ୍ରଶ୍ନ ପଚାରିଛନ୍ତି। ସବୁଥର ସରକାରଙ୍କ ଉତ୍ତର ବେଶ ସକାରାତ୍ମକ ଥିଲା- ଓଡ଼ିଶାର କିଛି କ୍ଷତି ହେବ ନାହିଁ। ବଡ଼ ସନ୍ତୋଷର କଥା ଯେ ପ୍ରତ୍ୟେକ ଥର ବିଧାନସଭା ଉତ୍ତର ପାଇଁ ସରକାର ବହୁ ପରିସଂଖ୍ୟାନର ସହାୟତା ନେଇଛନ୍ତି।   ଏଇ ୧୬ ବର୍ଷ ଭିତରୁ ନବୀନବାବୁ ନିଜେ ପ୍ରାୟ ୧୪ ବର୍ଷ ଜଳ ସଂପଦ ବିଭାଗର ମନ୍ତ୍ରୀ ଅଛନ୍ତି। ସେ ନିଜେ ଏବଂ ତାଙ୍କ ବିଭାଗର ସଚିବମାନେ ୨୦୧୬ ପୂର୍ବରୁ ବାରମ୍ବାର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଯେ ଛତିଶଗଡ଼ ୭ କାହିଁକି ୧୦୦ ବ୍ୟାରେଜ କଲେ ବି ଓଡ଼ିଶାର କିଛି କ୍ଷତି ହେବ ନାହିଁ। ନବୀନ ସରକାରର ଅତ୍ୟନ୍ତ ପ୍ରିୟ ଅଧ‍କାରୀ ପୂର୍ବତନ ଜଳସଂପଦ ସଚିବ ସୁରେଶ କୁମାର ମହାପାତ୍ର ଏକଥା ଏକାଧିକ ଥର କହିଛନ୍ତି। ନବୀନ ପଟ୍ଟନାୟକଙ୍କର ଅନ୍ୟତମ ପ୍ରିୟ ଅଧିକାର ବିଜୟ ପଟ୍ଟନାୟକ ଏହି ବିଭାଗର ସଚିବ ପଦରେ ବହୁ ବର୍ଷ ଥିଲେ। କଂଗ୍ରେସ ଅମଳରେ ସେ ଏ ବିଭାଗ ଦାୟିତ୍ବରେ ଥିଲେ। ବିଜେଡି ଅମଳରେ ଥିଲେ। ସିବିଆଇ ତଦନ୍ତ ଚପ ଗଲା ପରେ ନବୀନବାବୁ ତାଙ୍କୁ ନିଜର ସଚିବ ଭାବେ ନେଲେ। ପରେ ତାଙ୍କୁ ମୁଖ୍ୟ ଶାସନ ସଚିବ କଲେ। ଅବସର ପରେ ତାଙ୍କୁ ଥଇଥାନ କରାଗଲା। ସେଠୁ ପୁଣି ସେ ନବୀନବାବୁଙ୍କର ଅନ୍ୟତମ ପ୍ରିୟ ଶିଳ୍ପପତି ଅନୀଲ ଅଗ୍ରୱାଲଙ୍କ ବେଦାନ୍ତ ବିଶ୍ବବିଦ୍ୟାଳୟ ଦାୟିତ୍ବ ପାଇଲେ। ରାଜ୍ୟର ଜଳସଂପଦ ବିଭାଗର ସଚିବ ଭାବେ ତାଙ୍କ ପାଖରେ ମହାନଦୀର ଅବସ୍ଥା ବା ଦୁରବସ୍ଥା ନେଇ ନିଶ୍ଚୟ ଅନେକ କିଛି ତଥ୍ୟ ଥିବ। କିନ୍ତୁ ସେ ବି କାହିଁକି ଚୁପ୍?   ଏବେକାର ମୁଖ୍ୟ ଶାସନ ସଚିବ ଓ ଜଳସଂପଦ ବିଭାଗର ସଚିବ ମଧ୍ୟ ଏ ନେଇ କୌଣସି ନୂଆ କି ପୁରୁଣା ତଥ୍ୟ ଉପସ୍ଥାପନ କରିପାରୁ ନାହାନ୍ତି। ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳର ମୁଖପାତ୍ର ବୋଲାଉଥିବା ବୋଲକରାମାନେ ମଧ୍ୟ କୌଣସି ତଥ୍ୟ କି ପରିସଂଖ୍ୟାନ ନଦେଇ ଖାଲି ଅନିର୍ଦ୍ଦିଷ୍ଟ ଅଭିଯୋଗ କରି ଚାଲିଛନ୍ତି। ଆଉ ଏଇ ଅନିର୍ଦ୍ଦିଷ୍ଟ ଅଭିଯୋଗ ଆଧାରରେ କହିଚାଲିଛନ୍ତି ଯେ ଆମେ ଶେଷ ନିଃଶ୍ବାସ ଯାଏଁ ସଂଗ୍ରାମ କରିବୁ। ଓଡ଼ିଶାର କିଛି କ୍ଷତି ହେବାକୁ ଦିଆଯିବ ନାହିଁ।   