ସ୍ତ୍ରୀଙ୍କ କ୍ଲିନିକ୍, ସ୍ବାମୀଙ୍କ ଘର !

ସ୍ତ୍ରୀଙ୍କ କ୍ଲିନିକ୍, ସ୍ବାମୀଙ୍କ ଘର !

Share :

ଆଇସ ଫ୍ୟାକ୍ଟ୍ରିରେ ବୀମା ବେପାର !   ଡକ୍ଟର ଜ୍ୟୋତି ରାଉତରାୟ କ୍ଲିନିକ ପାଇଁ ନେଇଥିଲେ ଜମି | କିନ୍ତୁ ସେଠି ରହୁଛନ୍ତି ବିଜୟଶ୍ରୀ ରାଉତରାୟ, ତାଙ୍କ ସ୍ବାମୀ ତଥା ନବୀନ ପଟ୍ଟନାୟକଙ୍କ କ୍ୟାବିନେଟର ଜଣେ ବରିଷ୍ଠ ସଦସ୍ୟ | ଏହା ବେଆଇନ | କାରଣ ସରକାରୀ ଆଇନ ଅନୁସାରେ ଯେଉଁ ଉଦ୍ଦେଶ୍ୟରେ ଜମି ନେବ ସେହି ଉଦ୍ଦେଶ୍ୟରେ ତାହାର ବ୍ୟବହାର କରିବ | ନହେଲେ ସରକାର ଜମି ଫେରାଇ ନେଇପାରିବେ | ଏମିତି କେତେକ କ୍ଲିନିକ୍, ନର୍ସିଂହୋମ୍ ଓ ଡାକ୍ତରଖାନା ଜମି ଅନ୍ୟ କାର୍ଯ୍ୟାରେ ବ୍ୟବହୃତ ହୋଇଥିବା ଧରା ପଡ଼ିବା ପରେ ସଂପ୍ରତି ନବୀନ ପଟ୍ଟନାୟକଙ୍କ ସରକାରରେ ରାଜସ୍ବ ମନ୍ତ୍ରୀ ଥିବା ବିଜୟଶ୍ରୀ ରାଉତରାୟ କିଛି ଦିନ ତଳେ କିଛିଟା ଅଡ଼ୁଆରେ ପଡ଼ିଥିଲେ | କ୍ଲିନିକ୍ ପାଇଁ ଦିଆଯାଇଥିବା ଜମିରେ ସେ ବାସଘର କରି ରହୁଥିବାରୁ ଏ ଜମି କାହିଁକି ଫେରାଇ ନ ନିଆଯିବ ସେ ସଂପର୍କୀତ କାରଣ ଦର୍ଶାଅ ନୋଟିସ୍ ଜାରି ହେବା ପରେ ପରେ ଜମି ବଞ୍ଚାଇବାକୁ ସେଠାରେ ହଠାତ୍ ଦିନେ ସକାଳୁ ଦାତବ୍ୟ ଚିକିତ୍ସାଳୟର ସାଇନ୍ ବୋର୍ଡ଼ ଝୁଲିଥିଲା | ତା’ ପରେ ସରକାରୀ ତଦନ୍ତକାରୀ ଅଧିକାରୀମାନେ ଆସିଲେ | ରିପୋର୍ଟ ହେଲା, ଜମି ଯେଉଁ ଉଦ୍ଦେଶ୍ୟରେ ଦିଆଯାଇଥିଲା, ସେହି ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଛି | ଏଇ ଘଟଣା ପ୍ରଘଟ ହେବା ଓ ଏଭଳି ଏକ କ୍ଲିନ୍ ଚିଟ୍ ରିପୋର୍ଟ ଦାଖଲ ହେବା ଭିତରେ ବିଜୟଶ୍ରୀଙ୍କୁ ନେଇ ଯାହା କିଛି ଚର୍ଚ୍ଚା ହେଲା | ଏବେ ଆଉ ସେ ଚର୍ଚ୍ଚ ନାହିଁ | ଏହିପରି ଅନ୍ୟ ଅପରାଧୀମାନେ ମଧ୍ୟ ନିର୍ଭୟ | କାହାରି ଉପରେ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ | ମନ୍ତ୍ରୀ ବିଜୟଶ୍ରୀ ଏବେ ବି ତାଙ୍କ ବଙ୍ଗଳାର ବୃହତ ଅଂଶରେ ରହୁଛନ୍ତି | ସରକାର ଏହା ଦେଖୁଛନ୍ତି | ନାମକୁ ମାତ୍ର ଦାତବ୍ୟ ଚିକିତ୍ସାଳୟର ବୋର୍ଡ଼ ଝୁଲୁଛି | ପ୍ରଥମ କେଇ ଦିନ ଭିତରେ କେଇ ଜଣ ରୋଗୀ ଆସି ସ୍ବାସ୍ଥ୍ୟ ପରୀକ୍ଷା କରି ଔଷଧ ନେଲେ | ତା’ ପରେ ଯଥାପୂର୍ବଂ ତଥାପରଂ | ଜମି କି କାମରେ ଲାଗିଛି ଦେଖିବାକୁ ଆସିଥିବା ସରକାରୀ ଅଧିକାରୀମାନେ ଦାତବ୍ୟ ଚିକିତ୍ସାଳୟ ଓ ରୋଗୀସେବା ରିପୋର୍ଟ ଦେଲା ପରେ ଡକ୍ଟର ଜ୍ଯୋତି ରାଉତରାୟଙ୍କୁ ଆଉ ଏହି ଜମିରୁ କେହି ବେଦଖଲ କରିବେ ନାହିଁ କି ତାଙ୍କ ସ୍ବାମୀଙ୍କୁ କେହି କିଛି ପ୍ରଶ୍ନ ପଚାରିବେ ନାହିଁ | ଅନ୍ୟ ଯେଉଁମାନଙ୍କର ଏଭଳି ଆଇନ ଉଲ୍ଲଙ୍ଘନ ଘଟଣା ଲୋକଲୋଚନକୁ ଆସି ନାହିଁ ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏହାର ପୁନରାବୃତ୍ତି ଘଟିପାରେ | ମୋଟ ଉପରେ ଦେଖିଲେ ସରକାର ସମ୍ଭବତଃ ଜଣେ ଦି ଜଣ ଦୁର୍ବଳ ଲୋକଙ୍କୁ ଛାଡ଼ିଦେଲେ ଆଉ କାହାର ଜମି ଫେରାଇନେବାର ସମ୍ଭାବନା ନାହିଁ | ତେବେ ଏହି ଶୁଦ୍ଧ ସାର୍ଟିଫିକେଟ ଦେବା କାରବାରରେ ବେଶ କିଛି ଅର୍ଥ କାରବାର ହୋଇଯାଇଛି |   ଏହା କେବଳ ଡକ୍ଟର ଜ୍ୟୋତି ରାଉତରାୟ ବା ତାଙ୍କ ସ୍ବାମୀ ତଥା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ କଥା ନୁହେଁ | ଏହା ସମଗ୍ର ଭୁବନେଶ୍ବରର କଥା | ରାଜଧାନୀ ଭୁବନେଶ୍ବରର ପ୍ରାୟ ୯୦ ପ୍ରତିଶତ ଘର ଏହିପରି ଭାବେ ବେଆଇନ | ସରକାର ଯଦି ଠିକ୍ ଭାବେ ଆଇନକାନୁନ ଅନୁସରଣ କରନ୍ତି ତେବେ ରାଜଧାନୀର ଅଧିକାଂଶ ଆପାର୍ଟମେଣ୍ଟ ଓ ସୁଉଚ୍ଚ ଅଟ୍ଟାଳିକା ଭୂଇଁରେ ଲୋଟିବ ଏବଂ ସେସବୁ ଜମି ପୁଣି ଥରେ ସରକାରୀ ଖାତାକୁ ଫେରିଯିବ | କାରଣ ଏସବୁ ଜମି ଯେଉଁ ଉଦ୍ଦେଶ୍ୟରେ ଦିଆ ଯାଇଥିଲା ତା ବଦଳରେ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଛି | ଯଦି ଡକ୍ଟର ଜ୍ୟୋତି ରାଉତରାୟଙ୍କ ଉପରେ ଏପରି ନୋଟିସ୍ ଜାରି ହେଲା ଏବଂ ସରକାରୀ ଅଧିକାରୀମାନେ ତାହାର ସରଜମିନ୍ ତଦନ୍ତ କଲେ ତେବେ ଅନ୍ୟମାନଙ୍କୁ କାହିଁକି