କ୍ଷତି ହେବାର ଥିଲେ ତ’ ହେବ! ନହେବାର ଥିଲେ କିପରି ହେବ? ଆଉ ଯଦି ସତରେ ବି ଛତିଶଗଡ଼ ଓଡ଼ିଶା ପାଣିକୁ ଉପରମୁଣ୍ଡରେ ଅଟକାଏ ତେବେ ଓଡ଼ିଶା ବା ଭାରତ ସରକାର କ’ଣ କରିବେ? ପାକିସ୍ତାନକୁ ଜବାବ ଦେବାକୁ ଯାଇଁ ଭାରତ ସରକାର ଯଦି ସିନ୍ଧୁ ଜଳ ନଛାଡ଼ିବାକୁ ନିଷ୍ପତ୍ତି ନେବେ ବା ରବି, ବିତସ୍ତା, ଝେଲମ ଓ ଚେନାବ ଆଦି ନଦୀରେ ବନ୍ଧ ବାନ୍ଧିବେ ତେବେ ଛତିଶଗଡ଼ କାହିଁକି ତାଙ୍କ ଲୋକଙ୍କ ସ୍ବାର୍ଥ ପାଇଁ ମହାନଦୀ ଉପରମୁଣ୍ଡରେ ବନ୍ଧ ବାନ୍ଧିବନି? ଭାରତରେ କାବେରୀ ନଦୀ ଉପରେ କର୍ଣ୍ଣାଟକ ଏଇଆ କରିଛି। ବ୍ରହ୍ମପୁତ୍ର ନଦୀ ଉପରେ ଚୀନ ବି ଏଇଆ କରୁଛି।   ତେବେ ମାନବିକତା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଯେପରି ସିନ୍ଧୁ ଜଳ ଚୁକ୍ତି ହୋଇଥିଲା ସେପରି ହେବାରେ କାହାର କିଛି ଆପତ୍ତି ନାହିଁ। ତାହା ରାଜନୀତିକ ସୌଜନ୍ୟ ଓ ସୌହାର୍ଦ୍ଦ୍ୟ ପୂର୍ଣ୍ଣ ପରିବେଶରେ ହୁଏ ନା ଗୋଟିଏ ସରକାର ଓ ଜାତିକୁ ଓଡ଼ିଶାର ଶତ୍ରୁ ଭାବେ ଚିତ୍ରିତ କଲା ପରେ?   ଛତିଶଗଡ଼ କଥା ଛାଡ଼ନ୍ତୁ। ହୀରାକୁଦ ହେଉଛି ଉପର ମୁଣ୍ଡ ଓ କଟକ ଆଦି ଜିଲ୍ଲା ରହିଲେ ତଳମୁଣ୍ଡରେ। ହୀରାକୁଦ ପାଣିରୁ କେତେ ଭାଗ କେନାଲ ବାଟେ ଅବିଭକ୍ତ ସମ୍ବଲପୁରକୁ ଯାଉଛି? କେତେ ଭାଗ ଅବିଭକ୍ତ କଟକ ଜିଲ୍ଲାକୁ ଆସୁଛି? ନରାଜ ଓ ଯୋବ୍ରାରୁ କେତେ ପାଣି ପାରାଦୀପ ବନ୍ଦର ଓ ଶିଳ୍ପକୁ ଯାଉଛି? କେତେ ପାଣି ଚାଷୀ ପାଉଛନ୍ତି? ଚାଷ ପାଇଁ ମହାନଦୀ ପାଣି ଦରକାର ନିଶ୍ଚୟ। କିନ୍ତୁ ଚାଷ ହେଉଛି ନା? ଓଡ଼ିଶା ସରକାର ତ ମାଗଣାଖିଆ ଭୋଟର ସୃଷ୍ଟି କରିବାରେ ଲାଗିଛନ୍ତି, ଅଧା ଜମି ପଡ଼ିଆ ପଡ଼ିଲାଣି। କୋଉ ଜମିକୁ ପାଣି ଦରକାର? କେତେ ଦରକାର? ଏ ପରିସଂଖ୍ୟାନ ବି ଛତିଶଗଡ଼ ଦେବ?   ମହାନଦୀ ଆମର ମା’। କିଏ ମନା କରୁଛି? ସବୁ ନଈ ମଣିଷ ଓ ଅନ୍ୟାନ୍ୟ ଜନ୍ତୁଙ୍କର ମା’। କିନ୍ତୁ ମା’କୁ ଓଡ଼ିଶା ସରକାର ମଳ ଖୁଇବା କ’ଣ ଛତିଶଗଡ଼ର ଅପରାଧ? ମହାନଦୀକୁ ଓଡ଼ିଶାର କେତେ ଶିଳ୍ପ ଓ ସହରର ମଳ ଛଡ଼ାଯାଉଛି? ଉପର ମୁଣ୍ଡରେ ମଳ ଛାଡ଼ି ତଳମୁଣ୍ଡ ଲୋକଙ୍କୁ ବିଷ୍ଠା ଖୁଆଇବା କେଉଁ ସଭ୍ୟତା? ସମ୍ବଲପୁର ଓ କଟକିଆଙ୍କଆ ମଳ କେନ୍ଦ୍ରାପଡ଼ିଆ ଓ ଜଗତସିଂହପୁରିଆ କାହିଁକି ଖାଇବେ?

Share :