ଛାଡ଼ି ଦିଆଗଲା ? ସାଧାରଣ ପ୍ରଶାସନ ବିଭାଗ ରାଜଧାନୀରେ ବାସଘର ନିର୍ମାଣ ପାଇଁ ଯେଉଁମାନଙ୍କୁ ଜମି ଦେଇଛି ସେମାନେ ସେହି ଜମିକୁ ସେଇ କାର୍ଯ୍ୟରେ ଲଗାଇଛନ୍ତି ନା ତାହାକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି ତାହାର ତଦନ୍ତ ହେବା ଉଚିତ | ସେମାନଙ୍କର ଯଦି ତାଲିକା ତିଆରି ହୁଏ ତେବେ ଦେଖାଯିବ ଯେ ଭୁବନେଶ୍ବରରେ ଘର କରିବା ପାଇଁ ଯେତେ ଲୋକ ସରକାରଙ୍କଠାରୁ ଜମି ନେଇଛନ୍ତି ପ୍ରାୟ ସମସ୍ତେ ସେହି ଘରକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି | ବିଶେଷକରି ସୂର୍ଯ୍ୟନଗରର, ଅଶୋକ ନଗର, ବାପୁଜୀ ନଗର, ଫରେଷ୍ଟ ପାର୍କ, ଖାରବେଳନଗର, ସତ୍ୟନଗର, ଶହୀଦନଗର, ବରମୁଣ୍ଡା, ଶୈଳଶ୍ରୀ ବିହାର, ଜୟଦେବ ବିହାର, ଆଇଆରସି ଭିଲେଜ, ବିଜେବି ନଗର ଓ ନୂଆପଲ୍ଲୀ ଆଦି ଅଞ୍ଚଳରେ ବାସଘର ଉଦ୍ଦେଶ୍ୟରେ ଦିଆଯାଇଥିବା ଜମି ସଂପୂର୍ଣ୍ଣ ଭାବେ ବ୍ୟାବସାୟିକ କାର୍ଯ୍ୟରେ ଲାଗିଥିଲେ ମଧ୍ୟ ସରକାରୀ ଅଧିକାରୀମାନଙ୍କୁ ତାହା ଆଦୌ ଦେଖାଯାଉ ନାହିଁ | ସେମାନେ ବୋଧହୁଏ ଆଉ ଶାଗଭାତ ଖାଉ ନାହାନ୍ତି, ରୋଜରୋଜ ମାଛମାଉଁସ ଖାଇଖାଇ ବୋଧହୁଏ ସେମାନଙ୍କ ଆଖିରେ ପରଳ ମାଡ଼ି ଗଲାଣି | ସଚିବାଳୟ ପାଖାପାଖି ଯେତେ ଅଞ୍ଚଳରେ ସରକାର ବ୍ୟକ୍ତିଗତ ବାସଘର ନିର୍ମାଣ ପାଇଁ ପ୍ରଭାବଶାଳୀ ଲୋକମାନଙ୍କୁ ଘର ଦେଇଥିଲେ ସେଠି ଏବେ ବଜାର ଖୋଲିଛି | ଏସବୁ ଅଞ୍ଚଳ ଏବେ ଆଉ ଲୋକଙ୍କ କଲୋନୀ ହୋଇ ରହନାହିଁ, ଏହା ହୋଇଯାଇଛି ମାର୍କେଟ, ସପିଂ ମଲ୍ ଓ ଆପାର୍ଟମେଣ୍ଟ ଇଲାକା | ବ୍ୟକ୍ତିଗତ ବାସଘର ପାଇଁ ଦିଆଯାଇଥିବା ଘରେ ବହୁତଳ ପ୍ରାସାଦ ତିଆରି ହୋଇ ଭଡ଼ାରେ ଲାଗିଛି | ଆପାର୍ଟମେଣ୍ଟ ତିଆରି ହୋଇ ବିକ୍ରି ହୋଇଛି | ବଡ଼ ବଡ଼ ଅଫିସ ଓ ବ୍ୟାବାସାୟିକ ପ୍ରତିଷ୍ଠାନ ଖୋଲିଛି  ସବୁଠୁ ମଜ୍ଜାର ବିଷୟ ହେଉଛି ବାସଘର ପାଇଁ ଦିଆଯାଇଥିବା ଅନେକ ଘରେ ଖୋଦ ସରକାରଙ୍କର ମଧ୍ୟ ଅନେକ ଅଫିସ ଭଡ଼ାରେ ଚାଲିଛି | ଏଭଳି ବେଆଇନ କାମ ସମସ୍ତଙ୍କ ଆଖି ସାମ୍ନାରେ ଘଟିଚାଲିଛି | ଏହି ବେଆଇନ କାମରେ ସରକାରୀ ପଦାଧିକାରୀ, ନେତା, ବ୍ୟବସାୟୀ, ସାମ୍ବାଦିକ ପରି ବିଭିନ୍ନ ବର୍ଗର ଲେକେ ସାମିଲ ଅଛନ୍ତି | ସମସ୍ତେ ଯେତେବେଳେ ଆବଣ୍ଟିତ ଜମିର ନିୟମ ବହିର୍ଭୂତ ବ୍ୟବହାର କରୁଛନ୍ତି ତେଣୁ ବିବାଦ ଉଠିଲେ ସମସ୍ତେ ମିଳିମିଶି ସେଥିରୁ ନିସ୍ତାର ପାଇବାର ବାଟ ବାହାର କରନ୍ତି, ନହେଲେ ତଦନ୍ତାଦି ଆଳରେ ସମୟ ଗଡ଼ାଇ ନିଅନ୍ତି | ଏଭଳି ଆପାର୍ଟମେଣ୍ଟ ଓ ପ୍ରସାଦୋପମ ଅଟ୍ଟାଳିକାଗୁଡ଼ିକୁ ଅନୁମତି ଦେଇଛନ୍ତି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ ବା ବିଡିଏ | ତାହା ସରକାରଙ୍କ ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ ଏକ ସଂସ୍ଥା | ଏଭଳି ବେଆଇନ ନିର୍ମାଣକୁ ବିଦ୍ୟୁତ ସଂଯୋଗ ଦେଇଛି ଗ୍ରୀଡ଼କୋ, ସରକାରଙ୍କ ଶକ୍ତି ବିଭାଗ ଅଧୀନସ୍ତ ଅନ୍ୟ ଏକ ସଂସ୍ଥା | ଏହାକୁ ପାଣି ସଂଯୋଗ ଦେଇଛି ଜନସ୍ବାସ୍ଥ୍ୟ ବିଭାଗ, ରାସ୍ତା ସଂଯୋଗ ଦେଇଛି ମହାନଗର ନିଗମ | ସବୁ ସରକାରଙ୍କର ଗୋଟିଏ ଗୋଟିଏ ଅଂଶ | ସାଧାରଣ ପ୍ରଶାସନ ବିଭାଗର ଜମିରେ ଏଭଳି ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହିତ କରିଛନ୍ତି ଅନ୍ୟାନ୍ୟ ବିଭାଗ | ଶିଳ୍ପ ପାଇଁ ନେଇଥିବା ଜମିରେ ଶିଳ୍ପ ନକରି ଯଦି ଅନ୍ୟ କାମ କରାଯାଉଛି ତେବେ ଇଡ଼କୋ ସେହି ଜମିକୁ ଫେରାଇ ନେବାକୁ ମଝିରେ ଉଦ୍ୟମ କରୁଛି, ନୋଟିସ ଜାରି କରୁଛି | କ୍ଲିନିକ୍ ପାଇଁ ଦିଆଯାଇଥିବା ଜମି ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥିବାରୁ ତାହା ବିବାଦୀୟ ହେଲା | ତେଣୁ ଆଇନ ସମସ୍ତଙ୍କ ପାଇଁ ସମାନ ହେବା ନ୍ୟାୟରେ ଭୁବନେଶ୍ବର ସହରର ସମସ୍ତ ସରକାରୀ ଜମିର ଉପଭୋକ୍ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବା ଉଚିତ | ବିଜୟଶ୍ରୀଙ୍କୁ ଧରି ସହି ଅଂଚଳର ଶ୍ରୀରାମ ଶ ମିଲ୍ ଓ ନରୁଲା ଆଇସ ଫ୍ୟାକ୍ଟ୍ରି ଜମି କଥା କେହି ଚିନ୍ତା କଲେ ନାହିଁ | ଶ୍ରୀୟା ଛକରେ ଥିବା ଏ ଦୁଇଟି ବିରାଟ ଜମି ଏବେ କି କାର୍ଯରେ ବ୍ୟବହୃତ ହେଉଛି ତାହା କ’ଣ ସରକାର ବାହାଦୂରଙ୍କୁ ଦେଖାଯାଉ ନାହିଁ ? ଆଇସ ଫ୍ୟାକ୍ଟ୍ରି ଜମିରେ ବହୁରାଷ୍ଟ୍ରୀୟ କମ୍ପାନୀଙ୍କ ବୀମା କାର୍ଯ୍ୟାଳୟ ଖୋଲିଥିବାବେଳେ ଶ ମିଲ ଜମିରେ ଖୋଲିଛି ବହୁରାଷ୍ଟ୍ରୀୟ କମ୍ପାନୀର ପିଜା, ପୋଷାକ ଓ ଫୋନ ଅଫିସ | ଯେଉଁମାନେ ବାସଗୃହ ପାଇଁ ଜମି ନେଇ ତହିଁ ଉପରେ ଆପାର୍ଟମେଣ୍ଟ ବା ଅଫିସ ପାଇଁ ଭଡ଼ା ଉପଯୋଗୀ ଘର ତୋଳି ମୁନାଫା ଅର୍ଜନ କରିଛନ୍ତି, ବହୁତଳ ଅଟ୍ଟାଳିକା ନିର୍ମାଣ କରି ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସକୁ ଭଡ଼ାରେ ଦେଇ ବ୍ୟବସାୟ କରୁଛନ୍ତି, ସ୍କୁଲ୍, କୋଚିଂ କ୍ଲାସ୍, କଲେଜ, ନର୍ସିଂହୋମ୍, ହୋଟେଲ୍ ଆଦି ନିର୍ମାମାଣ କରିଛନ୍ତି ସେମାନେ ଆଇନ ଉଲ୍ଲଙ୍ଘନ କରି ନାହାନ୍ତି କି ? ସେହିପରି ଯେଉଁମାନେ ବରଫ କଳ ବା ଶ ମିଲ ପାଇଁ ଜମି ନେଇ ତାହାକୁ ବିଭିନ୍ନ କମ୍ପାନୀଙ୍କୁ ଭଡ଼ାରେ ଲଗେଇ ଦେଇଛନ୍ତି ସେମାନ କୋଉ ସାଧୁ ? ଜମିର ଏପରି ଯୋଜନା ଓ ଉଦ୍ଦେଶ୍ୟହୀନ ବ୍ୟବହାର ଭୁବନେଶ୍ବର ସହର ପାଇଁ ସମସ୍ୟା ସୃଷ୍ଟି କରୁ ନାହିଁ କି ? ଶିଶୁ ଭବନ ଛକରୁ ବାଣୀ ବିହାର ଛକ ଯାଏଁ ଏବେ ଯଉଁ ଟ୍ରାଫିକ ସମସ୍ୟା, ଯେଉଁ ପାର୍କିଂ ସମସ୍ୟା ତାହାର ମୂଳ କାରଣ କ’ଣ ? ଏହା ଜାଣିବାକୁ କ’ଣ ଗୋଟେ ବିଚାର ବିଭାଗୀୟ କମିଶନର ଆବଶ୍ୟକତା ରହିଛି ? ସରକାର ଯଦି ତାଙ୍କର ସର୍ବକ୍ଷମା ଗୁଣ ବଳରେ ଏମାନଙ୍କ ବେଆଇନ କାମକୁ ନିୟମିତ କରିଥାନ୍ତି ବା କରନ୍ତି ତେବେ ଏହି ପ୍ରକାର ଯେତେ ବେଆଇନ କାର୍ଯ୍ୟ ହୋଇଛି ସମସ୍ତଙ୍କୁ ଗୋଟିଏ କଲମ ଗାରରେ କ୍ଷମା କରିଦିଅନ୍ତୁ | ଆଉ ଏ ବିବାଦ ରହିବ ନାହିଁ | ମାତ୍ର, ଏହା ପରଠୁଁ ଯେ ଏପରି ବେଆଇନ କାମ ଆଉ କେହି କରିବେ ନାହିଁ, ତାହାର ଗ୍ୟାରେଣ୍ଟି କେହି ଦେଇପାରିବେ ନାହିଁ |

Share :